Unknown

 

 

 

 

 

 

 

 

 

 

 

ଆମ ଆଦିବାସୀ ଶିଶୁ

ପ୍ରିୟନାଥ ମହାପାତ୍ର

 

ଏଥିରେ ଅଛି

 

୧.

ସାନ୍ତାଳ ଶିଶୁ

୨.

ମୁରିଆ ଶିଶୁ

୩.

ଗଣ୍ଡ ଶିଶୁ

୪.

ଭୀଲ ଶିଶୁ

୫.

ଖାରିଆ ଶିଶୁ

୬.

ନାଗା ଶିଶୁ

୭.

କୋହ୍ଲ ଶିଶୁ

୮.

ଗଡ଼ି ଶିଶୁ

୯.

ଶବର ଶିଶୁ

୧୦.

ବୈଗା ଶିଶୁ

୧୧.

ଭୂୟାଁ ଶିଶୁ

୧୨.

ଜୁଆଙ୍ଗ ଶିଶୁ

୧୩.

ତୋଦା ଶିଶୁ

୧୪.

ପରଜା ଶିଶୁ

୧୫.

ଡିଡାୟୀ ଶିଶୁ

୧୬.

ଭୋତିଆ ଶିଶୁ

୧୭.

ମୁଣ୍ଡା ଶିଶୁ

୧୮.

ଖାସ ଶିଶୁ

୧୯.

କନ୍ଧ ଶିଶୁ

୨୦.

ବଣ୍ଡା ଶିଶୁ

୨୧.

ଗଦବା ଶିଶୁ

☆☆☆

 

ସାନ୍ତାଳ ଶିଶୁ

 

ସେଦିନଟି ହୋଇଥିଲା ରବିବାର । ଶରତ ବାବୁ ତାଙ୍କ ବୈଠକଖାନାରେ ବସି କିଛି ଲେଖାଲେଖି କରୁଥିଲେ । ପାଖରେ ପାଠ ପଢ଼ୁଥିଲେ ଲିପୁ ଏବଂ ମାମୁନିଙ୍କ ସମେତ ସେମାନଙ୍କର ଆଉ ଦୁଇଜଣ ସାଙ୍ଗ । ସେମାନେ ସମସ୍ତେ ଛୋଟ ପିଲା ।

 

ଶରତ ବାବୁଙ୍କ ଟେବୁଲ ଉପରେ ଖୋଲା ହୋଇ ରହିଥିଲା ପିଲାମାନଙ୍କର କେତୋଟି ଫଟୋ । ସେଗୁଡ଼ିକ ଉପରେ ଲିପୁର ଆଖି ପଡ଼ିଗଲା ।

 

ବାପା ! ଏଗୁଡ଼ିକ କାହାର ଫଟୋ ? ଜଣାପଡ଼ୁଛି ତୁମେ ସେଗୁଡ଼ିକ ବିଷୟରେ କିଛି ଲେଖିଛ । ନ ହେଲେ ଲେଖାଲେଖି ସମୟରେ ଥରକୁ ଥର ତୁମେ ସେଗୁଡ଼ିକ ଚାହୁଁଛ କାହିଁକି ? ଉତ୍କଣ୍ଠିତ ହୋଇ ପଚାରିଲା ଲିପୁ । ଏହାପରେ ଅନ୍ୟ ପିଲାମାନେ ତା’ ସହିତ ଯୋଗ ଦେଲେ ।

 

ହଁ ପିଲେ, ତୁମମାନଙ୍କ ଅନୁମାନ ଠିକ୍‌ । ଏଗୁଡ଼ିକ ହେଲା କେତୋଟି ସାନ୍ତାଳ ଶିଶୁଙ୍କର ଫଟୋ । ମୁଁ ସେମାନଙ୍କ ସମ୍ପର୍କରେ ଲେଖିଥିଲି ।

 

ତା’ହେଲେ ପିଉସା ! ତୁମର ଲେଖାଟିରୁ ଆମମାନଙ୍କୁ ଥରେ ପଢ଼ି ଶୁଣାଇବ ନାଁ ? ସେମାନଙ୍କ ବିଷୟରେ ଜାଣିବା ପାଇଁ ଆମେ ଖୁବ୍‌ ଆଗ୍ରହୀ, କହିଲା ମାମୁନି ।

 

ଶରତ ବାବୁ କିଛି ସମୟ ପୂର୍ବରୁ ଶେଷ କରିଥିବା ଲେଖାଟିକୁ ପିଲାମାନଙ୍କୁ ଦେଖାଇ କହିଲେ–ଏଇଟିକୁ ମୁଁ ପଢ଼ି ଶୁଣାଇଲେ ତୁମମାନଙ୍କ ଭଳି କୋମଳମତୀ ପିଲା ବୁଝିପାରିବ ନାହିଁ । ଏବେ ତ ତୁମମାନଙ୍କର ପଢ଼ା ସରିଗଲାଣି, ଯାଅ ସମସ୍ତେ ଗାଧୋଇ ପାଧୋଇ ଖାଇପିଇ ମୋ ପାଖକୁ ଆସିବ । ମୁଁ ସେମାନଙ୍କ ବିଷୟରେ ତୁମମାନଙ୍କୁ ବୁଝାଇ ଦେବି ।

 

ପିଲାମାନେ ତାଙ୍କ କଥା ମାନି ଚାଲିଗଲେ ଓ ଖୁବ୍‌ ଶୀଘ୍ର ସେମାନଙ୍କ କାମ ସାରି ପୁଣି ଆସି ପହଞ୍ଚିଗଲେ ।

 

Image

 

ଏଥର ତେବେ ତୁମେମାନେ ଆସି ଯାଇଛ । ଶରତ ବାବୁ ଆରମ୍ଭ କଲେ, ଆମ ଓଡ଼ିଶାରେ ପାହାଡ଼ ପର୍ବତ ଆଉ ଜଙ୍ଗଲମାନଙ୍କରେ ଯେଉଁ ଲୋକମାନେ ବାସ କରନ୍ତି ସେମାନଙ୍କୁ କୁହାଯାଏ ଆଦିବାସୀ । ‘ସାନ୍ତାଳ’ ହେଉଛି ଏମାନଙ୍କର ଗୋଟିଏ ଗୋଷ୍ଠୀ ବା ସମ୍ପ୍ରଦାୟ । ଏମାନେ ସାଧାରଣତଃ ମୟୂରଭଞ୍ଜ ଜିଲ୍ଲାରେ ବହୁଳ ଭାବରେ ବସବାସ କରିଥାନ୍ତି । ଆମ ରାଜ୍ୟରେ ଯେତେ ଆଦିବାସୀ ଦେଖାଯାନ୍ତି ସେମାନଙ୍କ ମଧ୍ୟରେ ଏହି ସାନ୍ତାଳ ସମ୍ପ୍ରଦାୟ ସଂଖ୍ୟାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

 

ତେବେ ପ୍ରଥମ ଏବଂ ଦ୍ଵିତୀୟ ସ୍ଥାନରେ କେଉଁ ଶ୍ରେଣୀର ଆଦିବାସୀମାନେ ରହିଛନ୍ତି ? ହଠାତ୍‌ ପଚାରିଲା ଲିପୁ !

 

ହଁ କହୁଛି ଶୁଣ ! ବାପା କହିଲେ–ଆମ ରାଜ୍ୟରେ ଆଦିବାସୀମାନଙ୍କ ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ କନ୍ଧମାନଙ୍କର ସ୍ଥାନ ପ୍ରଥମ ଏବଂ ଗଣ୍ଡମାନଙ୍କର ସ୍ଥାନ ଦ୍ଵିତୀୟ । ବଙ୍ଗଳା ଏବଂ ବିହାରରେ ଏମାନେ ପ୍ରଧାନ ଜାତିବୋଲି କିମ୍ବଦନ୍ତୀରୁ ଜଣାପଡ଼େ । ସେମାନେ ପ୍ରକୃତରେ ବଙ୍ଗଳାର ବିରଭୂମି ଓ ବିହାରର ହଜାରିବାଗ, ରାଞ୍ଚି ଏବଂ ପାଲାମାଉ ଅଞ୍ଚଳରେ ବାସ କରୁଥିଲେ ।

 

କାଳକ୍ରମେ ସେମାନେ ସେଠାରୁ ବିଭିନ୍ନ ଦିଗକୁ ବିସ୍ତାରିତ ହୋଇଛନ୍ତି ।

 

ଲିପୁ ଏ ଫଟୋଗୁଡ଼ିକୁ ଦେଖିଲୁ । ବାପା କହିଲେ–ସେମାନଙ୍କ ଚେହେରା କଳା ଦେଖାଯାଉ ନାହିଁ କି ? ସେମାନେ ଦେଖିବାକୁ ବାଙ୍ଗରା, ନାକ ଚେପଟା, ମୁଣ୍ଡ ଲମ୍ବା ଏବଂ ସେମାନଙ୍କ ଶରୀରରେ ଅନେକ ବଳ । ସେମାନେ ଛୋଟ ଛୋଟ ଲୁଗା ବ୍ୟବହାର କରନ୍ତି । ପୁରୁଷମାନଙ୍କର ଲୁଗା ସେମାନଙ୍କର ଗୋଡ଼ର ପେଣ୍ଡା ପର୍ଯ୍ୟନ୍ତ ପଡ଼ିଥାଏ । ସ୍ତ୍ରୀଲୋକମାନଙ୍କର ଶରୀରକୁ ଆବୃତ କଲା ଭଳି କେବଳ ଶାଢ଼ି ଖଣ୍ଡିଏ ତାଙ୍କ ଦେହରେ ରହିଥାଏ । ଅଳଙ୍କାର ହିସାବରେ ହାତରେ ସାଧାରଣତଃ ଆଲୁମିନିୟମ ଓ କଂସାରେ ତିଆରି ଖଡ଼ୁ ଏବଂ ଗୋଡ଼ରେ ପାହୁଡ଼ ରହିଥାଏ । ଫୁଲ ପ୍ରତି ସେମାନଙ୍କର ବେଶ୍‌ ଆଦର । ପୁରୁଷମାନେ ଆତ୍ମରକ୍ଷା ପାଇଁ ସଦାସର୍ବଦା ଧନୁଶର ଏବଂ ବର୍ଚ୍ଛା ଧାରଣ କରିଥାନ୍ତି । ଏମାନେ ଭାରି ପରିଶ୍ରମୀ ଏବଂ ସରଳବିଶ୍ୱାସୀ । ମିଛ କହିବାକୁ ସେମାନେ ଘୃଣା କରିଥାନ୍ତି ।

 

Image

 

ପିଉସା ! ସଦାସର୍ବଦା ସେମାନଙ୍କ ପାଖେ ପାଖେ ଧନୁଶର ଏବଂ ବର୍ଚ୍ଛା ଆଦି ଅସ୍ତ୍ରମାନ ତ ରହିଥାଏ । ତେବେ ସେମାନେ ସେଗୁଡ଼ିକ ସାହାଯ୍ୟରେ ଅନେକ ଶିକାର କରୁଥିବେ ଫଳରେ ସେମାନଙ୍କୁ ଆମମାନଙ୍କ ପରି ମାଂସ କିଣିବାକୁ ପଡ଼ୁନଥିବ । ମୁଁ ଭାବୁଛି ସେମାନେ କେବଳ ବନ୍ୟ ଜନ୍ତୁଙ୍କର ମାଂସ ଖାଇ ବଞ୍ଚିଥ‌ିବେ । ମାମୁନି ପଚାରିଲା ଶରତ ବାବୁଙ୍କୁ ।

 

ନାଇଁରେ ମାମୁନି ! ତୋର ଧାରଣା ଭୁଲ । ଅନ୍ୟ ଆଦିବାସୀଙ୍କ ପରି ସାନ୍ତାଳମାନେ ମାଂସାଶୀ ନୁହଁନ୍ତି । ଅବଶ୍ୟ ସେମାନେ ବେଶ୍‍ ଶିକାର ପ୍ରିୟ । ସେମାନଙ୍କ ଶିକାରକୁ ‘ସୌନ୍ଦ୍ରା’ କୁହାଯାଏ । କିନ୍ତୁ ସେମାନେ ଶିକାରର ମାଂସ ଖାଆନ୍ତି ନାହିଁ । ଭାତ ଓ ଜଙ୍ଗଲରୁ ଫଳମୂଳ ହେଲା ସେମାନଙ୍କର ପ୍ରଧାନ ଖାଦ୍ୟ । ଆମମାନଙ୍କ ପରି ସେମାନେ ମଧ୍ୟ ଭାତକୁ ପଖାଳ କରି ଖାଇଥାନ୍ତି-। ଏହା ବ୍ୟତୀତ ପିଠା ମଧ୍ୟ ସେମାନଙ୍କର ବେଶ୍‍ ପ୍ରିୟ ଖାଦ୍ୟ ।

 

ଏଥର ମୁଁ ସାନ୍ତାଳ ପରିବାର ବିଷୟରେ କିଛି କହୁଛି ମନଦେଇ ଶୁଣ । ଅନ୍ୟାନ୍ୟ ଆଦିବାସୀ ଗୋଷ୍ଠୀଙ୍କ ପରି ସାନ୍ତାଳମାନେ ସେମାନଙ୍କର ପିଲାଛୁଆଙ୍କୁ ଖୁବ୍‍ ଭଲପାଆନ୍ତି । ସେମାନଙ୍କ ପରିବାରଟି ସାଧାରଣତଃ ଦୁଇଟି ପ୍ରଧାନ ଭାଗରେ ବିଭକ୍ତ । ପ୍ରଥମଟି କେବଳ ସ୍ୱାମୀ, ସ୍ତ୍ରୀ ଏବଂ ପୁତ୍ର କନ୍ୟାକୁ ନେଇ ଗଠିତ, ଯାହାକୁ କୁହାଯାଏ ‘ବ୍ୟକ୍ତିଗତ ପରିବାର’ । ଦ୍ୱିତୀୟ ପ୍ରକାର ପରିବାରକୁ କହନ୍ତି ‘ସାମାଜିକ ପରିବାର’ । ଏଥିରେ ପିତାମାତା ତଥା ପୁତ୍ର କନ୍ୟାଙ୍କ ସମେତ ଭାଇ ଭଉଣୀ ଆଦି ସମସ୍ତେ ବାସ କରନ୍ତି ।

 

ସାନ୍ତାଳ ପରିବାରରେ ମାଆ ଯେତେବେଳେ କୌଣସି ମେଳା, ଯାନିଯାତ ବା ବିଲକୁ ଯାଏ ସେତେବେଳେ ସେ ତା’ର ଶିଶୁଟିକୁ ସାଥିରେ ନେଇଯାଏ । ଶିଶୁ କୌଣସି ସମୟରେ ବେମାର ପଡ଼ିଲେ ସେମାନେ ତାକୁ ଗୁଣିଆ ପାଖକୁ ନେଇଯାଆନ୍ତି । ସେମାନେ ଗୁଣିଆକୁ ‘ଓଝା’ ବୋଲି କହିଥାନ୍ତି । ସେମାନଙ୍କର ଭୂତପ୍ରେତରେ ବିଶ୍ୱାସ ଥିବାରୁ ଶିଶୁଟି କାଳେ ସେମାନଙ୍କ ପ୍ରସ୍ତାବଦ୍ୱାରା ରୋଗାକ୍ରାନ୍ତ ହୋଇଥିବ ଏହା ଭାବି ‘ଓଝା’ ନିଜ ମନରୁ ଅସ୍ପଷ୍ଟ ସ୍ୱରରେ କିଛି ମନ୍ତ୍ର ପଢ଼େ । ଏପରି କଲେ ଭୂତପ୍ରେତମାନେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ପଳାଇଯିବେ ଏବଂ ଶିଶୁଟି ସୁସ୍ଥ ହୋଇ ପଡ଼ିବବୋଲି ସେମାନଙ୍କର ଦୃଢ଼ ଧାରଣା । ଏହା ବ୍ୟତୀତ ଡାହାଣୀରେ ମଧ୍ୟ ସେମାନଙ୍କର ବିଶ୍ଵାସ କମ୍‌ ନୁହେଁ । ସ୍ତ୍ରୀଲୋକମାନଙ୍କ ମଧ୍ୟରେ ସେମାନେ ଅଛନ୍ତିବୋଲି ସାନ୍ତାଳମାନଙ୍କର ଧାରଣା । ଏହି ବିଦ୍ୟାକୁ ଜାଣିଥିବା ସାନ୍ତାଳ ଯାହାକୁ ‘ଯାନ୍‌’ ବୋଲି କୁହାଯାଏ । ସେ ଡାହାଣୀ ସ୍ତ୍ରୀଲୋକଟି ଚିହ୍ନଟ କରିସାରିବା ପରେ ସମସ୍ତେ ମିଶି ତାକୁ ନିର୍ଘାତ ପ୍ରହାର କରନ୍ତି । ସମୟ ସମୟରେ ତା’ର ମଧ୍ୟ ମୃତ୍ୟୁ ହୋଇଯାଇଥାଏ ।

 

ଶରତ ବାବୁ ପିଲାମାନଙ୍କୁ ଏତେଗୁଡ଼ିଏ କଥା ବୁଝାଇ ଚାଲିଥିଲେ ହଠାତ୍‌ ତାଙ୍କର ଆଖି ପଡ଼ିଲା ଲିପୁ ଉପରେ । ସେ ପଚାରିଲେ–ପୁଅ ତୁ କ’ଣ କିଛି ପଚାରିବୁ କି ?

 

ବାପା ! ତୁମର ଅନୁମାନ ଠିକ୍‌ । କହିଲା ଲିପୁ, ସାନ୍ତାଳମାନେ ତ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରୁଥିବେ ? ସେ ବିଷୟରେ ତ କାହିଁକି କିଛି କହିଲ ନାହିଁ ? ଲିପୁର ଏପରି କଥା ଶୁଣି ସେଥିରେ ଯୋଗଦେଲା ମାମୁନି ।

 

ହଁ ପିଲେ ତୁମେ ମୋତେ ଗୋଟିକ ପରେ ଗୋଟିଏ ପ୍ରଶ୍ନ ନ ପଚାରି ଛାଡ଼ିବ ନାହିଁ ବୋଲି ଭାବୁଛି । ଶରତ ବାବୁ କହିଲେ ।

 

ସାନ୍ତାଳମାନେ ମଧ୍ୟ ଆମମାନଙ୍କ ପରି ବିଭିନ୍ନ ପ୍ରକାର ଦେବାଦେବୀଙ୍କୁ ମାନନ୍ତି । ସେମାନଙ୍କର ଅନେକଗୁଡ଼ିଏ ପର୍ବପର୍ବାଣି ରହିଛି । ସେଗୁଡ଼ିକ ମଧ୍ୟରୁ ପୌଷ ଏବଂ ମାଘ ମାସର ଫସଲ ଆମଦାନୀ ସମୟର ପର୍ବ ‘ସୋହରାଇ’ ପ୍ରଧାନ । ଏହି ପର୍ବ ସମୟରେ ଗାଁର ପୁରୁଷ, ସ୍ତ୍ରୀ ଓ ପିଲାମାନେ ସମସ୍ତେ ମିଶି ଗୋଟିଏ ସ୍ଥାନରେ ରୁଣ୍ଡ ହୁଅନ୍ତି । ସେମାନଙ୍କର ପୁରହିତମାନଙ୍କୁ ‘ଦିହିରି’ ବୋଲି କୁହାଯାଏ । ଏହି ପର୍ବର ବିଧି ଅନୁସାରେ ସେଦିନ ଦିହିରିଙ୍କୁ ଉପାସ ରହିବାକୁ ପଡ଼େ । ତା’ ପରଦିନ ହୁଏ ଗୋ-ପୂଜା । ଏଥ‌ିରେ ସେମାନେ ଗାଈମାନଙ୍କୁ ପୂଜା କରିଥାନ୍ତି । ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ଗାଁର ସମସ୍ତ ଲୋକ ପବିତ୍ର ବୁଡ଼ ପକାଇବା ନିମନ୍ତେ ନିକଟସ୍ଥ ନଈକୁ ଯାଆନ୍ତି । ପୂର୍ବରୁ କୂଳରେ ଗୋଟିଏ ସ୍ଥାନ ସଫା କରାଯାଇ ସେଠାରେ ଏହି ପୂଜା ନିମନ୍ତେ ଆୟୋଜନ କରାଯାଇଥାଏ । ତା’ ଉପରେ କିଛି ଚାଉଳ ମଧ୍ୟ ଅର୍ଘ୍ୟରୂପେ ପଡ଼ିଥିବାର ଦେଖାଯାଏ-

 

Image

 

ସେଠାରୁ ଅଳ୍ପ ଦୂରରେ ଗୋଟିଏ ଗଞ୍ଜାକୁ ଗାଧୋଇ ଦିଆଯାଇ ଥାଏ । ଗଞ୍ଜାକୁ ଭଲଭାବରେ ଗାଧୋଇ ଦେଇ ପୋଛାପୋଛି କରିସାରିବା ପରେ ତାକୁ ଅଣାଯାଏ ନଦୀ କୂଳସ୍ଥ ପୂଜା ବେଦୀକୁ । ସେଠାରେ ଜଣେ ସାନ୍ତାଳ ତାକୁ ଦେବତାଙ୍କ ଉଦ୍ଦେଶ୍ୟରେ ବଳୀ ଦେଇଥାଏ । ଅବଶ୍ୟ ସେମାନଙ୍କର ଏହି ଦୃଶ୍ୟ ଆମ୍ଭମାନଙ୍କୁ ବେଶ୍‌ ଆଶ୍ଵସ୍ତିବୋଧ ହେଲେ ମଧ୍ୟ ସାନ୍ତାଳମାନଙ୍କର ଏହା ଏକ ପ୍ରଥା ।

 

ଦେବତାଙ୍କ ଉଦ୍ଦେଶ୍ୟରେ କୁକୁଡ଼ା ବଳି ଦେବା ପରେ ଗୋଟିଏ ଗାଈକୁ ପୂଜା ବେଦୀରେ ଉପସ୍ଥିତ କରାଯାଏ । ସେ ଗାଈଟି କୌଣସି କାରଣରୁ ଗୋଡ଼ ହଲାଇ ନାଚିବାକୁ ଆରମ୍ଭ କରିଦିଏ । ସେତେବେଳେ ସେଠାରେ ଉପସ୍ଥିତ ଗାଁର ସମସ୍ତ ପିଲାଛୁଆ ଏ ଦୃଶ୍ୟ ଦେଖି ହସି ଉଠନ୍ତି । ସାନ୍ତାଳମାନଙ୍କ ପାଇଁ ଏହା ଏକ ଶୁଭ ଲକ୍ଷଣ । ଏହାପରେ ଗାଈର ଗୋଡ଼ଗୁଡ଼ିକ ପାଣିରେ ଧୋଇ ଦିଆଯାଏ । ତା’ ଶିଙ୍ଗ ଦୁଇଟିରେ ତେଲ ବୋଳି ଦିଆଯାଏ, ଏବଂ ସମୁଦାୟ ଶରୀରଟିକୁ ସିନ୍ଦୂର ଚିହ୍ନ ଦ୍ୱାରା ସଜାଇ ଦିଆଯାଏ ।

 

ଏହାପରେ ସେଠାରେ ପହଞ୍ଚେ ଗାଆଁର ଗୋପାଳ । ତାକୁ ମଧ୍ୟ ଗାଆଁର ଲୋକମାନେ ଗାଈପରି ସମ୍ମାନ ଦିଅନ୍ତି । ତାକୁ ପୂଜା ମଧ୍ୟ କରନ୍ତି I ପୂଜା କାର୍ଯ୍ୟ ପରେ ଗାଆଁ ଲୋକମାନେ ଗାଈ ଏବଂ ଗୋପାଳକୁ ଅନ୍ୟତ୍ର ନେଇ ଯାଆନ୍ତି ଏବଂ ଏହାପରେ ଉତ୍ସବ ସ୍ଥାନଟି ସାନ୍ତାଳ ଶିଶୁ ଏବଂ ପୁରୁଷମାନଙ୍କ ଦ୍ୱାରା ନୃତ୍ୟଗୀତରେ ପୂରି ଉଠେ ।

 

ଶରତ ବାବୁ ଦେଖିଲେ ଲିଜା ଏବଂ ମାମୁକି ନିଜ ନିଜର ବସିଥ‌ିବା ସ୍ଥାନରୁ ଉଠି ଆଣ୍ଠେଇ ପଡ଼ିଲେଣି । କଥା କ’ଣ ବୁଝିବାକୁ ଲିଜା କହିଲା–ଅଙ୍କଲ ଏହା ବ୍ୟତୀତ ସାନ୍ତାଳମାନଙ୍କର ଆଉ କିଛି ପର୍ବ କିମ୍ବା ପ୍ରଥା ରହିଛି କି ?

 

ହଁ ପିଲାଏ ସେ କଥା କହୁଛି ଶୁଣ । ଶରତ ବାବୁ କହିଲେ ସାନ୍ତାଳମାନେ ବୈଶାଖ ମାସରେ ‘ପାଟ’ ବୋଲି ଗୋଟିଏ ପର୍ବ ପାଳନ କରନ୍ତି । ଏହି ପାଟ ପର୍ବରେ ଛେଳି, ମେଣ୍ଢା, କୁକୁଡ଼ା ଆଦି ବଳି ପଡ଼େ ।

 

ଏହାଛଡ଼ା ଗହ୍ମା ପୂର୍ଣ୍ଣମୀ, ଜୋମସିସ୍‌, ନୂଆଖାଇ, ମକର ପ୍ରଭୃତି ପର୍ବ ମଧ୍ୟ ସାନ୍ତାଳମାନେ ପାଳନ କରିଥାନ୍ତି । ସେଗୁଡ଼ିକ ମଧ୍ୟରୁ ଜୋମସିସ୍‍ଟି ହେଉଛି ସୂର୍ଯ୍ୟ ଦେବତାଙ୍କ ପୂଜା । ସାନ୍ତାଳମାନେ ଏହାକୁ ‘ସଙ୍ଗବୋଙ୍ଗା’ ବୋଲି କହିଥାନ୍ତି । ସେମାନଙ୍କର ପ୍ରଥା ଅନୁସାରେ ପ୍ରତ୍ୟେକ ସାନ୍ତାଳ ବ୍ୟକ୍ତି ଏହି ପର୍ବଟିକୁ ନିଜର ଜୀବିତାବସ୍ଥାରେ ଥରେ ହେଲେ ମଧ୍ୟ ପାଳନ କରିବାକୁ ଇଚ୍ଛା କରିଥାଏ । ଏଥିରେ ମଧ୍ୟ ପାଟ ପର୍ବ ପରି ବିଭିନ୍ନ ପ୍ରକାରର ପଯୁ ବଳି ଦିଆଯାଇ ଥାଏ । ସାନ୍ତାଳମାନଙ୍କର ପ୍ରଧାନ ଦେବତା ହେଉଛନ୍ତି ‘ସିଙ୍ଗବୋଙ୍ଗା’ । ସେମାନଙ୍କ ଗାଁ ମୁଣ୍ଡରେ ଥ‌ିବା ତୋଟାରେ ଏ ସମସ୍ତ ଦେବାଦେବୀ ଥାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗଛ ମୂଳରେ ପଥର ବା ମୂର୍ତ୍ତି ରଖି ପୂଜା କରୁଥିବା ବେଳେ ଆଉ କେତେକ ଗଛକୁ ଦେବତା ମାନି ପୂଜା କରନ୍ତି ।

 

ଏସବୁ ଗଲା ସେମାନଙ୍କର ପର୍ବପର୍ବାଣି କଥା । ସେମାନେ ଜନ୍ମ ଓ ମୃତ୍ୟୁ ସମୟରେ ବିଭିନ୍ନ ପ୍ରକାର ପ୍ରଥା ପାଳନ କରିଥାନ୍ତି । ପରିବାରର ଶିଶୁଟିଏ ଜନ୍ମ ହେଲେ ସାନ୍ତାଳମାନେ ତ ଖୁସି ହୁଅନ୍ତି । ଏହା ବ୍ୟବୀତ ନାନାପ୍ରକାର ଘରକୁ ସଜାଇବା, ଭୋଜିଭାତ କରି ସାଇପଡ଼ିଶାକୁ ଆପ୍ୟାୟିତ କରିବା ଇତ୍ୟାଦିରେ ସେମାନଙ୍କର ମନ ବେଶ୍‌ ଖୁସି ରହିଥାଏ । ହେଲେ ଅଧିକାଂଶ ସାନ୍ତାଳମାନଙ୍କର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ସେମାନେ ବିଶେଷ ଭାବରେ ଏସବୁ ଆଡ଼ମ୍ବର କରିପାରନ୍ତି ନାହିଁ ।

 

ସାନ୍ତାଳ ଶିଶୁମାନଙ୍କ ସମ୍ବନ୍ଧରେ ଏତିକି କହିସାରି ଶରତ ବାବୁ କହିଲେ ପିଲାମାନେ–ତୁମେମାନେ ସାନ୍ତାଳ ଗୋଷ୍ଠୀଙ୍କ କଥା ଶୁଣିଲ । ଆଉ ଗୋଟିଏ ଜାତିର ଆଦିବାସୀ ଶିଶୁଙ୍କ କଥା ତୁମକୁ କାଲି ସନ୍ଧ୍ୟାରେ କହିବି । ଆଜି ଏତିକି ଥାଉ ।

 

ପିଲାମାନେ ଖୁବ୍‌ ଖୁସି ହୋଇ ସେଠାରୁ ବିଦାୟ ନେଲେ ।

☆☆☆

 

ମୁରିଆ ଶିଶୁ

 

ସନ୍ଧ୍ୟା ହୋଇ ଆସୁଥାଏ । ଶରତ ବାବୁ ବସିଥାନ୍ତି ଗୋଟିଏ ଆରାଦି ଚୌକିରେ । ଲିପୁ ସହ ଲିଜା ଏବଂ ମାମୁନି ତିନିହେଁ ଆସି ବୈଠକଖାନା ମଧ୍ୟକୁ ଉଙ୍କି ମାରିଲା । ଶରତ ବାବୁ ସେମାନଙ୍କୁ ଚାହିଁବାମାତ୍ରେ ଭିତରକୁ ଆସି ବସିବା ପାଇଁ କହିଲେ ।

 

ପିଲାଏ ବର୍ତ୍ତମାନ ମୁଁ ତୁମମାନଙ୍କୁ ସାନ୍ତାଳମାନଙ୍କ ପରି ଆଦିବାସୀମାନଙ୍କର ଆଉ ଗୋଟିଏ ଶ୍ରେଣୀର ଶିଶୁମାନଙ୍କ ବିଷୟରେ କହିବି ମନଦେଇ ଶୁଣ ।

 

ଶରତ ବାବୁ ଦେଖିଲେ ମାମୁନି ଏକ ଲୟରେ ତାଙ୍କ ଆଡ଼କୁ ଚାହିଁ ରହିଛି । ସେ ମାମୁନିର ଉତ୍କଣ୍ଠାଭାବ ଜାଣିପାରି କହିଲେ, ଝିଅ ମୋ ହାତରେ ରହିଥ‌ିବା ଫଟୋକୁ ଦେଖୁଛୁ ? ଏ କାହାର ଫଟୋ ହୋଇଥିବ କହିଲ ?

 

ଏହି ସମୟରେ ଲିପୁ ଆଗକୁ ଟିକେ ଝୁଙ୍କିପଡ଼ି କହିଲା–ତୁ କହିପାରିବୁ ନାହିଁ । ମୁଁ ଜାଣିଛି, ବାପା ବର୍ତ୍ତମାନ ଯେଉଁ ଆଦିବାସୀ ଶ୍ରେଣୀର ଶିଶୁମାନଙ୍କ କଥା କହିବେ ଏ ଦୁଇଟି ହେଉଛି ସେଇ ଶ୍ରେଣୀର ନୁହେଁ ବାପା ।

 

ଶରତ ବାବୁ ଟିକିଏ ମୁରୁକି ହସିଲେ । କହିଲେ ତୋର ଅନୁମାନ ଠିକ୍‌ ଲିପୁ ! ତେବେ ତୁମେମାନେ ସମସ୍ତେ ଏମାନଙ୍କ କଥା ଶୁଣ । ଏ ଫଟୋଟିରେ ଦେଖାଯାଉଥ‌ିବା ଶିଶୁ ହେଲେ ମୁରିଆ ସମ୍ପ୍ରଦାୟର । ଏମାନେ ସାଧାରଣତଃ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲାରେ ବହୁଳ ଭାବରେ ଦେଖାଯାନ୍ତି । ତେବେ ଏମାନଙ୍କର ପ୍ରକୃତ ବାସସ୍ଥଳୀ ହେଉଛି ମଧ୍ୟପ୍ରଦେଶର ବସ୍ତର ପାର୍ବତ୍ୟ ଅଞ୍ଚଳରେ । ସେଠାରେ ଆମ ରାଜ୍ୟ ଅପେକ୍ଷା ଅଧିକ ସଂଖ୍ୟକ ମୁରିଆ ବାସ କରନ୍ତି ।

 

ସେମାନଙ୍କର ବିଶେଷତ୍ୱ ହେଲା, ଅନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ସେମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଆନ୍ତି ନାହିଁ । ପାହାଡ଼ର ପାଦଦେଶରେ ଗୋଟିଏ ଗୋଟିଏ ବସ୍ତି କରି ସେମାନେ ବାସ କରନ୍ତି । ପ୍ରତ୍ୟେକ ବସ୍ତିରେ ଦଶରୁ ପନ୍ଦରଟି ଲେଖାଏଁ ଘର ଥାଏ । ଅଧିକାଂଶ ବାସଗୃହମାନଙ୍କରେ ରହିଥାଏ ତିନୋଟି କୋଠରୀ । ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ରୋଷେଇ ଘର, ଦ୍ୱିତୀୟଟି ଭଣ୍ଡାର ଘର ଏବଂ ଅନ୍ୟଟି ଶୋଇବା ଘର । ଏହି ତିନୋଟିଯାକ କୋଠରୀ ପରସ୍ପର ସମ୍ପୃକ୍ତ ଥାଏ । ସେମାନଙ୍କ ମତରେ ଉକ୍ତ ପାତ୍ରଟି ସେହି ପରିବାରର ମୃତ ବ୍ୟକ୍ତିମାନଙ୍କୁ ମନେପାଇବା ନିମନ୍ତେ ଉଦ୍ଦିଷ୍ଟ ।

 

Image

 

ଅଙ୍କଲ ! ମୁରିଆ ଶିଶୁମାନଙ୍କ ସମ୍ପର୍କରେ ଶୁଣିବା ପାଇଁ ମୁଁ ବେଶ୍‌ ଆଗ୍ରହୀ । ବ୍ୟଗ୍ର ହୋଇ କହିଲା ଲିଜା ।

 

ଶରତ ବାବୁ କହିଲେ, ମୁରିଆ ଶିଶୁମାନଙ୍କ ପିତାମାତା ସେମାନଙ୍କର ସନ୍ତାନ ସନ୍ତତିଙ୍କ ପାଇଁ ବେଶ୍‌ ଗର୍ବ ଅନୁଭବ କରନ୍ତି । ସେମାନଙ୍କୁ ବାଲ୍ୟ ଅବସ୍ଥାରୁ ଜୀବନର ପ୍ରତ୍ୟେକ ଜିନିଷ ସମ୍ପର୍କରେ ଶିକ୍ଷା ଦେବା ପାଇଁ ପିତାମାତାମାନେ ବେଶ୍‌ ଆଗ୍ରହୀ ।

 

ଛୋଟ ଛୋଟ ବାଳକମାନେ ଜଙ୍ଗଲରୁ କାଠ ସଂଗ୍ରହ କରିବାରେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିଥାନ୍ତି । କୂଅରୁ ପାଣିଆଣି ଦିଅନ୍ତି, ଘରକୁ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ମଧ୍ୟ ସେମାନେ ମାଆମାନଙ୍କ ଠାରୁ ଶିକ୍ଷା କରନ୍ତି ।

 

ତେବେ ସେମାନେ ପଢ଼ାପଢ଼ି କିମ୍ବା ଲେଖାଲେଖି କରିବା ପାଇଁ ସ୍କୁଲକୁ ଯାଆନ୍ତି ନାହିଁ । ପଚାରିଲା ଲିପୁ ।

 

ତାହାତ ନୁହେଁ, ସେମାନେ ପାଠ ପଢ଼ା ଅପେକ୍ଷା ବିଲବାଡ଼ିରେ କାମ କରିବାକୁ ଅଧିକ ପସନ୍ଦ କରନ୍ତି । ଏଥି ସଙ୍ଗେ ଗାଆଁର କୌଣସି ସାମୁହିକ କାମ ହେଲେ ସେମାନେ ଯୋଗ ଦେବାକୁ ଭଲ ପାଆନ୍ତି । ଅଧ‌ିକନ୍ତୁ ସେମାନେ ମଧ୍ୟ ନାଚ ଶିଖନ୍ତି ।

 

ତେବେ ସେମାନେ ଏହି ନାଚ ଶିଖନ୍ତି କେଉଁଠାରୁ ? ପଚାରିଲା ମାମୁନି ।

 

ମୁରିଆମାନଙ୍କର ପ୍ରତ୍ୟେକ ବସ୍ତିର ଶେଷରେ ଗୋଟିଏ ଲେଖାଏଁ ଧାଙ୍ଗଡ଼ା ଓ ଧାଙ୍ଗଡ଼ୀ ଘର ରହିଥାଏ । ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ସର୍ବସାଧାରଣ ସ୍ଥାନ । ମୁରିଆ ବସ୍ତିର ବାଳକମାନେ ରହନ୍ତି ଧାଙ୍ଗଡ଼ା ଘରେ ଏବଂ ବାଳିକାମାନେ ରହନ୍ତି ଧାଙ୍ଗଡ଼ୀ ଘରେ । ବାଳିକାମାନଙ୍କ ପାଇଁ ଧାଙ୍ଗଡ଼ୀ ଘରେ ଜଣେ ଲେଖାଏ ବୁଢ଼ୀ ଥାଆନ୍ତି । ସେମାନେ ରହୁଥ‌ିବା ବାଳିକାମାନଙ୍କୁ ତତ୍ତ୍ଵାବଧାନ କରନ୍ତି । ମୁରିଆ ବସ୍ତିର ବାଳକ ବାଳକା ଏହିଠାରୁ ହିଁ ସେମାନଙ୍କର ଭବିଷ୍ୟତ ଜୀବନପାଇଁ ନାନାପ୍ରକାରର ଶିକ୍ଷାଲାଭ କରିଥାନ୍ତି । ସେମାନେ ମଧ୍ୟ ଏହିଠାରୁ ପରସ୍ପର ସହଯୋଗ ଏବଂ ବନ୍ଧୁତ୍ୱର ମୂଲ୍ୟ ଶିକ୍ଷା କରନ୍ତି । ଏତଦ୍‌ବ୍ୟତୀତ ଏଠାରୁ ସେମାନେ ନିଜ ନିଜର ବିବାହ ସ୍ଥିରକରି ନେଇଥାନ୍ତି ।

 

ତେବେ ଏତେଗୁଡ଼ିଏ ବାଳକ ବାଳିକା ଗୋଟିଏ ସ୍ଥାନରେ ରହୁଥ‌ିବାବେଳେ ନିଶ୍ଚିତଭାବେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଉଥିବ, ବାପା ନୁହେଁ କି ଲିପୁ ପଚାରିଲା ।

 

ହଁରେ ଲିପୁ ତାହାତ ନିଶ୍ଚିତ ହେବା କଥା । କିନ୍ତୁ ମୁରିଆମାନେ ଦଳବଦ୍ଧ ଭାବେ ରହିଲେ ମଧ୍ୟ ସେମାନଙ୍କୁ ଧାଙ୍ଗଡ଼ା ବା ଧାଙ୍ଗଡ଼ୀରେ ପ୍ରଚଳନ ହେଉଥ‌ିବା ନିୟମ ସବୁକୁ ମାନି ଚଳିବାକୁ ବାଧ୍ୟ କରାଯାଇଥାଏ । ତେଣୁ ଯେଉଁ ବାଳକ ବା ବାଳିକା ପ୍ରଚଳିତ ନିୟମକୁ ଭଙ୍ଗ କରେ, ସେ ଅନ୍ୟମାନଙ୍କ ଦ୍ୱାରା ଅପମାନିତ ହୁଏ ।

 

ଏହା ତ ବେଶ୍‌ ମଜା କଥା । ତେବେ ସେମାନେ ଚଳନ୍ତି କିପରି ? ସେମାନଙ୍କ ଖାଦ୍ୟ କ’ଣ ସାନ୍ତାଳମାନଙ୍କ ପରି ? ସେମାନେ ପିନ୍ଧନ୍ତି କ’ଣ ? ଅତି ଉତ୍କଣ୍ଠିତ ହୋଇ ଏକାଦିକ୍ରମେ ପଚାରିଲା ମାମୁନି ।

 

ଝିଅ ମୁଁ ଦେଖୁଛି ସେମାନଙ୍କ ବିଷୟରେ ଜାଣିବାପାଇଁ ତୋର ଆଗ୍ରହ ସମସ୍ତଙ୍କ ଅପେକ୍ଷା ବେଶି । ଶରତ ବାବୁ ଟିକିଏ ହସି କହିଲେ–ମୁରିଆମାନଙ୍କର ପ୍ରଧାନ ପୋଷାକ ହେଲା ଧୋତି ଓ ପଗଡ଼ି । ସ୍ତ୍ରୀଲୋକମାନେ କାନ, ବେକ ଏବଂ ହାତରେ ବିଭିନ୍ନ ପ୍ରକାରର ଅଳଙ୍କାରମାନ ଲଗାନ୍ତି । ହେଲେ ସେମାନେ ପିନ୍ଧୁଥିବା ଲୁଗାପଟା ଏପରି ହୋଇଥାଏ ଯାହାକି ସେମାନଙ୍କ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଆବୃତ କରିପାରେ ନାହିଁ ।

 

Image

ମୁରିଆମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ଚାଷୀ । କୃଷି ସେମାନଙ୍କର ପ୍ରଧାନ ଜୀବିକା । ଏତଦ୍‌ବ୍ୟତୀତ ସେମାନେ ଗୋମେଷାଦି ପାଳନ, ମହୁ ସଂଗ୍ରହ ଇତ୍ୟାଦିରେ ମଧ୍ୟ ଜୀବିକା ନିର୍ବାହ କରିଥାନ୍ତି । ଚାଷ କାର୍ଯ୍ୟରେ ମୁରିଆ ଶିଶୁମାନେ ସେମାନଙ୍କର ପିତାମାତାଙ୍କୁ ବେଶ୍‌ ସାହାଯ୍ୟ କରିଥାନ୍ତି ।

 

ସେମାନେ ଦଳବଦ୍ଧ ହୋଇ ଜଙ୍ଗଲକୁ ଶିକାର କରିବା ପାଇଁ ବାହାରନ୍ତି, ଯଦି ସେମାନେ ଶିକାରରେ ସଫଳଲାଭ କଲେ, ତେବେ ତାହାକୁ ଏକ ଶୁଭ ସଙ୍କେତ ଭାବି ସେ ବର୍ଷର ଫସଲ ବେଶ୍‌ ଲାଭଜନକ ହେବବୋଲି ବିଶ୍ୱାସ କରନ୍ତି ।

 

ମୁରିଆମାନେ ବକ୍ଷ ଶିକାରୀ ଅଟନ୍ତି । ସେମାନେ ଏକପ୍ରକାର କଣ୍ଟା ଏବଂ ଯନ୍ତାଦ୍ୱାରା ବାଦୁଡ଼ି ଓ ଅନ୍ୟାନ୍ୟ ପକ୍ଷୀ ଧରନ୍ତି । ସେମାନେ ପ୍ରତ୍ୟେକ ସମୟର ମୂଲ୍ୟ ବେଶ୍‌ ବୁଝିପାରନ୍ତି । କୌଣସି କାମ ନଥିବା ସମୟରେ ମୁରିଆ ପୁରୁଷ ଏବଂ ସ୍ତ୍ରୀମାନେ ବାଉଁଶ ଏବଂ ବେତରୁ ଝୁଡ଼ି, ମସିଣା ପାପୋଛ ଆଦି ବୁଣନ୍ତି । ବାଳକ ବାଳିକାମାନେ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କ ସମେତ ଗୁଣ୍ଡୁଚିମୂଷା ଏବଂ ମୂଷା ଆଦି ପ୍ରାଣୀମାନଙ୍କୁ ପୋଡ଼ି ଖାଇବାକୁ ଭାରି ଭଲ ପାଆନ୍ତି ।

 

ବାପାଙ୍କ ଠାରୁ ଏହା ଶୁଣିବା ମାତ୍ରେ ଲିପୁ ହଠାତ୍‌ ତା’ ବସିବା ସ୍ଥାନରୁ ବାହାରକୁ ଉଠିଯାଇ ଥୁ ଥୁ କରି ଛେପ ପକାଇବାକୁ ଲାଗିଲା ।

 

ଆରେ ତୁ ଏ କ’ଣ କରୁଛୁ ? ବାପା ପଚାରିଲେ ।

 

ଲିପୁ ତା’ ମୁହଁଟାକୁ ବିକୃତ କରି କହିଲା, ବାପା ମୁରିଆ ଶିଶୁମାନେ ମୂଷା ଓ ଗୁଣ୍ଡୁଚିମୁଷା ଆଦିଙ୍କୁ ପୋଡ଼ି ଖାଆନ୍ତି ନା ? ଏକଥା ଶୁଣିବାକୁ ମୋତେ ଘୃଣା ଲାଗୁଛି । ସେମାନେ ସେଗୁଡ଼ିକୁ ଖାଆନ୍ତି କିପରି ? ଘୃଣା ଲାଗେନାହିଁ ସେମାନଙ୍କୁ ।

 

ବାପା ହସି ହସି କହିଲେ, ସେଥ‌ିରେ ଘୃଣା କରିବାର କ’ଣ ଅଛି । ତାହାତ ସେମାନଙ୍କର ଖାଦ୍ୟ । ତୁ ଯେଉଁ ଖାଦ୍ୟ ଖାଉଛୁ ସେଗୁଡ଼ିକ ତ ତୋତେ ଘୃଣା ଲାଗୁନାହିଁ । ଭାତ, ଡାଲି, ତରକାରୀ, ରୁଟି, ମାଛ, ମାଂସ ଆଦି ତୋର ଯେପରି ଖାଦ୍ୟ, ସେହିପରି ମୂଷା, ଗୁଣ୍ଡୁଚିମୂଷା ଆଦି ମୁରିଆମାନଙ୍କର ଖାଦ୍ୟ । ଏଥର ସେମାନଙ୍କର ପର୍ବପର୍ବାଣିମାନଙ୍କ ସମ୍ବନ୍ଧରେ ଶୁଣ ।

 

ସାନ୍ତାଳମାନଙ୍କ ପରି ‘ନୂଆଖିଆ’ ଏମାନଙ୍କର ଗୋଟିଏ ବଡ଼ ପର୍ବ । ଏମାନେ ଏ ପର୍ବକୁ ମହାସମାରୋହରେ ପାଳନ କରିଥାନ୍ତି । ଏହା ବ୍ୟତୀତ ‘ଭିମଳପାଣ୍ଡ’ ହେଲା ସେମାନଙ୍କର ଆଉ ଗୋଟିଏ ପର୍ବ । ଏହି ପର୍ବରେ ମୁରିଆମାନେ ବର୍ଷା କରାଇବା ପାଇଁ ଇନ୍ଦ୍ର ଦେବତାକୁ ପୂଜା କରିଥାନ୍ତି । ଶୀତ ଋତୁର ଶେଷ ଭାଗରେ ଏହି ପର୍ବଟି ପଡ଼ିଥାଏ । ତେବେ ସେମାନଙ୍କର ପ୍ରତ୍ୟେକ ପର୍ବପର୍ବାଣିରେ ନୃତ୍ୟଗୀତଟି ସାଧାରଣ ଭାବେ ହୋଇଥାଏ । ନୃତ୍ୟ ପୂର୍ବରୁ ସେମାନେ ନିଜ ନିଜର ଶରୀରକୁ ନାନାପ୍ରକାର ଫୁଲ, ପତ୍ର ତଥା ଡାଳଗୁଡ଼ିକ ଦ୍ୱାରା ସଜାଇ ଥାନ୍ତି । ତା’ପରେ ଢୋଲ ଚାଙ୍ଗୁ ଆଦି ବଜାଇ ସେମାନେ ଆନନ୍ଦରେ ନୃତ୍ୟ କରନ୍ତି । ସେମାନଙ୍କର ବିଭିନ୍ନ ପ୍ରକାର ନୃତ୍ୟଗୁଡ଼ିକ ମଧ୍ୟରୁ ଶିଙ୍ଗ ନୃତ୍ୟ ଅନ୍ୟତମ । ଏଥିରେ ମୁରିଆମାନେ ସେମାନଙ୍କର କପାଳରେ ବିଭିନ୍ନ ପ୍ରକାର ପଶୁମାନଙ୍କର ବଡ଼ ବଡ ଶିଙ୍ଘମାନ ଲଗାଇ ଆନନ୍ଦରେ ନାଚିଥାନ୍ତି । ପୁରୁଷମାନଙ୍କର ଏହି ନୃତ୍ୟକୁ ଦେଖି ମୁରିଆ ଶିଶୁମାନେ ମଧ୍ୟ ନାଚ ଶିଖିବାର ଅଭ୍ୟାସ କରିଥାନ୍ତି । ପ୍ରକୃତରେ କହିବାକୁ ଗଲେ ମୁରିଆମାନେ କେବଳ ନୃତ୍ୟ ଏବଂ ଗୀତରୁ ସେମାନଙ୍କ ଜୀବନର ସମସ୍ତ ସୁଖ ଲାଭ କରିଥାନ୍ତି । ସେମାନଙ୍କର ନୃତ୍ୟଗୁଡ଼ିକ ଲକ୍ଷ୍ୟ କଲେ, ଦୁନିଆର କୌଣସି ଅଶାନ୍ତି, ଦୁଶ୍ଚିନ୍ତା ତଥା ଆବିଳତା ସେମାନଙ୍କୁ ସ୍ପର୍ଶ କରି ନାହିଁ ବୋଲି ମନେହୁଏ ।

 

ଶରତ ବାବୁଙ୍କ ପାଟିରୁ ଏକଥା ଶେଷ ନହେଉଣୁ ଲିଜା ହଠାତ୍‌ କହିଉଠିଲା ଅଙ୍କଲ ! ମୁରିଆମାନଙ୍କ ସମ୍ବନ୍ଧରେ ତୁମେ ଆମକୁ ଯେତେଗୁଡ଼ିଏ କଥା କହିଲ ସେଥିରୁ ମୁଁ ଅନୁମାନ କରୁଛି ଯେ, ସେମାନେ ନିଶ୍ଚିତ ଭାବରେ ବଳିଷ୍ଠ, କଷ୍ଟ ସହିଷ୍ଣୁ ଏବଂ ସାହସୀ ହୋଇଥିଲେ ।

 

ହଁ ଲିଜା ! ଖାଲି ସେତିକି ନୁହେଁ, ସେମାନେ ସତ୍ୟବାଦୀ ଏବଂ ସରଳବିଶ୍ୱାସୀ ମଧ୍ୟ । ସେମାନେ ଭାର ବହନରେ ବେଶ୍‌ ଦକ୍ଷତା ଲାଭ କରିଛନ୍ତି । ବହୁ ଓଜନର ଭାର ସେମାନେ ଅନେକ ଦୂର ପର୍ଯ୍ୟନ୍ତ ସହଜରେ ନେଇଯାଇ ପାରନ୍ତି ।

 

ତେବେ ପିଲାଏ ଶୁଣ ! ଆସନ୍ତା ଏପ୍ରିଲ ମାସ ବେଳକୁତ ତୁମମାନଙ୍କର ବାର୍ଷିକ ପରୀକ୍ଷା ସରିଯାଇଥିବ, ଖରାଛୁଟି ମଧ୍ୟ ହୋଇଥିବ । ସେ ସମୟରେ ଆମେ ଦିନେ ଦୁଇ ଦିନ ପାଇଁ ମଧ୍ୟପ୍ରଦେଶର ବସ୍ତର ଅଞ୍ଚଳକୁ ଯିବା । ସେଠାରେ ତୁମେସବୁ ମୁରିଆ ଶିଶୁମାନଙ୍କ ସହ ସିଧାସଳଖ ଭାବରେ କଥା ହେବ । ସେତେବେଳେ ତୁମେମାନେ ସେମାନଙ୍କର ଚାଲିଚଳନ ଓ ସାମାଜିକ ନିୟମ ସମ୍ପର୍କରେ ଆଉ ଅଧିକ ଜ୍ଞାନ ଆହରଣ କରିପାରିବ । କାଲି ସନ୍ଧ୍ୟା ସମୟରେ ତୁମମାନଙ୍କୁ ଆଉ ଗୋଟିଏ ଆଦିବାସୀ ଶିଶୁଙ୍କ କଥା କହିବି । ଏବେ ତୁମେମାନେ ଯାଅ । ପିଲାମାନେ ବୈଠକଖାନାରୁ ଫେରି ଆସିଲେ ।

☆☆☆

 

ଗଣ୍ଡ ଶିଶୁ

 

ପରଦିନ ସନ୍ଧ୍ୟା ସମୟରେ ଶରତ ବାବୁ ଦେଖିଲେ ଲିଜା ମାମୁନି ଏବଂ ଲିପୁ ସହ ଆଉ ଜଣେ ବାଳକ ତାଙ୍କ ନିକଟରେ ଆସି ପହଞ୍ଚିଛି । ସେ ବାଳକଟିର ପରିଚୟ ଜାଣିବାପାଇଁ ଲିପୁ ଆଡ଼କୁ ଚାହିଁଲେ । ଇତି ମଧ୍ୟରେ ଉକ୍ତ ବାଳକଟି ତାଙ୍କୁ ନମସ୍କାର ଜଣାଇଲା ।

 

ବାପା ! ଏ ହେଉଛି ମୋର ସାଙ୍ଗ ସିଦ୍ଧାର୍ଥ । ତୁମେ କାଲି ଆମମାନଙ୍କୁ ଯେଉଁ ଆଦିବାସୀ ଶିଶୁମାନଙ୍କ ସମ୍ପର୍କରେ କହୁଥିଲ, ସେ ବିଷୟରେ ଆଜି ସ୍କୁଲରେ ଆମେମାନେ ଆଲୋଚନା କରୁଥିଲୁ । ତାହା ଶୁଣି ସିଦ୍ଧାର୍ଥ ବେଶ୍‌ ଆନନ୍ଦ ଅନୁଭବ କଲା । ସେ ଆଦିବାସୀମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମମାନଙ୍କ ସହ ଏଠାକୁ ଆସିଛି । ଆଜି ତୁମେ ଆମମାନଙ୍କୁ ଅନ୍ୟ ଆଦିବାସୀ ଶିଶୁମାନଙ୍କ ସମ୍ବନ୍ଧରେ ଶୁଣାଇବନା ? ଅତ୍ୟନ୍ତ ବ୍ୟଗ୍ରହୋଇ ଲିପୁ କହିଲା ।

 

ଶରତ ବାବୁ ଦେଖିଲେ, ଗତକାଲି ଥିଲେ ଚାରୋଟି ପିଲା । ଆଜି ସିଦ୍ଧାର୍ଥକୁ ମିଶାଇ ହେଲେ ପାଞ୍ଚ । ସେ ସିଦ୍ଧାର୍ଥ ପାଇଁ ଖଣ୍ଡିଏ ଆସନ ଆଣିବା ପାଇଁ ଲିପୁକୁ କହି ନିଜେ ବସିପଡ଼ିଲେ ସେମାନଙ୍କ ପାଖରେ ।

 

ପିଲାଏ ଆଜି ମୁଁ ତୁମକୁ ଗଣ୍ଡ ଶିଶୁମାନଙ୍କ ସମ୍ବନ୍ଧରେ କିଛି କଥା ଶୁଣାଇବି । ଶୁଣିବ ଏଥର ?

 

ପିଲାମାନେ ଏକ ସ୍ୱରରେ ହଁ ବୋଲି କହି ଉଠିଲେ ।

 

ଶରତ ବାବୁ ଆରମ୍ଭ କଲେ–

 

ମୁଁ କିଛିଦିନ ପୂର୍ବେ ଜଣେ ଗଣ୍ଡ ଲୋକଠାରୁ ଗୋଟିଏ ଘଟଣା ଶୁଣିଥିଲି । ସେଇଟିକୁ ପ୍ରଥମେ କହୁଚି ଶୁଣ ।

 

Image

 

ଥରେ ତାଙ୍କ ବସ୍ତିରେ ଜଣେ ମାଆ ତା’ର ପିଲାଟିକୁ ପାଳିଗଦା ଉପରେ ଶୁଆଇ ଦେଇ କିଛି ଦୂରରେ ମହୁ ସଂଗ୍ରହ କରୁଥିଲା । ଦୁର୍ଭାଗ୍ୟକ୍ରମେ ଶିଶୁ ଶୋଇଥିବା ସ୍ଥାନରେ ହଠାତ୍‌ କେଉଁଆଡ଼ୁ ବିଷଧର ସାପଟିଏ ଆସି ପହଞ୍ଚିଲା । ସେଇଟି ତତ୍‌କ୍ଷଣାତ ଶିଶୁଟିକୁ ଦଂଶି ଦେବା ଫଳରେ ଶିଶୁଟି ବିକଳରେ ଚିତ୍କାର କରି ଉଠିଲା । ତା’ର ଏହି କାନ୍ଦକୁ ଦୂରରେ ଥିବା ତା’ର ମାଆ ଶୁଣିପାରିଲା ଏବଂ ସଙ୍ଗେ ସଙ୍ଗେ ଧାଇଁ ଆସି ଦେଖେତ ଶିଶୁ ଅଚେତ ହୋଇ ପଡ଼ିଲାଣି । ସେ ଆଉ କୌଣସି ଉପାୟ ନପାଇ ଅସହାୟ ଅବସ୍ଥାରେ ଶିଶୁଟିକୁ ତା’ କୋଳରେ ଜାବୁଡ଼ି ଧରିଲା । ହେଲେ ସେତେବେଳକୁ ଶିଶୁଟିର ପ୍ରାଣ ଚାଲିଯାଇଥିଲା । ଅଗତ୍ୟା ବିକଳ ହୋଇ କାନ୍ଦିବା ବ୍ୟତୀତ ମା’ର ଅନ୍ୟ କୌଣସି ଉପାୟ ନ ଥିଲା । ତାହା ଦେଖି ବସ୍ତିର ଅନ୍ୟ ଲୋକମାନେ ସାନ୍ତ୍ୱନା ଦେଲେ-। ହେଲେ ମା’ର ମନ ବୁଝୁଛି କୋଉଠି ? ତା’ର ଶିଶୁର ମୃତ ଦେହଟିକୁ, ଛାଡ଼ିବାକୁ, ସେ ନାରାଜ-। ତା’ର ଏହି ବିପଦବେଳେ ଭଗବାନ ତାକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ବୋଲି ମା’ର ଦୃଢ଼ ବିଶ୍ୱାସ ଥିଲା ।

 

କ୍ରମେ ମାଆର ଏପରି ଆକୁଳ କ୍ରନ୍ଦନ ତଥା ପୁତ୍ର ସ୍ନେହ ଦେବୀ ପାର୍ବତୀଙ୍କୁ ବିଚଳିତ କରି ପକାଇଲା । ସେ ଆଉ ଥୟ ଧରି ରହିପାରିଲେ ନାହିଁ । ସଙ୍ଗେ ସଙ୍ଗେ ପ୍ରଭୁ ଶଙ୍କରଙ୍କୁ ପ୍ରାର୍ଥନା କଲେ । ଶେଷରେ ମହାଦେବ ତା’ର ଶିଶୁକୁ ବଞ୍ଚାଇ ଦେଲେ । ଏଥିରେ କ୍ରନ୍ଦନରତା ମାଆର ଆନନ୍ଦ ଦେଖେ କିଏ ?

 

ଶରତ ବାବୁଙ୍କ ଠାରୁ ଏପରି ଭାବପୂର୍ଣ୍ଣ ଘଟଣାକୁ ଶୁଣି ସେଠାରେ ଉପସ୍ଥିତ ସମସ୍ତ ବାଳିକା ବାଳକ ବେଶ୍‌ କିଛି ସମୟ ନୀରବ ହୋଇଗଲେ ।

 

ଅଳ୍ପ ସମୟ ପରେ ସିଦ୍ଧାର୍ଥ ସେମାନଙ୍କର ନୀରବତା ଭଙ୍ଗକରି ପଚାରିଲା–ଅଙ୍କଲ ! ଗଣ୍ଡ ସମ୍ପ୍ରଦାୟର ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ଏତେ ସ୍ନେହ କରନ୍ତି ? ମୁଁ ଭାବୁଛି ମୋ ମା’ ମଧ୍ୟ ଏଘଟଣାଟି ଶୁଣି ମୋତେ ଖୁବ୍‌ ଭଲପାଉଛନ୍ତି ।

 

ସିଦ୍ଧାର୍ଥର ଏପରି କଥା ଶୁଣି ଲିପୁ କହିଉଠିଲା–ମୋ ମାଆ ମଧ୍ୟ ସେଇଟିକୁ, ଶୁଣି ମୋତେ ଖୁବ୍‌ ସ୍ନେହ କରୁଛନ୍ତି । ଏହାପରେ ଜଣକ ପରେ ଜଣେ ହୋଇ ଅନ୍ୟ ତିନି ଜଣ କହିବାକୁ ଲାଗିଲେ, ମୋ ମାଆ–ମୋ ମାଆ, ମୋ ମାଆ ।

 

ପିଲାମାନଙ୍କର ଏପରି ପାଟି ଶୁଣି ଶରତ ବାବୁ କହିଲେ ହଁ ପିଲାଏ ପ୍ରତ୍ୟେକ ମା’ ତା’ର ପିଲାମାନଙ୍କର ଭବିଷ୍ୟତର ଉନ୍ନତି ବିଧାନପାଇଁ ସେମାନଙ୍କୁ କଡ଼ା ନଜରରେ ରଖିଥାନ୍ତି । ହେଲେ ଅନ୍ତରରେ ସେମାନେ ଦୁନିଆର ଅନ୍ୟ ସମସ୍ତ ଜିନିଷଠାରୁ ନିଜର ପିଲାମାନଙ୍କୁ ଭଲ ପାଆନ୍ତି ।

 

Image

 

ଏଥର ମାମୁନି କହିଉଠିଲା–ପିଉସା ! ଗଣ୍ଡମାନଙ୍କ ଜୀବନର ପ୍ରଧାନ ଘଟଣାଟିଏ ତ କହିଲ, ହେଲେ ସେମାନଙ୍କ ସମ୍ପର୍କରେ ଅନ୍ୟାନ୍ୟ କଥାତ କହିବାକୁ ଭୁଲିଗଲେ ।

 

ନାଇଁ ଭୁଲିଲି କେତେବେଳେ ? ସେସବୁ କଥା କହୁଛି ଶୁଣ । ଆମ ଓଡ଼ିଶାରେ ଯେତେ ପ୍ରକାରର ଆଦିବାସୀ ସମ୍ପ୍ରଦାୟର ଲୋକ ଦେଖାଯାନ୍ତି ସେମାନଙ୍କ ମଧ୍ୟରୁ ଗଣ୍ଡମାନଙ୍କ ସ୍ଥାନ ରହିଛି ଦ୍ଵିତୀୟ ସ୍ଥାନରେ । ଏମାନେ ସାଧାରଣତଃ ମଧ୍ୟପ୍ରଦେଶର ସାତପୁରା ପାର୍ବତ୍ୟ ଅଞ୍ଚଳରେ ବସବାସ କରନ୍ତି । ହେଲେ ସେମାନଙ୍କ ମଧ୍ୟରୁ କେତେକ ବିହାର, ଓଡ଼ିଶା, ଆନ୍ଧ୍ର ଆଦି ରାଜ୍ୟମାନଙ୍କରେ ଦେଖାଯାଆନ୍ତି । ପୂର୍ବରୁ ଏସବୁ ଅଞ୍ଚଳକୁ ଗଣ୍ଡଓ୍ୱାନା ବୋଲି କୁହାଯାଉଥିଲା ।

 

ବାପା ଗଣ୍ଡ ଶିଶୁମାନେ କ’ଣ ଆମମାନଙ୍କ ପରି ପାଠ ପଢ଼ନ୍ତି ନାହିଁ ? ପିଲାମାନଙ୍କର ନୀରବତା ଭଙ୍ଗକରି ପଚାରି ଉଠିଲା ଲିପୁ ।

 

ହଁ ପ୍ରାୟ ସମସ୍ତ ଗଣ୍ଡ ଅଶିକ୍ଷିତ । ଗଣ୍ଡ ଶିଶୁମାନେ କୃଷିକୁ ନିଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରିଦେଇଛନ୍ତି । ଛୋଟ ପିଲାଟିଏ ହେଲେ ମଧ୍ୟ ଗଣ୍ଡ ଶିଶୁ ସମୟକ୍ରମେ ସେମାନଙ୍କ ଚାଷ ଜମିରେ ମାଟି କର୍ଷଣ କରିଥାଏ । ଏତଦ୍‌ବ୍ୟତୀତ ଅବସର ସମୟରେ ଜଙ୍ଗଲରୁ କାଠ ଓ ମହୁ ସଂଗ୍ରହ ଆଦି କାମ କରି ସେମାନଙ୍କର ପିତାମାତାଙ୍କୁ ସାହାଯ୍ୟ କରିଥାନ୍ତି । ବେଳେବେଳେ ସେମାନେ ଧନୁଶର ଏବଂ ଅନ୍ୟାନ୍ୟ ପ୍ରାଚୀନ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବ୍ୟବହାର କରିବା ଶିକ୍ଷା କରିଥାନ୍ତି । ଗଣ୍ଡ ବାଳିକାମାନେ ସେମାନଙ୍କ ମାଆମାନଙ୍କ ଠାରୁ ଗୃହ କର୍ମ ବିଷୟରେ ଶିକ୍ଷାଲାଭ କରିଥାନ୍ତି ।

 

ପିଲାମାନେ ଗତକାଲି ସକାଳ ସମୟରେ ଆମ ଘରକୁ ଯେଉଁ ଅନ୍ଧୁଣିଟି ଭିକ୍ଷା ମାଗିବାକୁ ଆସିଥିଲା ତାକୁ ଦେଖିଛ‍ତ ? ଶରତ ବାବୁ ତା’ର କଥାକୁ କିଛି ସମୟ ବନ୍ଦରଖି କହିଲେ-

 

ହଁ ବାପା ମୁଁ ଦେଖିଛି, ହଁ ପିଉସା ମୁଁ ଦେଖିଛି–ଏହିପରି ଭାବରେ ଜଣକପରେ ଜଣେ କହିଗଲେ । ସିଦ୍ଧାର୍ଥ କିଛି ସମୟ ଚିନ୍ତାକରି କହିଲା–ହଁ ଅଙ୍କଲ କାଲି ସକାଳେ ସେ ଅନ୍ଧୁଣିଟି ଆପଣଙ୍କ ଘରୁ ଭିକ ମାଗି ସାରିବା ପରେ ଆମ ଘରେ ଯାଇଁ ପହଞ୍ଚିଲା । ବିଚାରୀ ଅନ୍ଧୁଣିଟିର ଦୁଃଖ ସହି ନପାରି ମୁଁ ତାକୁ କିଛି ଖାଇବାକୁ ଦେଲି ।

 

ତେବେ ତୁମେ ସମସ୍ତେ ଅନ୍ଧୁଣିଟିକୁ ଠିକ୍‌ ଦେଖିପାରିଛ । ହେଲେ ଅନ୍ଧୁଣିଟି ସାଥିରେ କିଏ ଥିଲା କହିପାରିବ କି ? ଶରତ ବାବୁ ଉଦ୍ଦେଶ୍ୟ ମୂଳକଭାବେ ପିଲାମାନଙ୍କୁ ପଚାରିଲେ ।

 

ହଁ ହଁ ମୁଁ ଦେଖିଛି, ଅନ୍ଧୁଣିଟି ଗୋଟିଏ ଲୁଗାଦ୍ଵାରା ତା’ ପିଠି ଉପରେ ଦୋଳିଟିଏ କରି ସେଥ‌ିରେ ତା’ର ପିଲାଟିକୁ ଝୁଲାଇ ଥିଲା ଲିପୁ କହିଲା । ସଙ୍ଗେ ସଙ୍ଗେ ତା’ କଥାରେ ଅନ୍ୟ ପିଲାମାନେ ଯୋଗ ଦେଲେ ।

 

ତେବେ ସେହି କଥା ମୁଁ କହିବାକୁ ଯାଉଥିଲି । ଶରତ ବାବୁ କହିଲେ । ଗଣ୍ଡ ସମ୍ପ୍ରଦାୟର ମାଆମାନେ ମଧ୍ୟ ସେମାନଙ୍କ ଶିଶୁକୁ ସେହିପରି ନିଜ ପିଠିରେ ଝୁଲାଇ କରି କାମକୁ ଯାଆନ୍ତି ।

 

ପିଉସା ! ଗଣ୍ଡମାନଙ୍କର କ’ଣ ଆମମାନଙ୍କ ପରି ମନ୍ଦିର ଅଛି ? ସେମାନେ ଆମମାନଙ୍କ ଦେବାଦେବୀଙ୍କୁ କ’ଣ ପୂଜା କରିଥାନ୍ତି । ପଚାରିଲା ମାମୁନି ।

 

ହଁ ଶରତ ବାବୁ କହିଲେ, ଗଣ୍ଡମାନେ ଆମମାନଙ୍କ ପରି ହିନ୍ଦୁ । ଆମମାନଙ୍କ ପରି ସେମାନେ ରାମନବମୀ, ହୋଲି, ଦଶହରା, ଦୀପାବଳି ଓ ରଜ ଇତ୍ୟାଦି ପର୍ବମାନ ପାଳନ କରିଥାନ୍ତି । ସେମାନେ ନିଜ ଜାତିକୁ, ମାତୃତୁଲ୍ୟ ଭକ୍ତିକରନ୍ତି । କେତେକ ଗଛ ଅଛନ୍ତି ଯେଉଁମାନେ ମାଦକ ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ ।

 

ଅଙ୍କଲ ଗଣ୍ଡମାନଙ୍କର ବୃତ୍ତି ସବୁ କ’ଣ ଜାଣିବାକୁ ଇଚ୍ଛା କଲା ଲିଜା ।

 

ଗଣ୍ଡମାନଙ୍କ ମଧ୍ୟରେ କେତେକ ଶାସକ ଶ୍ରେଣୀର ରହିଛନ୍ତି । ସେମାନଙ୍କୁ ‘ରାଜଗଣ୍ଡ’ କହନ୍ତି । ସେମାନଙ୍କର ଅନେକ ଚାଷ ଜମି ରହିଛି । ସେମାନେ ସାଧାରଣତଃ ଅପେକ୍ଷାକୃତ ଉନ୍ନତ ଧରଣର । ସେମାନଙ୍କ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇଥାଏ । ଗୋଟିଏ ପବିତ୍ର କାର୍ଯ୍ୟ ହିସାବରେ ଗଣ୍ଡମାନେ ଗୋପାଳନ କରିଥାନ୍ତି । ଆହୁରି ମଧ୍ୟ ଅନେକ ଗଣ୍ଡ ପରିବାର ଘୁଷୁରି ପାଳନ କରିଥ‌ିବାର ଦେଖାଯାଏ । ସେଗୁଡ଼ିକ ବେଶ୍‌ ସୁସ୍ଥ ସବଳ । ଗଣ୍ଡମାନେ ଘୁଷୁରି ମାଂସ ଖାଇବାକୁ ଭାରି ଭଲ ପାଆନ୍ତି । ସେମାନଙ୍କର ଭୂତପ୍ରେତ ଇତ୍ୟାଦିରେ ବିଶ୍ୱାସ ଥାଏ ହେଲେ ମଧ୍ୟ ସେମାନେ ଜଙ୍ଗଲରେ ବାସକରି ଖାଦ୍ୟ ନିମନ୍ତେ ଶିକାରକୁ ଯାଇଥାନ୍ତି ।

 

ଗଣ୍ଡମାନେ ଅରଣ୍ୟରେ ବାସ କରନ୍ତି ଆହୁରି ମଧ୍ୟ ଘୁଷୁରି ମାଂସ ଖାଆନ୍ତି, ତେଣୁ ମୁଁ ଭାବୁଛି ସେମାନେ ଖୁବ୍‌ ଉଗ୍ର ପ୍ରକୃତିର ହୋଇଥ‌ିବେ । ଅଙ୍କଲ ନୁହେଁ କି ? ପଚାରିଲା ସିଦ୍ଧାର୍ଥ ।

 

ନା ନା ତା’ର ଅନୁମାନ ଭୁଲ । ଶରତ ବାବୁ କହିଲେ ସେମାନେ ବେଶ୍‍ ସଚ୍ଚୋଟ ଏବଂ ସରଳବିଶ୍ୱାସୀ । ଯଦି କୌଣସି ଗଣ୍ଡ ତା’ ଜୀବନ କାଳରେ କରିଥିବା ଋଣକୁ ଶୁଝିନପାରି ମରିଯାଏ, ତେବେ ତା’ର ପିଲାମାନେ ସେ ସବୁକୁ ପ୍ରଥମେ ପରିଶୋଧ ନ କଲା ପର୍ଯ୍ୟନ୍ତ ଥୟ ଧରି ରହିପାରନ୍ତି ନାହିଁ । ସମସ୍ତ ଗଣ୍ଡମାନଙ୍କର ପ୍ରକୃତି ଏହିପରି ।

 

ପିଉସା ! ଗତଥର ସ୍ଵାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀରେ ପ୍ୟାରେଡ ହେବା ସମୟରେ ଗଣ୍ଡ ଲୋକନୃତ୍ୟ ଦେଖିବାକୁ ମିଳିଥିଲା । ମୁଁ ତାକୁ ଦୂରଦର୍ଶନ ମାଧ୍ୟମରେ ଦେଖିଥିଲି । ତେଣୁ ମୁଁ ଭାବୁଛି ସେମାନେ ପର୍ବପର୍ବାଣିମାନଙ୍କରେ ଏହି ଭିଲି ନୃତ୍ୟ କରୁଥିବେ ନୁହେଁ କି ?

 

ହଁ ତୁ ଠିକ୍‌ ବୁଝିଛୁ କହିଲେ ଶରତ ବାବୁ । ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ପରି ଗଣ୍ଡମାନେ ମଧ୍ୟ ନୃତ୍ୟଗୀତ ମାଧ୍ୟମରେ ସେମାନଙ୍କର ପର୍ବପର୍ବାଣି ସମ୍ପାଦନ କରନ୍ତି । ଏହା ସେମାନଙ୍କର ବେଶ୍‌ ଆମୋଦପ୍ରମୋଦର ସମୟ ।

 

ଏଥର ଶରତ ବାବୁ ତାଙ୍କର ହାତ ଘଣ୍ଟାକୁ ଚାହିଁଲେ, ସେତେବେଳକୁ ସାତଟା ବାଜି ଯାଇଥିଲା । ସେ ତାଙ୍କର ଆଲୋଚନାକୁ ସେତିକିରେ ରଖି ପିଲାମାନଙ୍କୁ କହିଲେ ଆଜିତ ସମୟ ହୋଇଯାଇଛି । ବର୍ତ୍ତମାନ ତୁମମାନଙ୍କର ପାଠପଢ଼ା ସମୟ ହୋଇଗଲାଣି ଆସନ୍ତାକାଲି ମୁଁ ପୁଣି ତୁମକୁ ଆଉ ଏକ ସମ୍ପ୍ରଦାୟର ଆଦିବାସୀ ଶିଶୁମାନଙ୍କ କଥା କହିବି ।

 

ଏକଥା ଶୁଣି ପିଲାମାନେ ପାଠପଢ଼ା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଗଲେ । ସିଦ୍ଧାର୍ଥ ମଧ୍ୟ ଶରତ ବାବୁଙ୍କୁ ନମସ୍କାର ଜଣାଇ ଚାଲିଗଲା ତା’ର ଘରକୁ । ସମସ୍ତ ପିଲା ତହିଁ ପରଦିନ ସନ୍ଧ୍ୟା ସମୟକୁ ଅପେକ୍ଷାକରି ରହିଲେ ।

☆☆☆

 

ଭୀଲ ଶିଶୁ

 

ଲିଜା, ମାମୁନି ତୁମେମାନେ କ’ଣ ଆଜି ଖେଳିବାକୁ ଯିବ ନାହିଁ କି ? ଲିପୁ ହଠାତ୍‌ କେଉଁଆଡ଼ୁ ଦୌଡ଼ିଆସି ସେମାନଙ୍କୁ ଡାକିଲା ।

 

ତୁ କ’ଣ ଜାଣି ନାହୁଁ ଯେ ଶ୍ରେଣୀରେ ଆଜି ଆମ ସାର୍‌ ଆମକୁ ଇତିହାସ ଘୋଷା ନେବାପାଇଁ କହିଛନ୍ତି । କାଲି ଇତିହାସ ପିରିୟଡ଼ ଅଛି । ପଢ଼ା ନ କଲେ–ସାର୍‌ କେମିତି ଲୋକ ତୁ ଜାଣିଥିବୁ । ଆଉ ଅଳ୍ପ ସମୟ ପରେ ତ ପିଉସା ଆସି ପହଞ୍ଚି ଯିବେ । ସେ ଆମମାନଙ୍କୁ ଆଦିବାସୀ ଶିଶୁଙ୍କ କଥା ଶୁଣେଇବେ । ରାତିରେ ତ ବିଜୁଳିବତୀର ଲୁଚକାଳିରେ ପଢ଼ିହେବ କିପରି ।

 

ଠିକ୍‌ ସମୟରେ ସିଦ୍ଧାର୍ଥ ଏବଂ ଗୌତମ ନିଜ ନିଜ ମଧ୍ୟରେ ନାନାପ୍ରକାର ଯୁକ୍ତିତର୍କ କରି ପିଲାଙ୍କ ପଢ଼ାଘରକୁ ପଶି ଆସିଲେ । ସିଦ୍ଧାର୍ଥ କହିଲା–ଆଚ୍ଛା କହିଲୁ ଲିପୁ ଇତିହାସ ପ୍ରସିଦ୍ଧ ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

 

ଏଇଟା କି କଷ୍ଟ କଥାମ । ତାହାତ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା ବୋଲି ଆଜି ସାର୍‌ ଆମ ଶ୍ରେଣୀରେ କହୁଥିଲେ । ତେତେ ତୋର ହଠାତ୍‌ ଏପରି ପ୍ରଶ୍ନର ଉତ୍ତର ଜାଣିବାକୁ ଇଚ୍ଛା ହେଲା କାହଁକି କହିଲା ଲିପୁ ।

 

ନାହିଁ ଯେ ଏ ବିଷୟରେ ଗୌତମ ମୋ ସଙ୍ଗେ ଅନେକ ଯୁକ୍ତି କରୁଛି । ସେଇଥିପାଇଁ ତୋତେ ପଚାରିଦେଲି ।

 

ହଁ ହଁ ପିଲାମାନେ, ତୁମମାନଙ୍କର ସମସ୍ତ କଥା ମୁଁ ଶୁଣିଛି । ଏଥର ବୈଠକଖାନାକୁ ଚାଲ ସେଠାରେ କଥାବାର୍ତ୍ତା ହେବା । ହସି ହସି ପଢ଼ାଘର ଭିତରକୁ ପଶି ଆସିଲେ ଶରତ ବାବୁ ।

 

ବୈଠକଖାନା–

 

ଶରତ ବାବୁ ପ୍ରଥମେ ବିଶ୍ରାମ ନେଇଛନ୍ତି ଗୋଟିଏ ଆରାମ ଚୌକିରେ । ସେଠାରେ ପହଞ୍ଚିଗଲେ ଲିପୁ, ମାମୁନି ଲିଜା ଏବଂ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ସିଦ୍ଧାର୍ଥ ଓ ଗୌତମ ।

 

ଶରତ ବାବୁଙ୍କୁ ମନେପକାଇ ଦେବାକୁ ଯାଇ ଲିପୁ କହିଲା–ବାପା, ଆଜି ତୁମେ ଆମମାନଙ୍କୁ ଆଦିବାସୀ ଶିଶୁଙ୍କ ବିଷୟରେ କହିବ ନାହିଁ କି ?

 

ହଁ, ତାହା କହିବା ପାଇଁ ତ ତୁମମାନଙ୍କୁ ଏଠାକୁ ଡକାଇଛି, ନ କହିବି କେମିତି । ପ୍ରଥମେ ଲିପୁ ତୁ କହିଲୁ, ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିବା ହଳଦୀଘାଟ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ।

 

ତାହାତ ହୋଇଥିଲା ମିବାରର ରାଣା ପ୍ରତାପସିଂ ଏବଂ ମୋଗଲ ସମ୍ରାଟ ଆକବରଙ୍କ ମଧ୍ୟରେ । ଧୀରସ୍ଥିର ଭାବରେ ଉତ୍ତର ଦେଲା ଲିପୁ ।

 

ତେବେ ମାମୁନି ତୁ କହିଲୁ, ସେତେବେଳେ ରାଣୀଙ୍କୁ ଯୁଦ୍ଧ କ୍ଷେତ୍ରରେ କେଉଁମାନେ ସାହାଯ୍ୟ କରିଥିଲେ, ପ୍ରଶ୍ନ କଲେ ଶରତ ବାବୁ ।

 

ମାମୁନି ହଠାତ୍‌ କହିପାରିଲାନି । ଶରତ ବାବୁ ଗୌତମ ଆଡ଼କୁ ଦୃଷ୍ଟି ଦିଅନ୍ତି ସେ କହିଲା–ତାଙ୍କ ସୈନ୍ୟମାନଙ୍କ ବ୍ୟତୀତ ତାଙ୍କୁ ଆଉ କିଏ ସାହାଯ୍ୟ କରିବ ନାଁ ତୁମୋନେ ଜାଣିନାହଁ-। ଶରତ ବାବୁ କହିଲେ, ତାଙ୍କର ସୈନ୍ୟବାହିନୀଙ୍କ ସହ ଭୀଲମାନେ ମଧ୍ୟ ରାଣାଙ୍କୁ ଅନେକ ସାହାଯ୍ୟ କରିଥିଲେ ।

 

ସିଦ୍ଧାର୍ଥ ଭୀଲ ଶବ୍ଦ ଶୁଣି କୌତୂହଳୀ ହୋଇ ଉଠିଲା । ସେ କହିଲା, ଅଙ୍କଲ ଆପଣ ଯେଉଁ ଭୀଲମାନଙ୍କ କଥା କହୁଛନ୍ତି ସେ ବିଷୟରେ ମୁଁ ମୋ ମାଆଙ୍କ ଠାରୁ ଶୁଣିଥିଲି । ଶ୍ରୀରାମଚନ୍ଦ୍ରଙ୍କର ବନବାସ ସମୟରେ ଶବରୀ ନାମରେ ଜଣେ ଭୀଲ ନାରୀ ତାଙ୍କୁ ଯଥେଷ୍ଟ ଆତିଥ୍ୟ ପ୍ରଦାନ କରିଥିବାର କଥା ସେ ମୋତେ କହୁଥିଲେ । ଏଇଥିରୁ ମୁଁ ବୁଝିପାରୁଛି ଯେ, ସେମାନେ ନିଶ୍ଚିତଭାବରେ ବନ୍ଧୁ ବତ୍ସଳ ତଥା ଅତିଥି ସତ୍କାରକ ହୋଇଥିବେ ।

 

Image

 

ହଁ ତୋର ଅନୁମାନ ଠିକ୍‌ । ସେହିମାନଙ୍କ ବିଷୟରେ ମୁଁ ଆଜି ତୁମମାନଙ୍କୁ କହୁଛି ଶୁଣ, ଶରତବାବୁ କହିଲେ ।

 

ଏମାନେ ହେଲେ ଆଦିବାସୀମାନଙ୍କ ମଧ୍ୟରେ ଆଉ ଏକ ସମ୍ପ୍ରଦାୟ । ଗୋଟିଏ ବନ୍ଧୁ ବତ୍ସଳ, ସଚ୍ଚୋଟ ତଥା ସାହସୀ ଜାତିରୂପେ ଏମାନେ ପରିଚିତ । ‘ଭୀଲ’ ଶବ୍ଦର ପ୍ରକୃତ ଅର୍ଥ ହେଲା ଧନୁ ସେମାନେ ଧନୁ ବିଦ୍ୟାରେ ବେଶ୍‌ ଦକ୍ଷତାଲାଭ କରିଥିବାରୁ ସେମାନଙ୍କୁ ଏପରି ଆଖ୍ୟା ଦିଆଯାଇଛି ।

 

ବାପା ଏମାନଙ୍କର ବାସସ୍ଥାନ କେଉଁଠି କହିଲ ନାହିଁ ତ ନୀରବତା ଭଙ୍ଗକରି ପଚାରିଲା ଲିପୁ ।

 

ହଁ ଏମାନେ ସାଧାରଣତଃ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବହୁଳ ଭାବରେ ବାସ କରନ୍ତି-। ଏହିସବୁ ଅଞ୍ଚଳରେ ରହିଥ‌ିବା ପାହାଡ଼ ପର୍ବତର ପାଦଦେଶରେ ଛୋଟ ଛୋଟ କୁଟୀରମାନ ନିର୍ମାଣ କରି ରହନ୍ତି । ଗୋଟିଏ ଗୋଟିଏ ଭୀଲ ଗାଆଁରେ ଅଳ୍ପ ସଂଖ୍ୟକ ଘର ରହିଥ‌ିବାର ଦେଖାଯାଏ ସେମାନଙ୍କ ଗାଆଁକୁ ‘ପାଲ’ ବୋଲି କୁହାଯାଏ ସେମାନଙ୍କ ଗାଆଁର ମୁଖିଆକୁ କୁହାଯାଏ ‘ଗାମେଟି’ ।

 

ଲିଜା ପଚାରିଲା, ଅଙ୍କଲ ଆମ ଗାଆଁମାନଙ୍କର ମୁଖ୍ୟ ହିସାବରେ ସରପଞ୍ଚ ହିଁ ଗ୍ରାମବାସୀମାନଙ୍କର ଯାବତୀୟ ସୁବିଧା ଅସୁବିଧାକୁ ସମାଧାନ କରାଇଥାନ୍ତି । ତେବେ ଭୀଲମାନଙ୍କ ମୁଖ୍ୟ ‘ଗାମେଟି’ କ’ଣ ତାହା କରନ୍ତି ।

 

ହଁ ଖାଲି ସେତିକି ନୁହେଁ । ଶରତ ବାବୁ ବୁଝାଇଦେଲେ ଗାମେଟିମାନଙ୍କର ଯେତିକି କ୍ଷମତା ଥାଏ ତାହା ଆମର ସରପଞ୍ଚମାନଙ୍କ ଠାରୁ ମଧ୍ୟ ଯଥେଷ୍ଟ ବେଶି । ଭୀଲ ଲୋକମାନଙ୍କର ସୁବିଧା ଅସୁବିଧା ସମୟରେ ଗାମେଟିମାନେ ଆବଶ୍ୟକ ପଡ଼ିଲେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ମଧ୍ୟ ପଛାନ୍ତି ନାହିଁ ।

 

ପିଉସା ଭୀଲ ଶିଶୁମାନେ ଦେଖିବାକୁ କିପରି ? ପ୍ରଶ୍ନକଲା ମାମୁନି ।

 

ସେମାନଙ୍କର ଚେହେରା ସାଧାରଣତଃ କଳା । ସେମାନେ ସାଧାରଣ ଜୀବନଯାପନ କରନ୍ତି । ମୋଟାକନାରେ ତିଆରି ପୋଷାକପତ୍ର ସେମାନେ ପିନ୍ଧନ୍ତି । ପୁରୁଷ ଲୋକମାନେ ଆଣ୍ଠୁ ତଳ ପର୍ଯ୍ୟନ୍ତ ଧୋତି ପିନ୍ଧନ୍ତି । ଏହା ବ୍ୟତୀତ ସେମାନଙ୍କ ଶରୀରରେ ଥାଏ ଛୋଟ କୁର୍ତ୍ତାଟିଏ । କପାଳ ଦେଶରେ ବନ୍ଧା ହୋଇଥାଏ ଗୋଟିଏ ପଗଡ଼ି । ସ୍ତ୍ରୀଲୋକମାନେ ଏକପ୍ରକାର ପୋଷାକ ‘ଲେଙ୍ଗୁଟି’ଦ୍ଵାରା ତାଙ୍କର ଶରୀରକୁ ଆବୃତ କରିଥାନ୍ତି ।

 

ପିତଳରେ ତିଆରି ବିଭିନ୍ନ ପ୍ରକାରର ଅଳଙ୍କାରମାନ ସେମାନେ ବ୍ୟବହାର କରିଥାନ୍ତି । ଏହାଛଡ଼ା ସମସ୍ତ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଭୀଲମାନେ ସେମାନଙ୍କ ଶରୀରରେ ଚିତା କୁଟାଇବାକୁ ଭଲ ପାଇଥାନ୍ତି ।

 

ଶରତ ବାବୁ ଦେଖିଲେ ଗୌତମ ଟିକିଏ ଅନ୍ୟମନସ୍କ ପରି ଜଣାପଡ଼ୁଛି । କ’ଣ ଚିନ୍ତା କରୁଛୁ ଗୌତମ ! ପଚାରିଲେ ସେ ।

 

ଅଙ୍କଲ ମୁଁ ଭାବୁଥିଲି ଭୀଲମାନେ କିପରି ଚଳନ୍ତି । ସେମାନଙ୍କର ଜୀବିକା କ’ଣ ? ସେମାନେ ଛେଳି, ମେଣ୍ଢା, ଗାଈଗୋରୁ ଆଦି ମଧ୍ୟ ପାଳନ କରିଥାଏ । କେତେକ ଜଙ୍ଗଲରୁ କାଠ ଏବଂ ମହୁ ସଂଗ୍ରହକରି ଆଖପାଖ ଗାଆଁମାନଙ୍କରେ ବିକ୍ରି କରିଥାଏ, ଏବଂ ସେଥ‌ିରୁ ଲବ୍ଧ ଅର୍ଥରେ ସେମାନେ ସେମାନଙ୍କର ଜୀବିକା ନିର୍ବାହ କରନ୍ତି । ସେମାନେ ଯେଉଁ ଉପାୟରେ ଚାଷ କରନ୍ତି ତାକୁ ‘ବେଲା’ କୁହାଯାଏ । ଆଦିବାସୀମାନଙ୍କର ‘ବୈଗା’ ନାମରେ ଆଉ ଏକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କର ଚାଷ ପ୍ରଣାଳୀକୁ ‘ଝୁମ’ ବୋଲି କୁହାଯାଇଥାଏ । ଏହି ଝୁମ ପ୍ରଣାଳୀ ସହ ଭୀଲମାନଙ୍କର ‘ବେଲା’ ପ୍ରଣାଳୀର ସାମଞ୍ଜସ୍ୟ ଥ‌ିବାର ଦେଖାଯାଏ ।

 

ବାପା ବେଲା ପ୍ରଣାଳୀଟି କ’ଣ । ଏହି ପ୍ରଣାଳୀରେ ଭୀଲମାନେ କିପରି ଚାଷ କରନ୍ତି । ଲିପୁ ତା’ର କୌତୂହଳକୁ ଚାପି ନପାରି ପଚାରିଲା ଶରତ ବାବୁଙ୍କୁ ।

 

ହଁ ଭଲ ପ୍ରଶ୍ନଟିଏ ପଚାରିଛୁ । ଏହା ଏପରି ଏକ ପ୍ରଣାଳୀ ଯାହାଦ୍ଵାରା ପ୍ରଥମେ ପାହାଡ଼ର ଗଡ଼ାଣି ସ୍ଥାନମାନଙ୍କରେ ରହିଥ‌ିବା ଗଛଗୁଡ଼ିକୁ କାଟି ସଫାକରି ଦିଆଯାଏ l ସେଗୁଡ଼ିକ ଭଲଭାବରେ ଶୁଖିଯିବା ପରେ ସେଗୁଡ଼ିକୁ ପୋଡ଼ାଯାଏ ଏବଂ ସେଥିରୁ ଉଦ୍‌ବୃତ୍ତ ପାଉଁଶକୁ ଫସଲ ପାଇଁ ସାରରୂପେ ବ୍ୟବହାର କରାଯାଏ । ବାପା ବୁଝାଇ ଦେଲେ ।

 

ଶରତ ବାବୁ ଦେଖିଲେ ସିଦ୍ଧାର୍ଥ ଏବଂ ଲିଜା ପରସ୍ପର କ୍ଷୀଣ ସ୍ୱରରେ କୌଣସି ଏକ ଘଟଣା ସମ୍ପର୍କରେ ଯୁକ୍ତି ଚଳାଇଛନ୍ତି ।

 

ଆରେ ଲିଜା ! କ’ଣ କିଛି ଅବୁଝା ରହିଗଲା କି । ସିଦ୍ଧାର୍ଥ କଥା କ’ଣ, ସେମାନଙ୍କ ସନ୍ଦେହ ଦୂର କରିବା ନିମନ୍ତେ ଇଚ୍ଛା କଲେ ଶରତ ବାବୁ ।

 

ଅଙ୍କଲ ! ଭୀଲ ଶିଶୁମାନଙ୍କର ପାଠପଢ଼ା ପ୍ରତି ନଜର ଥାଏ କି ନାହିଁ । ସେ ବିଷୟରେ ଆମେ ଜାଣିବାକୁ ଚାହୁଁଥିଲୁ ସେମାନେ କ’ଣ ସ୍କୁଲକୁ ଯାଇ ପାଠ ପଢ଼ନ୍ତି ନାହିଁ ।

 

ହଁ କହୁଛି ଶୁଣ ! ଶରତ ବାବୁ କହିଲେ, କେତେକ ଭୀଲ ଶିଶୁ ପାଠ ପଢ଼ିବାପାଇଁ ସ୍କୁଲକୁ ଯାଆନ୍ତି, ହେଲେ ସେମାନଙ୍କୁ ଯେତେବେଳେ ଚଉଦ କିମ୍ବା ପନ୍ଦର ବର୍ଷ ବୟସ ହୋଇଯାଏ ସେତେବେଳେ ସେମାନେ ପାଠପଢ଼ା ଛାଡ଼ି ନିଜ ନିଜର ପିତାମାତାଙ୍କୁ ସେମାନଙ୍କ ବିବିଧ କାର୍ଯ୍ୟରେ ସାହାଯ୍ୟ କରନ୍ତି । ଅନ୍ୟ କେତେକ ସେମାନଙ୍କ ଶୈଶବ କାଳରୁ ବିଲବାଡ଼ିମାନଙ୍କୁ ଯାଇ ବାପା ମାଆଙ୍କୁ କାମରେ ସାହାଯ୍ୟ କରିଥାନ୍ତି । ସେତେବେଳେ ସେମାନେ ଧନୁ ଏବଂ ଶରର ବ୍ୟବହାର କିପରି କରାଯାଏ ତାହା ଶିକ୍ଷା କରନ୍ତି । ଆବଶ୍ୟକ ସମୟରେ ଶିଶୁମାନେ ସେମାନଙ୍କ ବାପାମାନଙ୍କ ସହ ଶିକାରକୁ ଯାଇ ନିଜ ନିଜର ଦକ୍ଷତା ପରୀକ୍ଷା କରନ୍ତି । ବାପା ଭୀଲମାନେ ତ ଆମମାନଙ୍କ ପରି ବିଭିନ୍ନ ଦେବାଦେବୀ ପୂଜା ତଥା ପର୍ବପର୍ବାଣି ପାଳନ କରୁଥିବେ । ସେ ବିଷୟରେ ଆମମାନଙ୍କୁ କିଛି କୁହ । ଲିପୁ ଉତ୍ସାହୀ ହୋଇ କହିଉଠିଲା ।

 

ବାପା ବୁଝାଇଲେ–ଭୀଲମାନେ ଆମମାନଙ୍କ ପରି ହିନ୍ଦୁ । ଆମେମାନେ ଯେପରି ବିଭିନ୍ନ ସମୟରେ ବିଭିନ୍ନ ଦେବାଦେବୀଙ୍କୁ ପୂଜାକରିବା ସହ ଅନେକ ପର୍ବପର୍ବାଣିମାନ ପାଳନ କରିଥାନ୍ତି । ଆମମାନଙ୍କ ପରି ସେମାନେ ଦୀପାବଳି, ଦଶହରା, ହୋଲି, ରାମନବମୀ ଇତ୍ୟାଦି ସେମାନଙ୍କର ପ୍ରଧାନ ପର୍ବ । ତେବେ ଏହି ପର୍ବପର୍ବାଣିଗୁଡ଼ିକରେ ସଙ୍ଗୀତ ମାଧ୍ୟମରେ ବିଭିନ୍ନ ପ୍ରକାରର ନୃତ୍ୟ କରିବା ସେମାନଙ୍କର ଏକ ବିଶେଷତ୍ୱ ।

 

ସେତିକିବେଳେ ଲିପୁର ମା’ ରୋଷେଇ ଘରେ ଥାଇ ଡାକ ପକାଇଲେ ପିଲାଏ ଆଜି ତୁମ ସମସ୍ତଙ୍କର ଖିଆପିଆ ଆମ ଘରେ ହେବ । ତୁମେମାନେ ଶୀଘ୍ର ନିଜର ମୁହଁ ହାତ ଧୋଇ ଡାଇନିଂ ଟେବୁଲ ପାଖରେ ବସିପଡ଼ । ଖାଦ୍ୟ ଜିନିଷ ଥଣ୍ଡା ହୋଇଯିବ, ମୁଁ ବାଢ଼ି ଦେଉଛି ।

 

ତାହା ଶୁଣି ଶରତ ବାବୁ ପିଲାମାନଙ୍କୁ ଅନ୍ୟ କୌଣସି ଦିନ ଆଉ ଗୋଟିଏ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ କଥା ଶୁଣାଇବାକୁ କହି ବିଦାୟ ଦେଲେ ।

☆☆☆

 

ଖାରିଆ ଶିଶୁ

 

ଲିପୁର ସେଦିନ ସକାଳୁଆ ସ୍କୁଲ ଥିଲା । ଗୋଟାଏ ବେଳେ ସ୍କୁଲରେ ଛୁଟି ଘଣ୍ଟା ବାଜିବା କ୍ଷଣି ପିଲାମାନେ ଖୁବ୍‌ ଆନନ୍ଦରେ ନିଜ ନିଜ ଘରକୁ ମୁହାଁଇଲେ । ଲିପୁ ମଧ୍ୟ ଘରେ ପହଞ୍ଚି ପ୍ରଥମେ ତା’ର ବହିପତ୍ର ଯଥା ସ୍ଥାନରେ ରଖିଦେଲା ଏବଂ ଖାଇବାକୁ ବାଢ଼ିବା ପାଇଁ ମାଆକୁ କହିଲା ।

 

ସେଇଟି ମଧ୍ୟ ଥିଲା ଗାଁର ମହିଳା ସମିତି ବସିବାର ଦିନ । ଲିପୁର ମାଆ ସ୍ନେହଲତା ଦେବୀ ଗାଁ ମହିଳା ସମିତିର ସଭ୍ୟା । ଲିପୁ ଖାଇ ସାରିବା ପରେ ଘରର ଅନ୍ୟାନ୍ୟ କାମ ସବୁ ଶେଷ କରି ସ୍ନେହଲତା ଦେବୀ ଚାଲିଲେ ମହିଳା ସମିତିକୁ । ସାଥିରେ ଲିପୁ ମଧ୍ୟ ଗଲା ।

 

ଠିକ୍‌ ସମୟରେ ସମିତିର ସଭାକାର୍ଯ୍ୟ ଆରମ୍ଭ ହେଲା । ଲିପୁ ତା’ର ମାଆଙ୍କ ସହିତ ବେଶ୍‌ ଧୀରସ୍ଥିର ଭାବରେ ବସିଥାଏ, ସେହି ସମୟରେ ଜଣେ ସ୍ତ୍ରୀଲୋକ ତାଙ୍କ ଆସନରୁ ଉଠିପଡ଼ି ସଭ୍ୟାମାନଙ୍କୁ ଭାଷଣ ଦେବାକୁ ଆରମ୍ଭ କଲେ । ସେଇଥି ଥିଲା କୌଣସି ଆଦିବାସୀ ସମ୍ପ୍ରଦାୟର ନାରୀମାନଙ୍କ ସମ୍ପର୍କରେ । କିଛି ସମୟ ତାଙ୍କର କେତୋଟି ନିର୍ଦ୍ଦିଷ୍ଟ ବାକ୍ୟକୁ ଲିପୁ ଖୁବ୍‌ ମନଯୋଗ ସହକାରେ ଶୁଣିଲା ତାହା ଥିଲା ଏହିପରି–

 

ଖାରିଆ ନାରୀମାନେ ଶିଶୁ ଜନ୍ମ କରିବାର ତିନି ସତ୍ରାହ ମଧ୍ୟରେ ତା’ର ନାମକରଣ କରିଥାଆନ୍ତି । ଏହା ସାଧାରଣତଃ ତାଙ୍କ ପୂର୍ବପୁରୁଷମାନଙ୍କର ନାମାନୁସାରେ ହୋଇଥାଏ । କାରଣ ସେମାନଙ୍କର ବିଶ୍ୱାସ ଯେ, ତାଙ୍କର ପୂର୍ବପୁରୁଷମାନେ ସେମାନଙ୍କର ବଂଶଧର ହୋଇ ଜନ୍ମ ହୁଅନ୍ତି-

 

ଏହି ‘ଖାରିଆ ଶିଶୁ’ ଭଳି ଶବ୍ଦଟିଏ ଶୁଣି ଲିପୁର ମନ କୌତୂହଳପୂର୍ଣ୍ଣ ହୋଇ ଉଠିଲା । ମହିଳା ସମିତିର ସଭା ଶେଷ ହେବାପରେ ସେ ତା’ର ମାଆଙ୍କୁ ଅସ୍ତବ୍ୟସ୍ତ କରି ପକାଇଲା । କଥା କ’ଣ ବୋଲି ମାଆ ପଚାରିବାରୁ ଲିପୁ କହିଲା, ଆଜି ସଭାରେ ଖାରିଆ ଶିଶୁମାନଙ୍କ ବିଷୟରେ ଭାଷଣ ଦିଆଯାଉଥିଲା । ହେଲେ ମା’ ଖାରିଆ ଶିଶୁ କ’ଣ ? ସେ ବିଷୟରେ ମତେ କୁହ ।

 

ଓ ଏଇ କଥା, ଏଇଥି ପାଇଁ ତୁ ଏତେ ବ୍ୟସ୍ତ । ତୁ ପ୍ରଥମେ ଘରକୁ ଚାଲ । ଆଜି ତ ବାପାଙ୍କର କୌଣସି କାମ ନାହିଁ, ମୁଁ ତାଙ୍କୁ କହିବି । ସେ ତୋତେ ଏକଥା ବୁଝାଇ ତୋର ସନ୍ଦେହ ଦୂର କରିବେ । ତୁ ତ ଜାଣୁ ମୋର କେତେ କାମ କହି ବସିଲେ ଅନେକ ସମୟ ଲାଗିବ । ହେଲେ ସମୟ କାହିଁ ? ସ୍ନେହଲତା ଦେବୀ ଏମିତି କହି ଲିପୁକୁ ବୁଝାଇ ଦେଲେ । ଲିପୁ ମଧ୍ୟ ବୁଝିଗଲା ।

 

ସେମାନେ ସମସ୍ତେ ଘରେ ପହଞ୍ଚିବା ପରେ ସ୍ନେହଲତା ଦେବୀ ସମସ୍ତ କଥା ଶରତ ବାବୁଙ୍କୁ କହିଲେ । ଏହା ଶୁଣି ଶରତ ବାବୁ କହିଲେ–ଠିକ୍‌ ଅଛି, ଆଜିତ ମୁଁ ସେ ବିଷୟରେ ତୋତେ କହିବି ବୋଲି ଭାବୁଥିଲି । ହଉ ତୁ ମାମୁନି, ଲିଜା, ସିଦ୍ଧାର୍ଥ ଏବଂ ଗୌତମକୁ କହିଲେ ସମସ୍ତ ଆଜି ସନ୍ଧ୍ୟା ସମୟରେ ପହଞ୍ଚି ଯାଅ ।

 

ବାପାଙ୍କର ଏହି କଥାରେ ଲିପୁର ଆନନ୍ଦର ସୀମା ରହିଲାନି । ସେ ସଙ୍ଗେ ସଙ୍ଗେ ଲିଜା ଓ ମାମୁନିଙ୍କ ସମେତ ଅନ୍ୟ ଦୁଇ ସାଙ୍ଗକୁ ଏକଥା ଜଣାଇଦେଲା । ସନ୍ଧ୍ୟା ସମୟରେ ସେମାନେ ସମସ୍ତେ ଯାଇ ପହଞ୍ଚିଗଲେ ଶରତ ବାବୁଙ୍କ ବୈଠକଖାନାରେ ।

 

ବାପା ! ଆମେମାନେ ସମସ୍ତେ ଆସି ଯାଇଛୁ । ଏଥର ଖାରିଆ ଶିଶୁମାନଙ୍କ ବିଷୟରେ ଆମକୁ କୁହ । ଅତି ଉତ୍କଣ୍ଠିତ ହୋଇ କହିଲା ଲିପୁ ।

 

ଶରତ ବାବୁ ପ୍ରଥମେ ପିଲାମାନଙ୍କୁ ବସିବାକୁ କହି, ତା’ପରେ ଆରମ୍ଭ କଲେ–

 

ଖାରିଆ ହେଉଛି ଗୋଟିଏ ଆଦିବାସୀ ସମ୍ପ୍ରଦାୟର ନାମ । ଆମ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ଏମାନେ ବହୁଳ ଭାବରେ ବସବାସ କରନ୍ତି । ସେମାନଙ୍କୁ ‘ପାହାଡ଼ି ଖାରିଆ’ ବା ‘ଏରଙ୍ଗ ଖାରିଆ’ କୁହାଯାଏ । ଏତଦ୍‌ବ୍ୟତୀତ ବିହାରର ରାଞ୍ଚି ଜିଲ୍ଲା ଏବଂ ମଧ୍ୟପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ଏହି ଶ୍ରେଣୀର ଆଦିବାସୀ ଦେଖା ଯାଆନ୍ତି । ସେମାନଙ୍କୁ ଯଥାକ୍ରମେ ‘ଦୁଧ ଖାରିଆ’ ବା ‘ଢେଲକି ଖାରିଆ’ କୁହାଯାଏ । ଆମ ଓଡ଼ିଶାର ଅଳ୍ପ କେତେ ସ୍ଥାନ ଯଥା–ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଢେଲକି ଖାରିଆମାନଙ୍କର ବସତି ଦେଖିବାକୁ ମିଳେ-। ଏହା ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଦୁଧ ଖାରିଆମାନେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ସହିତ ମିଳିମିଶି ରହୁଥ‌ିବାର ଦେଖାଯାଏ ।

 

ପାହାଡ଼ି ଖାରିଆମାନେ ବଣ ଜଙ୍ଗଲରେ ବୁଲି ବିଭିନ୍ନ ପ୍ରକାର ଖାଦ୍ୟ ସଂଗ୍ରହ କରିବା ସେମାନଙ୍କର ପ୍ରଧାନ କାର୍ଯ୍ୟ । ଆହୁରି ମଧ୍ୟ ସେମାନେ ଶିକାର କରନ୍ତି । ବାସ୍‌ ଏହାଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ । କିନ୍ତୁ ଢେଲକି ଖାରିଆମାନେ ପାହାଡ଼ି ଖାରିଆମାନଙ୍କ ଅପେକ୍ଷା ଆପାତତଃ ଉନ୍ନତି ଧରଣର । ସେମାନେ ଚାଗକୁ ସେମାନଙ୍କର ମୁଖ୍ୟ ଜୀବିକାରୂପେ ଧରି ନେଇଛନ୍ତି । ତେଣୁ ସେମାନଙ୍କର ଆର୍ଥିକ ଅବସ୍ଥା ଭଲ ।

 

Image

 

ଅଙ୍କଲ ! ମୟୂରଭଞ୍ଜର ଜଗନ୍ନାଥଙ୍କ ରଥଯାତ୍ରାରେ ଖାରିଆମାନେ ଭାଗ ନେଇଥାନ୍ତି ବୋଲି ଥରେ ଆମ ସାର୍‌ କହୁଥିବାର ମନେପଡ଼ୁଛି । ଏହା କ’ଣ ସତ ? ପୂର୍ବ କଥାକୁ, ଟିକିଏ ମନେପକାଇ କହିଲା ସିଦ୍ଧାର୍ଥ ।

 

ହଁ ସତ । ଶରତ ବାବୁ କହିଲେ, ମୟୂରଭଞ୍ଜରେ ପ୍ରଥମେ ଖାରିଆମାନେ ବାସ କରୁଥିଲେ । ସେତେବେଳେ ସେମାନେ ସେଠାର ରାଜ ପରିବାର ସହ ସମ୍ପୃକ୍ତ ଥିଲେ । ପ୍ରତିବର୍ଷ ରଥଯାତ୍ରା ସମୟରେ ସେମାନେ ରାଜାଙ୍କ ମୁଣ୍ଡରେ ପାଟ ପଗଡ଼ି ବାନ୍ଧି ଦେବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ । ତଦନୁସାରେ କାଳକ୍ରମେ ସେମାନେ ‘ପାଟବନ୍ଧା ଖାରିଆ’ ନାମରେ ପରିଚିତ ହେଲେ ।

 

ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ‘ବସୁ ଖାରିଆ’ ନାମରେ ଆଉ ଏକ ଜାତି ରହିଥ‌ିବାର ଜଣାଯାଏ । କିମ୍ବଦନ୍ତୀ କହେ, ଏମାନେ ଶବରରାଜା ବିଶ୍ୱାବସୁଙ୍କର ବଂଶଧର । ତେଣୁ ସେମାନେ ଉଚ୍ଚ ବଂଶଗତବୋଲି ନିଜ ନିଜକୁ ପରିଚିତ କରାଇ ଥାନ୍ତି । ସେହିପରି ମୟୂରଭଞ୍ଜରେ ପାଳିତ ହେଉଥିବା ଜଗନ୍ନାଥଙ୍କ ରଥଯାତ୍ରାରେ ଏହି ଖାରିଆମାନେ ଭାଗନେଇ ଥାଆନ୍ତି ।

 

ଶରତ ବାବୁ ଦେଖିଲେ ଲିପୁ ବୋଧହୁଏ ତାଙ୍କୁ କିଛି ପଚାରିବାକୁ ଚାହୁଁଛି । ତେଣୁ ସେ କହିଲେ, କ’ଣ ହେଲା ଲିପୁ ତୋର କିଛି ପଚାରିବାର ଅଛି କି ?

 

ହଁ ବାପା ! ଲିପୁ କହିଲା ପାହାଡ଼ି ଖାରିଆମାନଙ୍କର ବାସସ୍ଥାନଟି କିପରି ହୋଇଥାଏ ସେ ବିଷୟରେ କିଛି କୁହ ?

 

ହଁ ଶୁଣ ତେବେ, ଏମାନଙ୍କର ଦଶ ପନ୍ଦରଟି ଘରକୁ ଗୋଟିଏ ଗାଆଁ ତିଆରି ହୋଇଥାଏ । ଏମାନେ ପାହାଡ଼ର ଗଡ଼ାଣିଆ ସ୍ଥାନରେ ଘରକରି ରହିଥାନ୍ତି । ସମସ୍ତ ଘରଗୁଡ଼ିକ ଏକ କୋଠରୀ ବିଶିଷ୍ଟ । ତାରି ଭିତରେ ସେମାନେ ବସାଉଠା ରୋଷେଇବାସ ଇତ୍ୟାଦି କରନ୍ତି । ଘରଗୁଡ଼ିକର ଚଟାଣ ମାଟି । କାନ୍ଥ ସବୁ ଶାଳ କାଠ ପୋତା ହୋଇ ତା’ ଉପରେ ମାଟି ଲିପାଯାଇ ଥାଏ । ଶୁଣିଲେ ତୁମମାନଙ୍କୁ କୌତୂହଳ ଲାଗିବ ସେମାନଙ୍କ ଘରର ଛାତ ସବୁ ଦୁଇ ଥାକ ବିଶିଷ୍ଟ ଏବଂ ଉପର ଛାତଟି ନଡ଼ାରେ ନହୋଇ ଛାଉଣି ହୋଇଥାଏ ଘାସରେ ।

 

ଶରତ ବାବୁଙ୍କର କଥା ସବୁ ମାମୁନି ଏକାଗ୍ର ଚିତ୍ତରେ ଶୁଣିଯାଉଥାଏ । ହଠାତ୍‌ ସେ କହିଲା, ପିଉସା ଏଥର ଆମମାନଙ୍କୁ ଖାରିଆ ଶିଶୁମାନଙ୍କ ସମ୍ବନ୍ଧରେ କିଛି କୁହ ?

 

ହଁ ତୁମେମାନେ ତ ସମସ୍ତେ ବର୍ତ୍ତମାନ ଶିଶୁ । ତେଣୁ ଖାରିଆ ଶିଶୁମାନଙ୍କ ବିଷୟରେ ଶୁଣିବାକୁ ନିଶ୍ଚୟ ମଜା ଲାଗୁଥ‌ିବ । ଶରତ ବାବୁ କହିଲେ, ତେବେ ଶୁଣ ସେମାନେ ଦେଖିବାକୁ କଳା ବା ଶ୍ୟାମଳ ବର୍ଣ୍ଣ । ସେମାନେ ଜନ୍ମ ହେବାର ପ୍ରାୟ ତିନି ସପ୍ତାହ ମଧ୍ୟରେ ପିତାମାତା ପିଲାଟିର ନାମକରଣ କରିଥାନ୍ତି I ସାଧାରଣତଃ ଏହି ନାଁଗୁଡ଼ିକ ସେମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ମେଳ ଖାଇଥାଏ । କାରଣ ଖାରିଆମାନଙ୍କର ଗୋଟିଏ ବିଶ୍ୱାସ ଯେ ସେମାନଙ୍କର ପୂର୍ବପୁରୁଷମାନେ ତାଙ୍କର ବଂଶଧର ହୋଇ ଜନ୍ମ ହୁଅନ୍ତି । ସେମାନଙ୍କ ପରିବାରରେ ଶିଶୁ ଜନ୍ମ ହେଲେ ପ୍ରାୟ ଛଅ ସାତ ବର୍ଷ ପର୍ଯ୍ୟନ୍ତ ସେମାନେ ଲଙ୍ଗଳା ରହନ୍ତି । ଏହାପରେ ସେମାନେ ଅତି ଛୋଟ ଲୁଗା ପିନ୍ଧନ୍ତି । ପୁରୁଷ ଓ ସ୍ତ୍ରୀମାନେ ମଧ୍ୟ ଅଳ୍ପ ଓସାର ଥାଇ ଛଅ ସାତ ହାତି ଲୁଗା ପିନ୍ଧନ୍ତି । ସ୍ତ୍ରୀଲୋକମାନେ ନାନାପ୍ରକାର ଅଳଙ୍କାର ପିନ୍ଧିବା ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଚିତା କୁଟାଇବାକୁ ଭଲ ପାଆନ୍ତି ।

 

ଅଙ୍କଲ ! ଖାରିଆ ଶିଶୁମାନେ କ’ଣ ଆମମାନଙ୍କ ପରି ସ୍କୁଲକୁ ଯାଆନ୍ତୁ ନାହିଁ ? ପଚାରିଲା ଗୌତମ ।

 

ନାଁ ପାହାଡ଼ି ଖାରିଆମାନଙ୍କର ଜୀବନଧାରଣ ମାନ ସେତେ ଉନ୍ନତ ନଥିବାରୁ ଏହି ସମ୍ପ୍ରଦାୟର ଶିଶୁମାନେ ପାଠ ପଢ଼ନ୍ତି ନାହିଁ । ବରଂ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ଏମାନେ ନିଜ ନିଜର ପିତାମାତାଙ୍କୁ ସାହାଯ୍ୟ କରିଥାନ୍ତି, ପିତାମାତାମାନେ ପରେ ସେଗୁଡ଼ିକୁ ନିକଟବର୍ତ୍ତୀ ବଜାରରେ ବିକ୍ରିକରି ସେମାନଙ୍କର ଜୀବିକା ନିର୍ବାହ କରନ୍ତି । ହେଲେ ଆଜିକାଲି ଢୋଲକି ଓ ଦୁଧ ଖାରିଆମାନେ ଅନ୍ୟାନ୍ୟ ଓ ସମ୍ପ୍ରଦାୟ ଲୋକମାନଙ୍କ ସହିତ ଏକାଠି ବସବାସ କରୁଥ‌ିବାରୁ ସେମାନେ ବିଭିନ୍ନ କଥା ଶିଖିଲେଣି, ଚାଷ କାର୍ଯ୍ୟ କଲେଣି । ସେମାନଙ୍କ ଶିଶୁମାନେ ପାଠ ପଢ଼ିବାପାଇଁ ସ୍କୁଲକୁ ଗଲେଣି । ଫଳରେ ସେମାନଙ୍କର ଜୀବନଧାରଣର ମାନ ବେଶ୍‌ ଉନ୍ନତ ପରିଲକ୍ଷିତ ହୁଏ ।

 

ପାହାଡ଼ି ଖାରିଆଙ୍କୁ ବାଦ୍‌ ଦେଲେ ଢେଲକି ଖାରିଆ ଏବଂ ଦୁଧ ଖାରିଆମାନଙ୍କର ଅନେକ ପ୍ରକାରର ଘରକରଣା ଜିନିଷ ଦେଖିବାକୁ ମିଳେ । ଦଉଡ଼ିଆ, ଖଟିଆ, ମାଟିପାତ୍ର, ତାଳପତ୍ର ମସିଣା ଓ ରୋଷେଇ ପାଇଁ ଆଲୁମିନିୟମ ବାସନ ଇତ୍ୟାଦି ସେଗୁଡ଼ିକ ମଧ୍ୟରେ ପ୍ରଧାନ-। ଏତଦ୍‌ବ୍ୟତୀତ ସେମାନେ ଶିକାରକୁ ବେଶ୍‌ ଭଲ ପାଉଥିବାରୁ ସେଥି ନିମନ୍ତେ ବ୍ୟବହୃତ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ସେମାନଙ୍କ ନିକଟରେ ଦେଖିବାକୁ ମିଳେ । ସେଗୁଡ଼ିକ ମଧ୍ୟରେ ମାଛ ଧରିବା ପାଇଁ ବନ୍‌ଶି ତଥା ଅନ୍ୟାନ୍ୟ ଉପକରଣ, ଏକପ୍ରକାର କୁରାଢ଼ି, ଧନୁଶର, ବର୍ଚ୍ଛା ଆଦି ପ୍ରଧାନ-

 

ପିଉସା ! ଖାରିଆମାନଙ୍କର ତ ଦେବାଦେବୀଙ୍କ ଉପରେ ବିଶ୍ୱାସ ଥିବ ? ସେମାନେ ମଧ୍ୟ ଅନେକ ଦେବାଦେବୀଙ୍କୁ ପୂଜା କରୁଥିବେ ଆଉ ପର୍ବପର୍ବାଣି ପାଳନ କରୁଥିବେ । ସେସବୁ ବିଷୟରେ କହିବାକୁ ଭୁଲିଗଲ କି ? ଖୁବ୍‌ ଆଗ୍ରହର ସହିତ କହିଲା ମାମୁନି ।

 

ହଁ ସେମାନେ ତ ଆମରିପରି ହିନ୍ଦୁ । ତେଣୁ ସେମାନଙ୍କ ମନରେ ଈଶ୍ୱର ବିଶ୍ୱାସ ରହିବା ସ୍ୱଭାବିକ । ସର୍ବପ୍ରଥମେ ସେମାନେ ହେଉଛନ୍ତି ପ୍ରକୃତି ଉପାସକ । ସେମାନେ ଦେବତାଙ୍କୁ ‘ବୋରୋ’ ବା ‘ଗିରିଙ୍ଗ’ କହିଥାନ୍ତି । ସେମାନେ ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ଦେବତା ରୂପେ ମାନନ୍ତି । ସାଧାରଣତଃ ଭଲମନ୍ଦ ଦିନମାନଙ୍କରେ ସେମାନେ ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତି ଏବଂ ନାନାପ୍ରକାର ବଳି ଦିଅନ୍ତି । ମଣିଷର ମୃତ୍ୟୁ ପରେ ତାକୁ ସ୍ଵର୍ଗ କିମ୍ବା ନର୍କ ଭୋଗ କରିବାକୁ ହୁଏ ବୋଲି ସେମାନଙ୍କର ବିଶ୍ଵାସ । ତେଣୁ ସ୍ୱର୍ଗକୁ ଯିବା ନିମନ୍ତେ ସେମାନେ ଧର୍ମ ଦେବତାଙ୍କୁ ପୂଜା କରନ୍ତି । ତା’ ଛଡ଼ା ଭଲ ଫସଲ ହେବାପାଇଁ ସେମାନେ ଛେଳି, ମେଣ୍ଢା ଓ ମଇଁଷିଆଦି ବଳି ଦିଅନ୍ତି ଓ ‘ବାସୁକୀ ମାତାଙ୍କୁ’ ପୂଜା କରନ୍ତି । ଆହୁରି ମଧ୍ୟ ଭଲ ଶିକାର ପାଇବା ପାଇଁ ବନ୍ୟଜାତ ଦ୍ରବ୍ୟମାନ ସୁବିଧାରେ ପାଇବା ପାଇଁ, ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ, ଗ୍ରାମର ବିପଦ ଆପଦ ତଥା ରୋଗ ଖଣ୍ଡନ ଇତ୍ୟାଦି ପାଇଁ ପାଟ [ପର୍ବତ ଦେବତା], ବନଦେବୀ ଗ୍ରାମଦେବତୀ, ରକ୍ଷା ଦୁବେ [ରକ୍ଷାକର୍ତ୍ତୀ ଦେବୀ] ଦାରହାଦୁବେ ଦ୍ୱାରପାଳ ଦେବତା, ଅସୁର ବାରହା, ଅସୁର ଦେବତା, ବାଘିଆ ବାଘ ଦେବତା, ବୁଢ଼ାବୁଢ଼ୀ ଓ ମାରିମ ଶାଣ ପୂର୍ବପୁରୁଷ ଦେବତା ଓ କୁରିଲ (ଚିରଗୁଣି) ଆଦିଙ୍କୁ ପୂଜା କରନ୍ତି । ଏହିସବୁ ପୂଜା କାର୍ଯ୍ୟ ପାଇଁ ସେମାନଙ୍କ ସମ୍ପ୍ରଦାୟର ପୂଜକମାନେ ନିୟୋଜିତ ହୋଇଥାନ୍ତି । ପାହାଡ଼ି ଖାରିଆମାନଙ୍କର ପୂଜକକୁ ‘ବିହୁରି’ କୁହାଯାଉ ଥ‌ିବାବେଳେ ଢେଲକି ଓ ଦୁଧ ଖାରିଆମାନଙ୍କର ପୂଜକକୁ ଯଥାକ୍ରମେ ‘କାହୋ’ ଓ ‘ପ୍ରଧାନ’ ବୋଲି କୁହାଯାଏ ।

 

ଖାରିଆମାନଙ୍କର ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ମାଘ ମାସର ମାଘପର୍ବ, ଆଶ୍ୱିନ ମାସରେ ‘କରମା’ ପର୍ବ ନୂଆଖିଆ ପାର୍ଦ୍ଦିପର୍ବ, ମୁଣ୍ଡି ପୂଜା, ପୌଷ ପୂଜା ବା ‘ଅଖନ’ ପୌଷ ମାସର କୁଡ଼ିଆ ପୋତା ଟୁଜିଙ୍କ ପୂଜା ବଙ୍ଗାପୀ ପୂଜା ବୋଲୋ ପୂଜା ଇତ୍ୟାଦି ପ୍ରଧାନ ।

 

କୁଡ଼ିର ପୋତା ପର୍ବଦିନ ଖାରିଆମାନେ ଶିମିଳି ଗଛ ଆଣି ଗାଆଁ ନିକଟରେ ପୋତନ୍ତି ଏବଂ ତା’ ପାଖରେ ଘାସ, କୁଟା ପତ୍ର ସବୁ ଗଦା କରି ସେଥିରେ ନିଆଁ ଲଗାନ୍ତି । ଏହି ନିଆଁର ଝାସରେ ଦେହ ଦେଖାଇଲେ ସମସ୍ତ ରୋଗ ଦୂରୀଭୂତ ହୁଏ ବୋଲି ଖାରିଆମାନଙ୍କର ବିଶ୍ୱାସ ।

 

ବାପା ! ଖାରିଆମାନେ କ’ଣ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକଙ୍କ ପରି ନାଚନ୍ତି ନାହିଁ, ଗୀତ ବୋଲନ୍ତି ନାହିଁ ପଚାରିଲା ଲିପୁ ।

 

ହଁ ଉତ୍ସବ ଦିନମାନଙ୍କରେ ସେମାନେ ବିଭିନ୍ନ ବାଜା ବଜାଇ ଗୀତ ଗାଇ ନୃତ୍ୟ କରନ୍ତି । ସେମାନଙ୍କ ବାଦ୍ୟଯନ୍ତ୍ରମାନଙ୍କ ମଧ୍ୟରେ ମାଦଳ, ନାଗରା, ବଂଶୀ ଚାଙ୍ଗୁ ଆଦି ପ୍ରଧାନ ।

 

ପିଲାଏ ଖାରିଆମାନଙ୍କର କେତେକ ଅନ୍ଧବିଶ୍ୱାସ ରହିଥ‌ିବାର ଦେଖାଯାଏ । ଅନ୍ୟାନ୍ୟ ଆଦିବାସୀଙ୍କପରି ସେମାନଙ୍କ ସମାଜରେ ଯୁବକ ଯୁବତୀମାନଙ୍କ ପାଇଁ ଅଲଗା ଅଲଗା ଆଖଡ଼ା ଘରମାନ ରହିଛି । ସେଠାରେ ସେମାନେ ରାତିରେ ବିଶ୍ରାମ ନେଇଥାନ୍ତି ଏବଂ ନୃତ୍ୟଗୀତ ତଥା ଆମୋଦପ୍ରମୋଦରେ ସମୟ କଟାଇ ଥାଆନ୍ତି । ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଖ୍‌ଡ଼ା ଘରକୁ ‘ଗିଟାଚାରୀ’ କୁହାଯାଏ । ଏହି ଆଖଡ଼ା ଘରଗୁଡ଼ିକରେ ବର୍ଷର ସବୁ ସମୟରେ ନିଆଁ ଜଳୁଥାଏ । ଏହା ଖାରିଆମାନଙ୍କ ପାଇଁ ଅତି ପବିତ୍ର ବୋଲି ସେମାନେ ବିଶ୍ୱାସ କରନ୍ତି । ଏହାଛଡ଼ା ଗୁଣି ବିଦ୍ୟାରେ ସେମାନଙ୍କର ଖୁବ୍‌ ବିଶ୍ୱାସ । ସେମାନେ ଗୁଣିକୁ ‘ଦେଓନର’ ଏବଂ ଏହି ବିଦ୍ୟାରେ ଅଭ୍ୟସ୍ତ ଗୁଣିଆକୁ ‘ଦେଓନାରା’ ବୋଲି ଏବଂ ଏହି ବିଦ୍ୟାରେ ଅଭ୍ୟସ୍ତ ଗୁଣିଆକୁ ‘ଦେଓନାରା’ ବୋଲି କହିଥାନ୍ତି ।

 

ଗାଆଁର କୌଣସି ସମୟରେ ହଉଜା ବା ବସନ୍ତ ରୋଗ ଦେଖାଦେଲେ ଦେଓନାରା ଗାଁ ମୁଖିଆକୁ ନେଇ ଚାଲିଯାଏ ସାଥିରେ ଗୋଟିଏ ନିର୍ଜନ ସ୍ଥାନକୁ । ସେଠାରେ ସେ ‘ବେରୋ’ଙ୍କ ଉଦ୍ଦେଶ୍ୟରେ ପଶୁବଳୀ ଦିଏ । ଏହାଦ୍ୱାରା ରୋଗ ଆପଣାଛାଏଁ ଚାଲିଯାଏ ବୋଲି ଖାରିଆମାନେ ଭାବନ୍ତି । ଏହାଛଡ଼ା ସେମାନେ ସ୍ତ୍ରୀଲୋକମାନଙ୍କ ଠାରେ ଡାହାଣୀ ଦୃଷ୍ଟି ଥିବାର ଖୁବ୍‌ ବିଶ୍ୱାସ କରନ୍ତି ।

 

ସେତେବେଳକୁ ସନ୍ଧ୍ୟା ଆସିଯାଇ ଥିଲା । ଗୌତମ ସିଦ୍ଧାର୍ଥ ଏବଂ ଲିଜା ଲିପୁ ଓ ମାମୁନିଙ୍କ ଠାରୁ ‘ଶୁଭସନ୍ଧ୍ୟା’ କହି ବିଦାୟ ନେଲେ ।

☆☆☆

 

ନାଗା ଶିଶୁ

 

ସେଦିନ ଦିଲ୍ଲୀରେ ସ୍ୱାଧୀନତା ଦିବସ ନିମନ୍ତେ ବେଶ୍‌ ଜାକଜମକରେ ଆୟୋଜନ ଚାଲିଥାଏ । ଭାରତର ବିଭିନ୍ନ ଅଞ୍ଚଳରୁ ଲୋକନୃତ୍ୟ ଦଳମାନେ ଆସି ଗୋଟିଏ ପଡ଼ିଆରେ ଡେରା ପକାଉଥାନ୍ତି । ଆଉ ମାତ୍ର ଦୁଇ ଦିନ ପରେ ସ୍ୱାଧୀନତା ଦିବସର ଚିତ୍ତାକର୍ଷକ ପ୍ୟାରେଡ଼ ଦିଲ୍ଲୀର ରାଜ ମାର୍ଗରେ ଆରମ୍ଭ ହେବ । ତେଣୁ ପ୍ରତ୍ୟେକ ଲୋକନୃତ୍ୟ ଦଳଙ୍କୁ ସେମାନଙ୍କର ନୃତ୍ୟ ବିଷୟରେ ବାରମ୍ବାର ଅଭ୍ୟାସ କରାଯାଉ ଥାଏ ।

 

ଶରତ ବାବୁ ଦିଲ୍ଲୀରେ ଚାକିରି କରୁଥାନ୍ତି । ଠିକ୍ ସେହି ପଡ଼ିଆ ନିକଟରେ ସେ ତାଙ୍କ ପରିବାର ସହ ରହୁଥିଲେ ଯେଉଁଠାରେ ଲୋକନୃତ୍ୟ ଦଳ ନିଜ ନିଜର ଡେରା ପକାଇଥିଲେ । ସେଦିନ ତାଙ୍କ ଘର ସାମନାରେ ଥ‌ିବା ବଗିଚାରେ ଥାଇ ଶରତ ବାବୁ ତାଙ୍କ ସ୍ତ୍ରୀ ସ୍ନେହଲତା ଦେବୀଙ୍କ ସହ ଲୋକନୃତ୍ୟର ଅଭ୍ୟାସ ଦେଖୁଥିଲେ । ପାଖରେ ଥାଏ ତାଙ୍କର ନଅ ଦଶ ବର୍ଷର ପୁଅ ଲିପୁ ଏବଂ ତା’ର ମାମୁଙ୍କ ଝିଅ ମାମୁନି । ପ୍ୟାରେଡ଼ ଦେଖିବବୋଲି ମାମୁଁସହ ଓଡ଼ିଶାରୁ ଯାଇଥାଏ ।

 

ପିଲାମାନେ ଏକ ଲୟରେ ଆଦିବାସୀ ମାନଙ୍କର ଲୋକନୃତ୍ୟ ଦେଖୁଥାନ୍ତି । ସେମାନଙ୍କ ନୃତ୍ୟର ଶୈଳୀ ଓ ବେଶପୋଷାକକୁ ଦେଖିଲେ, ସମୁଦାୟ ପଡ଼ିଆଟି ଗୋଟିଏ ଆଦିବାସୀ ପଲ୍ଲୀପରି ଜଣାପଡ଼ୁଥିଲା । ସେମାନେ ଶୃଙ୍ଖଳିତ ଭାବରେ କେତୋଟି ନିର୍ଦ୍ଦିଷ୍ଟ ଧାଡ଼ିରେ ରହି ନୃତ୍ୟ ପରିବେଷଣ କରୁଥିଲେ । ଶରତ ବାବୁ ପ୍ରତ୍ୟେକ ଦଳକୁ ହାତ ବଢ଼ାଇ ପିଲାମାନଙ୍କୁ ସେମାନଙ୍କର ବାସସ୍ଥାନ, ଭାଷା ଇତ୍ୟାଦି ସମ୍ପର୍କରେ ଗୋଟି ଗୋଟି କରି ବୁଝାଇ ଦେବାକୁ ଆରମ୍ଭ କଲେ । ପିଲାମାନେ ସେସବୁ ଶୁଣି ବେଶ୍‌ ଆନନ୍ଦିତ ହେଲେ ।

 

ନିକଟରେ ଥାଇ ଲିପୁର ମାମୁଁ ପିଲାମାନଙ୍କର ଆନନ୍ଦକୁ ଉପଭୋଗ କରୁଥିଲେ । କିଛି ସମୟ ପରେ ସେ ପଚାରିଲେ, ଆଚ୍ଛା ପିଲାଏ କହିଲ ସେ ଆଦିବାସୀ ଲୋକନୃତ୍ୟ ଦଳଙ୍କ ସମ୍ବନ୍ଧରେ ଯାହା ଶିକ୍ଷାକଲ ତା’ର ସାରାଂଶ କ’ଣ ?

 

ଲିପୁ କହିଉଠିଲା, ମାମୁଁ ସେମାନଙ୍କର ଭାଷା, ବେଶପୋଷାକ, ନୃତ୍ୟର ଶୈଳୀ ଇତ୍ୟାଦି ଭିନ୍ନ ହେଲେ ମଧ୍ୟ ସେମାନେ ସମସ୍ତେ ଦେଶ ପାଇଁ ଗର୍ବିତ ।

 

ସେହି ସମୟରେ ନାଗାଟିଏ ସେହି ବାଟଦେଇ ଆସୁଥିଲା । ତା’ ହାତରେ ଗୋଟିଏ ବର୍ଚ୍ଛା, ମୁଣ୍ଡରେ ଦୀର୍ଘ ଆଉ ମୁନିଆଁ ଟୋପିଟିଏ । ତା’ କଟି ଦେଶରେ ବନ୍ଧା ହୋଇଥିଲା ଗୋଟିଏ ଅଣଓସାରିଆ ପଟି । ଯେଉଁଥିରେ ଗୁଡ଼ିଏ ଶାମୁକା ଖଞ୍ଜାଯାଇଥିଲା । ସର୍ବୋପରି ତା’ର ବେଶପୋଷାକ ଥିଲା ଅଦ୍ଭୁତ ଧରଣର ।

 

ଏହି ସମୟରେ ହଠାତ୍‌ ଭୟରେ ମାମୁନି ଚିତ୍କାର କରି ଉଠିଲା । କଥା କ’ଣ ବୋଲି ଶରତ ବାବୁ ଜାଣିବାକୁ ଚାହିଁବାରୁ ସେ ନାଗା ଆଡ଼କୁ ହାତ ବଢ଼ାଇ କହିଲା, ପିଉସା ! ଦେଖିଲ ଲୋକଟି ଆମକୁ ମାରିବାକୁ ଆସୁଛି । ଚାଲ ଏଠାରୁ ପଳାଇବା, ତା’ର ଏପରି ଭାବ ଦେଖି ଲିପୁର ମନ ସନ୍ଦେହରେ ଭରିଉଠିଲା ସେ ଲୋକଟି ପ୍ରକୃତରେ ବର୍ଚ୍ଛାଟିଏ ହାତରେ ଧରି ହତ୍ୟା କରିବା ନିମନ୍ତେ ସେମାନଙ୍କ ଆଡ଼କୁ ଆସୁଛି ବୋଲି ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସେ ଅନୁମାନ କରିନେଲା । ତେଣୁ ଭୟରେ ସେ ମଧ୍ୟ ଘର ଭିତରକୁ ଦୌଡ଼ି ପଳାଇବାକୁ ଉଦ୍ୟତ ହେଲା ।

 

ଏସବୁ ଘଟଣାରୁ ଅଳ୍ପ ଦୂରରେ ଥାଇ ଲକ୍ଷ୍ୟ କରୁଥିଲେ ଲିପୁର ମାମୁଁ ଶିବପ୍ରସାଦ ବାବୁ ସେ ପିଲାମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଅନେକ ବୁଝାଇଲେ । ରାସ୍ତା ଉପରେ ଆସୁଥିବା ନାଗାଟିକୁ ମଧ୍ୟ ପାଖକୁ ଡାକିଲେ, ତା’ଠାରୁ ବର୍ଚ୍ଛାଟି ଆଣି ପିଲାମାନଙ୍କୁ ଦେଲେ, ଏଥର କ୍ରମେ ସେମାନଙ୍କର ମନରୁ ଭୟ ଦୂର ହେବାକୁ ଲାଗିଲା ।

 

ଏହି ସମୟରେ ଲିପୁ ମନରେ ସାହାସ ସଞ୍ଚୟ କରି ସେ ନାଗା ଲୋକଟିକୁ ପଚାରିଲା, ତୁମେ ଆମକୁ ମାରିବାକୁ ଆସୁନଥିଲ ? ତେବେ କାହାକୁ ମାରିବାକୁ ଯାଉଛ ?

 

ନାଗା ଲୋକ ଟିକିଏ ଅସ୍ପଷ୍ଟ ସ୍ୱରରେ କିଛି କହିଲା ହେଲେ ପିଲାମାନେ ତା’ର ଭାଷାକୁ କିଛି ବୁଝିପାରିଲେ ନାହିଁ । କିନ୍ତୁ ନାଗାର ଉଦ୍ଦେଶ୍ୟ ଯେ ସେମାନଙ୍କୁ ମାରିବା ପାଇଁ ନୁହେଁ ଏକଥା ପିଲାମାନଙ୍କୁ ବୁଝିବାକୁ ଆଉ ବାକି ରହିଲା ନାହିଁ ।

 

ଲିପୁ; ମାମୁନି ଏଥର କ’ଣ ଆଉ ଭୟ କରିବ ? ହସି ହସି ପଚାରିଲେ ଶରତ ବାବୁ ।

 

ବାପା ! ସେତେବେଳେ ମୁଁ ଭୁଲ ବୁଝି ବୃଥାଟାରେ ଭୟ କରୁଥିଲି । ସେ ବୋଧେ ଆଉ କାହାକୁ ମାରିବାକୁ ଯାଉଛି । ଲିପୁ କହିଲା ।

 

ଶରତ ବାବୁ ନାଗାକୁ ତା’ର ବର୍ଚ୍ଛାଟି ଫେରାଇ ଦେଲେ ଏବଂ ସେ ଚାଲିଗଲା । ଶରତ ବାବୁ ଲିପୁକୁ କହିଲେ, ତୋ’ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଭୁଲ । ସେ କୌଣସି ଲୋକକୁ ମାରିବାକୁ ଯାଉନାହିଁ ।

 

ତେବେ ସେ ଲୋକଟିଏ କିଏ ? ହାତରେ ବର୍ଚ୍ଛାଟିଏ ଧରିଛି କାହିଁକି ? ବେଶ୍‌ ଆଗ୍ରହୀ ହୋଇ ପଚାରିଲା ଲିପୁ ।

 

ଶରତ ବାବୁ ଜାଣିପାରିଲେ ମାମୁନି ମଧ୍ୟ ଏ ବିଷୟରେ ଜାଣିବା ପାଇଁ ଖୁବ୍‌ ବ୍ୟଗ୍ର ହୋଇପଡ଼ିଛି । ତେଣୁ ସେ ପ୍ରଥମେ ନାଗା ବ୍ୟକ୍ତଟିର ପରିଚୟ ଶୁଣାଇଲେ ।

 

ଏହା ଶୁଣି ଲିପୁ ବେଶ୍‌ କୌତୂହଳୀ ହୋଇପଡ଼ିଲା । ସଙ୍ଗେ ସଙ୍ଗେ ସେ ପଚାରିଲା ବାପା ! ଗତ ମାସରେ ତୁମେ ନାଗାଲାଣ୍ଡରୁ ଫେରି ନାଗାମାନେ ଅତ୍ୟନ୍ତ ଭୟଙ୍କର ଏବଂ ରକ୍ତପିପାସୁ ବୋଲି କହୁଥିଲ ନା । ହେଲେ ଆମେ କିଛି ସମୟ ପୂର୍ବରୁ ଯେଉଁ ନାଗାକୁ ଦେଖିଲେ ସେ ତ ବେଶ୍‌ ଧୀରସ୍ଥିର ତଥା ସରଳ ସ୍ୱଭାବ ବୋଲି ଜଣାପଡ଼ୁଥିଲା ।

 

ହଁ ତୋର ଅନୁମାନ ଠିକ୍‌ । ବାପା ବୁଝାଇ ଦେଲେ, ଏମାନେ ନିଜ ନିଜ ସ୍ୱଭାବରେ ବେଶ୍‌ ଧୀର ଏବଂ ଶାନ୍ତ । ହେଲେ ସେପରି ପରିସ୍ଥିତି ଆସିଲେ ନାଗାମାନେ ଭୟଙ୍କର ହେବାକୁ ପଛାନ୍ତି ନାହିଁ । ଏଥର ସେମାନଙ୍କ ସମ୍ପର୍କରେ ଶୁଣ ।

 

ତୁମେମାନେ ଜାଣିଥିବ ଆମ ରାଜ୍ୟର ନାମ ଓଡ଼ିଶା । ଠିକ୍‌ ସେହିପରି ଅନ୍ୟ ଏକ ରାଜ୍ୟ ଆମ ଓଡ଼ିଶାର ଉତ୍ତରପୂର୍ବ ଦିଗକୁ ରହିଛି । ତା’ର ନାମ ନାଗାଲାଣ୍ଡ । ନାଗାମାନଙ୍କର ପ୍ରକୃତ ବାସସ୍ଥଳୀ ହେଉଛି ସେଇଠି । ତେବେ ସେମାନେ ଆସାମ ରାଜ୍ୟରେ ମଧ୍ୟ କେତେକାଂଶରେ ଦେଖାଯାଆନ୍ତି । ଏପରିକି ଆମ ପଡ଼ୋଶୀ ଦେଶ ମିଆଳମାରରେ କେତେକ ନାଗା ବସବାସ କରୁଥିବାର ଦେଖାଯାଏ ।

 

ବାପାଙ୍କଠାରୁ ଲିପୁ ସମସ୍ତ ବିଷୟ ମନଦେଇ ଶୁଣୁଥ‌ିବା ବେଳେ ମାମୁନି ଅନ୍ୟ ଏକ ବିଷୟ ଚିନ୍ତା କରୁଥିଲା । ‘ନାଗା’ ପରି ଅଦ୍ଭୁତ ଶବ୍ଦଟିଏ ଶୁଣି ଖୁବ୍‌ କୌତୂହଳୀ ହୋଇପଡ଼ୁଥିଲା । ସେ ଆଉ ଅଧିକ ସମୟ ଅପେକ୍ଷା କରିନପାରି ପଚାରିଲା, ପିଉସା ! ମୁଁ ଭାବୁଛି ନାଗାମାନଙ୍କର ସାପମାନଙ୍କ ସହ ବୋଧେ କିଛି ସମ୍ପର୍କ ରହିଛି, ନହେଲେ ସେମାନଙ୍କ ନାମ ଏପରି ହୁଅନ୍ତା କାହିଁକି-?

 

ନାଇଁରେ ମାମୁନି ! ତୋର ଧାରଣା ଭୁଲ । ଶରତ ବାବୁ ଟିକିଏ ହସି କହିଲେ । ସାପମାନଙ୍କ ସହ ଏମାନଙ୍କର କୌଣସି ସମ୍ବନ୍ଧ ନାହିଁ । ‘ନାଗା’ ଶବ୍ଦଟି ପ୍ରକୃତରେ ଆସିଛି ‘ନାଗ’ ଶବ୍ଦରୁ । ସଂସ୍କୃତ ଭାଷାରେ ଏହାର ଅର୍ଥ ହେଉଛି ପାହାଡ଼ । ପାହାଡ଼ ଅଞ୍ଚଳରେ ଏହି ଆଦିବାସୀ ସମ୍ପ୍ରଦାୟ ବାସକରୁଥିବାରୁ ଏମାନଙ୍କର ନାମକରଣ ଏପରି ହୋଇଛି । ପୁଣି ଏ ସମ୍ପ୍ରଦାୟ ମଧ୍ୟ ଆଉ କେତୋଟି ଭାଗରେ ବିଭକ୍ତ ଯଥା–ଅଙ୍ଗାମି ନାଗା, ସେମା ନାଗା, ଆଓ ନାଗା, ତାଙ୍ଗ ନାଗା, ଦୁଲ ନାଗା ଏବଂ ଲାହୋରା ନାଗା ଇତ୍ୟାଦି । ଏମାନେ ପ୍ରତ୍ୟେକ ଭିନ୍ନ ଭିନ୍ନ ଧରଣର ଆଞ୍ଚଳିକ ଭାଷା କହିଥାନ୍ତି ।

 

ବାପା ଏଥର ନାଗା ଶିଶୁମାନଙ୍କ ବିଷୟରେ କିଛି କହିବ ନାହିଁ କି ?

 

ହଁ ବାପା କହିଲେ, ନାଗାମାନଙ୍କ ମଧ୍ୟରେ ଆଓନାଗା ଶ୍ରେଣୀର ଲୋକମାନେ ସେମାନଙ୍କ ସନ୍ତାନମାନଙ୍କୁ ଖୁବ୍‌ ଶ୍ରଦ୍ଧା କରନ୍ତି । ଶିଶୁମାନେ କମ୍‌ ବୟସରୁ ବିଲବାଡ଼ିରେ କାମକରି ସେମାନଙ୍କ ପିତାମାତାଙ୍କୁ ସାହାଯ୍ୟ କରିଥାନ୍ତି । ପୂର୍ବରୁ ନାଗା ଶିଶୁମାନେ ପାଠ ପଢ଼ିବାର ସୁଯୋଗ ପାଉନଥିଲେ । କିନ୍ତୁ ବର୍ତ୍ତମାନ ଆମ ସରକାର ସେମାନଙ୍କର ପଢ଼ାପଢ଼ି ନିମନ୍ତେ ଅନେକ ପ୍ରକାର ବ୍ୟବସ୍ଥାମାନ କଲେଣି । ସେମାନଙ୍କ ମଧ୍ୟରୁ କେତେକ ଉଚ୍ଚ ଶିକ୍ଷାଲାଭ କରି ଆଜିକାଲି ବଡ଼ ବଡ଼ ପଦବୀରେ ରହିଗଲେଣି । ତେବେ ସେମାନଙ୍କ ମଧ୍ୟରେ ରହିଥ‌ିବା ଅନ୍ଧବିଶ୍ୱାସଗୁଡ଼ିକ ଆଜିପର୍ଯ୍ୟନ୍ତ ଦୂର ହୋଇନାହିଁ ।

 

ମାମୁନି ସେସବୁ ଅନ୍ଧବିଶ୍ଵାସ ସମ୍ପର୍କରେ ଜାଣିବାକୁ ଇଚ୍ଛା କଲା । ଶରତ ବାବୁ ବୁଝାଇଲେ–ଅନେକ ପ୍ରକାରର ଅନ୍ଧବିଶ୍ୱାସ ତ ସେମାନଙ୍କର ମନରେ ବସାବାନ୍ଧି ରହିଛି । ଉଦାହରଣ ସ୍ଵରୂପ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ‘ଆରାଲୁଙ୍ଗ’ ନାମରେ ଖଣ୍ଡିଏ ପଥର । ସେଇଟିକୁ ଯଦିଓ କୌଣସି ବ୍ୟକ୍ତି ଦେଖି ନାହିଁ ତଥାପି ସେଇଟି ଜଣେ ଲୋକର ସମସ୍ତ ପ୍ରକାର ଇଚ୍ଛାକୁ ପୂରଣ କରେ ବୋଲି ନାଗାମାନଙ୍କର ବିଶ୍ୱାସ । ଏହା ଅନ୍ଧବିଶ୍ୱାସ ନୁହେଁତ ଆଉ କ’ଣ ?

 

ମାମୁନି ଏହା ଶୁଣି ସଙ୍ଗେ ସଙ୍ଗେ କହିଲା l ଆମ୍ଭମାନଙ୍କ ମନରେ ଆଜିପର୍ଯ୍ୟନ୍ତ ତ ଅନେକଗୁଡ଼ିଏ ଅନ୍ଧବିଶ୍ୱାସ ଭରି ରହିଛି । ଥରେ ମୋର ଆଈ କହୁଥିଲେ, ଯକ୍ଷମାନେ ମାଟି ତଳେ ପୋତା ଯାଇଥିବା ପ୍ରଚୁର ଧନକୁ ରକ୍ଷା କରିଥାନ୍ତି । ଆମେ ଯଦି ସେମାନଙ୍କୁ ପୂଜା କରିବା ତେବେ ସେମାନେ ପ୍ରଚୁର ଧନରତ୍ନ ଆଣି ଆମ ନିକଟରେ ଅଜାଡ଼ି ଦେବେ । ଏହା କ’ଣ ସତ ?

 

ନାଁ ଏହା ଗୋଟିଏ ଅନ୍ଧବିଶ୍ୱାସ ମାତ୍ର । ଶରତ ବାବୁ କହିଲେ ଅବଶ୍ୟ ଆଜିର ମହାକାଶ ଯୁଗରେ ଆମ୍ଭମାନଙ୍କ ମନରୁ କେତେଗୁଡ଼ିଏ ଅନ୍ଧବିଶ୍ୱାସ ଦୂରୀଭୂତ ହୋଇନାହିଁ । କିନ୍ତୁ ତୁ ମନେରଖ ଏଗୁଡ଼ିକ ଯେତେଦିନ ପର୍ଯ୍ୟନ୍ତ ଆମେମାନେ ମନରୁ ହଟେଇ ନ ଦେଇଛୁ ସେତେଦିନ ପର୍ଯ୍ୟନ୍ତ ଆମ ସମାଜର କୌଣସି ଉନ୍ନତି ହୋଇପାରିବ ନାହିଁ ।

 

ଲିପୁର ଅନ୍ଧବିଶ୍ୱାସ କଥାଗୁଡ଼ାକ ଭଲ ଲାଗିଲା ନାହିଁ । ସେପରି କଥାଗୁଡ଼ିକୁ ଦୂରେଇ ଦେଇ ସେ ପଚାରିଲା ବାପା ! ନାଗାମାନେ କାହିଁକି ଗୋଟିଏ ଲେଖାଏଁ ବର୍ଚ୍ଛା ସେମାନଙ୍କ ପାଖରେ ରଖିଥାନ୍ତି ? କ’ଣ ଶିକାର କରିବା ପାଇଁ ?

 

ହଁ, ବାପା ବୁଝାଇ ଦେଲେ–ନାଗାମାନେ ସେମାନଙ୍କର ଅଧିକାଂଶ ସମୟ ଶିକାର କରିବାରେ କଟାଇଥାନ୍ତି । ସେଥିପାଇଁ ତାଙ୍କର ଏହି ଅସ୍ତ୍ରଟି ବେଶ୍‌ ଉପଯୋଗୀ ହୋଇଥାଏ । ତେତେ ସେମାନେ ଶିକାର ସମୟରେ ଗୋଟିଏ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିଥାନ୍ତି । ନିୟମାନୁଯାୟୀ କୌଣସି ନାଗା ଶିକାର ନିମନ୍ତେ ତା’ ଗାଆଁର ସୀମା ବାହାରକୁ ଯିବ ନାହିଁ । ଯଦି କୌଣସି କାରଣବଶତଃ ଉକ୍ତ ସୀମା ବାହାରକୁ ଯାଇ ତାକୁ ଶିକାର କରିବାକୁ ପଡ଼ିଲା ତେବେ ସେ ଶିକାରରୁ କିଛି ଅଂଶ ପଡ଼ୋଶୀ ଗାଆଁର ଲୋକମାନଙ୍କୁ ବାଧ୍ୟ ହୋଇଥାଏ ।

 

ତେବେ ନାଗାମାନେ ଖାଆନ୍ତି କ’ଣ ? ଲିପୁ ପଚାରିଲା । ସମସ୍ତ ପ୍ରକାରର ମାଂସ ସେମାନେ ଖାଇବାକୁ ଭଲ ପାଆନ୍ତି । କିନ୍ତୁ କେବଳ ବିରାଡ଼ି ମାଂସ ସେମାନେ ଖାଆନ୍ତି ନାହିଁ । ଏହାଛଡ଼ା ସେମାନେ ମଧ୍ୟ ଆମମାନଙ୍କ ଭଳି ମାଛ ଭାତ ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି । ହେଲେ ପନିପରିବା ସେମାନଙ୍କୁ ରୁଚେ ନାହିଁ ।

 

ଏଥର ଶୁଣ ନାଗା ସ୍ତ୍ରୀଲୋକମାନଙ୍କ କଥା–ସେମାନେ ଖୁବ୍‌ ପରଶ୍ରମୀ । ସେମାନେ ବିଲବାଡ଼ିରେ କଠିନ କାମ କରନ୍ତି । ଧାନ ଉତ୍ପାଦନ କରନ୍ତି, ଏବଂ ଜଙ୍ଗଲରୁ କାଠ ସଂଗ୍ରହ କରି ପାଖ ବଜାରରେ ବିକ୍ରି କରନ୍ତି । ପରିବାରର ସମସ୍ତଙ୍କ ପାଇଁ ଲୁଗା ମଧ୍ୟ ବୁଣନ୍ତି । ନାଗା ପୁରୁଷମାନେ ବେଶ୍‌ ସୁସ୍ଥ ସବଳ । ବର୍ଚ୍ଛା ହେଉଛି ସେମାନଙ୍କର ଚିରସାଥି, କୌଣସି ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ସେମାନଙ୍କୁ ବର୍ଚ୍ଛାଟି ବିପେଷ ସାହାଯ୍ୟ କରିଥାଏ ।

 

ବାପା ! ନାଗାମାନେ ତ ଆମମାନଙ୍କ ପରି ଦେବାଦେବୀଙ୍କୁ ପୂଜା କରୁଥିବେ ? ତେବେ କେଉଁମାନେ ସେମାନଙ୍କର ଦେବାଦେବୀ ? ଲିପୁ ଜାଣିବା ପାଇଁ ଇଚ୍ଛାପ୍ରକାଶ କଲା ।

 

ହଁ ସେମାନେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରନ୍ତି । ବାପା କହିଲେ, ସେମାନେ ଧନର ଦେବତା ‘ସେମିଙ୍ଗ’ଙ୍କୁ ପ୍ରଧାନ ଦେବତା ବୋଲି ମାନନ୍ତି । ଏହା ବ୍ୟତୀତ ନାଙ୍ଗାରା ଏବଂ ରୁପିଆଓ ହେଲେ ନାଗାମାନଙ୍କର ଆଉ ଦୁଇଟି ଦେବତା । ଆଉ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବ, ସେମାନେ ମୃତ ବ୍ୟକ୍ତିଙ୍କୁ ମଧ୍ୟ ପୂଜା କରନ୍ତି ।

 

ନାଗା, ଶିଶୁମାନଙ୍କ ସମ୍ୱନ୍ଧରେ ବିଭିନ୍ନ କଥା ଶୁଣି ଲିପୁ ଆଉ ମାମୁନି ଭାରି ଖୁସି ହେଲେ । ଲିପୁ ବାପାଙ୍କୁ ପଚାରିଲା, ନାଗାମାନେ କ’ଣ ହିନ୍ଦୀ ଭାଷା ବୁଝିପାରନ୍ତି ନାହିଁ ? ହଁ କେତେକ ନାଗା ଅଛନ୍ତି ସେମାନଙ୍କର ମାତୃଭାଷା ଥିଲେ ମଧ୍ୟ ସେମାନେ ହିନ୍ଦୀ ବୁଝିବାକୁ ସକ୍ଷମ । ବାପା ବୁଝାଇ ଦେଲେ ।

 

ଏକଥା ଶୁଣି ଲିପୁ ଆଉ ମାମୁନିଙ୍କର ଆନନ୍ଦ କହିଲେ ନସରେ । କାରଣ ସେମାନେ ହିନ୍ଦୀ ଭାଷାରେ ସମ୍ପୂର୍ଣ୍ଣ ଦକ୍ଷତା ଲାଭ କରିଥିଲେ । ଏହାପରେ ଲିପୁ ଶରତ ବାବୁଙ୍କୁ କହିଲା, ବାପା-! ତେବେ ଆସନ୍ତା ଛୁଟିରେ ତୁମେ ଆମମାନଙ୍କୁ କୌଣସି ନାଗା ବସ୍ତିକୁ ନେଇଯିବ ନା-। ସେମାନଙ୍କର କଥା ଚାଲିଚଳନ ତଥା ସଂସ୍କୃତି ସହ ଜଡ଼ିତହେବା ଆମମାନଙ୍କର ପ୍ରବଳ ଇଚ୍ଛା ହେଉଛି ।

 

ପିଲାମାନଙ୍କର ଏପରି ଆଗ୍ରହକୁ ନ ଭାଙ୍ଗିବା ପାଇଁ ସ୍ଥିର କଲେ ଶରତ ବାବୁ । ସେ ଟିକିଏ ହସି କହିଲେ, ତେବେ ଆସନ୍ତା ଛୁଟିରେ ଆମେ ସରକାରଙ୍କ ଠାରୁ ଅନୁମତି ପତ୍ରଟିଏ ଆଣି କିଛି ଦିନ ପାଇଁ ନାଗାଲାଣ୍ଡ ଯିବା । ତୁମେମାନେ ସେଠାକାର ଶିଶୁମାନଙ୍କ ସହ ମିଶି ବେଶ୍‌ ମଜ୍ଜା କରିବ ଏବଂ ସେମାନଙ୍କ ଶିକ୍ଷା, ସଂସ୍କୃତି ତଥା ଚାଲିଚଳଣ ସମ୍ପର୍କରେ ଅଧିକ କିଛି ମଧ୍ୟ ଜାଣିବ ।

 

କଥାଟି ଲିପୁ ଏବଂ ମାମୁନିଙ୍କ ମନକୁ ବେଶ୍‌ ପାଇଲା । ସେମାନେ ଖୁବ୍‌ ଉତ୍କଣ୍ଠିତ ହୋଇ ସେହି ଦିନକୁ ଅପେକ୍ଷା କରି ରହିଲେ, କେଉଁ ଦିନ ବାପା ସରକାରଙ୍କ ଠାରୁ ଅନୁମତି ପତ୍ରଟିଏ ଆଣିବେ ।

☆☆☆

 

କୋହ୍ଲ ଶିଶୁ

 

ଦିନକର କଥା । ସେଦିନ ଶରତ ବାବୁ କେଉଁଝରରୁ ସରକାରୀ କାମ ସାରି ଘରକୁ ଫେରିଥାନ୍ତି । ଏଥ‌ିପାଇଁ ପ୍ରାୟ ଗୋଟିଏ ସପ୍ତାହ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା । ଏହି ସମୟରେ ଲିପୁ, ମାମୁନି ଏବଂ କିଟୁ କେଉଁଠି ଖେଳୁଥିଲେ କେଜାଣି ଖବର ପାଇ ସଙ୍ଗେ ସଙ୍ଗେ ଧାଇଁ ଆସିଲେ ।

 

ବାପା ଆସିଗଲେ, ବାପା ଆସିଗଲେ । ଲିପୁ ଆନନ୍ଦରେ ଦୌଡ଼ିଯାଇ ଶରତ ବାବୁଙ୍କୁ କୁଣ୍ଢାଇ ପକାଇଲା । ଏହି ସମୟରେ ମାମୁନି କହିଉଠିଲା, ପିଉସା ! ତୁମେ ଏତେଦିନ ପର୍ଯ୍ୟନ୍ତ କେଉଁଝରରେ କି କାମ କରୁଥିଲ ? ଆମକୁ କହିବ ନାହିଁ ?

 

ହଁ ପିଲାଏ ସବୁ କହିବି । ଶରତ ବାବୁ କହିଲେ । ମୁଁ ‘ହୋ’ମାନଙ୍କ ସମ୍ବନ୍ଧରେ କେତେଗୁଡ଼ିଏ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରଥମେ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲି । ସେଠାରୁ ‘ହୋ’ମାନଙ୍କ ଠିକଣା ସଂଗ୍ରହ କରି ନିର୍ଦ୍ଦିଷ୍ଟ କେତୋଟି ଗାଆଁକୁ ଗଲି । ସେଠାରେ ସେମାନଙ୍କ ସହ ମିଶି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେଲି । ମୋତେ ସେ ସବୁକୁ ବିଶଦ ଭାବରେ ବର୍ଣ୍ଣନା କରି ଲେଖି ଆମ ଅଫିସରେ ଦାଖଲ କରିବାକୁ ପଡ଼ିବ ।

 

ଠିକ୍‌ ଏତିକିବେଳେ କିଟୁ ଶରତ ବାବୁଙ୍କ ବ୍ୟାଗଟିକୁ ଖୋଲି ପକାଇଲା । ସେଥିରେ କିଛି କାଗଜପତ୍ର ସହ କେତୋଟି ପରିବାର ଏବଂ ଶିଶୁମାନଙ୍କର ଫଟୋ ରହିଥିଲା ।

 

କକେଇ ଏସବୁ କାହାର ଫଟୋ । ଅତି ଆଗ୍ରହରେ ପଚାରିଲା କିଟୁ ।

 

ହଁରେ କିଟୁ ! ମୁଁ କିଛିସମୟ ପୂର୍ବରୁ ଯେଉଁମାନଙ୍କ କଥା କହୁଥିଲି ଏଗୁଡ଼ିକ ସବୁ ସେଇମାନଙ୍କର ଫଟୋ । ଶରତବାବୁ ବୁଝାଇ ଦେଲେ ।

 

କିଟୁ ଦେଖିଲା ଫଟୋଗୁଡ଼ିକ ମଧ୍ୟରେ ଗୋଟିଏ ଶିଶୁ, ଠିଆ ହୋଇଥିବାର ଦୃଶ୍ୟ ରହିଛି-। ସେ ପଚାରିଲା, କକେଇ ତୁମେ ଯେଉଁ ହୋମାନଙ୍କ କଥା କହୁଥିଲ ଇଏ କ’ଣ ସେଇ ଶିଶୁ-। ତେବେ ‘ହୋ’ କ’ଣ ? ଏ ନାମଟି ଏପରି କାହିଁକି ହୋଇଛି ?

 

ହଁ କହୁଛି ଶୁଣ, ଶରତ ବାବୁ ପିଲାମାନଙ୍କୁ ବୁଝାଇଲେ ଏହି ‘ହୋ’ ହେଉଛି ଆଦିବାସୀମାନଙ୍କର ଅନ୍ୟ ଏକ ସମ୍ପ୍ରଦାୟ । ଏମାନଙ୍କୁ କୋହ୍ଲ ମଧ୍ୟ କୁହାଯାଏ । କିନ୍ତୁ ଏହି କୋହ୍ଲ ନାମରେ ନାମିତ କଲେ ହୋମାନେ ତାହାକୁ ପସନ୍ଦ କରନ୍ତି ନାହିଁ ।

 

‘ହୋ’ ଶବ୍ଦଟି ‘ହେରୋ’ ଶବ୍ଦରୁ ଉଦ୍ଧାର କରାଯାଇଛି । ତାହା କାଳକ୍ରମେ ଅପଭ୍ରଂଶ ହୋଇ ‘କୋରୋ’ ଏବଂ ଶେଷରେ କୋହ୍ଲ ଶବ୍ଦରେ ପହଞ୍ଚିଛି ।

 

ବାପା ! ମୋର ସାଙ୍ଗ ଗୌତମ କହୁଥିଲା ‘ବିରୁଆ’ ହେଉଛି କୋହ୍ଲମାନଙ୍କର ସାଙ୍ଗିଆ । ତାହା କ’ଣ ସତ ? ଲିପୁ ଜାଣିବାକୁ ଆଗ୍ରହ ପ୍ରକାଶ କଲା ।

 

ହଁ ! କେବଳ ବିରୁଆ କାହିଁକି, ହାଁସଦା, ସିଙ୍କୁ, ଚିଉ, କୋରାଇ, ହେମ୍ବ୍ରମ, ବୁରୁ ଇତ୍ୟାଦି ମଧ୍ୟ ସେମାନଙ୍କର ସାଙ୍ଗିଆ । ଏମାନେ ସାଧାରଣତଃ ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ବହୁଳ ଭାବରେ ବସବାସ କରନ୍ତି ।

 

ପିଉସା ! କୋହ୍ଲମାନେ ଆମମାନଙ୍କ ପରି ଗାଆଁ ବା ସହରରେ ରହନ୍ତି ନା ବଣ ଜଙ୍ଗଲରେ, ପଚାରିଲା ମାମୁନି ।

 

ଶରତ ବାବୁ କହିଲେ–ସେମାନେ ବଣ ଜଙ୍ଗଲରେ ରହିବାକୁ ଭଲ ପାଆନ୍ତି । ଅବଶ୍ୟ ଆଜିକାଲି ସେମାନଙ୍କ ମଧ୍ୟରୁ କେତେକ ଶିକ୍ଷିତ ଲୋକମାନଙ୍କର ସଂସ୍ପର୍ଶରେ ଆସି ପାଠ ଶାଠ ପଢ଼ିଲେଣି ଏବଂ ଗାଁ ଗଣ୍ଡା ବା ସହରରେ ରହିଲେଣି । ହେଲେ ଯେଉଁମାନେ ଆଧୁନିକ ସଭ୍ୟତାଠାରୁ ଦୂରରେ ରହିଯାଇଛନ୍ତି ସେମାନେ ସେମାନଙ୍କର ଆଦିମ ଜୀବନଧାରଣ ପ୍ରଣାଳୀକୁ ବେଶ୍‌ ଭଲ ପାଆନ୍ତି । ସେମାନେ ଜଙ୍ଗଲରୁ ମହୁ, ଫଳମୂଳ ତଥା ଅନ୍ୟାନ୍ୟ ଦ୍ରବ୍ୟମାନ ସଂଗ୍ରହ କରି ନିକଟସ୍ଥ ବଜାରମାନଙ୍କରେ ବିକ୍ରି କରନ୍ତି । ଆଉ କେତେକ ଅନ୍ୟର ମଜୁରି ଲାଗିବାକୁ ପସନ୍ଦ କରନ୍ତି ।

 

ବାପା ! ସେମାନେ ଖାଆନ୍ତି କ’ଣ ? ପଚାରିଲା ଲିପୁ । ଆମମାନଙ୍କ ପରି ଭାତହେଲା ସେମାନଙ୍କର ନିତିଦିନିଆ ଖାଦ୍ୟ ସେମାନେ ଭାତ ସହ ଶାଗ ପିଆଜ ଓ ରସୁଣ ଖାଇଥାନ୍ତି । ହେଲେ ସେମାନେ ଯେଉଁ ଖାଦ୍ୟ ଖାଆନ୍ତି ତା’ର ଗୁଣ ବେଶ୍‌ ଅଧିକ ।

 

ଏହା ଶୁଣି କିଟୁ ଟିକିଏ କୌତୂହଳୀ ହୋଇଉଠିଲା । ସେ ପଚାରିଲା, କକେଇ ସେମାନେ ଯେଉଁ ଚାଉଳକୁ ଭାତ ରାନ୍ଧନ୍ତି ତାହା କଣ ଆମ ଚାଉଳ ଠାରୁ ଅଲଗା ? ନ ହେଲେ ଖାଦ୍ୟର ଗୁଣ ଅଧିକ କିପରି ହେବ ?

 

ଅବଶ୍ୟ ତୋ’ର ଅନୁମାନ ଆଶିଂକ ଭାବରେ ଠିକ୍‌ । କକେଇ କହିଲେ, ସେମାନେ ଢିଙ୍କି କୁଟା ଅଧୁଆ ଚାଉଳକୁ ରାନ୍ଧନ୍ତି । ସେଥିରୁ ପେଜ ମଧ୍ୟ ଗାଳନ୍ତି ନାହିଁ । ସମସ୍ତ ପେଜ ଭାତରେ ହିଁ ମରିଯାଏ । ତେଣୁ ସେପରି ଭାତରୁ ଭିଟାମିନ୍‌ ଗୁଣ ନଷ୍ଟ ହେବା ସ୍ଵଭାବିକ । ସେପରି ଖାଦ୍ୟ ଖାଇ କୋହ୍ଲ ପୁରୁଷ ଓ ସ୍ତ୍ରୀ ବେଶ୍‌ ବଳିଷ୍ଠ ଓ ସୁନ୍ଦର ହୋଇଥାନ୍ତି ।

 

କକେଇଙ୍କ ଠାରୁ ଏପରି କଥା ଶୁଣି କିଟୁ ହଠାତ୍‌ କହିଉଠିଲା–କକେଇ ! ତେବେ ଆମେମାନେ ଯେଉଁସବୁ ଖାଦ୍ୟ ଖାଇଥାଉ ସେଥିରେ ତ ଆଦୌ ଭିଟାମିନ୍‌ ରହୁନଥ‌ିବ ସେଥିପାଇଁ ଆମମାନଙ୍କର ଚେହେରା ଦୁର୍ବଳ ହୋଇପଡ଼ୁଛି ।

 

ଠିକ୍‌ ଏହି ସମୟରେ ଲିପୁ କିଟୁ କଥାରେ ଯୋଗଦେଇ କହିଲା–ହଁ ବାପା ମୁଁ ଆଜିଠାରୁ ଢିଙ୍କି କୁଟା ଚାଉଳର ଭାତ ନିଶ୍ଚୟ ଖାଇବି । ସେଥିରୁ ପେଜ ଅଂଶ ଯେପରି ନଷ୍ଟ ନ ହୁଏ ସେ ବିଷୟରେ ସତର୍କ ରହିବା ପାଇଁ ମାଆଙ୍କୁ କହିବି । ତେବେ ତୁ ତିନି ଚାରି ମାସ ମଧ୍ୟରେ ବେଶ୍‌ ମୋଟା ହୋଇ ଯିବୁ । ହସି ହସି କହିଲେ ଶରତ ବାବୁ ।

 

ବାପା ତୁମେ କ’ଣ କୋହ୍ଲ ପରିବାର କଥା କହିବାକୁ ଭୁଲିଗଲ କି ? ଲିପୁ ପଚାରିଲା ।

 

ତେବେ ସେ କଥା ଶୁଣ ! କୋହ୍ଲ ପରିବାରରେ ସ୍ତ୍ରୀମାନଙ୍କର ସ୍ଥାନକୁ ବେଶ୍‌ ପ୍ରାଧାନ୍ୟ ଦିଆଯାଇଥାଏ । କାରଣ ସେମାନେ ଘରର ଯାବତୀୟ ଭଲମନ୍ଦ କାର୍ଯ୍ୟରେ ଅଂଶଗ୍ରହଣ କରିଥାନ୍ତି-। ପୁରୁଷମାନେ ଚାଷ ତଥା ବଣ ଜଙ୍ଗଲରେ ଶିକାର କରିବାରେ ଲିପ୍ତ ରହନ୍ତି । ସ୍ତ୍ରୀଲୋକମାନେ ମଧ୍ୟ ସମୟ ପାଇଲେ ବିଲବାଡ଼ିକୁ ଯାଇ ବଛାବଛି ତଥା ରୁଆ ପୋତା କାର୍ଯ୍ୟ କରିଥାନ୍ତି-। ଏହାଛଡ଼ା ସେମାନଙ୍କୁ ଆଉ ଗୋଟିଏ ପ୍ରଧାନ ଦାୟିତ୍ୱ ଦିଆଯାଇଥାଏ । ତଦନୁସାରେ ପରିବାରର କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ସେମାନଙ୍କ ମୃତ ଶରୀରକୁ ସ୍ତ୍ରୀଲୋକମାନେ ଶ୍ମଶାନକୁ ବୋହି ନେବେ ଏବଂ ସେଠାରେ ସେଇମାନେ ହିଁ ଶବ ସତ୍କାର କରିବେ ।

 

ଏହା ବ୍ୟତୀତ କୋହ୍ଲ ପରିବାରରେ ଆମୋଦପ୍ରମୋଦ କରିବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାମାନ କରାଯାଇଥାଏ । କୋହ୍ଲମାନେ ଭାରି ଶିକାର ପ୍ରିୟ । ଅନ୍ୟାନ୍ୟ ଆଦିବାସୀମାନଙ୍କ ପରି ସେମାନେ ମଧ୍ୟ ଧନୁଶର, ଟାଙ୍ଗିଆ ଓ ବର୍ଚ୍ଛା ଆଦି ସାହାଯ୍ୟରେ ଶିକାର କରିଥାନ୍ତି । ସେମାନେ ନିଜ ନିଜ ଘରେ ଗାଈ, ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ପଶୁପକ୍ଷୀ ପାଳିଥାନ୍ତି । ପର୍ବପର୍ବାଣି ଦିନମାନଙ୍କରେ ବା କୌଣସିଠାରେ ଭୋଜିଭାତର ଆୟୋଜନ କଲେ ସେମାନେ ଛେଳି ମାଂସକୁ ସେମାନଙ୍କର ବିଳାସପୂର୍ଣ୍ଣ ଆହାର ହିସାବରେ ପରିଗଣିତ କରିଥାନ୍ତି ।

 

କକେଇ ଏଥର ସେମାନଙ୍କର ଧର୍ମ ତଥା ଦେବାଦେବୀଙ୍କ ପୂଜା ବିଷୟରେ ଆମମାନଙ୍କୁ କିଛି କୁହ । ଖୁବ୍‌ ଆଗ୍ରହର ସହିତ କହିଲା କିଟୁ ।

 

ହଁ କୋହ୍ଲମାନେ ତ ଆମମାନଙ୍କ ପରି ହିନ୍ଦୁ । ତେଣୁ ସେମାନଙ୍କର ଧର୍ମ ବିଶ୍ୱାସ ରହିଥ‌ିବା ସ୍ୱାଭାବିକ । ସେମାନେ ମନୁଷ୍ୟର ପୂର୍ବଜନ୍ମ ବା ପରଜନ୍ମ ସମ୍ପର୍କରେ ନିଜ ନିଜର ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଥାନ୍ତି । ପରିବାରର କୌଣସି ଲୋକ ମୃତ୍ୟୁବରଣ କଲେ ତା’ର ଆତ୍ମା ସେହି ପରିବାର ମଧ୍ୟରେ ଘୂରି ବୁଲୁଥାଏ ବୋଲି ସେମାନେ ଭାବନ୍ତି ।

 

କୋହ୍ଲମାନଙ୍କର ପ୍ରଧାନ ଦେବତା ହେଲେ ସୂର୍ଯ୍ୟ । ସେମାନେ ତାଙ୍କୁ ‘ସିଙ୍ଗାବୋଙ୍ଗା’ ବୋଲି କହିଥାନ୍ତି । ସାଧାରଣତଃ ଦଶହରା ଦିନ ଅନେକ ମିଠା, ଫୁଲ, ସିନ୍ଦୂର ତଥା କୁକୁଡ଼ା ବଳୀ ମାଧ୍ୟମରେ ସିଙ୍ଗବୋଙ୍ଗା ସ୍ୱତନ୍ତ୍ରଭାବେ ପୂଜା ପାଇଥାନ୍ତି । ଏହାଛଡ଼ା ସେମାନେ ମହାଦେବ ଶଙ୍କରଙ୍କୁ ମଧ୍ୟ ପୂଜା କରିଥାନ୍ତି । ତାଙ୍କୁ ସେମାନେ କହନ୍ତି ‘ମାରଙ୍ଗବୋଙ୍ଗା’ । ଶିକାର ସମୟରେ ଯେପରି କୌଣସି ବନ୍ୟପ୍ରାଣୀ ତଥା ଅନ୍ୟାନ୍ୟ ଶତ୍ରୁ ସେମାନଙ୍କର କୌଣସି ଅନିଷ୍ଟ ନ ଘଟାନ୍ତି ସେଥ‌ିପାଇଁ ପାହାଡ଼ର ଦେବତା ହିସାବରେ କୋହ୍ଲମାନେ ‘ମାରଙ୍ଗବୋଙ୍ଗା’ଙ୍କୁ ଆରାଧନା କରିଥାନ୍ତି-। ଏତଦ୍‌ବ୍ୟତୀତ ‘ଗୋରମ’ ହେଲେ ସେମାନଙ୍କର ଅନ୍ୟ ଏକ ଦେବତା । କୋହ୍ଲମାନେ ପ୍ରତିମାସରେ ଅରୁଆ ଚାଉଳ ସିନ୍ଦୂର ସହ ‘ଗୋରମ’ଙ୍କୁ ପୂଜା କରିଥାନ୍ତି ।

 

ଆଷାଢ଼ ମାସରେ ପୂଜା ପାଆନ୍ତି ସେମାନଙ୍କର କୃଷି ଦେବତା ‘ହେରୋବୋଙ୍ଗା’ ସେ ସମୟରେ ପୋଡ଼ପିଠା ଓ ଭାତ ଆଦି ରନ୍ଧାହୋଇ ଏହି ଦେବତାଙ୍କର ପୂଜା କରାଯାଇଥାଏ ।

 

ଏହାଛଡ଼ା କୋହ୍ଲ ସମାଜରେ ପୌଷପର୍ବ, ମାଘପର୍ବ ଗହ୍ମାପର୍ବ ଓ ଚିତାନ ପର୍ବ ଇତ୍ୟାଦି ଅନେକ ପର୍ବପର୍ବାଣି ପାଳନ କରାଯିବାର ବିଧି ରହିଛି । ସେମାନେ ବିଭିନ୍ନ ପ୍ରକାର ନୃତ୍ୟଗୀତ ମାଧ୍ୟମରେ ମାଘ ତଥା ପୌଷ ପର୍ବକୁ ଆତ୍ମବିଭୋର ହୋଇ ପାଳନ କରିଥାନ୍ତି । ଏହିସବୁ ପର୍ବମାନଙ୍କରେ ସେମାନଙ୍କ ଦ୍ୱାରା ବ୍ୟବହୃତ ବାଜାଗୁଡ଼ିକ ହେଲା ଏକତାରା, ବଂଶୀ ଓ ମାଦଳ ଇତ୍ୟାଦି ।

 

ପର୍ବପର୍ବାଣି ସାଙ୍ଗକୁ, କୋହ୍ଲମାନଙ୍କର ଅନ୍ଧବିଶ୍ୱାସ ମଧ୍ୟ କମ୍‌ ନଥାଏ । ସେମାନେ କୌଣସି ଶୁଭ କାମର ଆରମ୍ଭରେ ଗାଈ ହମ୍ବାରଡ଼ି ଦେବା, ଛେଳି ବୋବାଇବା, ଗୁଣ୍ଡୁଚି ମୂଷା, ନେଉଳ ବା ସାପକୁ ଭେଟିବା ପ୍ରଭୃତିକୁ ବେଶ୍‌ ଶୁଭ ସଙ୍କେତ ଭାବରେ ଗ୍ରହଣ କରିଥାନ୍ତି । ଅପର ପକ୍ଷରେ ଭାତ ଫୋପଢ଼ା, ଗଛରୁ ଡାଳ ଭାଙ୍ଗିପଡ଼ିବା, ଖାଲି ମାଠିଆ ଦେଖିବା ଆଦିକୁ ସେମାନେ ଅଶୁଭ ଲକ୍ଷଣ ବୋଲି ବିଚାର କରିଥାନ୍ତି ।

 

କୋହ୍ଲମାନେ ସେମାନଙ୍କର ବୈଦ୍ୟଙ୍କୁ ‘ଓଝା’ ବୋଲି କହନ୍ତି । ଏହି ଓଝାର କିଛି ଗୁଣ ଜ୍ଞାନ ମଧ୍ୟ ଥାଏ । ପରିବାରର କୌଣସି ଲୋକ କେତେବେଳ ରୋଗାକ୍ରାନ୍ତ ହେଲେ ଏସବୁ ଦୁଷ୍ଟ ଆତ୍ମାର ପ୍ରଭାବବୋଲି କୋହ୍ଲମାନେ ମଣିଥାନ୍ତି । ତେଣୁ ସେମାନେ ଓଝାଙ୍କୁ ଡକାଇ ତାଙ୍କଦ୍ଵାରା ଝଡ଼ା ଫୁଙ୍କା ତଥା ଚେରମୂଳି ଔଷଧ ମାଧ୍ୟମରେ ସେମାନଙ୍କ କଳ୍ପିତ ଦୁଷ୍ଟ ଆତ୍ମାକୁ ଦୂର କରିଥାନ୍ତି ।

 

ଏହାଛଡ଼ା ‘ଭୂତ ଲାଗିବା’ ଆଉ ଗୋଟିଏ ପ୍ରଧାନ ବିଶ୍ୱାସ । କୋହ୍ଲ ସମାଜରେ କୌଣସି ବ୍ୟକ୍ତିଙ୍କୁ ଭୂତ ଲାଗିଥିଲେ ସେମାନେ ଓଝାକୁ ଖବର ଦେଇଥାନ୍ତି । ଓଝା ଆସି ଦୁଇ ଖଣ୍ଡ ବତା ସାହାଯ୍ୟରେ ଲାଗିଥିବା ଭୂତପ୍ରେତଙ୍କ ଠାରୁ ଉତ୍ତର ପାଇବା ନିମନ୍ତେ ଉଦ୍ୟମ କରନ୍ତି । ଯେତେବେଳେ ବତା ଦୁଇଟିରେ ପ୍ରେତାତ୍ମା ପ୍ରବେଶ କରେ ସେତେବେଳେ ସେ ଦୁଇଟି ପରସ୍ପର ପାଖକୁ ଲାଗି ଆସେ ଓ କିଛି ସମୟ ପରେ ପୁନର୍ବାର ପୃଥକ ହୋଇଯାଏ ।

 

ଶରତ ବାବୁଙ୍କ ଠାରୁ କୋହ୍ଲମାନଙ୍କ ସମ୍ପର୍କରେ ପିଲାମାନେ ଖୁବ୍‌ ମନଯୋଗ ସହକାରେ ଶୁଣୁଥିଲେ । କଥା ଶେଷରେ ଲିପୁ କହିଲା–ବାପା ତୁମେ କୋହ୍ଲମାନଙ୍କ ସମ୍ବନ୍ଧରେ ଏତେଗୁଡ଼ିଏ କଥା ଜାଣିଲ କିପରି ?

 

ଶରତ ବାବୁ ହସି ହସି କହିଲେ, କେବଳ ପାଠ ପଢ଼ି ମୁଁ ଏସବୁ କଥା ଜାଣିପାରିଛି । ତୁମେମାନେ ଆଜିଠାରୁ ମନଦେଇ ସମସ୍ତ ବିଷୟ ପଢ଼ ବଡ଼ ହେଲେ ଜାଣିବ । ଏହାପରେ ସମସ୍ତେ ଖିଆପିଆ କରିବାକୁ ଚାଲିଗଲେ ।

☆☆☆

 

ଗଡ଼ି ଶିଶୁ

 

ଶରତ ବାବୁ ସେଦିନ ଶିମିଳାରୁ ଫେରି ଘରେ ପହଞ୍ଚିବା କ୍ଷଣି ଲିପୁ ଦୌଡ଼ିଆସି ତାଙ୍କୁ କୁଣ୍ଢାଇ ପକାଇଲା । ମାମୁନି କେଉଁଠାରେ ଥିଲା କେଜାଣି ପିଉସା ଆସିଗଲେ ବୋଲି କହି ଘର ଭିତରକୁ ପଶି ଆସିଲା । ଶରତ ବାବୁ ଖୁସିରେ ପିଲା ଦୁହିଁଙ୍କୁ ନିଜ କୋଳକୁ ଟାଣି ନେଲେ ।

 

ବାପା ! ମୋ’ପାଇଁ ଆପଲ ଆଣିଛନା ?

 

ପିଉସା ! ମୋ’ପାଇଁ କମଳା ଆଣିଛନା ?

 

ପିଲାମାନଙ୍କର ଏପରି ଅଳି ଶୁଣି ଶରତ ବାବୁ କହିଲେ, ସେ ସବୁତ ଆସିଛି । ତୁମମାନଙ୍କୁ ଲିଚୁ ଖାଇବାକୁ ଭଲ ଲାଗେ, ନୁହେଁ କି ? ସେଥିରୁ ମଧ୍ୟ କିଛି ନେଇ ଆସିଛି । ଯାଅ ମୋର ହ୍ୟାଣ୍ଡବ୍ୟାଗ ଖୋଲି ସେ ସବୁକୁ ନେଇ ଆସିବ ।

 

ଏହା ଶୁଣି ସଙ୍ଗେ ସଙ୍ଗେ ଲିପୁ ଦୌଡ଼ିଗଲା ହ୍ୟାଣ୍ଡବ୍ୟାଗ ଆଣିବାକୁ । ଘର ଭିତରେ ପଶି ଯେମିତି ବ୍ୟାଗଟିକୁ ଖୋଲି ଦେଇଛି ପ୍ରଥମେ ସେ ବାପାଙ୍କ ଡାଇରିଟି ଦେଖିବାକୁ ପାଇଲା । ତାକୁ ତଳେ ରଖି ହ୍ୟାଣ୍ଡବ୍ୟାଗରୁ ଫଳ ସବୁ ବାହାର କରିବାବେଳେ ସେଥ‌ିରୁ ଦୁଇ ତିନୋଟି ଫଟୋ ତଳେ ପଡ଼ିଗଲା ।

 

ଏହା ଦେଖି ମାମୁନି ସେଠାରୁ ଧାଇଁଗଲା ଏବଂ ଫଟୋଗୁଡ଼ିକ ଉଠାଇ ନେଲା । ଦେଖିଲା ସେଥ‌ିରେ କେତୋଟି ଶିଶୁଙ୍କ ଫଟୋ ଅଛି । ତାହା ଦେଖି ଲିପୁ ମଧ୍ୟ ସେଥ‌ିରୁ ଗୋଟିଏ ଫଟୋ ମାମୁନି ହାତରୁ ଟାଣି ଆଣିଲା । କ୍ରମେ ଦୁଇଜଣଯାକ ଫଟୋ ଦେଖିବାରେ ଏପରି ମଜ୍ଜିଗଲେ ଯେ ଆପଲ ଆଉ କମଳା କଥା ପୂରା ଭୁଲିଗଲେ ।

 

ପିଲାମାନେ ଫଟୋଗୁଡ଼ିକୁ ନେଇ ଶରତ ବାବୁଙ୍କ ନିକଟକୁ ଦୌଡ଼ି ଆସିଲେ । ସେମାନେ ଫଟୋରେ ଥ‌ିବା ଶିଶୁମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଖୁବ୍‌ ଆଗ୍ରହୀ ହୋଇ ଉଠିଲେ ।

 

ବାପା ! ଏ ଶିଶୁମାନେ କିଏ ? ସେମାନଙ୍କ ଅଣ୍ଟାରେ ଗୋଟିଏ କଳା ପଟି ଭଳି ଜିନିଷ ବନ୍ଧା ଯାଇଛି କାହିଁକି ? ଖୁବ୍‌ ଉତ୍କଣ୍ଠାର ସହ ପଚାରିଲା ଲିପୁ ।

 

ତା’ର ଏହି ପ୍ରଶ୍ନ ଶୁଣି ମାମୁନି କହିଲା: ଧେତ୍‌ ତୁ କିଛି ଜାଣି ନାହୁଁ । ସେମାନେ ନିଶ୍ଚୟ କୌଣସି ଯାଦୁକର ହୋଇଥ‌ିବେ । କାରଣ ମୁଁ ଦେଖିଛି ଦୁଇ ଦିନ ତଳେ ଜଣେ ଯାଦୁକର ଆମ ସ୍କୁଲକୁ ଆସି ଯାଦୁ ଖେଳ ଦେଖାଉଥ‌ିଲା । ସେତେବେଳେ ସେ ତା’ ଅଣ୍ଟାରେ ଗୋଟିଏ ପଟି ବାନ୍ଧି ଥ‌ିବାର ମୁଁ ଦେଖିଛି । ତେଣୁ ଏ ପିଲାମାନେ ହେଉଛନ୍ତି ସେଇ ଯାଦୁକାର ଜାତୀୟ ଶିଶୁ ।

 

ପିଲାମାନେ ନିଜ ନିଜ ଭିତରେ ଏପରି ଯୁକ୍ତି କରୁଥିବାର ଶୁଣି ଶରତ ବାବୁ କହିଲେ, ନାଇଁରେ ପିଲାଏ ତୁମମାନଙ୍କର ଧାରଣା ସମ୍ପୂର୍ଣ୍ଣ ଭୁଲ । ଫଟୋରେ ଦେଖାଯାଉଥିବା ଶିଶୁଗୁଡ଼ିକ କୌଣସି ଯାଦୁକର ନୁହଁନ୍ତି ।

 

ତେବେ ଏମାନେ କିଏ ? ଉତ୍କଣ୍ଠିତ ହୋଇ ପଚାରିଲା ଲିପୁ ।

 

ପିଲାମାନଙ୍କ ମନରୁ ଉତ୍କଣ୍ଠାଭାବ ଦୂର କରିବାକୁ ଶରତ ବାବୁ କହିଲେ, ତୁମେସବୁ ଖଟ ଉପରକୁ ଆସି ମୋ ପାଖରେ ଧୀରସ୍ଥିର ଭାବରେ ବସ । ତା’ପରେ ମୁଁ ତୁମକୁ ଏମାନଙ୍କ ବିଷୟରେ ବୁଝାଇ ଦେବି ।

 

ଶରତ ବାବୁ କହିଲେ, ପିଲାମାନେ ଫଟୋରେ ତୁମେ ଯେଉଁ ଶିଶୁମାନଙ୍କୁ ଦେଖୁଛ ସେମାନେ ହେଉଛନ୍ତି ଗଡ଼ିଶିଶୁ । ଏହି ଗଡ଼ି ହେଉଛନ୍ତି ଆମ ଦେଶରେ ଦେଖାଯାଉଥ‌ିବା ଆଦିବାସୀମାନଙ୍କର ଆଉ ଗୋଟିଏ ସମ୍ପ୍ରଦାୟ । ତୁମେମାନେ ଦେଖ ଏ ଫଟୋଟିରେ ରହିଛନ୍ତି ଦୁଇଟି ଗଡ଼ି ଭାଇ ଭଉଣୀ ।

 

ପିଉସା ! ତେବେ ଗଡ଼ିମାନେ କେଉଁଠାରେ ବାସ କରନ୍ତି ? ପଚାରିଲା ମାମୁନି ।

 

ହଁ ତୁମେମାନେ ଜାଣିଥିବ ଆମ ଦେଶର ଉତ୍ତରରେ ପ୍ରାଚୀର ଭଳି ହିମାଳୟ ପର୍ବତ ରହିଛି । ଗଡ଼ିମାନେ ଏହି ପାର୍ବତ୍ୟ ଅଞ୍ଚଳରେ ବାସ କରନ୍ତି । ସେମାନଙ୍କର ନିର୍ଦ୍ଦିଷ୍ଟ ବାସସ୍ଥଳୀ ହେଲା ହିମାଚଳ ପ୍ରଦେଶର ତମ୍ୱାଜିଲ୍ଲା ।

 

ହିମାଳୟ ପରି ଏକ ଥଣ୍ଡା ଅଞ୍ଚଳରେ ଗଡ଼ି ସମ୍ପ୍ରଦାୟ ବାସ କରୁଥିବା ବିଷୟ ଲିପୁକୁ ଆଶ୍ଚର୍ଯ୍ୟାଭିଭୂତ କରି ପକାଇଲା । ସେ ସଙ୍ଗେ ସଙ୍ଗେ ପଚାରିଲା, ବାପା ଶୀତଦିନେ ଆମେମାନେ ସାଧାରଣତଃ ଶୀତକୁ ସହିପାରୁ ନାହିଁ । ତେବେ ଗଡ଼ିମାନେ ସେ ଅଞ୍ଚଳରେ ଶୀତଦିନେ ବାସ କରନ୍ତି କିପରି ? ପ୍ରବଳ ଥଣ୍ଡା ଯୋଗୁଁ ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡ଼ୁଥିବେ ?

 

ନା, ନା ତାହା ନୁହେଁ । ଶରତ ବାବୁ ବୁଝାଇ ଦେଲେ, ପ୍ରବଳ ଶୀତ ସମୟରେ ଗଡ଼ିମାନେ ସେମାନଙ୍କ ମେଣ୍ଢାପଲ ସହ ହିମାଳୟ ପାଦଦେଶକୁ ପଳାଇ ଆସନ୍ତି । ସେ ଅଞ୍ଚଳରେ ଶୀତ ସେମାନଙ୍କ ଉପରେ ବେଶି କିଛି ପ୍ରଭାବ ପକାଇ ପାରେ ନାହିଁ ।

 

Image

 

ତେବେ ସେମାନେ ମେଣ୍ଢାପଲଙ୍କୁ ଧରି ଦୂର ବାଟକୁ ଯାତ୍ରା କରନ୍ତି କିପରି ? ଜାଣିବାକୁ ଇଚ୍ଛା କଲା ମାମୁନି ।

 

ମେଣ୍ଢାମାନଙ୍କ ସହ ସେମାନଙ୍କୁ ତ ପାଦରେ ଚାଲିବାକୁ ପଡ଼େ । ସେମାନେ ବେଶ୍‌ ପରିଶ୍ରମୀ ଏବଂ କଷ୍ଟ ସହିଷ୍ଣୁ । ଏପରିକି ଗଡ଼ି ଶିଶୁମାନେ ମଧ୍ୟ ସେମାନଙ୍କ ପିଠିରେ ଭାର ବହନକରି ପାହାଡ଼ିଆ ରାସ୍ତାରେ ଅନେକ ବାଟ ପର୍ଯ୍ୟନ୍ତ ଚାଲିଯାଇ ପାରନ୍ତି । ହେଲେ ତୁମେମାନେ ସେମାନଙ୍କ ପରି ଶିଶୁ ହୋଇ ମଧ୍ୟ ସେପରି କାମ କ’ଣ କରି ପାରିବ ।

 

ବାପା ! କାହିଁକି ପାରିବୁ ନାହିଁ ? ଆମେମାନେ ତ ଖାଦ୍ୟରେ ମାଛ, ମାଂସ, କ୍ଷୀର, ଅଣ୍ଡା ଆଦି ଖାଉଛୁ । ସେଥିପାଇଁ ତ ବେଶ୍‌ ବଳବାନ ହୋଇଛି କହିଲା ଲିପୁ ।

 

ଲିପୁର ଏପରି କଥା ଶୁଣି ବାପା କହିଲେ, ସେଦିନ କଥା କ’ଣ ଭୁଲିଗଲୁ କି ଲିପୁ ସ୍କୁଲରୁ ଫେରି ଘରେ ପହଞ୍ଚିବା ପରେ ମା’ଙ୍କୁ କ’ଣ କହୁଥିଲୁ । ସ୍କୁଲ ବ୍ୟାଗଟିକୁ ପ୍ରତିଦିନ ପିଠିରେ ପକାଇ ନେବା ଆଣିବା କରିବାରୁ ଓଜନ ହେତୁ ବହୁତ ଅସୁବିଧା ହେଉଛି ବୋଲି କହୁଥିଲୁ ନା ।

 

ଲିପୁ ହସିଲା, ଏହି ସମୟରେ ମାମୁନି କହିଲା, ପିଉସା ଅଭ୍ୟାସ କଲେ ସବୁ କିଛି ସମ୍ଭବ ହୋଇ ପାରିବ । ଗଡ଼ିମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପାଦରେ ଚାଲି ଚାଲି ଯିବାର ଅଭ୍ୟାସ ରହିଛି ବୋଲି ସେମାନଙ୍କୁ ବିଶେଷ କଷ୍ଟ ଜଣାପଡ଼େ ନାହିଁ ।

 

ବାପା ଗଡ଼ି ଶିଶୁମାନଙ୍କ କଥା କହିବାକୁ ଭୁଲିଗଲ କି । ସେମାନେ ପାଠ ପଢ଼ିବା ପାଇଁ ସ୍କୁଲକୁ ଯାଆନ୍ତି ନାହିଁ । ଜାଣିବାକୁ ଇଚ୍ଛାକଲା ଲିପୁ ।

 

ଶରତ ବାବୁ ବୁଝାଇଲେ, ଗଡ଼ିମାନେ ତ ଆମମାନଙ୍କପରି ସାମାଜିକ ସ୍ତରରେ ଉନ୍ନତି ଲାଭକରି ନାହାଁନ୍ତି ତେଣୁ ସେମାନେ ଶିକ୍ଷାଲାଭ କରିବେ କିପରି ! ଗଡ଼ି ଶିଶୁମାନଙ୍କର ପିତାମାତାମାନେ ତ ଅଶିକ୍ଷିତ । ଅପର ପକ୍ଷରେ ସେମାନେ ନିଜର ସନ୍ତାନ ସନ୍ତତିଙ୍କୁ ଶିକ୍ଷାଲାଭ କରିବାପାଇଁ ମଧ୍ୟ କୁଣ୍ଠିତ, ଏହି ପାଠପଢ଼ା ବିଷୟକୁ ଭିତ୍ତିକରି ସେମାନଙ୍କ ମନରେ କେତେଗୁଡ଼ିଏ ଅନ୍ଧବିଶ୍ୱାସ ଭରି ରହିଛି ।

 

ସେମାନଙ୍କ ସମାଜରେ ଶିଶୁମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ସ୍କୁଲକୁ ପଠାଇବାକୁ ହେଲେ ଗୁଣିଆମାନଙ୍କୁ ଡକାଇ ପରାମର୍ଶ ନେବାକୁ ହୋଇଥାଏ । ଅଧିକାଂଶ ଗୁଣିଆ ପିଲାମାନଙ୍କର କେତେକ ଲକ୍ଷଣ ଦେଖି ଏଥିରୁ ନିବୃତ୍ତ ରହିବା ପାଇଁ ପିତାମାତାଙ୍କୁ କହିଥାନ୍ତି ।

 

ଫଳରେ ପିତାମାତାମାନେ ସେ କ୍ଷେତ୍ରରେ ଆଉ ଅଗ୍ରସର ହୁଅନ୍ତି ନାହିଁ । ଏହାଛଡ଼ା ଝିଅମାନେ ସ୍କୁଲକୁ ଯାଇ ପାଠ ପଢ଼ିବାର କୌଣସି ଯଥାର୍ଥତା ନାହିଁ ବୋଲି ମଧ୍ୟ ଗଡ଼ି ପିତାମାତାମାନେ ଭାବିଥାନ୍ତି । ଯଦି ସୌଭାଗ୍ୟବଶତଃ କୌଣସି ଗୁଣିଆ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ସ୍କୁଲକୁ ପରାମର୍ଶ ଦେଲା, ତେବେ ତାହା ମାତ୍ର ଅଳ୍ପଦିନ ପାଇଁ । ସେ କ୍ଷେତ୍ରରେ ପିତାମାତାମାନେ ସେମାନଙ୍କର ଶିଶୁକୁ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇ ସାରିବା ପରେ ଚାଷ କାମରେ ମନଯୋଗ କରାନ୍ତି ।

 

ପିଉସା ! ତୁମେ ତ ଆଉ ଗୋଟିଏ କଥା ଆମକୁ କହିବାକୁ ଭୁଲି ଯାଇଛି । ଗଡ଼ି ଶିଶୁମାନେ ଦେଖିବାକୁ କିପରି । ସେମାନେ ତ ଆମମାନଙ୍କ ପରି ନାନାପ୍ରକାର ଖେଳ ଖେଳୁଥ‌ିବେ-। ତେବେ ସେଗୁଡ଼ିକ କ’ଣ ।

 

ମାମୁନିଠାରୁ ଏକା ଥରକେ ଦୁଇଟି ପ୍ରଶ୍ନ ଶୁଣି ଶରତ ବାବୁ ତା’ ମନରେ ସୃଷ୍ଟି ହୋଇଥିବା ଆଗ୍ରହକୁ କଳନା କରି ନେଲେ । ସେ କହିଲେ ଗଡ଼ି ଶିଶୁମାନଙ୍କର ବର୍ଣ୍ଣ ପ୍ରାୟ ଗୋରା-। ସେମାନଙ୍କର ଚେହେରା ମଧ୍ୟ ଦେଖିବାକୁ ଖୁବ୍‌ ସୁନ୍ଦର । ତୁମେମାନେ ତ ଏ ଫଟୋଗୁଡ଼ିକରୁ ସେ ବିଷୟରେ ଜାଣି ପାରିଥିବ । ଗଡ଼ି ବାଳକମାନେ ଖୁବ୍‌ ଅଳ୍ପ ମାଟିଆମିଶା ଧଳା ରଙ୍ଗର କୋର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି । ବାଳିକାମାନେ ସେମାନଙ୍କ ପାଦ ପର୍ଯ୍ୟନ୍ତ ଲମ୍ବିଥ‌ିବା ଘାଗରା ପିନ୍ଧନ୍ତି-। ଗଡ଼ି ଶିଶୁମାନେ ଭାରି ଖେଳ ପ୍ରିୟ । ସେମାନେ ଲୁଚକାଳି, କବାଡ଼ି, ଟୁଙ୍ଗୁଲି, ପୁଆ ଆଦି ଖେଳଗୁଡ଼ିକ ଖେଳିବାକୁ ଖୁବ୍‌ ପସନ୍ଦ କରିଥାନ୍ତି ।

 

ବାପା ! କିଛି ସମୟ ପୂର୍ବରୁ ତୁମେ ପରା କହୁଥିଲ ଭଗବାନ ଶଙ୍କର ଗଡ଼ିମାନଙ୍କର ପ୍ରଧାନ ଦେବତା । ତେବେ ସେମାନେ କ’ଣ ଶଙ୍କରଙ୍କ ବ୍ୟତୀତ ଆଉ କୌଣସି ଦେବାଦେବୀଙ୍କୁ ପୂଜା କରନ୍ତି ନାହିଁ । ଜାଣିବାକୁ ଇଚ୍ଛାକଲା ଲିପୁ ।

 

ଭଗବାନ ଶଙ୍କରଙ୍କ ବ୍ୟତୀତ ବିର କାଇଲୁ, ଗୁଗ୍‌ମା ଆଦି ହେଲେ ଗଡ଼ି ମାନଙ୍କର ଦେବତା । ଗଡ଼ିମାନେ ଏମାନଙ୍କୁ ମଧ୍ୟ ପୂଜା କରିଥାନ୍ତି । ହେଲେ ଏ ଦେବତାମାନେ କେତେଗୁଡ଼ିଏ ଯାଦୁ ଶକ୍ତିର ଅଧିକାରୀ ହୋଇଥାନ୍ତି । ଗଡ଼ି ସମାଜରେ କେହି କେତେବେଳେ ବେମାରରେ ପଡ଼ିଲେ ଗୁଣିଆମାନେ ସେହି ଦେବତାମାନଙ୍କୁ ପ୍ରାର୍ଥନା କରି ସେମାନଙ୍କର ଆରୋଗ୍ୟ କାମନା କରିଥାନ୍ତି ।

 

ଏହି ସମୟରେ ଶରତ ବାବୁ ତାଙ୍କର କଥା ଅଳ୍ପ ସମୟ ପାଇଁ ବନ୍ଦ କରି ଟିକିଏ ଚିନ୍ତା କଲେ । ତା’ପରେ ସଙ୍ଗେ ସଙ୍ଗେ ସେ କହିଲେ, ଆଚ୍ଛା କହିଲୁ ଲିପୁ ! ତୁମ ଘରକୁ ଯେତେବେଳେ ମାମୁଁ ଆସନ୍ତି ସେତେବେଳେ ତୁ କ’ଣ କରୁ ?

 

ବାପା ! ଏତ ଅତି ସହଜ କଥା । ମାମୁଁ ଆସିଲେ ମୁଁ ତାଙ୍କୁ ନମସ୍କାର କରେ । ତା’ପରେ ପାଦ ଧୋଇବାକୁ ପାଣି ଲୋଟାଏ ଆଣିଦିଏ ।

 

ତୁ ଠିକ୍‌ କହିଛୁ ଲିପୁ, ଏହାତ ଆମର ଏକ ସାମାଜିକ ପରମ୍ପରା । ହେଲେ ଗଡ଼ି ସମାଜରେ ଚଳୁଥିବା ସାମାଜିକ ପରମ୍ପରାରେ କିଛି ଭିନ୍ନତା ପରିଲକ୍ଷିତ ହୁଏ । ତାଙ୍କ ଘରକୁ ଯେତେବେଳେ ମାମୁଁ ଯାଆନ୍ତି ତେବେ ସେ ପ୍ରଥମେ ତାଙ୍କ ଭଣଜାର ପାଦ ସ୍ପର୍ଶ କରନ୍ତି । ଭଣଜାଟି ଛୋଟ ଶିଶୁଟିଏ ହୋଇଥିଲେ ମଧ୍ୟ ସେ ଏହି ପରମ୍ପରାରୁ ବାଦ୍‌ଯାଏ ନାହିଁ ।

 

ପିଉସା ଗଡ଼ି ଶିଶୁମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଇଚ୍ଛା ହେଉଛି । ତେବେ ତୁମେ କହିପାରିବ କି ଆମେମାନେ ସେମାନଙ୍କ ନିକଟକୁ କିପରି ଯାଇପାରିବା ?

 

ମାମୁନି କଥା ଶୁଣି ଶରତ ବାବୁ କହିଲେ, ମାମୁନି ତୁ ତ ଜାଣୁ ସେମାନେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ବସବାସ କରନ୍ତି । ପ୍ରଥମ କଥା ସେଠାକୁ ଯିବାପାଇଁ ରେଳଗାଡ଼ିର କୌଣସି ସୁବିଧା ନାହିଁ । ତା’ପରେ ବସରେ ଗଲେ ବସଷ୍ଟାଣ୍ଡଠାରୁ ଅନେକ ବାଟ ପାଦରେ ଚାଲି ଚାଲି ଯିବାକୁ ହେବ । କାରଣ ଗଡ଼ିମାନେ ସମୁଦ୍ର ପତନ ଠାରୁ ସାତ ହଜାର ଫୁଟ ଉଚ୍ଚ ପାର୍ବତ୍ୟାଞ୍ଚଳର ବସ୍ତି ସ୍ଥାପନ କରି ରହିଥାନ୍ତି ।

 

ବାପା ଆହୁରି ଗୋଟିଏ ଅସୁବିଧା ମଧ୍ୟ ଅଛି । ଆମେମାନେ ସେଠିକାର ପ୍ରବଳ ଥଣ୍ଡାକୁ ସହ୍ୟକରି ସେମାନଙ୍କ ନିକଟକୁ ଯାଇ ପାରିବାତ । ଶରତ ବାବୁଙ୍କ କଥାରେ ଯୋଗ ଦେଲା ଲିପୁ ।

 

ଶରତ ବାବୁ କହିଲେ, ହଁ ତାହା ମଧ୍ୟ ସତ । ଆମେମାନେ ଏତେଗୁଡ଼ିଏ ଅସୁବିଧାର ସମ୍ମୁଖିନ ହେଲେ ମଧ୍ୟ ସେଠାରେ କୌଣସି ପ୍ରକାରେ ପହଞ୍ଚି ଗଡ଼ି ଶିଶୁମାନଙ୍କୁ ଦେଖିଲେ ସମସ୍ତ କଷ୍ଟ ଭୁଲିଯିବା । କାରଣ ସେମାନେ ହେଲେ ବେଶ୍‌ ସରଳ ସ୍ୱଭାବର ଆଦିବାସୀ ଶ୍ରେଣୀ ।

 

ଏଥର ପିଲାମାନେ ପ୍ରକୃତ କଥା ବୁଝିଗଲେ । ତେବେ ବଡ଼ ହେଲେ ସେମାନେ କିପରି ଗଡ଼ିମାନଙ୍କ ରାଇଜକୁ ଯାଇ ସେମାନଙ୍କର ସମାଜ ତଥା ସଂସ୍କୃତି ସମ୍ବନ୍ଧରେ ଅଧିକଜ୍ଞାନ ଆହରଣ କରିବେ ସେ ବିଷୟ ଚିନ୍ତା କରିବାକୁ ଲାଗିଲେ ।

☆☆☆

 

ଶବର ଶିଶୁ

 

ଲିପୁ, ମାମୁନି ଛୁଟି ପୂର୍ବରୁ ସାର୍‌ ଦେଇଥିବା ପଢ଼ା କରିଛ ? ଦଶହରା ଛୁଟି ପରେ ସ୍କୁଲରେ ପହଞ୍ଚିବା କ୍ଷଣି ଗୌତମ ଆଦି ସାଙ୍ଗ ପଚାରିଲେ ସେ ଦୁଇ ଜଣଙ୍କୁ ।

 

ଓଃ ମୁଁ କ’ଣ କରିବି, ମୋର ତ ମନେ ନଥିଲା । ତା’ପରେ ମୁଁ ବି ଘରେ ନଥିଲି । କ’ଣ କରିବି, ସାର୍‌ ନିଶ୍ଚୟ ରାଗ କରିବେ । ବଡ଼ ବ୍ୟସ୍ତ ହୋଇ ଅନୁତାପ କଲା ଲିପୁ । ତା’ର ଏପରି ଅବସ୍ଥାରେ ଯୋଗଦେଲା ମାମୁନି । କାରଣ ସେ ମଧ୍ୟ ପଢ଼ା କରିନଥିଲା ।

 

ଲିପୁ ଓ ମାମୁନି ଏପରି ଅନୁତାପ କରିବା ଦେଖି ସିଦ୍ଧାର୍ଥ ଏବଂ ଗୌତମ ପଚାରିଲେ, ତୁମେମାନେ ଛୁଟିରେ କେଉଁଆଡ଼େ ଯାଇଥିଲ କି ?

 

ଆମେମାନେ ବାପାଙ୍କ ସହିତ ବିଳାସପୁର ଯାଇଥିଲୁ । ଗତକାଲି ସେଠାରୁ ଫେରିଲୁ ଲିପୁ କହିଲା ।

 

ପିଲାମାନେ ଏପରି କଥାବାର୍ତ୍ତ ହେଉଥ‌ିବା ବେଳେ ଶ୍ରେଣୀରେ ଶିକ୍ଷକ ପହଞ୍ଚି ଗଲେ । ସେ ପିଲାମାନଙ୍କର ଉପସ୍ଥାନ ନେଲା ପରେ ଛୁଟି ପୂର୍ବରୁ ଦିଆଯାଇଥିବା ପଢ଼ା ସମ୍ବନ୍ଧରେ ପଚାରିବାକୁ ଆରମ୍ଭ କଲେ ।

 

ଲିପୁ ଓ ମାମୁନି ଶ୍ରେଣୀର ପ୍ରଥମ ଧାଡ଼ିରେ ବସିଥିଲେ । ତେଣୁ ପ୍ରଥମେ ପଡ଼ିଲା ସେମାନଙ୍କ ପାଳି ।

 

ଆଚ୍ଛା ଲିପୁ, ତୁ ପଢ଼ା କରିଛୁ । ଖାତା ଆଣିଲୁ ଦେଖିବା ଶିକ୍ଷକ କହିଲେ ।

 

ଲିପୁ ଚୁପ୍‌ କରି ଠିଆ ହେଲା । ଏଥର ଶିକ୍ଷକ ମାମୁନିକୁ ପଚାରିଲେ । ସେ ମଧ୍ୟ ନୀରବ ରହିବା ଦେଖି ଶିକ୍ଷକ ପଚାରିଲେ, ଆଚ୍ଛା ତୁମେ ଦୁଇଜଣ ଦଶହରା ଛୁଟିରେ କ’ଣ କରୁଥିଲ ?

 

ସାର୍‌ ଆମେ ବାପାଙ୍କ ସହିତ ବିଳାସପୁର ଯାଇଥିଲୁ । ସେଠାରୁ ଅଳ୍ପ ଦୂରରେ ‘କେରା’ ନାମକ ସ୍ଥାନଟିଏ ଅଛି । ତାହା ଶବରୀ ନାରାୟଣ ମନ୍ଦିର ପାଇଁ ପ୍ରସିଦ୍ଧ । ଆମେମାନେ ସେହି ମନ୍ଦିର ଦର୍ଶନ କରିବାକୁ ଯାଇଥିଲୁ । ଲିପୁ ଧୀରସ୍ଥିର ଭାବରେ ଉତ୍ତର ଦେଲା ।

 

ତା’ହେଲେ କଥାଯାଇ ଏଠି । ତେବେ ତୁ କହିଲୁ ମାମୁନି ଶବରୀ ନାରାୟଣ କିଏ ?

 

ସାର୍‍ ! ରାମାୟଣରେ ବର୍ଣ୍ଣିତ ରାମଚନ୍ଦ୍ରଙ୍କ ବନବାସ କାଳରେ ଶବରୀ ହାତରୁ ସେ କୋଳି ଖାଇଥିଲେ । ତେଣୁ ରାମଚନ୍ଦ୍ରଙ୍କର ଅନ୍ୟନାମ ଶବରୀ ନାରାୟଣ ।

 

ଏଥର ଶିକ୍ଷକ ଖୁସି ହୋଇ କହିଲେ, ତୁମେମାନେ ତା’ହେଲେ ସେଠାକୁ ଯିବାର ଇଚ୍ଛା କରୁଛ । ଭଗବାନ ରାମଚନ୍ଦ୍ର ଯେଉଁ ଶବରୀ ହାତରୁ କୋଳି ଖାଇଥିଲେ ମୁଁ ଆଜି ସେଇ ଶବର ଜାତି କଥା ପଢ଼ାଇବି । ମନଦେଇ ଶୁଣ । ଯେତେବେଳେ ଯାହାର ସନ୍ଦେହ ଜାତ ହେବ ସଙ୍ଗେ ସଙ୍ଗେ ମତେ ପଚାରି ବୁଝିବ ।

 

ସାର୍‌ ! ଆମର ଶବର ଶିଶୁମାନଙ୍କ ସମ୍ପର୍କରେ ଜାଣିବାକୁ ଭାରି ଆଗ୍ରହ । ଆପଣ ତାହା ବୁଝାଇବେ ତ ? ଲିଜା ଠିଆହୋଇ ପଡ଼ି କହିଲା ।

 

ହଁ ସେଇ କଥାତ ମୁଁ ଆଜି ତୁମମାନଙ୍କୁ ପଢ଼ାଇବାକୁ ଲକ୍ଷ୍ୟ ରହିଛି । ତେବେ ଶୁଣ–

 

ଆମ ଓଡ଼ିଶାରେ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ସେମାନଙ୍କ ମଧ୍ୟରେ ଶବର ସମ୍ପ୍ରଦାୟ ଅନ୍ୟତମ । ସମଗ୍ର ଓଡ଼ିଶାରେ ଏମାନଙ୍କୁ ଦେଖିବାକୁ ମିଳୁଥିଲେ ମଧ୍ୟ ବିଶେଷକରି ଅଭିଯୁକ୍ତ ସମ୍ବଲପୁର, ପୁରୀ, ଗଞ୍ଜାମ କୋରାପୁଟ ଇତ୍ୟାଦି ଜିଲ୍ଲାମାନଙ୍କରେ ଶବରମାନେ ବାସ କରୁଛନ୍ତି । ତେବେ ଏମାନେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ନାମରେ ନାମିତ । ଯଥା–ଶବର, ସଉର, ସୁଆର, ଶଅର, ସଉରା ଇତ୍ୟାଦି ।

 

ସାର୍‌ ମୁଁ ଥରେ ମୟୂରଭଞ୍ଜ ଯାଇଥିବା ବେଳେ ସେଠାରେ ମାଳିଆ ନାମରେ ଏକଜାତିର ଲୋକମାନେ ରହୁଥ‌ିବାର ଦେଖିଲି । ସେମାନେ କ’ଣ ଏହି ଶବର ଶ୍ରେଣୀର ଅନ୍ତର୍ଭୁକ୍ତ ନୁହଁନ୍ତି । ପଚାରିଲା ଲିପୁ ।

 

ତୁ ଠିକ୍‌ କହିଛୁ ଲିପୁ । ଶିକ୍ଷକ ବୁଝାଇ ଦେଲେ, ସେହି ମାଳିଆମାନଙ୍କୁ ଲାଞ୍ଜିଆବୋଲି ମଧ୍ୟ କୁହାଯାଏ । ତେବେ ମାଳିଆ ବା ଲାଞ୍ଜିଆ ହେଲା ଶବରମାନଙ୍କର ଗୋଟିଏ ବିଭାଗ ।

 

କିନ୍ଦଲ ଶବରମାନେ ବାଉଁଶରେ ଟୋକେଇ, କୁଲା, ବାଉଁଶିଆ ଆଦି ବୁଣି ଜୀବିକା ନିର୍ବାହ କରିଥାନ୍ତି । ଲାଞ୍ଜିଆ ସଉରାମାନଙ୍କର ଅବସ୍ଥା ଅନ୍ୟଶ୍ରେଣୀ ମାନଙ୍କ ଠାରୁ ଅନୁନ୍ନତ ଧରଣର । ଏମାନେ ଲେଙ୍ଗୁଟି ପରିଧାନ କରିଥାନ୍ତି । ଏହି ଲେଙ୍ଗୁଟିଟି ଲାଞ୍ଜପରି ସେମାନଙ୍କ ଉଭୟ ପଟରେ ଲୋଟିଥାଏ । ତେଣୁ ସେମାନଙ୍କ ନାମକରଣ ଏପରି ହୋଇଛି । ସେମାନେ ପୋଡ଼ୁଚାଷ ପ୍ରଣାଳୀରେ କୃଷିକର୍ମ କରିଥାନ୍ତି ।

 

ଯାଦୁ ଶବରମାନେ ଯାଦୁବିଦ୍ୟା ଜାଣନ୍ତି ବୋଲି ସେମାନେ ଦାବି କରିଥାନ୍ତି । ଏତଦ୍‍ବ୍ୟତୀତ ମାତୋ ଶବରମାନେ କଂସା ପିତଳ କାର୍ଯ୍ୟ କରୁଥିବା ବେଳେ ଜୁଆରୀ ଶବରମାନଙ୍କ ବେଉସା ହେଲା ଗଛ କାଟିବା ।

 

କମ୍ପୋ ଶଉରାମାନେ ସାମାନ୍ୟ ଉନ୍ନତ ଧରଣର ହୋଇଥିବାରୁ ସେମାନେ ଲୁଗା ବ୍ୟବହାର କରିଥାନ୍ତି । ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରତ୍ୟେକ ଶ୍ରେଣୀର ଶବର ଅନ୍ୟ ଶ୍ରେଣୀଠାରୁ ନିଜ ନିଜର ବେଶପୋଷାକ, ରୀତିନୀତି ତଥା ଚାଲିଚଳନ ଆଦିରେ ତଫାତ ପରିଲକ୍ଷିତ ହୋଇଥାନ୍ତି ।

 

ସାର୍‍ ! ସାଧାରଣତଃ ଶବରମାନେ କୃଷିଜୀବି । ଆଉ କେତେକ ମଧ୍ୟ କଂସା ପିତଳ କାମ କରନ୍ତି ବୋଲି ଆପଣ କହିଲେ । ହେଲେ ସେମାନଙ୍କ ମଧ୍ୟରେ କେହି କୁମ୍ଭାର କାମ କରନ୍ତି ନାହିଁ ? ନିଜ ଆସନରୁ ଉଠିପଡ଼ି ପଚାରିଲା ଲୀନା ।

 

ହଁ ବସ କହୁଛି ! ଶିକ୍ଷକ କହିଲେ, ଶବରମାନଙ୍କ ମଧ୍ୟରେ କୁମ୍ଭୀଟ ଏବଂ ଲୁଅସ ନାମକ ଦୁଇ ଶ୍ରେଣୀ ଅଛନ୍ତି । କୁମ୍ଭୀଟମାନେ କୁମ୍ଭାର କାମ ଏବଂ ଲୁଅସମାନେ କମାର କାମ କରନ୍ତି । ଏଥର ବୁଝିଲୁ ଲୀନା ।

 

ସାର୍‌, ବୁଝିଲି ଏଥର ସେମାନଙ୍କର ଘରଦ୍ୱାର ବିଷୟରେ କିଛି କୁହନ୍ତୁ । ସାଧାରଣତଃ ଶବର ପଲ୍ଲୀଗୁଡ଼ିକ ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ଦେଖିବାକୁ ମିଳେ । ଶୁଦ୍ଧ ଶବର ପରି ଅଳ୍ପ କେତେକ ଉନ୍ନତ ଧରଣର ଶ୍ରେଣୀଙ୍କୁ ବାଦ୍‌ ଦେଲେ ଅବଶିଷ୍ଟ ଶବରମାନେ ଖୁବ୍‌ ଦୁଃଖରେ ଜୀବନଯାପନ କରୁଥିବାର ଦେଖାଯାଏ ।

 

ଏଥର ଶିକ୍ଷକ ଟିକିଏ ରହିଯାଇ ଲିପୁକୁ ପଚାରିଲେ, ତୁ ବାପାଙ୍କ ସହ ମୟୂରଭଞ୍ଜ ଯାଇ ସେଠାରେ ଲାଞ୍ଜିଆ ସଉରାମାନଙ୍କୁ ଦେଖିଥିଲୁ ନା ? ତେବେ ସେମାନଙ୍କର ଘରଦ୍ୱାର କିପରି କହିଲୁ ?

 

ଶିକ୍ଷକଙ୍କ ପ୍ରଶ୍ନ ଶୁଣି ଲିପୁ ତା’ ଆସନରୁ ସଙ୍ଗେ ସଙ୍ଗେ ଉଠି ପଡ଼ିଲା, କହିଲା ।

 

ସାର୍‌ ମୁଁ ଯେଉଁଠାରେ ରହୁଥିଲି ସେଠାରୁ ଅଳ୍ପ ଦୂରରେ ଗୋଟିଏ ପାହାଡ଼ ତଳେ ଶବର ପଲ୍ଲୀଟିଏ ରହିଥିଲା । ମୁଁ ବାପାଙ୍କ ସହ ଖୁବ୍‌ ଅଳ୍ପ ସମୟ ପାଇଁ ସେଠାକୁ ଯାଇଥିଲି । ସେଠାରେ ଲାଞ୍ଜିଆମାନେ ଗୋଟିଏ ଲେଖାଏ କୁଡ଼ିଆ କରି ରହୁଥ‌ିବାର ଦେଖିଲି । ପ୍ରତ୍ୟେକଙ୍କର ଘରେ ଗୋଟିଏ ମାତ୍ର ଦ୍ଵାର ଏବଂ ଘର ମଝିରେ ଅଧା କାନ୍ଥଟିଏ ରହିଥାଏ । ଅଳ୍ପ କେତେକ ଲାଞ୍ଜିଆମାନଙ୍କର କୁଡ଼ିଆକୁ ଲାଗି ଆଉ ଗୋଟିଏ କୁଡ଼ିଆ ଥାଏ । ସେଥିରେ ସେମାନେ ଗାଈ, ଗୋରୁ ଛେଳି ମେଣ୍ଢା ଆଦି ରଖିଥାନ୍ତି । ଆଉ ମଧ୍ୟ ଦେଖିଲି ସେହି ଶବର ପଲ୍ଲୀଟିରେ ଅତି ବେଶିରେ ଛଅ କିମ୍ବା ସାତଟି ଘର ରହିଛି, ସେମାନଙ୍କର କୁଡ଼ିଆଗୁଡ଼ିକ ଝାଟିମାଟିରେ ତିଆରି ଏବଂ ସେଗୁଡ଼ିକ ଘାସ ବା କୁଟାର ଛପର ହୋଇଥାଏ । ସାର୍‍ ! ସେଗୁଡ଼ିକ ଦେଖି ମତେ ଯେତିକି କୌତୂହଳ ଲାଗିଲା ସେତିକି ଦୁଃଖ ମଧ୍ୟ । କାରଣ ଆଜି ପର୍ଯ୍ୟନ୍ତ ସେମାନଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ ।

 

ହଁରେ ଲିପୁ, ତୁ ସେଠାରେ ଶବର ପଲ୍ଲୀକୁ ବେଶ୍‍ ଭଲଭାବରେ ଲକ୍ଷ୍ୟ କରିଛୁ । ସାଧାରଣତଃ ଅନ୍ୟାନ୍ୟ ଶବର ପଲ୍ଲୀଗୁଡ଼ିକର ଅବସ୍ଥା ସେହିପରି । ଶିକ୍ଷକ ଟିକିଏ ସ୍ମିତହାସ୍ୟ ପ୍ରକାଶ କରି ଲିପୁକୁ ବସିବାକୁ କହିଲେ ।

 

ସାର୍‌ ! ଶବରମାନେ ଦେଖିବାକୁ କିପରି କହିଲେ ନାହିଁ ତ ? ଆଗ୍ରହର ସହିତ ପଚାରିଲା ସିଦ୍ଧାର୍ଥ ।

 

ତୁମମାନଙ୍କର ଶବରମାନଙ୍କ କଥା ଜାଣିବା ପାଇଁ ଖୁବ୍‌ ଆଗ୍ରହ ଥ‌ିବା କଥା ମୁଁ ଲକ୍ଷ୍ୟ କରି ପାରୁଛି । ଶିକ୍ଷକ ଟିକିଏ ହସି କହିଲେ, ଶବରମାନେ ଦେଖିବାକୁ ସାଧାରଣତଃ କଳା ସେମାନଙ୍କ ମୁଣ୍ଡର କେଶଗୁଡ଼ିକ କୁଞ୍ଚିକୁଞ୍ଚିକା ଲାଞ୍ଜିଆ ଶିଶୁମାନେ ସାତ ଆଠ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ । ପୁରୁଷମାନେ ଅଣ୍ଟାରେ ଖଣ୍ଡିଏ ଅଣଓସାର କନା ଗୁଡ଼ାଇ ଥାଆନ୍ତି । ସେମାନଙ୍କ ଲୁଗାର ଆଗପଟ ଓ ପଛପଟ କୁଞ୍ଚହୋଇ ଆଗକୁ ଓ ପଛକୁ ଓହଳି ଥାଏ । ସେମାନଙ୍କ ମୁଣ୍ଡରେ ରହିଥାଏ ବଗପରି ଖୋସା ପାଗ । ଏହି ଶ୍ରେଣୀର ସ୍ତ୍ରୀମାନେ ମଧ୍ୟ ପୁରୁଷଙ୍କ ପରି ଅଣ୍ଟାରେ ଛୋଟିଆ କନା ଖଣ୍ଡେ ଘେରାଇ ହୋଇଥାନ୍ତି । ଏହାହେଉଛି ସେମାନଙ୍କ ପୋଷାକ । ସମୟ ସମୟରେ ସ୍ତ୍ରୀମାନେ କପାରୁ ଅରଟରେ ସୂତା କାଟି ନିଜ ହାତରେ ଲୁଗା ବୁଣି ପିନ୍ଧି ଥାଆନ୍ତି-

 

ହଠାତ୍‌ ଲୀନାର ‘ଶବର ନୃତ୍ୟ’ କଥା ମନେପଡ଼ିଗଲା । ତାଙ୍କ ଗାଆଁରେ ଗୋଟିଏ ଯାତ୍ରା ଦଳ ଆସିଥିଲା । ସେହି ଯାତ୍ରାରେ ଲୀନା ଶବର ନୃତ୍ୟ ଦେଖିଥିଲା । ଆଗକୁ ଉଠିପଡ଼ି କହିଲା–ସାର୍‌ ! ଆମ ଗାଁରେ ଯାତ୍ରା ଦଳ ଶବର ନୃତ୍ୟ କରୁଥିବାର ମୁଁ ଦେଖିଥିଲି । ତା’ହେଲେ ଶବରମାନଙ୍କର ନୃତ୍ୟ କ’ଣ ସେହିପରି ?

 

Image

 

ହଁ ଭଲ କଥାଟିଏ ମନେପକାଇ ଦେଲୁ ! ଶିକ୍ଷକ କହିଲେ, ଆଜି ଆମ ଗାଆଁ ଗହଳରେ ହେଉଥିବା ଶବର ଶବରୁଣୀ ନୃତ୍ୟ ସେହି ଶବରମାନଙ୍କଠାରୁ ଅନୁସୃତ ହୋଇଛି । ଶବରମାନେ ସେମାନଙ୍କ ନୃତ୍ୟ ସମୟରେ ନାନାପ୍ରକାର ରଙ୍ଗୀନ ବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଅଣ୍ଟାରେ ନାନାପ୍ରକାର ଡାଳପତ୍ର ଖୋସିଥାନ୍ତି । ପୁରୁଷ ତା’ର ପ୍ରଧାନ ଅସ୍ତ୍ର ବା ଖଣ୍ଡା ବା ଧନୁଶର ଧରିଥାଏ-

 

ଏଥର ଶୁଣ ସେମାନଙ୍କର ସାଧାରଣ ଜୀବନ ଯାତ୍ରା କଥା । କୃଷିକୁ ସେମାନେ ପ୍ରଧାନ ଜୀବିକା ଭାବେ ଧରିନେଇ ଥାଆନ୍ତି । ପ୍ରଧାନତଃ ‘ପୋଡ଼ୁଚାଷ’ ମାଧ୍ୟମରେ ଧାନ, ମାଣ୍ଡିଆ, ଅଦା, ହଳଦୀ, ଘାଣ୍ଟିଆ, ଜହ୍ନା, କାଙ୍ଗୁ ଓ ସୁଆଁ ଆଦି ବିଭିନ୍ନ ପ୍ରକାର ଫସଲ ସେମାନେ ଉତ୍ପାଦନ କରିଥାନ୍ତି-। ଅନେକ ଶବର ପାହାଡ଼ମାନଙ୍କରେ କପା ଚାଷ ମଧ୍ୟ କରୁଥ‌ିବାର ଜଣାଯାଇଛି-

 

ଏହି ସମୟରେ ଶିକ୍ଷକ ଦେଖିଲେ ଲିପୁ ମାମୁନି ସହ କିଛି ଆଲୋଚନା ଚଳାଇଛି । ସେ ପଚାରିଲେ, ଲିପୁ କ’ଣ ହେଲା ? ତୋ’ ମନରେ କିଛି ସନ୍ଦେହଜାତ ହୋଇଛି କି ?

 

ସାର୍‌ ! ଶବରମାନେ ଖାଆନ୍ତି କ’ଣ ? ପଚାରିଲା ଲିପୁ ।

 

ହଁ ସେମାନେ ଯାହା ଚାଷ କରନ୍ତି ସେଗୁଡ଼ିକ ଖାଦ୍ୟ ଆକାରରେ ବ୍ୟବହାର କରିବା ତ ସାଧାରଣ କଥା । ସେମାନେ ମାଣ୍ଡିଆକୁ ଜାଉକରି ଖାଆନ୍ତି । ଏହା ବ୍ୟତୀତ ସଡ଼ପ ନାମକ ଗୋଟିଏ ଗଛର ମଞ୍ଜିକୁ ସଂଗ୍ରହ କରି ତାକୁ, ଖରାରେ ଶୁଖାନ୍ତି । ମଞ୍ଜି ସବୁ ଭଲଭାବରେ ଶୁଖିଗଲେ ତାକୁ ଗୁଣ୍ଡ କରନ୍ତି, ଏବଂ ସେଥିରୁ ପିଠା, ଜାଉ ପ୍ରଭୃତି କରି ଖାଆନ୍ତି । ଆଉ ମଧ୍ୟ ଆମ୍ବ ଟାକୁଆର କୋଇଲିକୁ ଚୂନାକରି ସେଥିରୁ ଜାଉ ପ୍ରସ୍ତୁତ କରି ଖାଇବାକୁ ଶବରମାନେ ଭାରି ଭଲ ପାଆନ୍ତି ।

 

ଏହି ସମୟରେ ଗୌତମ ଉଠିପଡ଼ି ପଚାରିଲା, ସାର୍‍ ! ଶବର ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ କୌଣସି ସାମାଜିକ ପ୍ରଥା ପ୍ରଚଳିତ ହୁଏ ନାହିଁ ?

 

ଶିକ୍ଷକ କହିଲେ, ହଁ ସେମାନଙ୍କ ସମାଜରେ ଅନେକଗୁଡ଼ିଏ ପ୍ରଥା ରହିଛି । ଅନ୍ଧବିଶ୍ୱାସ ମଧ୍ୟ ସେଥିରୁ ବାଦଯାଇନି । ଯଦି ଶବର ପରିବାରରେ କେହି ମରିଯାଏ ତେବେ ତା’ର ଶବ ସତ୍କାର ଦିଗରେ ସାଧାରଣତଃ ପରିବାରର ସ୍ତ୍ରୀ ଏବଂ ଝିଅମାନେ ଭାଗ ନେଇଥାନ୍ତି । ଶବ ସତ୍କାରର ପରଦିନ ସନ୍ଧ୍ୟାରେ ଶଶ୍ମାନରେ କୁକୁଡ଼ା ବଳି ଦିଆଯାଏ । ଏଥି ସହ ଭାତରେ ପିତାପତ୍ର ପଡ଼ି ରନ୍ଧାଯାଏ । ମୃତ ବ୍ୟକ୍ତିର ସମସ୍ତ ଜ୍ଞାତିକୁଟୁମ୍ୱ ସେଥିରୁ କିଛି ନେଇ ସେମାନଙ୍କ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରନ୍ତି । ଶବରମାନେ ଏହା ‘ଲିମ୍ମାଭୋଜି’ ବୋଲି କହିଥାନ୍ତି । ପିତୃପୁରୁଷଙ୍କୁ ସନ୍ତୁଷ୍ଟ କଲେ ଭଲ ଫସଲ ପାଇପାରିବେ ବୋଲି ସେମାନଙ୍କର ବିଶ୍ୱାସ-

 

ସାର୍‍ ! ଏକାଧିକ ପରିବାରକୁ ନେଇ ଗୋଟିଏ ଶବର ପଲ୍ଲୀ ବା ଗାଆଁ ହୋଇଥାଏ । ତେବେ ମନରେ ପ୍ରଶ୍ନ ଉଠେ ଗାଁ ଭିତରେ ଶବରମାନେ କ’ଣ କୌଣସି ବିଶୃଙ୍ଖଳା ସୃଷ୍ଟି କରନ୍ତି ନାହିଁ ? ଯଦି କରନ୍ତି ତେବେ ତାକୁ ସମାଧାନ କରେ କିଏ ? ଲିପୁ ଜାଣିବାକୁ ଇଚ୍ଛା କଲା ।

 

ହଁ ଗୋଟିଏ ଗାଁରେ ଏକାଧିକ ପରିବାର ରହୁଥିଲେ ସେମାନଙ୍କ ମଧ୍ୟରେ କୌଣସି ସମୟରେ ବିଶୃଙ୍ଖଳା ସୃଷ୍ଟି ହେବା ତ ସ୍ୱଭାବିକ ତଥା ଆଜିକାଲି ପ୍ରାୟ ପ୍ରତ୍ୟେକ ଗାଁରେ ତାହା ହେଉଛି, ହେଲେ ଶବରମାନଙ୍କ ଗାଆଁର ପରିଚାଳନ ଭିନ୍ନ ଧରଣର ହୋଇଥାଏ । ଏହା ମଧ୍ୟ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ବେଶ୍‌ ଉନ୍ନତି ଧରଣର । ସେମାନଙ୍କ ଗାଁରେ ଜଣେ ଜଣେ ମୁଖିଆ ଥାନ୍ତି । ସେ ‘ଗମାଙ୍ଗ’ ଭାବରେ ପରିଚିତ । ଗାଁରେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ତା’ର ସମାଧାନ ଗମାଙ୍ଗ କରିଥାନ୍ତି । ବେଳେବେଳେ ଦୁଇଟି ଗାଁ ମଧ୍ୟରେ କଳି ତକରାଳ ସୃଷ୍ଟି ହୋଇଥାଏ-। ତାହାକୁ ସମାଧାନ କରିଥାନ୍ତି ବିଶୋଇ । ଏହି ବିଶୋଇର କେତେ ଖଣ୍ଡ ଗାଁର ଅଧିକାରୀ ବା ମୁଖିଆ, ତାଙ୍କ ଅଧିକାରର ପରିସରଭୁକ୍ତ ଗାଁଗୁଡ଼ିକରେ ବିଭିନ୍ନ ସମସ୍ୟା ସମାଧାନ କରିବା ବ୍ୟତୀତ ତାଙ୍କର ଅନ୍ୟ କାମହେଲା ଖଜଣା ଆଦାୟ କରିବା ।

 

ଗାଁମାନଙ୍କରେ ଗମାଙ୍ଗକୁ ସାହାଯ୍ୟ କରିବା ପାଇଁ ଦଳବେହେରା ଓ ଭୂୟାଁ ଆଦି ଥାଆନ୍ତି-। ସେମାନେ ସଦାସର୍ବଦା ଗମାଙ୍ଗଙ୍କର ଆଜ୍ଞାବହ ଭାବରେ କାମ କରନ୍ତି । ଏମାନଙ୍କ ତଳକୁ ଥାଆନ୍ତି ମଣ୍ଡଳ, ହୃଦାଦାର ଆଦି ପଦବୀଧାରୀ ବ୍ୟକ୍ତିଗଣ । ସର୍ବୋପରି ପ୍ରତ୍ୟେକ ପଦବୀଧାରୀ ବ୍ୟକ୍ତିଙ୍କର କିଛି ନା କିଛି କ୍ଷମତା ରହିଥାଏ । ସେମାନଙ୍କର ଏପରି ସାମାଜିକ ବ୍ୟବସ୍ଥାଦ୍ଵାରା ଶବରମାନଙ୍କର ଆଭିଜାତ୍ୟ କିପରି ଥିଲା ତାହା ସ୍ପଷ୍ଟଭାବେ ଜାଣିହୁଏ ।

 

ପିଲାମାନେ ତୁମେମାନେ ପୁରାଣ ଯୁଗର ବିଦ୍ୟାପତିଙ୍କ ନାମ ଶୁଣିଥ‌ିବ, ଶିକ୍ଷକ ପଚାରିଲେ ।

 

ହଁ ସାର୍‍, ବିଦ୍ୟାପତି ଜଣେ ବ୍ରାହ୍ମଣ ଥିଲେ । ସେ ବିଶ୍ଵାବସୁ ଶବର ରାଜାଙ୍କ କନ୍ୟା ଲଳିତାଙ୍କୁ ବିବାହ କରିଥିଲେ । ପିଲାଙ୍କ ଠାରୁ ଉତ୍ତର ଆସିଲା ।

 

ଶିକ୍ଷକ କହିଲେ, ସେହି ବିଶ୍ୱାବସୁ ଶବର ରାଜା ପ୍ରଥମେ ଜଗନ୍ନାଥଙ୍କୁ ପୂଜା କରୁଥିଲେ । ବିଦ୍ୟାପତି କୌଶଳକ୍ରମେ ଶ୍ରୀଜଗନ୍ନାଥଙ୍କୁ ବସୁର ଉପାସନା ମଣ୍ଡପରୁ ଘେନି ଆସିଥିଲେ । କାଳକ୍ରମେ ବସୁ ଶବରର ବଂଶଧରମାନେ ଦଇତା ଏବଂ ଶବର କନ୍ୟାଠାରୁ ଜାତ ସନ୍ତାନମାନେ ସୁଆର ନାମରେ ପରିଚିତ ହେଲେ । ଆଜି ମଧ୍ୟ ସେମାନଙ୍କ ବଂଶଧରମାନେ ଶ୍ରୀମନ୍ଦିରର ନୀତି ଓ ବିଧି ବିଧାନ ସମ୍ପନ୍ନ କରୁଥିବାର ଦେଖାଯାଏ । ତେବେ ସେମାନେ ସମସ୍ତେ ଥିଲେ ଶୁଦ୍ଧ ଶବର । ସେତେବେଳକୁ ସ୍କୁଲର ପିରିଅଡ଼୍‌ ଘଣ୍ଟା ବାଜି ସାରିଥିଲା । ଅନ୍ୟ ଜଣେ ଶିକ୍ଷକ ପରବର୍ତ୍ତୀ ପିରିୟଡ଼ରେ ପଢ଼ାଇବେ ବୋଲି ପ୍ରସ୍ତୁତ ହେଉଥିଲେ । ଏତିକିବେଳେ ପିଲାମାନେ ଶିକ୍ଷକଙ୍କୁ କହିଲେ, ସାର୍‍ ! ଆଜି ଆପଣ ଆମ୍ଭମାନଙ୍କୁ ଶବରମାନଙ୍କ ସମ୍ପର୍କରେ ଯେତିକି ସୂଚନା ଦେଲେ ସେଥିରେ ଆମ୍ଭେମାନେ ଖୁବ୍‌ ଆନନ୍ଦ ଅନୁଭବ କଲୁ ।

 

ଶିକ୍ଷକ କହିଲେ, ତୁମମାନଙ୍କୁ ଧନ୍ୟବାଦ । ଆଜି ଏତିକି ଥାଉ । ଆସନ୍ତା ସପ୍ତାହରେ ପୁଣି ଦେଖାହେବ ।

 

ଏହାପରେ ଶିକ୍ଷକ ତାଙ୍କ ଚୌକିରୁ ଉଠିପଡ଼ି ଶ୍ରେଣୀ ଛାଡ଼ିବାକୁ ଉଦ୍ୟତ ହୁଅନ୍ତେ ପିଲାମାନେ ନିଜ ନିଜ ଆସନରୁ ଠିଆହୋଇ ତାଙ୍କୁ ସମ୍ମାନ ଜଣାଇଲେ ।

☆☆☆

 

Unknown

ବୈଗା ଶିଶୁ

 

ସ୍କୁଲ ଛୁଟି ହେଲା । ପିଲାମାନେ ବହିପତ୍ର ଧରି ଘରକୁ ବାହାରିଲେ । ହେଲେ ଲିପୁ ଶ୍ରେଣୀ ବାରଣ୍ଡାରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କଲା । ମାମୁନି ଆସିବ ତା’ ଶ୍ରେଣୀଟି ଟିକିଏ ଦୂରରେ ଥିଲା । ସେ ଆସିଲେ ଦୁହେଁ ସାଥି ହୋଇ ଘରକୁ ଯିବେ । କାରଣ ଏହା ଥିଲା ବାପାଙ୍କର ନିର୍ଦ୍ଦେଶ । ହେଇ ତ ମାମୁନି ଆସିଲାଣି ।

 

ମାମୁନି ଗୋଟିଏ ହାତରେ ସ୍କୁଲ ବାକ୍‌ସ ଓ ଅନ୍ୟ ହାତରେ ପାଣି ବୋତଲଟିକୁ ହଲାଇ ହଲାଇ ଆସୁଥିଲା । ତା’ ମୁହଁରେ ଚେନାଏ ହସ କାରଣ ଆଜି ସବୁଦିନ ଅପେକ୍ଷା ଟିକେ ଶୀଘ୍ର ଛୁଟିହୋଇ ଯାଇଛି । ବୋଧହୁଏ ସାର୍‌ମାନଙ୍କର ଅଫିସରେ କୌଣସି ମିଟିଙ୍ଗ ଅଛି ।

 

ଲିପୁ ଆଉ ମାମୁନି ସାଥିହୋଇ ଘରକୁ ଚାଲିଲେ । ସେମାନଙ୍କ ଅନ୍ୟ ସାଙ୍ଗମାନେ ଟିକିଏ ଆଗେଇ ଗଲେଣି ହେଲେ ଏମାନେ.....

 

ଦୁହେଁ ମିଶି ଆଗକୁ ଆଗ ପାଦ ପକାଇ ଚାଲିଲେ । ବଜାର ନିକଟରେ ପହଞ୍ଚିବାକୁ ସେମାନଙ୍କୁ ବେଶି ଡେରି ହେଲା ନାହିଁ । ସେଠାରୁ ଆଉ ଅଳ୍ପ ବାଟ ଆଗକୁ ଗଲେ ସେମାନଙ୍କ ଘର ଦେଖାଯିବ ।

 

ଅଳ୍ପ କେଇ ସେକେଣ୍ଡ ପାଇଁ ଅଟକି ଗଲେ ଲିପୁ ଓ ମାମୁନି । କଥା କ’ଣ ? ଓ ବଜାରରର ଆରପଟ ଛକରେ ଗୁଡ଼ିଏ ପିଲା ଜମା ହୋଇଛନ୍ତି ପରା, ତେବେ କାହିଁକି କ’ଣ ହେଉଛି ସେଠାରେ ?

 

ଲିପୁ ଓ ମାମୁନି ଦୁହିଁଙ୍କ ମନରେ କୌତୂହଳ ବୃଦ୍ଧି ପାଇଲା । ଦୁହେଁ ସେଠାକୁ ଯିବାକୁ ଠିକ୍‌ କଲେ । ଗଲେ ମଧ୍ୟ ।

 

ଲିପୁ ଭାଇନା ! ଦେଖିଲୁଣି ଯାଦୁକରଟିଏ ପରା । ସେ କିପରି ଖେଳ ଦେଖାଉଛି ।

 

ହଁ, ଆମେ କିଛି ସମୟ ପାଇଁ ଯାଦୁ ଖେଳ ଦେଖି ଘରକୁ ଯିବା । ସନ୍ଧ୍ୟା ହେବାକୁ ତ ଅନେକ ଡେରି ଅଛି । ଆମ ସ୍କୁଲ ପିଲାଙ୍କ ମଧ୍ୟରୁ ଅନେକ ମଧ୍ୟ ଏଠାରେ ଅଛନ୍ତି । ଲିପୁ କହିଲା ।

 

ସେମାନେ ସମସ୍ତେ ତ ଏଇଠାରେ ।

 

ଲିପୁ ଓ ମାମୁନି ସେଠାରେ ଠିଆହୋଇ ଯାଦୁଖେଳ ଦେଖିଲେ । ତାହା ଦେଖି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଘରକୁ ଫେରି ବାପାଙ୍କ ଆଗରେ ସେଗୁଡ଼ିକ ବଖାଣି ବସିବେ ସେମାନଙ୍କୁ ଫୁର୍‍ସତ ମିଳିଲା ନାହିଁ ।

 

ଯାଦୁକରଟିର ବିଭିନ୍ନ ପ୍ରକାର ଖେଳ ଦେଖିସାରି ଅଳ୍ପ ସମୟ ମଧ୍ୟରେ ସେମାନେ ଘରେ ପହଞ୍ଚି ଗଲେ । ତେଣେ ମା’ ସ୍ନେହଲତା ଦେବୀ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ବାପା ! ବାପା ! ପିଉସା ! ପିଉସା ! ଶୁଣ ଆମେ ସ୍କୁଲରୁ ଫେରିବା ବାଟରେ ଯାଦୁକରଟିଏ ଖେଳ ଦେଖାଉ ଥିଲା । ତୁମେ ଦେଖିଥିଲେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି । ତେବେ ସେ ଯାଦୁବିଦ୍ୟା ଶିଖିଲା କେଉଁଠାରୁ ? ଲିପୁ ଓ ମାମୁନି ଗୋଟିଏ ସ୍ୱରରେ ପଚାରିଲେ ଶରତ ବାବୁଙ୍କୁ ।

 

ଅଳ୍ପ ସମୟ ପୂର୍ବରୁ ଶରତ ବାବୁ ଅଫିସରୁ ଫେରି ଆରାମ ଚୌକି ଉପରେ ବସି ଥକ୍‌କା ମେଣ୍ଟାଉ ଥିଲେ । ପିଲାମାନଙ୍କର ଏପରି କୋଳାହଳ ଯଦିଓ ତାଙ୍କୁ ବ୍ୟତିବ୍ୟସ୍ତ କଲା ତଥାପି ସେ ପିଲାମାନଙ୍କର ଆଗ୍ରହକୁ ଭାଙ୍ଗିବାକୁ ନ ଦେଇ କହିଲେ, ଜଣକ ପରେ ଜଣେ ସିନା କହିଲେ ମୁଁ ସବୁ କଥା ବୁଝି ପାରିବି । ତୁମେ ଦୁଇଜଣ ଯାକ ଏକାବେଳକେ କହିଲେ କିପରି ହେବ-?

 

ଶରତ ବାବୁ ପ୍ରଥମେ ଲିପୁଠାରୁ ଶୁଣିଲେ । ତା’ପରେ ମାମୁନି କହିଲା, ପିଉସା ! ଲୋକଟି ଯାଦୁ ଖେଳ ଦେଖାଇବ ବୋଲି ତୁମେ ଖବର ପାଇ ନଥିଲ କି ? ତୁମେ ତା’ର ଖେଳ ଦେଖିଥିଲେ ନିଶ୍ଚୟ ଆନନ୍ଦ ଅନୁଭବ କରିଥାନ୍ତ ।

 

ମୁଁ ସେ ଲୋକଟି ଖେଳ ଦେଖିଛି । ଅଫିସରୁ ଫେରିବା ବାଟରେ ସେ ଆମ ଅବଧାନଙ୍କ ଘର ନିକଟରେ ଥିବା ଛକରେ ବସି ଖେଳ ଦେଖାଉଥିଲା । ହଠାତ୍‌ କିଛି ସମୟ ପାଇଁ ମୋର ଦୃଷ୍ଟି ତା’ ଉପରେ ପଡ଼ିଲା । ହଁ ଯେଉଁ ଲୋକଟି ଯାଦୁବିଦ୍ୟା ପ୍ରଦର୍ଶନ କରୁଥିଲା ବୋଲି ଯାହା କହୁଛୁ, ତାହା ଅବଶ୍ୟ ସତ ନୁହେଁ । ସେ କେବଳ ତା’ ହାତର କୌଶଳଦ୍ୱାରା ବିଭିନ୍ନ ପ୍ରକାରର ଖେଳ ଦେଖାଉ ଥିଲା । ମୁଁ ଆଜି ତୁମ ଦୁହିଁଙ୍କୁ ଗୋଟିଏ ଜାତିର ଲୋକଙ୍କ କଥା କହିବି । ଏବେ ତୁମେମାନେ ଯାଇ ଖିଆପିଆ କାମ ଶେଷ କର । ଶରତ ବାବୁ ଲିପୁ ଓ ମାମୁନିକୁ ବୁଝାଇ ଦେଲେ-

 

ବାପାଙ୍କ ଠାରୁ ଏହା ଶୁଣିବା ମାତ୍ରେ ଲିପୁ ଓ ମାମୁନି ଆନନ୍ଦରେ ନାଚି ଉଠିଲେ । ସେମାନେ ଆଜି ପ୍ରକୃତ ଯାଦୁବିଦ୍ୟା ସମ୍ବନ୍ଧରେ ଶୁଣିବେ । ପିଲାମାନେ ଖୁବ୍‌ ଶୀଘ୍ର ସେମାନଙ୍କର ଖିଆପିଆ ସାରି ନେଲେ । ଇତିମଧ୍ୟରେ ଶରତ ବାବୁ ତାଙ୍କର ପୋଷାକପତ୍ର ବଦଳାଇ ଧୁଆଧୋଇ ହୋଇ ସାରିଥିଲେ । ତାଙ୍କ ହାତରେ ରହିଥିଲା ସେହି ଦିନର ଇଂରାଜୀ ଖବରକାଗଜଟିଏ । ସେଇଟିକୁ ନେଇ ସେ ବସି ପଢ଼ିଲେ ତାଙ୍କ ବୈଠକଖାନାରେ ।

 

ଲିପୁ ଓ ମାମୁନି ଆସି ସେଠାରେ ପହଞ୍ଚି ଗଲେ ।

 

ବାପା ! ଯାଦୁବିଦ୍ୟାରେ ବିଶ୍ୱାସ ଥିବା ଲୋକଙ୍କ କଥା ତୁମ୍ଭେ ଆମକୁ ଶୁଣାଇବ ବୋଲି କହୁଥିଲନା ? ଖବରକାଗଜ ପଢ଼ାରେ ମଗ୍ନ ରହିଗଲ କିପରି ? ଲିପୁ ଶରତ ବାବୁଙ୍କ ପାଖକୁ ଯାଇ କହିଲା ।

 

ହଁ ନିଶ୍ଚୟ କହିବି ଶୁଣ, ଶରତ ବାବୁ ଖବରକାଗଜକୁ ଟେବୁଲ ଉପରେ ରଖିଦେଲେ । ତା’ପରେ କହିଲେ, ମୁଁ ଆଜି ତୁମମାନଙ୍କୁ ଯେଉଁମାନଙ୍କ ବିଷୟରେ କହିବି ସେମାନେ ହେଲେ ବୈଗା ଶିଶୁ ।

 

ବାପାଙ୍କ ଠାରୁ ବୈଗା ଶବ୍ଦଟି ଶୁଣି ଲିପୁ କୌତୂହଳୀ ହୋଇ ପଡ଼ିଲା । ସେ ପଚାରିଲା, ବାପା ବୈଗା କ’ଣ ?

 

ଶରତ ବାବୁ ବୁଝାଇ ଦେଲେ, ଆମ ଦେଶରେ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ସେମାନଙ୍କ ମଧ୍ୟରୁ ‘ବୈଗା’ ହେଲେ ଅନ୍ୟତମ । ମୁଁ ଆଜି ସେଇ ସମ୍ପ୍ରଦାୟର ଶିଶୁମାନଙ୍କ କଥା ତୁମକୁ କହିବି ।

 

ମାମୁନି କହିଲା, ପିଉସା ! ବୈଗାମାନେ କେଉଁଠାରେ ବାସ କରନ୍ତି ? ଏମାନେ ବହୁଳ ଭାବରେ ମଧ୍ୟପ୍ରଦେଶର ଗଣ୍ଡମାନଙ୍କ ସହିତ ବାସ କରନ୍ତି । ଏହି ଗଣ୍ଡମାନେ ହେଲେ ଆଦିବାସୀମାନଙ୍କର ଆଉ ଏକ ଜାତି ।

ଶରତ ବାବୁ ଦେଖିଲେ ଲିପୁ ମନେମନେ କିଛି ଗୁଣୁଗୁଣୁ ହେଉଛି । ସେ ପଚାରିଲେ, କ’ଣ ବୁଝିବାରେ କିଛି ଅସୁବିଧା ହେଲାକି ଲିପୁ ! ବାପା ସେମାନଙ୍କର ଏପରି ନାମକରଣ ହେବା ପଛରେ କିଛି କାରଣ ରହିଛି କି ?

ହଁ ଏ ସମ୍ବନ୍ଧରେ ଗୋଟିଏ କିମ୍ବଦନ୍ତୀ ଅଛି ଶୁଣ–ସେମାନେ ନିଜକୁ ‘ନାଗ ବୈଗା’ଙ୍କର ସନ୍ତାନ ବୋଲି କହିଥାଆନ୍ତି । ନାଗ ବୈଗା କୌଣସି ଏକ ଶୁଭ ବେଳାରେ ପୃଥିବୀରେ ଜନ୍ମଗ୍ରହଣ କରିଥିବେ ବୋଲି କୁହାଯାଏ । ସେହି ସମୟରେ ସୃଷ୍ଟିକର୍ତ୍ତା ବ୍ରହ୍ମା ପୃଥିବୀରେ ସମୁଦ୍ର ସୃଷ୍ଟି କଲେ, ସେ ସମୟରେ ପୃଥିବୀ ଖୁବ୍‌ ଉତ୍ତପ୍ତ ଥିଲା ଏବଂ ତାହା ମହାଶୂନ୍ୟରେ ଦୋଳାୟମାନ ହୋଇ ରହିଥିଲା । ଭଗବାନଙ୍କର ସାଗର ସୃଷ୍ଟି ପରେ ମଧ୍ୟ ତାହା ଦୃଢ଼ ଅବସ୍ଥାକୁ ଆସିଲା ନାହିଁ । ତେଣୁ ଏଥିପାଇଁ ସେ ପବନକୁ ନିୟୋଜିତ କଲେ । ପବନ ତ ଅନ୍ଧ ସେ କାହାକୁ ମାନେ ନାହିଁ । ଭଗବାନ ପବନଦ୍ୱାରା କୌଣସି କାର୍ଯ୍ୟ ହୋଇପାରିବନି ଜାଣି ଅନ୍ୟ କୌଣସି ମାଧ୍ୟମରେ ପ୍ରଚଣ୍ଡ ବଳ ପ୍ରୟୋଗ କରି ପୃଥିବୀକୁ ଦୃଢ଼ କରିବା ନିମନ୍ତେ ସ୍ଥିର କଲେ । ଏଥିପାଇଁ ବଳର ଦେବତା ଭୀମସେନଙ୍କୁ ଉପଯୁକ୍ତ ମନେକରି ତାଙ୍କୁ ଅନୁରୋଧ କଲେ । ହେଲେ ସେ ମଧ୍ୟ ପାରିଲେ ନାହିଁ ।

ଏହା ଜାଣି ଭଗବାନ ଖୁବ୍‌ ସନ୍ଦେହରେ ପଡ଼ିଲେ । ପୃଥିବୀତ ଦୃଢ଼ ହୋଇପାରିଲା ନାହିଁ, ତାହା ବୁଢ଼ିଆଣୀ ବସା ଭଳି ଯାହା ଖାଲି ଝୁଲିବାକୁ ଲାଗିଲା । ତେବେ ସେଥିରେ ଜୀବଜନ୍ତୁମାନଙ୍କର ସର୍ଜନା ହେବ କିପରି ?

 

ପରିଶେଷରେ ଭଗବାନ ନାଗବୈଗାଙ୍କୁ ଏ ଗୁରୁଦାୟିତ୍ୱ ଦେଲେ । ନାଗବୈଗା ତାଙ୍କର ବଳପ୍ରୟୋଗ କରି ପୃଥିବୀ ଉପରେ ତାଙ୍କର ପାଦ ଦେବା ମାତ୍ରକେ ତାହା ଦୃଢ଼ ତଥା ସ୍ଥିର ହୋଇଗଲା ।

 

ଏଥର ଭଗବାନ ବ୍ରହ୍ମାଙ୍କୁ ପୃଥିବୀ ବକ୍ଷରେ ଜୀବଜଗତ ସୃଷ୍ଟି କରିବା ପାଇଁ କୌଣସି ଅସୁବିଧା ହେଲା ନାହିଁ । କ୍ରମେ ପୃଥିବୀ ପୃଷ୍ଠରେ ଯେଉଁ ମାନବ ସୃଷ୍ଟି ହେଲେ ସେମାନେ ହେଲେ ସେହି ନାଗାବୈଗାଙ୍କର ବଂଶଧର । ସେମାନଙ୍କର ଯାଦୁବିଦ୍ୟା ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଲା । ସେମାନେ ମଧ୍ୟ ବନ୍ୟଜନ୍ତୁମାନଙ୍କୁ ପୋଷା ମନେଇ ଶିଖିଲେ ।

 

ଏସବୁ ବିଷୟ ବର୍ଣ୍ଣନା କରୁ କରୁ ଶରତ ବାବୁ ଟିକିଏ ରହିଯିବାର ଜାଣି ଲିପୁ ପଚାରିଲା, ମୁଁ ଆଜି ଦେଖିଥିବା ଯେଉଁ ଯାଦୁକର ବିଷୟରେ ତୁମକୁ କହୁଥିଲି, ବୈଗାମାନେ କ’ଣ ତା’ପରି ଖେଳ ଦେଖାଇ ପାରନ୍ତି ?

 

ସେତିକି କ’ଣ, ତା’ ଅପେକ୍ଷା ଅଧିକ । ଶରତ ବାବୁ କହିଲେ ବୈଗା ସମ୍ପ୍ରଦାୟର ଗୁଣିଆମାନେ ତାଙ୍କର ତନ୍ତ୍ରବିଦ୍ୟା ଦ୍ୱାରା କୌଣସି ରୋଗୀକୁ ମଧ୍ୟ ଆରୋଗ୍ୟ କରିଦେଇଥାଆନ୍ତି । ସେମାନଙ୍କର କ୍ଷମତା ବଳରେ ସେମାନେ ଯେକୌଣସି ସ୍ଥାନର ଗୁପ୍ତ ଧନସମ୍ପତ୍ତିକୁ ମଧ୍ୟ ଆବିଷ୍କାର କରିପାରନ୍ତି । ବୈଗାମାନଙ୍କର ଏପରି ଶକ୍ତି ଲିପୁ ଓ ମାମୁନିକୁ ଆଶ୍ଚର୍ଯ୍ୟାନ୍ୱିତ କରିପକାଇଲା । ସେମାନେ ପଚାରିଲେ, ବୈଗାମାନେ ତ ସେମାନଙ୍କର ଅଦ୍ଭୁତ କୌଶଳମାନ ପ୍ରଦର୍ଶନ କରିବାରେ ଧୁରନ୍ଧର । ସେମାନଙ୍କୁ ଦେଖିଲେ କୌଣସି ଲୋକ ଭୟ କରେ ନାହିଁ ।

 

Image

 

ପିଲାଙ୍କର ଏପରି ପ୍ରଶ୍ନ ଶୁଣି ଟିକିଏ ହସିଲେ । ତା’ପରେ କହିଲେ, ପିଲାମାନେ ସେମାନେ ପରା ଆମରି ପରି ମଣିଷ । ତୁମେମାନେ କ’ଣ କୌଣସି କାରଣ ନଥାଇ କାହାର ଅନିଷ୍ଟ କର ? ଆଦୌ ନୁହେଁ, ଠିକ୍‌ ସେହିପରି ସେମାନେ ବିନା କାରଣରେ କାହାର କ୍ଷତି କରନ୍ତି ନାହିଁ । ଆଉ ମଧ୍ୟ ଯେଉଁମାନେ ବୈଗାମାନଙ୍କର କ୍ଷତି କରନ୍ତି ସେମାନେ ତାଙ୍କୁ କ୍ଷମା ଦିଅନ୍ତି ନାହିଁ ।

 

ବାପା ବୈଗାମାନେ ଭିନ୍ନ ଭିନ୍ନ ସ୍ଥାନ ବୁଲି ସେମାନଙ୍କର ଯାଦୁବିଦ୍ୟା ପ୍ରଦର୍ଶନ କରନ୍ତି । ସେମାନେ ତ ଏଥିରୁ ଅନେକ ଅର୍ଥ ଉପାର୍ଜନ କରୁଥିବେ ? ଜାଣିବାକୁ ଇଚ୍ଛାକଲା ଲିପୁ ।

 

ନାରେ ଲିପୁ, ବାପା ବୁଝାଇ ଦେଲେ, ବୈଗାମାନଙ୍କର ସାଧାରଣ ବ୍ୟବସାୟ ତାହା ନୁହେଁ । ସେମାନେ ଚାଷ ଉପରେ ନିର୍ଭର କରି ଜୀବନଯାପନ କରିଥାନ୍ତି । ସେମାନଙ୍କ ଚାଷ ପ୍ରଣାଳୀକୁ ‘ଝୁମ’ ବୋଲି କୁହାଯାଏ । ହେଲେ ଏହି ପ୍ରଣାଳୀଦ୍ୱାରା ପରିବେଶର ଯେ କେତେ କ୍ଷୟ ସାଧନ ହୁଏ ତାହା ସେମାନେ ଜାଣିପାରନ୍ତି ନାହିଁ । ଏହାର ମୂଳ କାରଣ ହେଉଛି ସେମାନଙ୍କର ଶିକ୍ଷାର ଅଭାବ । ଦ୍ଵିତୀୟରେ ସେମାନେ ହେଲେ ଅନଗ୍ରସର ଶ୍ରେଣୀ ।

 

ଝୁମ ଚାଷ ପ୍ରଣାଳୀ ପିଲାମାନଙ୍କ ମନରେ ବେଶ୍‌ କୌତୂହଳ ସୃଷ୍ଟି କଲା । ଲିପୁ ଆଉ ମୁହୂର୍ତ୍ତେ ମାତ୍ର ଅପେକ୍ଷା କରିନପାରି ପଚାରିଲା, ବାପା ବୈଗାମାନଙ୍କର ଝୁମ ଚାଷ ପ୍ରଣାଳୀରେ କ’ଣ ସେ ବିଷୟରେ ତ କିଛି କହିଲ ନାହିଁ ?

 

ହଁ କହୁଛି ଶୁଣ, ଶରତ ବାବୁ ବୁଝାଇଲେ, ଝୁମ ପ୍ରଣାଳୀରେ ଚାଷ କରିବା ପଛରେ ବୈଗାମାନଙ୍କର ଗୋଟିଏ ଅନ୍ଧବିଶ୍ୱାସ ଅଛି । ଲୁହା ଲଙ୍ଗଳରେ ମାଟି କର୍ଷଣ କଲେ ତାହା ପୃଥ‌ିବୀ ମାତାକୁ ଅସହ୍ୟ ଯନ୍ତ୍ରଣାପ୍ରଦାନ କରିବ ବୋଲି ସେମାନଙ୍କର ଧାରଣା ତେଣୁ ସେମାନେ ଜମି କର୍ଷଣ କରନ୍ତି ନାହିଁ । ଅଧିକନ୍ତୁ ସେମାନେ ଜଙ୍ଗଲର ଗୋଟିଏ ଅଞ୍ଚଳର ସମସ୍ତ ସାନ ବଡ଼ ଗଛଗୁଡ଼ିକୁ କାଟି ତଳେ ପକାଇ ଦିଅନ୍ତି । ଅଳ୍ପ ଦିନ ମଧ୍ୟରେ ସେଗୁଡ଼ିକ ପ୍ରଖର ସୂର୍ଯ୍ୟତାପଦ୍ଵାରା ଶୁଖିଗଲେ ବୈଗାମାନେ ସେଥ‌ିରେ ନିଆଁ ଲଗାଇ ଦିଅନ୍ତି । ନିଆଁ ଲିଭିଯିବା ପରେ ଯେଉଁ ପାଉଁଶ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପଡ଼ିରହେ ତା’ ଉପରେ ବିହନ ବୁଣିଥାନ୍ତି । ଏହାକୁ ‘ଝୁମ’ ଚାଷ ପ୍ରଣାଳୀ କହିଥାନ୍ତି ।

 

ଶରତ ବାବୁ ବୁଝାଇଲେ–ସେମାନେ ଦେଖିବାକୁ କଳା ବା ଶ୍ୟାମଳ ବର୍ଣ୍ଣ । ବୈଗା ସମ୍ପ୍ରଦାୟର ଉଭୟ ପୁରୁଷ ଓ ସ୍ତ୍ରୀ ସେମାନଙ୍କ ଶରୀରକୁ ଆବୃତ କଲାଭଳି ଆଣ୍ଠୁ ପର୍ଯ୍ୟନ୍ତ ଧୋତି ପିନ୍ଧନ୍ତି । ମୁଁ ତ ତୁମମାନଙ୍କୁ ପୂର୍ବରୁ କହିଥିଲି, ସେମାନେ କୃଷି ନିମିତ୍ତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥ‌ିବାରୁ ସେମାନଙ୍କର ନିର୍ଦ୍ଦିଷ୍ଟ ଘରଦ୍ଵାର ନାହିଁ । ତେବେ ସାଧାରଣତଃ ପାହାଡ଼ିଆ ଅଞ୍ଚଳରୁ ଛାଡ଼ି ଯେଉଁ ବୈଗାମାନେ ସମତଳ ଅଞ୍ଚଳରେ ବାସ କରନ୍ତି ସେମାନଙ୍କର ପ୍ରଧାନ ବେଉସା ହେଲା ମୂଲ ଲାଗିବା । ସର୍ବୋପରି ବୈଗାମାନେ ବଣର ଫଳମୂଳ ଏବଂ ଜୀବଜନ୍ତୁଙ୍କ ମାଂସ ଖାଇ ବଞ୍ଚିଥାଆନ୍ତି ।

 

ଏଥର ପିଲାଏ ବୈଗା ସମ୍ପ୍ରଦାୟର ଶିଶୁମାନଙ୍କ କଥା ଶୁଣ–ବାପା ସେମାନେ କ’ଣ ପାଠ ପଢ଼ିବା ପାଇଁ ସ୍କୁଲକୁ ଯାଆନ୍ତି ନାହିଁ ? ପଚାରିଲା ଲିପୁ, ଶରତ ବାବୁ କହିଲେ–ନାଁ ବୈଗା ଶିଶୁମାନଙ୍କର ପାଠ ପଢ଼ି ପରିବେଶ ଆସିବ କେଉଁଠୁ ? ସେମାନଙ୍କୁ ତ ସବୁବେଳେ ସେମାନଙ୍କ ପିତାମାତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବୁଲିବାକୁ ପଡ଼ିଥାଏ । ତୃତୀୟତଃ ସେମାନଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ । ଏପରିକି ଅନେକ ବୈଗା ଦୁଇବେଳା ପେଟ ପୂରାଇ ଭାତ ଖାଇବାକୁ ପାଆନ୍ତି ନାହିଁ । ଏସବୁ ପରିସ୍ଥିତିରେ ସେମାନେ କିପରି ପିଲାମାନଙ୍କ କଥା ଚିନ୍ତା କରିବେ ? ହଁ ସେମାନଙ୍କ ସମ୍ପ୍ରଦାୟର ପିଲାମାନେ ଜଙ୍ଗଲରୁ ବିଡ଼ି ପତ୍ର ସଂଗ୍ରହକରି ପିତାମାତାଙ୍କୁ ଯୋଗାଇଥାନ୍ତି । ପିତାମାତାମାନେ ସେଗୁଡ଼ିକୁ ବିକ୍ରି କରି କିମ୍ବା କୌଣସି ଠିକାଦାରଙ୍କୁ ଯୋଗାଇ ତା’ ବଦଳରେ କିଛି ଅର୍ଥ ରୋଜଗାର କରିଥାନ୍ତି ।

 

ମାମୁନି ଧୀରସ୍ଥିର ଭାବରେ ଶରତ ବାବୁଙ୍କର ଏସବୁ କଥା ଶୁଣିଯାଉଥିଲା । ବୈଗାମାନଙ୍କର ଅନ୍ୟାନ୍ୟ କଥା ଜାଣିବାକୁ ସେ ଆଗ୍ରହର ସହିତ ଶରତବାବୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିଲା ।

 

ପିଉସା ବୈଗାମାନେ କ’ଣ ଅବସର ସମୟରେ କୌଣସି ଆମୋଦପ୍ରମୋଦ କରନ୍ତି ନାହିଁ । କାରଣ ତାହା ବିନା ସେମାନଙ୍କର ଜୀବନ ନିରସ ବୋଧ ହେଉଥ‌ିବ ।

 

ହଁ ମାମୁନି ତୁ ଭଲ ପ୍ରଶ୍ନଟିଏ ପଚାରିଛୁ । ଶରତ ବାବୁ ବୁଝାଇ ଦେଲେ । ବୈଗାମାନେ ନୃତ୍ୟ, ଗୀତ ତଥା ଧନୁ ଚାଳନାରେ ବେଶ୍‌ ଦକ୍ଷତା ଲାଭ କରିଥାନ୍ତି । ନୃତ୍ୟ ସମୟରେ ପୁରୁଷ ଓ ସ୍ତ୍ରୀ ପରସ୍ପର ହାତ ଧରାଧରି ହୋଇ ଡ୍ରମ ବଜାଇ ତାଳେ ତାଳେ ପାଦପକାଇ ନାଚିଥାନ୍ତି । ଏହି ସମୟ ମଧ୍ୟରେ ସେମାନେ ନିଜ ଜୀବନର ସମସ୍ତ ଦୁଃଖକୁ ଭୁଲିଯାଇଥାନ୍ତି । ଏହାଛଡ଼ା ସେମାନଙ୍କର ଲୋକନୃତ୍ୟ ମଧ୍ୟ ଦେଖିବାକୁ ଖୁବ୍‌ ମଜା ଲାଗେ ।

 

ଏଥର ମୁଁ ସେମାନଙ୍କର ପର୍ବପର୍ବାଣି ତଥା ପୂଜା ସମ୍ବନ୍ଧରେ କିଛି କହୁଛି ଶୁଣ–ବୈଗାମାନେ ହେଲେ ଆମରି ପରି ହିନ୍ଦୁ ଧର୍ମର ଲୋକ । ତେଣୁ ସେମାନେ ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ, ଶଙ୍କର, ମା’ କାଳୀ, ମା’ ମଙ୍ଗଳାଙ୍କୁ ପୂଜା କରିଥାନ୍ତି । ସେମାନଙ୍କର ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ରାମନବମୀ ପର୍ବ ପ୍ରଧାନ । ଏଇଟିକୁ ସେମାନେ ବେଶ୍‌ ଜାକଜମକରେ ପାଳନ କରିଥାନ୍ତି । ନିର୍ଦ୍ଦିଷ୍ଟ ଦିନରେ ସେମାନଙ୍କର ଶୋଭାଯାତ୍ରାଟିଏ ବାହାରେ । ସେହି ଶୋଭାଯାତ୍ରାର ସମ୍ମୁଖ ଭାଗରେ ବୈଗା ସ୍ତ୍ରୀ ଲୋକମାନେ ନିଜ ନିଜ ମୁଣ୍ଡ ଉପରେ ଗୋଟିଏ ଲେଖାଏ ମାଠିଆ ଧରି ଚାଲିଥାନ୍ତି । ଏହି ମାଠିଆମାନଙ୍କରେ ମାଟି ରହିଥାଏ, ଏବଂ ସେଥ‌ିରେ ଦଶ ଦିନ ପୂର୍ବରୁ ବାର୍ଲି କିମ୍ବା ଗହମ ଗଛଟିଏ ପୋତାଯାଇଥାଏ । ସେମାନଙ୍କୁ ଅନୁସରଣ କରି ଅନ୍ୟାନ୍ୟ ଭକ୍ତଗଣ ପଛେ ପଛେ ଚାଲିଥାନ୍ତି । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନେ ଅଚେତ ହୋଇ ପଡ଼ିଥାନ୍ତି ।

 

ଏହାପରେ ଗୋଟିଏ ଲୁହା ଶିକୁଳିକୁ ଲାଲ ପଡ଼ିବା ପର୍ଯ୍ୟନ୍ତ ଉତ୍ତପ୍ତ କରାଯାଏ । କ୍ରମେ ସେଇଟିକୁ, କାଳେସୀ ଆସି ଧରନ୍ତି । ହେଲେ ଦେବତାଙ୍କର ମହିମାଦ୍ୱାରା ତାଙ୍କର କୌଣସି କ୍ଷତି ହୁଏ ନାହିଁ । ଏଥିପାଇଁ କାଳେସୀଙ୍କର ନିର୍ଦ୍ଦିଷ୍ଟ ମନ୍ତ୍ରଟିଏ ବେଶ୍‌ କାମ ଦେଇଥାଏ ।

 

ଶରତ ବାବୁଙ୍କ ଠାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ କଥା ଶୁଣି ଲିପୁ ଓ ମାମୁନି ବେଶ୍‌ ଆନନ୍ଦିତ ହେଲେ ।

 

ବୈଗା ସମ୍ପ୍ରଦାୟର ଲୋକମାନେ ଏପରି କିଛି ଜିନିଷ ବ୍ୟବହାର କରନ୍ତି ଯେଉଁଥିରେ କିଛି ବିଶେଷତ୍ୱ ପରିଲକ୍ଷିତ ହୁଏ । ଲିପୁ ଜାଣିବାକୁ ଇଚ୍ଛାପ୍ରକାଶ କଲା ।

 

ଶରତ ବାବୁ କହିଲେ, ହଁ ସେପରି ଜିନିଷତ ଅନେକଗୁଡ଼ିଏ ରହିଛି । ତଥାପି ମୁଁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ଉଦାହରଣ ଦେଉଛି ଶୁଣ–ବୈଗାମାନେ ବାଉଁଶ ନିର୍ମିତ ଏକପ୍ରକାର ଛତା ବ୍ୟବହାର କରିଥାନ୍ତି । ଆଜିକାଲି ଆମେମାନେ ଯେଉଁ ବାଉଁଶ ବେଣ୍ଟ ଥିବା ଛତା ବ୍ୟବହାର କରୁଛେ ସେଗୁଡ଼ିକ ଠାରୁ ବୈଗାମାନଙ୍କର ଉକ୍ତ ଛତାଟି ବେଶ୍‌ ଉନ୍ନତ ଧରଣର । ସେମାନେ ସେଇଟିକୁ ‘ଖମ’ ବୋଲି କହିଥାନ୍ତି ।

 

ଶରତ ବାବୁ ବୈଗା ଆଦିବାସୀମାନଙ୍କ କଥା ଏତିକିରେ ଶେଷକରି ପିଲାମାନଙ୍କୁ କହିଲେ, ବର୍ତ୍ତମାନ ତ ସନ୍ଧ୍ୟାହେଇ ଗଲାଣି । ଏଥର ତୁମେମାନେ ପଢ଼ାପଢ଼ି କରିବାକୁ ଯାଅ । ଆସନ୍ତାକାଲି ମୁଁ ତୁମମାନଙ୍କୁ ଆଉ ଗୋଟିଏ ଆଦିବାସୀ ସମ୍ପ୍ରଦାୟ କଥା କହିବି । ତାକୁ ଶୁଣିଲେ ତୁମେମାନେ ଖୁବ୍‌ ଖୁସି ହେବ ।

 

ଏଥର ପିଲାମାନେ ଗୋଡ଼ ହାତ ଧୋଇ ସନ୍ଧ୍ୟା ପ୍ରାର୍ଥନା କରିବାକୁ ଚାଲିଗଲେ ।

☆☆☆

 

ଭୂୟାଁ ଶିଶୁ

 

ମାମୁନି ମାମୁନି ତୁ କ’ଣ ସତରେ ଆସି ସିନେମା ଯିବୁ ? ହାତରେ ବଲଟିଏ ବାଡ଼େଇ ବାଡ଼େଇ ଘର ମଧ୍ୟକୁ ପଶି ଆସିଲା ଲିପୁ ।

 

କାହିଁକି ? କ’ଣ ହେଲାକି ? ତୁ କ’ଣ ଆମ ସହ ସିନେମା ଯିବୁନି ? ବାପା ଆସିଛନ୍ତି ପରା । ଆଜି ସନ୍ଧ୍ୟାରେ ଆଦିବାସୀ ଶିଶୁ କଥା କହିବେ ବୋଲି ତୋର କ’ଣ ମନେ ନାହିଁ । ଲିପୁ କହିଲା, ତେବେ ସିନେମା ଯିବା କଥା ଆଜି ଆଉ ହେବନି । ଆଜି ସନ୍ଧ୍ୟାରେ ଆଦିବାସୀ ଶିଶୁ କଥା ଶୁଣିବା ।

 

ଲିପୁ କହିଲା ବାପା କେଉଁ ଆଦିବାସୀ ଶିଶୁମାନଙ୍କ ବିଷୟରେ ଲେଖାଲେଖି କରି ଏବେ କେନ୍ଦ୍ର ସରକାରଙ୍କ ପୁରସ୍କାର ପାଇଛନ୍ତି । ଆଜି ସେଇ ଶିଶୁମାନଙ୍କ ବିଷୟରେ ଶୁଣିବାକୁ କହିବ ।

 

ସନ୍ଧ୍ୟା ସମୟରେ ଲିପୁ, ମାମୁନି ସବୁ ପହଞ୍ଚିଗଲେ ଶରତ ବାବୁଙ୍କ ବୈଠକଖାନାରେ ।

 

ଲିପୁ କହିଲା । ବାପା ଆଜି ତମେ ଆମକୁ ଯେଉଁ ଶିଶୁମାନଙ୍କ ବିଷୟରେ ଲେଖି ପୁରସ୍କାର ପାଇଛ ସେଇ ଆଦିବାସୀ ଶିଶୁଙ୍କ କଥା କହିବ ।

 

ଶରତ ବାବୁ କହିଲେ, ଆଜି ମୁଁ ତୁମକୁ ଓଡ଼ିଶାରେ ବସବାସ କରୁଥିବା ଭୂୟାଁ ସମ୍ପ୍ରଦାୟର ଶିଶୁମାନଙ୍କ କଥା କହିବି ।

 

ଏକଥା ଶୁଣିବାମାତ୍ରେ ମାମୁନି କହିଉଠିଲା, ପିଉସା ! ଆମ ଶ୍ରେଣୀରେ ଦୁଇ ତିନି ଜଣ ପିଲା ଅଛନ୍ତି ଯେଉଁମାନଙ୍କର ସାଙ୍ଗିଆ ଭୂୟାଁ । ସେମାନେ ଆମମାନଙ୍କ ପରି ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଛନ୍ତି ।

 

ହଁ ସେମାନଙ୍କର ସେପରି କୌଣସି ନିର୍ଦ୍ଦିଷ୍ଟ ଭାଷା ନାହିଁ । ତେଣୁ ସେମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି । ଶରତ ବାବୁ ବୁଝାଇ ଦେଲେ ।

 

ବାପା ! ତେବେ ଏ ଶ୍ରେଣୀର ଆଦିବାସୀମାନେ ସାଧାରଣତଃ କେଉଁଠାରେ ବସବାସ କରିଥାନ୍ତି ? ଲିପୁ ପଚାରିଲା ।

 

‘‘ହଁ ତୁ ଠିକ୍‌ ପ୍ରଶ୍ନଟିଏ ପଚାରିଛୁ ଲିପୁ ।’’ ବାପା କହିଲେ, ଏମାନଙ୍କର ପ୍ରକୃତ ବସତିସ୍ଥଳୀ ହେଉଛି କେଉଁଝର । ଏହି ଜିଲ୍ଲାରେ ‘ଭୂୟାଁ ପୀଢ଼’ ବୋଲି ସ୍ଥାନଟିଏ ରହିଛି । ପ୍ରଥମେ ସେହି ଅଞ୍ଚଳରେ ଭୂୟାଁମାନେ ବାସ କରୁଥିଲେ ବୋଲି ଜଣାଯାଇଛି । ଏହା ବ୍ୟତୀତ ଆମ ଓଡ଼ିଶାର ସୁନ୍ଦରଗଡ଼, ତାଳଚେର, ଢେଙ୍କାନାଳ, ପାଲଲହଡ଼ା, ବଣାଇ ଓ ବାମଣ୍ଡା ଆଦି ପାହାଡ଼ ପରି ଘେରା ଅଞ୍ଚଳମାନଙ୍କରେ ମଧ୍ୟ ଏମାନେ ବାସ କରୁଥିବାର ଦେଖାଯାଏ । ସେମାନେ ନିଜକୁ ‘ଭୂମିପୁତ୍ର’ ବୋଲି କହିଥାନ୍ତି ।

 

ଏହି ସମୟରେ ମାମୁନିର ଆଉ ଗୋଟିଏ ବିଷୟ ମନେପଡ଼ିଗଲା । ସେ ଶରତ ବାବୁଙ୍କୁ ପଚାରିଲା, ପିଉସା ଜୁଆଙ୍ଗ ନାମରେ ଗୋଟିଏ ଆଦିବାସୀ ସମ୍ପ୍ରଦାୟ ରହିଛି ନା ?

 

‘‘ହଁ ଅଛି । ସେମାନଙ୍କ ବିଷୟରେ ମୁଁ ତୁମମାନଙ୍କୁ ପରେ କହିବି । ତେବେ ଏଠାରେ ତୋର ପଚାରିବାର ଉଦ୍ଦେଶ୍ୟ କ’ଣ ?’’

 

ହଁ କଥା ହେଉଛି ଆମ ଶ୍ରେଣୀରେ ଜଣେ ଜୁଆଙ୍ଗ ପିଲା ପାଠ ପଢ଼ୁଛି । କିଛି ଦିନ ତଳେ ଉଭୟ ଭୂୟାଁ ଏବଂ ଜୁଆଙ୍ଗ ପିଲାମାନଙ୍କ ମଧ୍ୟରେ ଗୋଟିଏ କଥାକୁ ନେଇ ଯୁକ୍ତି ଚାଲିଥିଲା । ଭୂୟାଁ ପିଲାମାନେ ଜୁଆଙ୍ଗ ଅପେକ୍ଷା ଶ୍ରେଷ୍ଠ ଜାତି ବୋଲି ଦାବି କରୁଥିଲେ । ପିଉସା ଏହା କ’ଣ ସତ ?

 

‘‘ହଁ ଅବଶ୍ୟ ସତ । ଶରତ ବାବୁ ବୁଝାଇ ଦେଲେ । ଏ ସମ୍ପର୍କରେ କିମ୍ବଦନ୍ତୀ ରହିଛି । ଅନେକ ବର୍ଷ ପୂର୍ବେ ମୟୂରଭଞ୍ଜରେ ବାସ କରୁଥିବା ଜୁଆଙ୍ଗମାନେ ନିଜକୁ ଶ୍ରେଷ୍ଠ ମଣି କେନ୍ଦୁଝରର ଭୂୟାଁମାନଙ୍କୁ ନିଜ ଅଧିନରେ ରଖିଥିଲେ । କିନ୍ତୁ ଭୂୟାଁମାନେ ଏହାକୁ ପସନ୍ଦ କଲେ ନାହିଁ । ସେମାନେ ସ୍ୱତନ୍ତ୍ରଭାବେ ଜୀବନଯାପନ କରିବାକୁ ଇଚ୍ଛା କଲେ । ଥରେ ସେମାନେ କୌଣସି ଉପାୟରେ ମୟୂରଭଞ୍ଜ କନିଷ୍ଠ ରାଜକୁମାରକୁ ହରଣକରି ଆଣିଲେ । ତାକୁ ସେମାନେ କିଛି ଦିନ ପାଖରେ ରଖିବାପରେ କେନ୍ଦୁଝରର ସିଂହାସନରେ ବସାଇବା ପାଇଁ ସ୍ଥିର କଲେ । ଏଥିରେ ରାଜକୁମାର କୌଣସି କୁଣ୍ଠାବୋଧ ପ୍ରକାଶ କଲେ ନାହିଁ । ନିର୍ଦ୍ଦିଷ୍ଟ ଦିନରେ ତାଙ୍କର ଅଭିଷେକ କାର୍ଯ୍ୟ ସମ୍ପନ୍ନ ହେଲା ।

 

କିଛି ଦିନ ଚାଲିଗଲା, ଭୂୟାଁମାନେ କାପୁରୁଷତାରେ ବଶବର୍ତ୍ତୀ ହୋଇ ମୟୂରଭଞ୍ଜ ରାଜାଙ୍କ ନିକଟରେ ଅପରାଧଟିଏ କରି ବସି ଥ‌ିବାରୁ ତାଙ୍କ ନିକଟରେ କ୍ଷମା ଭିକ୍ଷା କଲେ । ରାଜା ମଧ୍ୟ ସେମାନଙ୍କୁ କ୍ଷମା ଦେଲେ । ଏହି ସମୟ ମଧ୍ୟରେ ଯୁବରାଜ ଭୂୟାଁମାନଙ୍କ ହାତରୁ ଖାଇଥିଲେ ବୋଲି ସେମାନେ ଜୁଆଙ୍ଗମାନଙ୍କ ଠାରୁ ଶ୍ରେଷ୍ଠବୋଲି ମନେ କରନ୍ତି ।

 

ଏହା ଶୁଣି ଲିପୁ କହିଲା, ବାପା ! ତା’ହେଲେ ଭୂୟାଁମାନଙ୍କର ରାଜବଂଶ ସହ ବେଶ୍‌ ସମ୍ପର୍କ ରହିଛି ।

 

ହଁ, ରହିଛି ତ । ରାଜାଙ୍କର ଅଭିଷେକ ଏବଂ ରାଜନବରରେ ପାଳିତ ହେଉଥ‌ିବା ପର୍ବଗୁଡ଼ିକ ସମୟରେ ସେମାନଙ୍କର ଏହି ସମ୍ପର୍କ ବେଶ୍‌ ଭଲଭାବରେ ଜାଣିହୁଏ ।

 

ପିଉସା ! ରାଜାଙ୍କ ଅଭିଷେକ ସମୟରେ ଭୂୟାଁମାନେ କିପରି ଭାଗ ନେଇଥାନ୍ତି ? ତାହାତ ରାଜଦରବାରରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ପନ୍ନ ହେବା କଥା । ଜାଣିବାକୁ ଇଚ୍ଛା କଲା ମାମୁନି ।

 

ଶରତ ବାବୁ କହିଲେ, ଭୂୟାଁମାନେ ନିଜ ସମାଜରେ ରହୁଥ‌ିବା ପ୍ରଥାଗୁଡ଼ିକ ମାନି ଚଳିଥାନ୍ତି । ରାଜାଙ୍କ ଅଭିଷେକ ସମୟରେ ଜଣେ ଭୂୟାଁ ପ୍ରଥମେ ଯୁବରାଜଙ୍କୁ ପିଠିରେ ବସାଏ । ତା’ପରେ ତା’ର ଦୁଇ ହାତ ଏବଂ ଦୁଇ ଗୋଡ଼କୁ ଭୂମିରେ ଲଗାଇ ଆଗକୁ ଆଗ ଚାଲିବାକୁ ଲାଗେ-। ଏତଦ୍‌ବ୍ୟତୀତ ଅନ୍ୟ ଜଣେ ଭୂୟାଁର କାର୍ଯ୍ୟ ହେଲା ଯୁବରାଜଙ୍କୁ ମୁକୁଟ ପିନ୍ଧାଇ ଦେବା-। ଅନ୍ୟଜଣେ ରାଜାଙ୍କ ପଶ୍ଚାତଭାଗରେ ଛତ୍ର ଧରି ଠିଆ ହୁଏ । ଅଭିଷେକ ପରେ ଭୂୟାଁମାନେ ଯୁବରାଜଙ୍କୁ ଅନେକ ଦ୍ରବ୍ୟ ଉପହାର ଦିଅନ୍ତି । ଏହା ହେଉଛି ସେମାନଙ୍କର ପ୍ରଥା-

 

ହଠାତ୍‌ ସେ ସମୟରେ ଶୁଣାଗଲା ପଡ଼ୋଶୀ ଘରର ଗୋଟିଏ ବୁଢ଼ୀର ଚିତ୍କାର । ଏହାଦ୍ୱାରା ପିଲାମାନେ ଅନ୍ୟମନସ୍କ ହୋଇପଡ଼ିଲେ । କଥା କ’ଣ ଜାଣିବାକୁ ଚାହିଁବାରୁ ଶୂଦ୍ର ଶ୍ରେଣୀର ଲୋକଟିଏ ତାଙ୍କ ଘରକୁ ପଶିଯିବାର ଜଣାପଡ଼ିଲା । ଏହାଦ୍ୱାରା ତାଙ୍କ ଜାତି ଅପବିତ୍ର ହୋଇଗଲା ବୋଲି ବୁଢ଼ୀଟି ଚିତ୍କାର କରୁଥିଲା ।

 

ତାହା ଶୁଣି ପିଲାମାନେ ହସିଲେ । ଏହି ସମୟରେ ଲିପୁ ପଚାରିଲା । ବାପା ଆମମାନଙ୍କ ସମାଜରେ ଯେପରି ଜାତିବିଭାଗ ରହିଛି, ଭୂୟାଁମାନଙ୍କର ସମାଜରେ କ’ଣ ସେପରି ଅଛି ।

 

Image

 

ବାପା କହିଲେ, ହଁରେ ଲିପୁ ! ଆମେମାନେ ସଭ୍ୟତାର ଶୀର୍ଷ ଦେଶରେ ପହଞ୍ଚି ମଧ୍ୟ ଜାତି ବିଭାଗକୁ ବାଦ୍‌ ଦେଇ ପାରୁ ନାହିଁ । ଭୂୟାଁମାନେ ସେଥିରୁ ବାଦ୍‌ ଯିବେ କିପରି ? ପାବନ, କଟି, ରାଉତାଳୀ, ରାଜକୋଳି, ପରଜା ଭୂୟାଁ, ସାନ୍ତାଳିଭୂୟାଁ ଦଣ୍ଡସେନା ଭୂୟାଁ, ଖଣ୍ଡାଇତ ଭୂୟାଁ, ପାଇକଭୂୟାଁ ଇତ୍ୟାଦି ଅନେକ ପ୍ରକାର ଜାତି ସେମାନଙ୍କ ମଧ୍ୟରେ ରହିଛି । ତେବେ ଭୂୟାଁମାନେ ପ୍ରଧାନତଃ ଦୁଇଟି ଭାଗରେ ବିଭକ୍ତ । ସେଗୁଡ଼ିକ ହେଲେ ପାଉଁରୀ ଭୂୟାଁ ଓ ଦେଶୀ ଭୂୟାଁ, ପାଉଁରୀ ଭୂୟାଁମାନେ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବାରୁ ସେମାନଙ୍କୁ ପାହାଡ଼ି ଭୂୟାଁ ମଧ୍ୟ କୁହାଯାଇ ଥାଏ । ଅପର ପକ୍ଷରେ ଦେଶୀ ଭୂୟାଁମାନେ ସମତଳ ଅଞ୍ଚଳରେ ବାସ କରନ୍ତି । ସେମାନଙ୍କୁ କୁହାଯାଏ ସମତଳ ଭୂୟାଁ । ଉପରୋକ୍ତ ଦୁଇ ଜାତିର ଭୂୟାଁମାନେ ସାଧାରଣତଃ ଅଧିକ ସଂଖ୍ୟକ ହୋଇଥାନ୍ତି ।

 

ସମତଳ ଅଞ୍ଚଳରେ ବାସ କରୁଥିବା ଦେଶୀ ଭୂୟାଁମାନେ ସାଧାରଣତଃ ପାହାଡ଼ି ଭୂୟାଁମାନଙ୍କ ଅପେକ୍ଷା ଉନ୍ନ‌ତ ଶ୍ରେଣୀର । ଏମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରକରି ଚଳିଥାଆନ୍ତି । ଆଜିକାଲି ସେମାନେ ସାଧାରଣ ଲୋକଙ୍କ ସହ ମିଳାମିଶା କରି ସେମାନଙ୍କର ଚାଲିଚଳଣ ତ‌ଥା ସଭ୍ୟତାକୁ ବଦଲାଇ ଦେଲେଣି ।

 

ପିଉସା ! ଭୂୟାଁମାନଙ୍କର ସାମାଜିକ ଜୀବନ କିପରି ହୋଇଥାଏ ? ପଚାରିଲା ମାମୁନି-

 

ଶରତ ବାବୁ ବୁଝାଇ ଦେଲେ, ମୁରିଆ ଆଦିବାସୀ ସମ୍ପ୍ରଦାୟ ପରି ଭୂୟାଁମାନଙ୍କର ମଧ୍ୟ ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏଁ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ୀ ଘରଥାଏ । ଧାଙ୍ଗଡ଼ୀ ଘରଟି ଗୋଟିଏ ବୁଢ଼ୀ ଦାୟିତ୍ୱରେ ଥାଏ । ବୁଢ଼ୀଟି ସେଠାରେ ରହୁଥିବା ଝିଅପିଲା ମାନଙ୍କର ସମସ୍ତ ପ୍ରକାରର ସୁବିଧା ଅସୁବିଧା ବୁଝିଥାଏ । ଅପର ପକ୍ଷରେ ଧାଙ୍ଗଡ଼ା ଘରେ ରହନ୍ତି ଗ୍ରାମର ବାଳକଗଣ । ତେବେ ଗାଁର ପୁଅଝିଅମାନଙ୍କୁ ଉକ୍ତ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ୀ ଘରର କେତୋଟି ନିୟମ ମାନିବାକୁ ପଡ଼ିଥାଏ ।

 

ଏହାହେଲା ପିଲାମାନଙ୍କର କଥା । ପୁରୁଷ ଲୋକମାନେ ସେମାନଙ୍କର ଘର ଚଳାଇବା କାର୍ଯ୍ୟ ସ୍ତ୍ରୀମାନଙ୍କୁ ସମର୍ପି ଦେଇଥାନ୍ତି । ସ୍ତ୍ରୀମାନେ ମଧ୍ୟ ଉତ୍ତମରୂପେ ସେ କାର୍ଯ୍ୟ ତୁଲାଇଥାନ୍ତି । ସେମାନେ ମଧ୍ୟ ସେମାନଙ୍କର ଦେହସାରା ଚିତା କୁଟାଇବାକୁ ବେଶ୍‌ ଭଲ ପାଆନ୍ତି । ପୁରୁଷମାନେ ଦିନବେଳା ସେମାନଙ୍କର ଚାଷ ଜମିରେ କଠିନ ପରିଶ୍ରମ କରିଥାନ୍ତି । ସନ୍ଧ୍ୟା ହେଲେ ସେମାନେ ବିଲରୁ ଫେରିଆସି ରାତିଟିକୁ ବେଶ୍‌ ଆମୋଦପ୍ରମୋଦ ତଥା ନୃତ୍ୟଗୀତରେ କଟାଇଥାନ୍ତି ।

 

ବାପା ! ଭୂୟାଁ ଶିଶୁମାନଙ୍କର ପାଠପଢ଼ା ବିଷୟରେ କହିବାକୁ ତୁମେ ଭୁଲିଗଲ କି ? ସେମାନେ କ’ଣ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ ପରି ସ୍କୁଲକୁ ଯାଆନ୍ତି ନାହିଁ ? ଲିପୁ ବେଶ୍‌ ଉତ୍କଣ୍ଠା ସହ ପଚାରିଲା ।

 

ହଁ କହୁଛ ଶୁଣ, ଶରତ ବାବୁ ବୁଝାଇଲେ, ଭୂୟାଁମାନଙ୍କ ମଧ୍ୟରେ ଦେଶୀ ଭୂୟାଁ ଶ୍ରେଣୀଟି ସାଧାରଣତଃ ଉନ୍ନ‌ତ ଧରଣର ଜୀବନଯାପନ କରୁଥିବାରୁ ସେମାନଙ୍କର ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲକୁ ଯାଆନ୍ତି ନାହିଁ । ହେଲେ ପାହାଡ଼ି ଭୂୟାଁମାନେ ସାଧାରଣତଃ ଅନୁନ୍ନତ ଓ ଗରିବ ହେଇଥିବାରୁ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ଦିଗରେ ମନଦେଇ ପାରନ୍ତି ନାହିଁ । ତେବେ ଆଜିକାଲି ଆମ ସରକାର ସେମାନଙ୍କର ଶିକ୍ଷାଲାଭ ନିମନ୍ତେ ଅନେକ ବ୍ୟବସ୍ଥା କଲେଣି । ସେଗୁଡ଼ିକ ଦ୍ୱାରା ଉପକୃତ ହୋଇ ଭୂୟାଁ ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଧୀରେ ଧୀରେ ପାଠ ପଢ଼ାଇଲେଣି । ଏଥର ତୁମେ ଶୁଣ, ସେମାନଙ୍କର ବେଶପୋଷାକ କିପରି ? ଭୂୟାଁମାନଙ୍କ ମଧ୍ୟରେ ଅନୁନ୍ନତ ଶ୍ରେଣୀର ବ୍ୟକ୍ତି ଅର୍ଥାତ୍‌ ପାହାଡ଼ି ଭୂୟାଁମାନେ ଅର୍ଥ ଅଭାବରୁ ଛୋଟ ଛୋଟ ଲୁଗା ବ୍ୟବହାର କରନ୍ତି । ଏପରିକି ସମାଜର ସ୍ତ୍ରୀମାନେ ମଧ୍ୟ ଏଥିରୁ ବାଦ୍‌ ଯାଆନ୍ତି ନାହିଁ । ହେଲେ ଦେଶୀ ଭୂୟାଁମାନେ ଆମମାନଙ୍କ ପରି ସାଧାରଣ ପୋଷାକପତ୍ର ପରିଧାନ କରନ୍ତି ।

 

ପାହାଡ଼ି ଭୂୟାଁ ସ୍ତ୍ରୀମାନେ ସେମାନଙ୍କ ଶରୀରର ନାକ, କାନ, ହାତ, ଗୋଡ଼ ଆଦି ନାନାପ୍ରକାରର ଅଳଙ୍କାରମାନ ପିନ୍ଧିବାକୁ ଭଲ ପାଆନ୍ତି । ହେଲେ ସେସବୁ ସାଧାରଣତଃ କଂସା ଓ ପିତଳରେ ତିଆରି ହୋଇଥାଏ ।

 

ପିଉସା ! ଏଥର ସେମାନଙ୍କର ଖାଦ୍ୟ ତଥା ଜୀବିକା ସମ୍ପର୍କରେ କିଛି କୁହ । ମୁଁ ଦେଖୁଛି ତୁମେମାନେ ଗୋଟିକ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଛ । ଏହାତ ବେଶ୍‍ ଭଲ କଥା, ହେଲେ ତୁମମାନଙ୍କୁ ମୁଁ ଯାହା ବୁଝାଉଛି ସେଗୁଡ଼ିକ ମନେ ରଖୁଛ ତ । ଭବିଷ୍ୟତରେ ତାହା ତୁମର ଖୁବ୍‌ ଦରକାରରେ ଆସିବ । ଶରତ ବାବୁ ଟିକିଏ ହସି ପିଲାମାନଙ୍କୁ କହିଲେ ।

 

ପିଲାମାନେ ଶରତ ବାବୁଙ୍କ କଥାରେ ହଁ ବୋଲି କହିବାରୁ ସେ କହିଲେ, ଏଥର ଶୁଣ ! ଭୂୟାଁମାନେ ବେଶ୍‌ ସୁସ୍ଥସବଳ ଓ ବଳବାନ । ସମାଜର ପୁରୁଷ ଓ ସ୍ତ୍ରୀ ଉଭୟ ନିଜ ନିଜର କୃଷିକ୍ଷେତ୍ରକୁ ଯାଇ ସେଠାରେ କଠିନ ପରିଶ୍ରମ କରନ୍ତି । ଧାନ ହେଉଛି ସେମାନଙ୍କର ପ୍ରଧାନ ଫସଲ । ଏଥିପାଇଁ ସେମାନେ ଏହିସବୁ ଚାଷ ‘ପୋଡ଼ୁଚାଷ’ ମାଧ୍ୟମରେ କରିଥାଆନ୍ତି । ପୋଡ଼ୁଚାଷକୁ ସେମାନେ ‘କୋଠମା’ କହିଥାନ୍ତି । ଏଥିସହ ସେମାନେ ସମୟ ସମୟରେ ଶିକାର ମଧ୍ୟ କରିଥାନ୍ତି ସର୍ବୋପରି ସେମାନେ ଯେତେବେଳେ ଯାହା ପାଆନ୍ତି ସେଥିରେ ଚଳନ୍ତି । ବାପା ଭୂୟାଁ ସମାଜରେ କ’ଣ କୌଣସି ଅନ୍ଧବିଶ୍ଵାସ ପରିଲକ୍ଷିତ ହୁଏ ନାହିଁ ? ପଚାରିଲା ଲିପୁ ।

 

ହଁ ହୋଇଥାଏ । ବାପା ବୁଝାଇ ଦେଲେ, ‘‘ଭୂୟାଁମାନେ ଭୂତପ୍ରେତରେ ଦୃଢ଼ବିଶ୍ଵାସ କରନ୍ତି । ସମାଜର କୌଣସି ବ୍ୟକ୍ତି ଭାଲୁ ଆକ୍ରମଣରେ ମୃତ୍ୟୁଲାଭ କଲେ, ଲୋକଟିକୁ ‘ବାଉଟି ଭୂତ’ ଲାଗିଲା ବୋଲି ଭୂୟାଁମାନେ ବିଶ୍ଵାସ କରନ୍ତି । ସେମାନଙ୍କ ରୋଷେଇ ଘରେ ଗୋଟିଏ ଲେଖାଏଁ ଅଳ୍ପ ଉଚ୍ଚତା ବିଶିଷ୍ଟ କାନ୍ଥ ରହିଥାଏ । ଉକ୍ତ କାନ୍ଥର ଅପରପାର୍ଶ୍ୱଟିକୁ ସେମାନେ ଭୀମର ଘର ବୋଲି କହିଥାନ୍ତି । ଏହି ଭୀମର ଘରକୁ ସାଧାରଣ ପ୍ରବେଶ ନିଷେଧ ହୋଇଥାଏ । କାରଣ ଏଠାରେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଆତ୍ମା ଘୂରି ବୁଲୁ ଥାଏ ବୋଲି ଭୂୟାଁମାନେ ବିଶ୍ଵାସ କରନ୍ତି । ସେମାନଙ୍କୁ ସନ୍ତୁଷ୍ଟ କଲେ ପରିବାରର ମଙ୍ଗଳ ହୁଏ ବୋଲି ଭୂୟାଁମାନଙ୍କ ଧାରଣା ।’’

 

ଏହି ସମୟରେ ମାମୁନି ପଚାରିଲା, ‘ପିଉସା ! ମୁଁ ଶୁଣିଛି ଭୂୟାଁମାନେ ହିନ୍ଦୁ ଶ୍ରେଣୀର ଆଦିବାସୀ ।’ ସେମାନେ ତ ଆମମାନଙ୍କ ପରି ବିଭିନ୍ନ ପ୍ରକାର ଦେବାଦେବୀଙ୍କୁ ପୂଜା କରୁଥ‌ିବେ । ଏତଦ୍‌ବ୍ୟତୀତ ସେମାନେ ମଧ୍ୟ ଅନେକ ପର୍ବପର୍ବାଣି ପାଳନ କରୁଥିବେ । ସେ ବିଷୟରେ ଆମ୍ଭଙ୍କୁ ବୁଝାଇ ଦିଅନା ।

 

ହଁ ମାମୁନି ତୁ ଠିକ୍‌ ଜାଣିଛୁ । ଶରତ ବାବୁ କହିଲେ, ଭୂୟାଁମାନେ ସାଧାରଣତଃ ହିନ୍ଦୁ ପରିବାରର ଭୁକ୍ତ । ସେମାନଙ୍କର ବଡ଼ ଦେବତା ହେଲେ ସୂର୍ଯ୍ୟ । ତାକୁ ‘ବୋରାମ’ କୁହାଯାଏ ।

 

ଭୂୟାଁମାନଙ୍କର ଆଦି ପୁରୁଷ ହେଲେ ‘ରିଖମୁନ’ । ତାକୁ ଭୂୟାଁମାନେ ବଡ଼ ଦେବତାରୂପେ ପୂଜା କରିଥାନ୍ତି । ଏହା ବ୍ୟତୀତ ସେମାନଙ୍କର ଅନ୍ୟତମ ବୀରପୁରୁଷ, ତୁଳସୀ ବୀର ମଧ୍ୟ ପୂଜା ପାଇଥାନ୍ତି । ଭୂୟାଁ ସମାଜରେ ବୟସ୍କ ବ୍ୟକ୍ତିମାନେ ଛେଳି, ମେଣ୍ଢା, ଘୁଷୁରିକୁ ମିଠେଇ ଆଦି ଦେଇ ସେମାନଙ୍କୁ ପୂଜା କରନ୍ତି ।

 

ଭୂୟାଁ ସମ୍ପ୍ରଦାୟର ଅଧିକାଂଶ ପର୍ବପର୍ବାଣି କୃଷିକୁ ଲକ୍ଷ୍ୟ ରଖି କରାଯାଇଥାଏ । ଆଶ୍ୱିନ ମାସରେ ସେମାନେ ଜଳଧନ କାଟିସାରି କରମ୍‌ ଯାତ୍ରାପର୍ବ ପାଳନ କରନ୍ତି । ଏହି ପୂଜାରେ ଅରୁଆ ଚାଉଳ, ଗୁଡ଼ ଧାନ ଆଦି ଭୋଗ ଦିଆଯାଇ ଥାଏ I ମାଘ ମାସରେ ଆମ୍ବଗଛମାନଙ୍କରେ ବଉଳ ଦେଖାଯିବାମାତ୍ରେ ସେତେବେଳେ ‘ଆମ୍ବନୂଆ’ ପର୍ବ ପାଳିତ ହୁଏ ।

 

ଭୂୟାଁମାନେ ବେଶ୍‌ ନୃତ୍ୟଗୀତ ପ୍ରିୟ । ପର୍ବଦିନମାନଙ୍କରେ ଉଭୟ ପୁରୁଷ ଓ ସ୍ତ୍ରୀ ଏକାଠି ନୃତ୍ୟ କରିଥାନ୍ତି । ଏଥିପାଇଁ ଖଞ୍ଜଣି ଚାଙ୍ଗୁ ଆଦି ବାଦ୍ୟଯନ୍ତ୍ରମାନ ବ୍ୟବହାର କରା‌ଯାଇଥାଏ-। ଏହି ନୃତ୍ୟଗୁଡ଼ିକ ମଧ୍ୟରେ ଛଉନାଟ, ବାଘନାଟ, ସାପନାଟ ଆଦି ପ୍ରଧାନ । ସେମାନେ ପ୍ରକୃତିର ଉପାସକ ହୋଇଥିବାରୁ ବାଘ, ସାପ ଓ ଅନ୍ୟାନ୍ୟ ଜନ୍ତୁମାନଙ୍କୁ ଅନୁକରଣ କରି ଏହିସବୁ ନୃତ୍ୟ ସୃଷ୍ଟି କରିଥାନ୍ତି ।

 

ସେତେବେଳକୁ ପିଲାମାନଙ୍କର ଖାଇବା ସମୟ ହୋଇଯାଇଥିଲା । ଶରତ ବାବୁ ପିଲାମାନଙ୍କୁ କହିଲେ ଆଜି ସମୟ ହୋଇଯାଇଛି ତୁମେ ଯାଅ । ଏଥର ଲିପୁ ଓ ମାମୁନି ରୋଷେଇ ଘର ଭିତରକୁ ଚାଲିଗଲେ ।

☆☆☆

 

ଜୁଆଙ୍ଗ ଶିଶୁ

 

ଆଜି ରବିବାର, ଛୁଟିର ଦିନ । ସାର୍‍ ଭୂଗୋଳର ପ୍ରଶ୍ନ-ଉତ୍ତରଗୁଡ଼ିକ କରିବା ପାଇଁ କହିଛନ୍ତି । ଆସନ୍ତାକାଲି ପଞ୍ଚମ ପିରିୟଡ଼ରେ ସେ ପିଲାମାନଙ୍କର ଖାତା ଦେଖିବେ । ଲିପୁ ଓ ମାମୁନିକୁ ଫୁର୍‍ସତ ନାହିଁ । ଆଜି ଛୁଟି ଦିନରେ ଅନେକ କାମ । ସାର୍‌ଙ୍କ ପଢ଼ା ପ୍ରସ୍ତୁତ କରିସାରିଲେ ପୋଷାକପତ୍ର ଗୁଡ଼ିକୁ ସଫା କରିବାକୁ ପଡ଼ିବ । ବାପା କହିଛନ୍ତି ନିଜ କାମ ନିଜେ କରିବା ଉଚିତ । ସେସବୁ କାମ ପରେ ପଢ଼ା ଘରଟିକୁ ମଧ୍ୟ ସଫାସୁତୁରା କରିବାକୁ ହେବ । ସେଦିନ ଟିଉସନ ସାର୍‌ ଆଲମାରିରେ ବହିପତ୍ରଗୁଡ଼ିକର ବିଶୃଙ୍ଖଳିତ ଅବସ୍ଥା ଦେଖି କାନ ଧରି ବସ ଉଠ କରାଇଥିଲେ ପରା । ଲିପୁ ଓ ମାମୁନିଙ୍କ ମନରେ ଏହିପରି ଅନେକ ଭାବନା । ସେମାନେ ଆଉ ସମୟ ନଷ୍ଟ ନ କରି ପଢ଼ାରେ ବସି ପଡ଼ିଲେ । ସ୍କୁଲରେ ଏବଂ ଟିଉସନରେ ସାର୍‌ମାନେ ଯେଉଁ ପଢ଼ା ଦେଇଥିଲେ ସେ ସବୁକୁ ଶେଷ କରିବା ପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗିଗଲା ।

 

ଏହାପରେ ସେମାନେ ସେମାନଙ୍କର ବହିପତ୍ର ସଜାଡ଼ିବା କାର୍ଯ୍ୟ ପଛକୁ ରଖିଦେଇ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକୁ ଗୋଟି ଗୋଟି କରି ଶେଷ କଲେ ।

 

ଘଣ୍ଟାରେ ବାରଟା ବାଜିଲା । ମା’ ସ୍ନେହଲତା ଦେବୀ ପିଲାମାନଙ୍କୁ ରୋଷେଇ ଘରୁ ଡାକ ଛାଡ଼ିଲେ ଏଥର ଲିପୁ ଓ ମାମୁନି ଖାଇବାକୁ ଚାଲିଲେ ।

 

ମାମୁନି ! ଆଜି ଆମର ଆଉ କେଉଁ କାମଟି ରହିଲା ? ଖାଉ ଖାଉ ଲିପୁ ପଚାରିଲା ।

 

ନା, ଆଉ ବିଶେଷ କିଛି କାମ ନାହିଁ । କେବଳ ପଢ଼ାଘରଟିକୁ ସଜାଇ ଦେଲେ ହେଲା । ତୁ ଶୀଘ୍ର ଖାଇଲୁ ।

 

ପଢ଼ାଘର ଲିପୁ ଓ ମାମୁନି ଆଲମାରିରୁ ସମସ୍ତ ବହି ତଳେ ରଖି ସେ ସବୁକୁ ଝଡ଼ାଝଡ଼ି କରିବାରେ ବ୍ୟସ୍ତ । ଏହି ସମୟରେ ସେମାନଙ୍କର ସାଙ୍ଗ ଗୌତମ ଆସି ସେଠାରେ ପହଞ୍ଚିଲା ।

 

ଆଜିତ ତୁମେ ଦୁଇଜଣ ବେଶ୍‌ କାର୍ଯ୍ୟବ୍ୟସ୍ତ ଅଛ ଦେଖୁଛି । ଆସନ୍ତା ସପ୍ତାହର କାମ ଆଜିଠାରୁ ଶେଷ କରିଦେବ ନା କ’ଣ ? ପଚାରିଲା ଗୌତମ ।

 

ନାଁରେ ଗୌତମ ତୁ ବୁଝିପାରି ନାହୁଁ । ବାପା ପରା କହୁଥିଲେ ଆଜି କାମ କାଲିକୁ ବାକି ରଖିବ ନାହିଁ ବୋଲି, ତେବେ ଏସବୁ କାମ ଆଜିଠାରୁ ଶେଷ କରିଦେଲେ କ୍ଷତି କ’ଣ । ଆସନ୍ତା ସପ୍ତାହକୁ ଅନ୍ୟ କିଛି କାମ ଥାଇପାରେ । ମାମୁନି ବୁଝାଇ ଦେଲା ।

 

‘‘ଆଜି ତା’ହେଲେ ତୁମମାନଙ୍କ ଠାରୁ ଭଲ କଥାଟି ଶିଖିଲି । ତାହାକୁ ପ୍ରତିଦନ କାମରେ ଲଗାଇବା ପାଇଁ ଚେଷ୍ଟା କରିବି ।’’ ଏହା କହୁ କହୁ ଗୌତମ ଇଂରାଜୀ ବହିଟିଏ ଖେଳାଇ ଚାଲିଥିଲା । ହଠାତ୍‌ ତା’ର ଦୃଷ୍ଟି ଗୋଟିଏ ପୃଷ୍ଠା ଉପରେ ପଡ଼ିଗଲା । ସେ ଦେଖିଲା ଉକ୍ତ ପୃଷ୍ଠାଟିରେ ରଙ୍ଗୀନ ଚିତ୍ର । ଗୋଟିକରେ କୌଣସି ଏକ ପରିବାର ଦୃଶ୍ୟ ସ୍ଥାନ ପାଇଥିଲା ବେଳେ ଅନ୍ୟଟିରେ ଗୋଟିଏ ଶିଶୁ ଠିଆ ହୋଇଥିଲା । ତା’ର ଛବି ଦୁଇଟି ସମ୍ବନ୍ଧରେ ଜାଣିବା ପାଇଁ ଇଚ୍ଛା ହେବାରୁ ବହିଟି କାହାର ବୋଲି ଲିପୁକୁ ପଚାରିଲା ।

 

ଆରେ, ଏଇଟିତ ବାପାଙ୍କର ବହିପରି ଜଣାପଡ଼ୁଛି । ଏଥିରେ ଥିବା ଇଂରାଜୀ ଭାଷା ଆମ ପକ୍ଷରେ ବୁଝିବା ପାଇଁ ବେଶ୍‌ କଷ୍ଟ ହେବ । ତେଣୁ ତୁ ଆଉ ପାଞ୍ଚ ମିନିଟ୍‌ ଅପେକ୍ଷା କର । ଆମେ ସମସ୍ତେ ବାପାଙ୍କ ନିକଟକୁ ଯାଇ ତାଙ୍କୁ ଏ ବହିଟି ଦେଖାଇବା ଏବଂ ଏଥିରେ ଥିବା ଛବି ଦୁଇଟି ସମ୍ୱନ୍ଧରେ ପଚାରିବା । ଲିପୁ ବୁଝାଇ ଦେଲା ଗୌତମକୁ ।

 

ଗୌତମ ଅପେକ୍ଷା କଲା । ଲିପୁ ଓ ମାମୁନି ଅଳ୍ପ ସମୟ ମଧ୍ୟରେ ସେମାନଙ୍କର ବହିଗୁଡ଼ିକ ଥାକ ଥାକ କରି ରଖି ଏହାପରେ ପଢ଼ାଘରଟିକୁ ସେମାନେ ଭଲଭାବରେ ଓଳାଇ ଦେଲେ ।

 

ଗୌତମ ! ଏଥର ଚାଲଯିବା ବୈଠକଖାନାକୁ । ସେଠାରେ ଏ ବହିଟିକୁ ବାପାଙ୍କୁ ଦେଖାଇ ଏଥିରେ ଥିବା ଛବି ବିଷୟରେ ବୁଝିବା । ଲିପୁ ଓ ମାମୁନି ସେମାନଙ୍କର ପଢ଼ାଘର ବନ୍ଦ କରିଦେଇ ଚାଲିଲେ ଶରତ ବାବୁଙ୍କ ପାଖକୁ ।

 

ଶରତ ବାବୁ ବୈଠକଖାନାରେ ବସି କ’ଣଗୁଡ଼ିଏ ଲେଖି ଚାଲିଥିଲେ । ତାଙ୍କ ନିକଟରେ ରହିଥିଲା ଦୁଇ ତିନୋଟି ବହି ଆଉ କିଛି କାଗଜ । ଏହି ସମୟରେ ଲିପୁ ଧରିଥିବା ବହିଟିକୁ ନେଇ ତାକୁ ଦେଖାଇଲା ।

 

ଆରେ ଲିପୁ ! ତୁ ଏଇଟିକୁ ପାଇଲୁ କେଉଁଠାରୁ ? ମୁଁ ତ ଏହି ବହିଟିକୁ କାଲି ରାତିଠାରୁ ଖୋଜୁଛି । ହଉ ସେ ବହିଟିକୁ ମୋତେ ଦେ । ଶରତ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ।

 

ଲିପୁ ସମସ୍ତ ଘଟଣା କହିସାରିବା ପରେ ପଚାରିଲା ବାପା ! ଏ ବହିଟିରେ ରହିଥିବା ଦୁଇଟି ରଙ୍ଗିନ ଛବି ସମ୍ପର୍କରେ ଆମେମାନେ ତୁମ ପାଖକୁ ବୁଝିବାକୁ ଆସିଥିଲୁ । ସେ ବହିର ପୃଷ୍ଠା ଲେଉଟାଇ ନିର୍ଦ୍ଦିଷ୍ଟ ଛବି ଦୁଇଟିକୁ ଦେଖାଇଲା ।

 

ଶରତ ବାବୁ କହିଲେ, ମୁଁ ତ ଏଇମାନଙ୍କ ବିଷୟରେ ଲେଖୁଛି । ଏଥିପାଇଁ ମଧ୍ୟ ଏ ବହିଟିକୁ ମନେମନେ ଖୋଜୁଥିଲି । ଯୋଗକୁ ତୁମେମାନେ ଏମାନଙ୍କ ବିଷୟରେ ବୁଝିବା ପାଇଁ ଆସି ଯାଇଛ । ତେବେ ମୋର ଲେଖା ଆଜି ଏତିକି ଥାଉ । ତୁମମାନଙ୍କୁ ଛବି ଦୁଇଟି ସମ୍ପର୍କରେ ବୁଝାଇ ସାରିବା ପରେ ମୁଁ ପୁଣି ମୋ ଲେଖା ଆରମ୍ଭ କରିବି । ତୁମେମାନେ ଏଥିରେ ଯେଉଁ ଛବିଗୁଡ଼ିକ ଦେଖୁଛ ସେଥିରୁ ଗୋଟିକରେ ଜୁଆଙ୍ଗ ପରିବାରଟିଏ ଥିବାବେଳେ ଅନ୍ୟଟିରେ ସେହି ପରିବାରର ଗୋଟିଏ ଶିଶୁ ଠିଆ ହୋଇଛି ।

 

ଜୁଆଙ୍ଗ କଥା ଶୁଣିବା ଲାଗି ପିଲାମାନଙ୍କ ମନରେ ବେଶ୍‌ କୌତୂହଳ ସୃଷ୍ଟି ହେଲା । କାରଣ ସେମାନଙ୍କ ଶ୍ରେଣୀରେ ମଧ୍ୟ ଜୁଆଙ୍ଗ ପରିବାରର ଶିଶୁଟିଏ ପଢ଼ୁଥିଲା । ତେବେ ସେମାନଙ୍କ ସମ୍ବନ୍ଧରେ ଅଧିକ କିଛି ଜ୍ଞାନ ଆହରଣ କରିବା ପାଇଁ ଲିପୁ ପଚାରିଲା, ବାପା ! ଆଜି ତୁମେ ଏମାନଙ୍କ ବିଷୟରେ କହିବ ବୋଲି ଗତକାଲି ଆମମାନଙ୍କୁ କହୁଥିଲ ?

 

ହଁ ଭୂୟାଁମାନଙ୍କ ପରି ଏମାନେ ମଧ୍ୟ ଅନ୍ୟ ଗୋଟିଏ ଆଦିବାସୀ, ଜୁଆଙ୍ଗ ସମ୍ପ୍ରଦାୟର ଶିଶୁ । ବାପା କହିଲେ ।

 

ତେବେ ଏମାନଙ୍କର ସାଧାରଣ ବାସସ୍ଥଳୀ କେଉଁଠାରେ, ପଚାରିଲା ମାମୁନି । ହଁ କହୁଛି ଶୁଣ । ଶରତ ବାବୁ କହିଲେ କେନ୍ଦୁଝରର ଦକ୍ଷିଣ-ପଶ୍ଚିମ ଦିଗରୁ ‘ଜୁଆଙ୍ଗ ପୀଢ଼’ ବୋଲି ସ୍ଥାନଟିଏ ଅଛି । ସେଇଟି ହେଉଛି ଜୁଆଙ୍ଗମାନଙ୍କର ଆଦିମ ବାସସ୍ଥଳୀ । ପରେ ସେମାନେ ସେଠାରୁ ଅନ୍ୟତ୍ର ଯାଇ ବସବାସ କରିଥିଲେ । ତେବେ କେନ୍ଦୁଝରର ସାତଖଣ୍ଡିଆ ଓ କାଠୁଆ ସମେତ ଆଠଗଡ଼, ହିନ୍ଦୋଳ, ପାଲଲହଡ଼ା ଆଦି ସ୍ଥାନମାନଙ୍କରେ ଏମାନେ ବାସ କରୁଥିବାର ଜଣାଯାଏ ।

 

ଅଙ୍କଲ ! ଏହି ଆଦିବାସୀ ଜାତିଟିର ନାମ ଜୁଆଙ୍ଗ ହେବା ପଛରେ କିଛି କାରଣ ରହିଛି କି ?

 

ହଁ ଶରତ ବାବୁ କହିଲେ । ସେମାନଙ୍କର ଭାଷାରେ ଜୁଆଙ୍ଗର ଅର୍ଥ ମଣିଷ । ତେଣୁ ଉକ୍ତ ଜାତିଟିର ନାମକରଣ ଏପରି ହୋଇଛି । ଏତଦ୍‌ବ୍ୟତୀତ ଜୁଆଙ୍ଗ ସମ୍ପ୍ରଦାୟର ସ୍ତ୍ରୀଲୋକମାନେ ପଟ୍ଟ ବା ପତ୍ର ପରିଧାନ କରୁଥିବାରୁ ସେମାନଙ୍କୁ ‘ପାଟୁଆ’ ବୋଲି ମଧ୍ୟ କୁହାଯାଇଥାଏ ।

 

ବାପା ! ଜୁଆଙ୍ଗ ସ୍ତ୍ରୀମାନେ ପଟ୍ଟ ପରିଧାନ କରୁଥିବାରୁ ମୁଁ ଭାବୁଛି ସେମାନେ ଗୋଟିଏ ଅନଗ୍ରସର ଜାତି ରୂପେ ପରିଗଣିତ ହୋଇଥିବେ । ଏହା କ’ଣ ସତ ? ଜାଣିବାକୁ ଇଚ୍ଛା କଲା ଲିପୁ-

 

ହଁ ଲିପୁ ବୁଝାଇ ଦେଲେ, ତୋ କଥା ଅବଶ୍ୟ ଆଂଶିକ ଭାବେ ସତ୍ୟ । ଜୁଆଙ୍ଗ ସମ୍ପ୍ରଦାୟର ଗୋଟିଏ କିମ୍ବଦନ୍ତୀ ଚଳି ଆସିଛି । ତାହା ହେଲା ପୁରାଣ ଯୁଗରେ ସୀତା ସେମାନଙ୍କର କୌଣସି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସେମାନେ କୌଣସି ବସ୍ତ୍ର ପରିଧାନ କରିପାରିବେ ନାହିଁ ବୋଲି ଅଭିଶାପ ଦେଇଥିଲେ । ତେଣୁ ତାହାକୁ, ମନେପକାଇ ଜୁଆଙ୍ଗମାନେ କହନ୍ତି ଯେ ବସ୍ତ୍ର ବ୍ୟବହାର ବେଳେ ଜଙ୍ଗଲର ବାଘ ଭାଲୁ ଆଦି ହିଂସ୍ରଜନ୍ତୁମାନେ ସେମାନଙ୍କୁ ଖାଇ ଯିବେ ।

 

ସେମାନଙ୍କର ଏପରି ଗୋଟିଏ ଅନ୍ଧବିଶ୍ୱାସ ଲିପୁ ମୁହଁରେ ହସ ଖେଳାଇ ଦେଲା । ସେ ପଚାରିଲା ବାପା ଆମ ଶ୍ରେଣୀରେ ଯେଉଁ ଜୁଆଙ୍ଗ ପିଲାଟି ପଢ଼ୁଛି ବୋଲି ମୁଁ କହୁଥିଲି ତାଙ୍କ ପରିବାରରେ ଏପରି ଅନ୍ଧବିଶ୍ୱାସ ରହିନାହିଁ । ତେବେ କାହିଁକି ?

 

Image

 

ହଁରେ ଲିପୁ ଆଜିକାଲି ଜୁଆଙ୍ଗମାନେ ଧୀରେ ଧୀରେ ସଭ୍ୟତା ଆଡ଼କୁ ମନ ବଳାଇଲେଣି । ଫଳରେ ସେମାନେ ବେଶ୍‌ ସାଧାରଣ ଓ ନିରାଡ଼ମ୍ବର ଭାବରେ ପୋଷାକପତ୍ର ପରିଧାନ କରୁଛନ୍ତି । ପରିବାରର ସ୍ତ୍ରୀଲୋକମାନେ ସେମାନଙ୍କ ଅଣ୍ଟାରେ ଶାଢ଼ି ଗୁଡ଼େଇ ପିନ୍ଧୁଛନ୍ତି । ସେମାନେ ମୁଣ୍ଡରେ ଚାରୁମୁଣ୍ଡି ଓ ଗୋଜିକାଠି, ନାକରେ ନାକ ମାଛି ଓ ନୁଲୁକି, କାନରେ କାନଫାଶା ଏବଂ ବେକରେ ମାଳି ପିନ୍ଧିଥାନ୍ତି, ସାଧାରଣତଃ ସେମାନଙ୍କର ଏହି ଗହଣା ସବୁ ସୁନା, ରୂପା, ତମ୍ବା, ପିତଳ ଓ ଆଲୁମିନିୟମରେ ତିଆରି ହୋଇଥାଏ । ସେମାନେ ମୁଣ୍ଡରେ ବାଳରଖି ସେଥିରେ ଜୁଡ଼ା ପକାଇବାକୁ ଭଲ ପାଆନ୍ତି ଏତଦ୍‌ବ୍ୟତୀତ ସମାଜର ପୁରୁଷ ଲୋକମାନେ ଧୋତି ପରିଧାନ କରିଥାନ୍ତି । ଆଜିକାଲି କେତେକ ଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତହୋଇ ଜୁଆଙ୍ଗ ସ୍ତ୍ରୀମାନେ ସେମାନଙ୍କ ପରିବାର ପାଇଁ ଲୁଗା ବୁଣି ବସ୍ତ୍ର ତିଆରି କଲେଣି ।

 

ଶରତ ବାବୁଙ୍କ ଠାରୁ କଥା ଶୁଣୁଥିବା ଅବସରରେ ଗୌତମ ମଝିରେ ମଝିରେ ଇଂରାଜୀ ବହିଟିରେ ଥ‌ିବା ରଙ୍ଗିନ ଚିତ୍ର ଆଡ଼କୁ ଚାହୁଁଥିଲା । ହଠାତ୍‌ ସେ ପଚାରିଲା, ଅଙ୍କଲ ଏ ଛବିଟିରେ ଜଣେ ଲୋକ ତା’ ଘରକୁ ଛପର କରୁଥିବାବେଳେ ଅନ୍ୟ ଜଣେ ଲୋକ ତା’ ହାତକୁ କିଛି ଘାସ ବଢ଼ାଇ ଦେଇ ଥିବାର ଦେଖାଯାଉଛି । ତେବେ ଏହାର ଉଦ୍ଦେଶ୍ୟ କ’ଣ ?

 

ଶରତ ବାବୁ ବୁଝାଇ ଦେଲେ, ତୁ ଠିକ୍‌ ଲକ୍ଷ୍ୟ କରିଛୁ ଗୌତମ । ଜୁଆଙ୍ଗମାନେ ଜଙ୍ଗଲରୁ କାଠ ବାଉଁଶ ଆଦି ସଂଗ୍ରହକରି ସେମାନଙ୍କର ଘରଗୁଡ଼ିକୁ ନିଜ ହାତରେ ତିଆରି କରିଥାନ୍ତି । ସେମାନେ ଘାସ ବା ନଡ଼ା ସାହାଯ୍ୟରେ ଘରଦ୍ୱାର କରନ୍ତି । ଏ ଛବିଟିରେ ଜଣେ ଜୁଆଙ୍ଗ ତା’ର ଘରଟିକୁ ଘାସଦ୍ୱାରା ଛପର କରୁଥିବାର ଦେଖାଯାଉଛି ।

 

ଏଥର ଶରତ ବାବୁ ଟିକିଏ ରହିଯାଇ ମାମୁନିକୁ ପଚାରିଲେ, ଏ ଛବିଟିକୁ ଲକ୍ଷ୍ୟକରି କହିଲୁ ଜୁଆଙ୍ଗ ସମ୍ପ୍ରଦାୟର ଘରଗୁଡ଼ିକ କିପରି ହୋଇଥିବ ?

 

ମାମୁନି କହିଲା, ପିଉସା ! ଛବିଟିକୁ ଦେଖି ମୁଁ ବେଶ୍‌ ଅନୁମାନ କରିପାରୁଛି ଯେ, ଜୁଆଙ୍ଗମାନଙ୍କର ଘରଗୁଡ଼ିକ ଝାଟିମାଟିରେ ତିଆରି ଏବଂ ସାଧାରଣତଃ ନୁଆଁଣିଆ । ଏହା ବ୍ୟତୀତ ଛବିଟିରେ ଘରଟିକୁ ଛାଡ଼ି ଆଉ ଗୋଟିଏ କଚ୍ଚାଘର ଯେଉଁଠାରେ ଗାଈଟିଏ ବନ୍ଧା ହୋଇଥିବା ଲକ୍ଷ୍ୟ କରାଯାଉଛି । ବୋଧହୁଏ ଏଇଟି ସେମାନଙ୍କର ଗୁହାଳ ଘର ।

 

ହଁ ମାମୁନି, ତୋର ଅନୁମାନ ଠିକ୍‌ । ଶରତ ବାବୁ କହିଲେ, ଖାଲି ସେତିକି ନୁହେଁ ଜୁଆଙ୍ଗମାନଙ୍କର ଘର ଭିତରେ ଅଧା କାନ୍ଥଟିଏ ଗଲିଥାଏ । ଏହି କାନ୍ଥର ଗୋଟିଏ ପାର୍ଶ୍ୱରେ ସେମାନେ ରୋଷେଇ କାର୍ଯ୍ୟ କରିଥାନ୍ତି । କାନ୍ଥଟିର ଅପର ପାର୍ଶ୍ଵଟି ହେଉଛି ଭଣ୍ଡାର ଘର । ଏଥିରେ ଜୁଆଙ୍ଗମାନେ ସେମାନଙ୍କର ଯାବତୀୟ ଉପକରଣମାନ ରଖିଥାନ୍ତି ।

 

ଏଥର ତୁମେମାନେ ଜୁଆଙ୍ଗମାନଙ୍କର ଜୀବିକା ସମ୍ବନ୍ଧରେ କିଛି ଶୁଣ । ଜୁଆଙ୍ଗମାନଙ୍କର ପ୍ରଧାନ ଜୀବିକା ହେଲା କୃଷି । ସେମାନେ ପାହାଡ଼ ତଳ ସ୍ଥାନମାନଙ୍କରେ ଧାନ, ଯବ, ରାଶି, ଧୂଆଁପତ୍ର, ମାଣ୍ଡିଆ ଆଦି ଚାଷମାନ କରିଥାନ୍ତି । ସେମାନଙ୍କର ସ୍ତ୍ରୀମାନେ ମଧ୍ୟ ଚାଷ କାର୍ଯ୍ୟରେ ବେଶ୍ ସାହାଯ୍ୟ କରିଥାନ୍ତି । ହେଲେ ଜୁଆଙ୍ଗମାନେ ଏ ଦିଗରେ ଶବରମାନଙ୍କ ପରି ଦକ୍ଷ ନୁହନ୍ତି । କେତେକ ଜୁଆଙ୍ଗ ଅଛନ୍ତି ଯେଉଁମାନେ ଜଙ୍ଗଲରୁ କାଠ, ଫଳମୂଳ, ମହୁ ଆଦି ସଂଗ୍ରହ କରନ୍ତି । ଆବଶ୍ୟକ ସମୟରେ ସେମାନଙ୍କର ସ୍ତ୍ରୀମାନେ ମଧ୍ୟ ସ୍ଵାମୀମାନଙ୍କୁ ସାହାଯ୍ୟ କରିବା ପାଇଁ ଜଙ୍ଗଲକୁ ଯାଆନ୍ତି । ଏତଦ୍‌ବ୍ୟତୀତ ଜୁଆଙ୍ଗ ପରିବାରର ଶିଶୁମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ସେମାନଙ୍କର ପିତାମାତାଙ୍କୁ ସାହାଯ୍ୟ କରୁଥିବାର ମଧ୍ୟ ଲକ୍ଷ୍ୟ କରାଯାଏ ।

 

ବାପା ଆମ ଶ୍ରେଣୀରେ ତ ଜୁଆଙ୍ଗ ସମ୍ପ୍ରଦାୟର ଜଣେ ବାଳକ ପାଠ ପଢ଼ୁଛି । ତେଣୁ ମୋର ଧାରଣା ସାଧାରଣତଃ ଜୁଆଙ୍ଗ ଶିଶୁମାନେ ପାଠପଢ଼ା ପ୍ରତି ମନ ଦେଉଥିବେ ନୁହେଁ ? ଲିପୁ ପଚାରିଲା ।

 

ନାଁରେ ଲିପୁ । ଶରତ ବାବୁ କହିଲେ, କ୍ୱଚିତ ଜୁଆଙ୍ଗ ଅଛନ୍ତି ଯେଉଁମାନେ ସେମାନଙ୍କ ଶିଶୁମାନଙ୍କୁ ପାଠ ପଢ଼ାନ୍ତି । ଅବଶ୍ୟ ସେମାନେ ଶିକ୍ଷିତ ସମାଜରେ ଚଳି ଏ ଦିଗରେ ଯଥେଷ୍ଟ ପ୍ରଭାବିତ ହୋଇଥାନ୍ତି । ପ୍ରକୃତରେ କହିବାକୁ ଗଲେ ଜୁଆଙ୍ଗ ଶିଶୁମାନେ ସ୍କୁଲକୁ ଯାଆନ୍ତି ନାହିଁ ।

 

ତେବେ ସେମାନେ କ’ଣ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ପରି ଶିକାର କରିବାକୁ ଭଲ ପାଆନ୍ତି ? ପଚାରିଲା ଗୌତମ ।

 

ହଁ ! ଶରତ ବାବୁ କହିଲେ, ଜୁଆଙ୍ଗମାନେ ଶିକାର ପ୍ରିୟ । ଶିକାରକୁ ଯିବା ସମୟରେ ସେମାନେ ଦଳବଦ୍ଧ ଭାବରେ ଧନୁଶର ଓ କୁରାଢ଼ି ହାତରେ ଧରି ଜଙ୍ଗଲକୁ ଯାଆନ୍ତି । ତେବେ କୌଣସି ଶିକାରରେ ବାହାରିବା ପୂର୍ବରୁ ଧନୁଶର ପୂଜା କରିବା ସେମାନଙ୍କର ଏକ ପ୍ରଥା ।

 

ବାପା ! ଜୁଆଙ୍ଗମାନଙ୍କର ଖାଦ୍ୟ ସମ୍ପର୍କରେ କହିବାକୁ ଭୁଲିଗଲ କି ? ମନେ ପକାଇ ଦେଲା ଲିପୁ ।

 

ନା ଭୁଲିଲି କେତେବେଳେ ? କହୁଛି ଶୁଣ । ଶରତ ବାବୁ ବୁଝାଇଲେ ଜୁଆଙ୍ଗମାନଙ୍କର ଖାଦ୍ୟରେ ଯେପରି କିଛି ବିଶେଷ କଟକଣା ନଥାଏ । ସେମାନେ କିଛି ବର୍ଷ ପୂର୍ବରୁ ଗୋମାଂସ ଖାଉଥିଲେ । ହେଲେ ଏବେ ସେମାନେ ହିନ୍ଦୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ତାହାକୁ ଛାଡ଼ି ଦେଲେଣି । କେତେକ ଜୁଆଙ୍ଗଙ୍କର ବାଘ ଏବଂ ମାଙ୍କଡ଼ ମାଂସ ବେଶ୍‌ ପ୍ରିୟ । ତୁମେମାନେ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବ । ତାହା ହେଉଛି ସେମାନଙ୍କର ନାଲି ପିମ୍ପୁଡ଼ି ଖିଆ । ସେଗୁଡ଼ିକୁ ଖାଇବାକୁ, ଜୁଆଙ୍ଗମାନେ ବେଶ୍‌ ଭଲ ପାଆନ୍ତି । ଏହା ବ୍ୟତୀତ ଆମ୍ୱର କୋଇଲିକୁ ଶୁଖାଇ ସେଥ‌ିରେ ତିଆରି ଜାଉ, ଭାତ ପେଜ ଇତ୍ୟାଦି ହେଲା ସେମାନଙ୍କର ଦୈନନ୍ଦିନ ଖାଦ୍ୟ । ସେମାନେ ଦୈନନ୍ଦିନ ତାଳ ଏବଂ ଖଜୁରୀ ରସ ପାନ କରି ବେଶ୍‌ ସନ୍ତୁଷ୍ଟ ରହନ୍ତି ।

 

ଜୁଆଙ୍ଗମାନଙ୍କ ସମାଜରେ କେତେଗୁଡ଼ିଏ ଅନ୍ଧବିଶ୍ୱାସ ରହିଥ‌ିବାର ଦେଖାଯାଏ । ସେଗୁଡ଼ିକର ବଶବର୍ତ୍ତୀ ହୋଇ ଜୁଆଙ୍ଗମାନେ ପିତଳ ବାସନରେ କୌଣସି ତରଳ ପଦାର୍ଥ ପିଅନ୍ତି ନାହିଁ । ଆଗନ୍ତୁ ମାଟି ବାସନ ବା ଲାଉ ତୁମ୍ବାରେ ପାଣି ପିଇବାକୁ ଶୁଭପ୍ରଦ ବୋଲି ସେମାନେ ମନେ କରିଥାନ୍ତି ।

 

ଅଙ୍କଲ ! ଜୁଆଙ୍ଗ ସମାଜରେ କୌଣସି ଭୂତପ୍ରେତ ବା ଗୁଣି ଭୟ ଥାଏ କି ? ଜାଣିବାକୁ ଇଚ୍ଛା କଲା ଗୌତମ । ହଁ ଶରତ ବାବୁ କହିଲେ, ଆଜି ପର୍ଯ୍ୟନ୍ତ ଆମମାନଙ୍କ ସମାଜରେ ରହିଛି । ଜୁଆଙ୍ଗ ସେଥିରୁ ବାଦ୍‌ ଯିବେ କିପରି ? ସେମାନେ ଗୁଣୀ ବିଦ୍ୟାକୁ ବେଶ୍‌ ଭୟ କରିଥାନ୍ତି । ରାଉରିଆ ହେଉଛି ସେମାନଙ୍କର ଗୁଣିଆ । ଏହି ଗୁଣୀ ମନ୍ତ୍ର ଦ୍ୱାରା ଜଣେ ଲୋକ ମଧ୍ୟ ବାଘକୁ ରୂପାନ୍ତରିତ ହୋଇ ଯିବାର ବିଶ୍ୱାସ ଜୁଆଙ୍ଗମାନଙ୍କ ଠାରେ ରହିଛି । ଜୁଆଙ୍ଗ ସମାଜରେ ଏହି ରାଉରିଆର ସ୍ଥାନ ବେଶ୍‍ ଉଚ୍ଚରେ । ସମାଜର କୌଣସି ବ୍ୟକ୍ତି ରୋଗାକ୍ରାନ୍ତ ହେଲେ ତାହାର କାରଣ ଜାଣିବା ପାଇଁ ରାଉରିଆ କୁଲା ବୁଲାଇଥାଏ । ଦ୍ୱିତୀୟତଃ ଭୂତକୁ ଜବତରେ ରଖିବା ପାଇଁ ଜୁଆଙ୍ଗମାନେ ଶ୍ମଶାନରେ ଚାରିକୋଣରେ ଚାରୋଟି ଖୁଣ୍ଟ ପୋତନ୍ତି । ଏହାଦ୍ୱାରା ଭୂତ ଶ୍ମଶାନର ସୀମା ଅତିକ୍ରମ କରି ଜୁଆଙ୍ଗ ସମାଜ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ । ତୃତୀୟରେ ସେମାନଙ୍କର ଥାଏ ଡାହାଣୀ ଭୟ । କୌଣସି ଗର୍ଭବତୀ ନାରୀ ଶିଶୁ ଜନ୍ମ କରିବା ପୂର୍ବରୁ ମୃତ୍ୟୁପ୍ରାପ୍ତ କଲେ ସେ ଡାହାଣୀ ହୋଇଯାଏ ବୋଲି ଜୁଆଙ୍ଗମାନଙ୍କର ଧାରଣା, ତେବେ ସମାଜରେ କୌଣସି ବ୍ୟକ୍ତି ଡାହାଣୀଦ୍ୱାରା ଆକ୍ରାନ୍ତ ହେଲେ ତାହାକୁ ଛଡ଼ାଇବା ପାଇଁ ରାଉରିଆ ସ୍ତ୍ରୀମାନେ ପିନ୍ଧିଥିବା ପତ୍ରକୁ ଜାଳି ଧୂଆଁ ଦିଅନ୍ତି । ଏହାଦ୍ୱାରା ଡାହାଣୀ ଛାଡ଼ିଯାଏ ବୋଲି ଜୁଆଙ୍ଗମାନେ ବିଶ୍ଵାସ କରନ୍ତି ।

 

ଏହି ସମୟରେ ଶରତ ବାବୁ ଜାଣିପାରିଲେ, ମାମୁନି କିଛି ପଚାରିବା ପାଇଁ ଆଗ୍ରହୀ ହୋଇ ଉଠୁଛି । ତହୁଁ ସେ କହିଲେ, ମାମୁନି ! ତୋର କିଛି ସନ୍ଦେହ ରହିଲା ?

 

ପିଉସା ! ଜୁଆଙ୍ଗମାନଙ୍କର ଧର୍ମନୀତି ବିଷୟ ଶୁଣିବା ପାଇଁ ମୋର ଇଚ୍ଛା ।

 

ହଁ କହୁଛି ଶୁଣ । ଶରତ ବାବୁ ବୁଝାଇ ଦେଲେ, ଜୁଆଙ୍ଗମାନେ ଆମପରି ହିନ୍ଦୁ । ସେମାନଙ୍କର ପ୍ରାୟ ସମସ୍ତ ଧର୍ମ ପ୍ରକୃତିକୁ ନେଇ ସୃଷ୍ଟି ହୋଇଛି । ସେମାନେ ସାଧାରଣତଃ ପ୍ରତ୍ୟେକ କାର୍ଯ୍ୟରେ ସମାଜର ପୁରୋହିତଙ୍କ କଥା ମାନି ଚଳିଥାନ୍ତି । ସେମାନେ ପୁରୋହିତଙ୍କୁ ‘ଦେହୁରି’ ବୋଲି କହନ୍ତି ।

 

ଜୁଆଙ୍ଗମାନେ ଧର୍ମଦେବତା ଏବଂ ଧରତୀ ମାତାକୁ ସେମାନଙ୍କର ପ୍ରଧାନ ଦେବୀ ରୂପେ ପରିଗଣିତ କରିଥାନ୍ତି । ଏତଦ୍‌ବ୍ୟତୀତ ସେମାନେ ଋଷି, ଋଷିଆଣୀ, ଗ୍ରାମଶିରୀ [ଗ୍ରାମଦେବୀ] ଧନେଶ୍ୱର ମହାପତି, ବୋରାମ, ବାସୁକୀ ଠାକୁରାଣୀ ଏବଂ ନଦୀ, ପାହାଡ଼ ଦେବତା ଆଦିଙ୍କୁ ପୂଜା କରିଥାନ୍ତି । ସେମାନଙ୍କର ନଦୀ ଏବଂ ପାହାଡ଼ ଦେବତାଙ୍କ ମଧ୍ୟରେ ମୋ ଗାଁ ପାଟ, କୋଟ ପାଟ, ମାଲ୍ୟଗିରି, ରେଙ୍କାପାଟ, ବନରାଇ ଇତ୍ୟାଦି ପ୍ରଧାନ । ସେମାନେ ହିନ୍ଦୁ ସମାଜକୁ ଅନୁକରଣ କରି ଜଗନ୍ନାଥ, ଶ୍ରୀକୃଷ୍ଣ, ରାମ, ଲକ୍ଷ୍ମଣ, ସୀତା, ଲକ୍ଷ୍ମୀ, ଦୁର୍ଗା, ମଙ୍ଗଳା ଆଦିଙ୍କୁ ପୂଜା କଲେଣି ସର୍ବୋପରି ଏମାନଙ୍କର ଗୃହ ଦେବତା ହେଲେ ପିତୃପୁରୁଷ ।

 

ଜୁଆଙ୍ଗମାନଙ୍କର ଅନେକ ପ୍ରକାର ପର୍ବପର୍ବାଣି ମଧ୍ୟରୁ ମାଘ ପର୍ବଟି ପ୍ରଧାନ । ଏହି ପର୍ବରେ ଗାଁ ମୁଣ୍ଡରେ ଥିବା ଗୋଟିଏ ପ୍ରାନ୍ତରକୁ ପରିଷ୍କାର କରାଯାଏ । ତତ୍ପରେ ସେଠାରେ କୁଡ଼ିଆଟିଏ ନିର୍ମିତ ହୁଏ । ସେଇଟିକୁ ସେମାନଙ୍କର ପ୍ରଥା ଅନୁସାରେ ପଥରରୁ ନିଆଁ ବାହାର କରି ପୋଡ଼ି ଦିଆଯାଏ । ସେଦିନ ସେଠାରେ ପିଠା ଭୋଗ କରାଯାଇ ପର୍ବଟିକୁ ବେଶ୍‌ ଆଡ଼ମ୍ବର ସହକାରେ ପାଳନ କରାଯାଏ । ତା’ ପରଦିନ ପୋଡ଼ା ଯାଇଥିବା କୁଡ଼ିଆର ପାଉଁଶକୁ ଖେଳାଇ ଦିଆଯାଇ ତା’ ଉପରେ ଶସ୍ୟ ବୁଣାଯାଏ । ସାଧାରଣତଃ ସେହି ଦିନରେ ଚାଷର ଅନୁକୂଳ କରାଯାଏ ।

 

ଏତଦ୍‌ବ୍ୟତୀତ ପୁଷ ପୁନେଇଁ, ଆମ ନୂଆଖିଆ, ତିରତି ପର୍ବ, ମାଚୁରି ବା ଚିନାନୂଆ ପର୍ବ, ଗୁଡ଼ବୁଆ ନୂଆ ପର୍ବ, କିମିଆଙ୍ଗ ପର୍ବ, ଗୁଣ୍ଡାଡ଼ିଆ ପର୍ବ ଇତ୍ୟାଦି ଜୁଆଙ୍ଗମାନଙ୍କର ଅନ୍ୟାନ୍ୟ ପର୍ବପର୍ବାଣି ।

 

ପୁଷ ପୁନେଇଁ ପର୍ବରେ ଜୁଆଙ୍ଗମାନେ ତଇଲା ଜମି ବାଣ୍ଟନ୍ତି । ଆଉ ନୂଆ ପର୍ବରେ ଆମ୍ବ ବଉଳ ଠାକୁରଙ୍କୁ ଅର୍ପଣ କରାଯାଏ । ଏହି ପର୍ବ ଶେଷରେ ସମସ୍ତେ ଦଳ ଦଳ ହୋଇ ଶିକାରକୁ ଯାଆନ୍ତି ।

 

ତିରତିଆ ପର୍ବରେ ଜୁଆଙ୍ଗମାନଙ୍କର ପୁରୋଧା ସମାଜର ପ୍ରତ୍ୟେକ ପରିବାରକୁ ଯାଇ ସେଗୁଡ଼ିକର ମୁଖ୍ୟଙ୍କୁ ପହିଲି ବୁଣା ଧାନ ବିହନ ବଣ୍ଟନ କରନ୍ତି ।

 

ମାଚୁରି ପନିରେ କାକୁଡ଼ି, ମକା, ଭେଣ୍ଡି ଆଦିର ବ୍ୟବହାର ପାଇଁ ଠାକୁରଙ୍କୁ ପୂଜା କରାଯାଏ ।

 

ଜୁଆଙ୍ଗମାନେ ଏସବୁ ପର୍ବପର୍ବାଣିମାନଙ୍କରେ କୋଇଲି ନୃତ୍ୟ, କୁକୁଡ଼ା ନୃତ୍ୟ, ଭାଲୁ ନୃତ୍ୟ, ହାତୀ ନୃତ୍ୟ, ଶାଗୁଣା ନୃତ୍ୟ ଭଳି ବିଭିନ୍ନ ପ୍ରକାର ନୃତ୍ୟ ଅନୁଭୂତ ହୋଇଥାଏ । ଏପରିକି ଏସବୁ ପର୍ବ ବାଦ୍‌ ସାଧାରଣ ଦିନମାନଙ୍କରେ ସେମାନେ ଏହି ନୃତ୍ୟଗୀତ ମାଧ୍ୟମରେ ସେମାନଙ୍କର ସମୟଗୁଡ଼ିକୁ ଅତିବାହିତ କରିଥାନ୍ତି । ବିଶେଷ କରି ଏଗୁଡ଼ିକରେ ସମାଜରେ ଝିଅମାନଙ୍କର ଭୂମିକା ଅଧିକ ହୋଇଥାଏ ।

 

ଏହାପରେ ଶରତ ବାବୁଙ୍କ ଅନୁମତିକ୍ରମେ ଲିପୁ ପଚାରିଲା, ବାପା ! ଆଜିକାଲି ଜୁଆଙ୍ଗମାନଙ୍କ ଉନ୍ନ‌ତି ପାଇଁ ଆମ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି ?

 

ହଁ କରିଛନ୍ତି ଶରତ ବାବୁ ବୁଝାଇଲେ, ସରକାର କେନ୍ଦୁଝରର ଗୋନାସିକାଠାରେ ଗୋଟିଏ ଆର୍ଯ୍ୟ ଜୁଆଙ୍ଗ ଗ୍ରାମ ସୃଷ୍ଟି କରିଛନ୍ତି । ସେଠାରେ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଶିଳ୍ପ ବିଷୟରେ ଅନେକ ସୁବିଧା ସୁଯୋଗ ଦିଆଯାଉଛି । ଏହାଦ୍ୱାରା ନିକଟ ଭବିଷ୍ୟତରେ ସେମାନଙ୍କର ସାମାଜିକ ଜୀବନରେ ଯଥେଷ୍ଟ ଉନ୍ନ‌ତି ହେବ ଏଥିରେ ସନ୍ଦେହ ନାହିଁ ।

 

ଏଥର ଶରତ ବାବୁ ତାଙ୍କର ଜୁଆଙ୍ଗ ଶିଶୁମାନଙ୍କ କଥା ଶେଷ କରି ପିଲାମାନଙ୍କୁ କହିଲେ, ଆଜି ଏତିକିରେ ଥାଉ । ଆଉ ଦିନେ ମୁଁ ତୁମମାନଙ୍କୁ ଅନ୍ୟ ଗୋଟିଏ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ କଥା କହିବି ।

 

ସେତେବେଳକୁ ପିଲାମାନଙ୍କର ଖେଳ ସମୟ ହୋଇଯାଇଥିଲା ।

☆☆☆

 

ତୋଦା ଶିଶୁ

 

ସେଦିନଟି ଥିଲା ସୋମବାର । ପ୍ରତିଦିନ ଲିପୁ ଓ ମାମୁନି ସ୍କୁଲକୁ ଗଲେ । ସେଠାରେ ସେମାନଙ୍କର ଦେଖାହେଲା ଗୌତମ ସହିତ । ଗୌତମର ମୁଖ ମଣ୍ଡଳରେ ବେଶ୍‌ ଆନନ୍ଦର ଭାବ ଫୁଟି ଉଠୁଥିଲା ।

 

କଥା କ’ଣ ? ତୁ ଆଜି ଏତେ ଆନନ୍ଦିତ ଜଣାପଡ଼ୁଛୁ, କାହିଁକି । ତୁ ବୋଧହୁଏ କିଛି ବଢ଼ିଆ ଜିନିଷ ପାଇଯାଇଛୁ । ସତରେ ନା କ’ଣ ? ଲିପୁ ହସି ହସି ପଚାରିଲା ଗୌତମକୁ ।

 

ଗୌତମକୁ କହିଲା, ‘‘ନାଇଁରେ ଲିପୁ ତାହା ନୁହେଁ । ସାର୍‌ ଶନିବାର ଦିନ ଆମମାନଙ୍କୁ ଯେଉଁ ପଢ଼ା ଦେଇଥିଲେ, ମନେଅଛି ନା ?’’

 

ହଁ ଭୂଗୋଳର ପ୍ରଶ୍ନଉତ୍ତର ଦେଇଥିଲେ । ତାହାତ ଆମେମାନେ କରିଦେଇଛୁ ।

 

ତେବେ ମୋତେ ମିଶାଇ ଆମ ଶ୍ରେଣୀରେ ମାତ୍ର ତିନି ଜଣ ପିଲା ସାରଙ୍କ ପଢ଼ା କରିଛନ୍ତି । ତୁମେମାନେ ଆସିବା ପୂର୍ବରୁ ମୁଁ ଗୋଟି ଗୋଟି କରି ସମସ୍ତ ପିଲାଙ୍କୁ ଏ କଥା ପଚାରିଥିଲି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଦୁଇ ବା ତିନୋଟି ପ୍ରଶ୍ନର ଉତ୍ତର କରିଛନ୍ତି । ଆନନ୍ଦର ସହ କହିଲା ଗୌତମ ।

 

ସାର ତା’ହେଲେ ଆମ ତିନି ଜଣଙ୍କ ଉପରେ ନିଶ୍ଚୟ ଖୁସି ହେବେ, ମାମୁନି କହିଲା ।

 

ସ୍କୁଲର ସପ୍ତମ ପିରିୟଡ଼ ହେଲା । ସେଇଟି ଭୂଗୋଳ ପଢ଼ା ନିମନ୍ତେ ଉଦ୍ଦିଷ୍ଟ ଥିଲା । ଠିକ୍‌ ସମୟରେ ଶିକ୍ଷକ ଆସି ପିଲାମାନଙ୍କୁ ପଢ଼ା କଥା ପଚାରିଲେ । ଯେଉଁମାନେ ତାହା କରିନଥିଲେ ସେମାନଙ୍କୁ ଦଣ୍ଡ ଦିଆଗଲା । ଅପର ପକ୍ଷରେ ଲିପୁ, ମାମୁନି ଏବଂ ଗୌତମ ସେମାନଙ୍କ ପଢ଼ାକୁ ଠିକ୍‌ ଭାବରେ ବୁଝାଇ ଦେଇ ପାରିବାରୁ ଶିକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହେଲେ ।

ଏଥର ଶିକ୍ଷକ ମହାଶୟ ପିଲାମାନଙ୍କୁ କିଛି ସମୟ ପର୍ଯ୍ୟନ୍ତ ଭୂଗୋଳ ପାଠ ପଢ଼ାଇଲେ-। ପଢ଼ା ଶେଷରେ ସେ ଉକ୍ତ ବହିରୁ କେତୋଟି ସାଧାରଣ ଜ୍ଞାନ ପ୍ରଶ୍ନ ଦେଇ ଆସନ୍ତା ପିରିୟଡ଼କୁ ସେଗୁଡ଼ିକର ଉତ୍ତର କରି ଆଣିବା ନିମନ୍ତେ ପିଲାଙ୍କୁ କହିଲେ ।

ଏହାପରେ ସ୍କୁଲର ଛୁଟି ଘଣ୍ଟା ବାଜିଲା । ପିଲାମାନେ ନିଜ ନିଜ ଘରକୁ ବାହାରିଲେ । ଲିପୁ ଓ ମାମୁନି ଘରେ ପହଞ୍ଚି ପ୍ରଥମେ କିଛି ଜଳଖିଆ ଖାଇ ନେଲେ । ସେଦିନ ସେମାନେ ଆଉ ଖେଳିବାକୁ ଗଲେ ନାହିଁ । କାରଣ ସନ୍ଧ୍ୟା ସମୟରେ ବିଜୁଳି ବତୀ ବନ୍ଦ । ସେମାନଙ୍କ ଘର ପାଖରେ ବସିଥ‌ିବା ଟ୍ରାନ୍‌ସଫରମରଟି ଅଚଳ ହୋଇପଡ଼ିଛି । ସେମାନେ ପାଠପଢ଼ା ବା ଲେଖାଲେଖି କାମ କରିବେ କିପରି ? ତେଣୁ ସେମାନେ ସନ୍ଧ୍ୟା ପୂର୍ବରୁ ଶିକ୍ଷକ ଦେଇଥ‌ିବା ପଢ଼ାକୁ ଶେଷ କରି ଦେବାକୁ ବସି ପଡ଼ିଲେ ।

ଗୋଟି ଗୋଟି କରି ଦୁଇଟି ବିଷୟ ସରିଗଲା ଏବଂ ଶେଷକୁ ଭୂଗୋଳ ଶିକ୍ଷକ ଦେଇଥିବା ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର । ସେଗୁଡ଼ିକୁ ଗୋଟି ଗୋଟି କରି ସେମାନେ ପରସ୍ପର ଆଲୋଚନା ମାଧ୍ୟମରେ କରି ଚାଲିଲେ । ହେଲେ ଶେଷକୁ ରହିଲା ଗୋଟିଏ ପ୍ରଶ୍ନ । ତାହା ଥିଲା କେଉଁ ନିର୍ଦ୍ଦିଷ୍ଟ ଜାତିର ଶିଶୁମାନଙ୍କୁ ସେମାନଙ୍କ ବାପାଙ୍କ ନାମ ପଚାରିଲେ ସେମାନେ ଏକାଧିକ ନାମ କହିଥାନ୍ତି ?

 

ଭୂଗୋଳ ଶିକ୍ଷକ ଯେତେଗୁଡ଼ିଏ ସାଧାରଣ ଜ୍ଞାନ ପ୍ରଶ୍ନଉତ୍ତର ଦେଇଥିଲେ ସେଗୁଡ଼ିକୁ ବେଶ୍‌ ସହଜରେ ଗୋଟି ଗୋଟି କରି ଲେଖି ସାରିବା ପରେ ଏପରି ଏକ ପ୍ରଶ୍ନରେ ଲିପୁ ଓ ମାମୁନିଙ୍କର ବୁଦ୍ଧି ହଜିଗଲା । ଏ ସମ୍ପର୍କରେ ନିଜ ନିଜ ମଧ୍ୟରେ ଯେତେ ଆଲୋଚନା କଲେ ମଧ୍ୟ ସେମାନେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ପାଇ ପାରିଲେ ନାହିଁ ।

 

ଠିକ୍‌ ଅଛି ତୁ ବ୍ୟସ୍ତ ହୁଅ ନାହିଁ । ଆମର ଅନ୍ୟାନ୍ୟ ପାଠ ତ ସରି ଯାଇଛି । କେବଳ ଏହି ଗୋଟିଏ ପ୍ରଶ୍ନର ଉତ୍ତର କରିଦେଲେ ଆମର କାମ ଶେଷ ହୋଇଯିବ । ଆଜି ସନ୍ଧ୍ୟାବେଳେ ଆମେ ବାପାଙ୍କ ପାଖକୁ ଯିବା । ତାଙ୍କୁ ଏ ପ୍ରଶ୍ନର ଉତ୍ତର ପଚାରିବା । କାଲି ସକାଳେ ତାହାକୁ ଲେଖିଦେଇ ସାର୍‌ ଦେଇଥିବା ପଢ଼ା କାର୍ଯ୍ୟ ଆମେ ଶେଷ କରିବା । ଲିପୁ ବୁଝାଇଦେଲା ମାମୁନିକୁ-

 

ଏହାପରେ ଲିପୁ ଓ ମାମୁନି ସେମାନଙ୍କର ବହିପତ୍ର ଯଥା ସ୍ଥାନରେ ରଖି ଦେଲେ ଅଳ୍ପ କିଛି ସମୟ ପାଇଁ ଖେଳିବାକୁ ବାହାରି ପଡ଼ିଲେ । କ୍ରମେ ସନ୍ଧ୍ୟା ଉପସ୍ଥିତ ହେବାରୁ ସେମାନେ ଘରକୁ ଫେରି ଆସି ନିଜ ନିଜର ଗୋଡ଼ ହାତ ପରିଷ୍କାର କଲେ ଏବଂ ଭଗବାନଙ୍କ ପ୍ରାର୍ଥନାରେ ବସି ପଡ଼ିଲେ ।

 

କିଛି ସମୟ ପରେ ପିଲାମାନଙ୍କର ପ୍ରାର୍ଥନା ସରିଲା । ମାମୁନି ଲିପୁକୁ ତାଙ୍କ ବୈଠକଖାନାରେ ଶୀଘ୍ର ପହଞ୍ଚିବା ପାଇଁ ମନେପକେଇ ଦେଲା । ଏହାପରେ ସେ ଦୁହେଁ ସେଠାକୁ ଚାଲିଲେ ।

 

ସେତେବେଳକୁ ଶରତ ବାବୁ ଟେବୁଲ ଉପରେ ମହମବତୀଟିଏ ଲଗାଇ ବହିଟିଏ ପଢ଼ିବାରେ ଲାଗିଥିଲେ । ପିଲାମାନଙ୍କୁ ଦେଖି ସେ ପଚାରିଲେ, କ’ଣ ଆଜି ସାର୍‌ଙ୍କ ପଢ଼ା ଶେଷ କରି ଦେଇଛ ।

 

ହଁ ବାପା ଲିପୁ କହିଲା । ହେଲେ..... ।

 

କ’ଣ ଅସୁବିଧା ହେଲା କୁହ । ସାର୍‌ ଦେଇଥିବା ପଢ଼ାକୁ ପ୍ରସ୍ତୁତ କରିବା ପାଇଁ କିଛି ଅସୁବିଧା ହେଲା କି ?

 

ପିଉସା ! ଆମେମାନେ କେବଳ ସାର୍‌ ଦେଇଥିବା ଗୋଟିଏ ପ୍ରଶ୍ନର ଉତ୍ତରକୁ ବାଦ୍‍ ଦେଲେ ଅନ୍ୟାନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର କରି ନେଉଛୁ । ସେଇଟିର ଉତ୍ତର ଜଣାନଥିବାରୁ ଆମେ ତୁମ ନିକଟକୁ ଆସିଛୁ । ତୁମେ ସେଇଟିକୁ ଆମମାନଙ୍କୁ କହିଦେବ ନା ? ମାମୁନି କହିଲା ।

 

ତେବେ ସେ ପ୍ରଶ୍ନଟି କ’ଣ କହିଲୁ ? ଶରତ ବାବୁ ମାମୁନିକୁ ପଚାରିଲେ । ମାମୁନି ପ୍ରଶ୍ନଟିକୁ କହିଲା ।

 

ଶରତ ବାବୁ କହିଲେ, ଓ ଏଇକଥା, ମୁଁ ତ ତୁମମାନଙ୍କୁ ଆଜି ସେମାନଙ୍କ ବିଷୟରେ କହିବା ପାଇଁ ଠିକ୍‌ କରିଥିଲି । ଗତକାଲି ମୁଁ ତୁମମାନଙ୍କୁ ଜୁଆଙ୍ଗ ଶିଶୁମାନଙ୍କ ବିଷୟରେ ଯେତେଗୁଡ଼ିଏ କଥା କହିଲି ସେଗୁଡ଼ିକୁ ତୁମେମାନେ ମନେ ରଖିଛ ତ ?

 

ହଁ ବାପା, ସମସ୍ତ ବିଷୟ ଆମର ମନେଅଛି । ହେଲେ ଆଜି ତୁମେ ଯେଉଁମାନଙ୍କ କଥା ଆମକୁ କହିବ ତାହାର ଏ ପ୍ରଶ୍ନସାର କି ସମ୍ପର୍କ ରହିଛି ? ଅତ୍ୟନ୍ତ ଆଗ୍ରହ ହୋଇ ଲିପୁ ପଚାରିଲା ।

 

ହଁ ରହିଛି । ଶରତ ବାବୁ କହିଲେ, ସ୍କୁଲରେ ତୁମମାନଙ୍କୁ ସାର୍‌ ଦେଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଯେଉଁଟିର ଉତ୍ତର ତୁମମାନଙ୍କୁ ଆସିଲା ନାହିଁ ବୋଲି ମୋତେ କହୁଥିଲ ତାହା ହେଲା ‘ତୋଦା’ ଶିଶୁ । ମୁଁ ଆଜି ସେମାନଙ୍କ ବିଷୟରେ ତୁମମାନଙ୍କୁ କହିବି ଶୁଣ ।

 

ଆମ ଦେଶରେ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟ ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ ‘ତୋଦା’ ଜାତି ଅନ୍ୟତମ । ସେମାନେ ତାମିଲନାଡ଼ୁର ନିଳଗିରି ପର୍ବତମାଳାରେ ଯେଉଁ ପ୍ରାକୃତିକ ପରିବେଶ ଦେଖାଯାଏ ସେଠାରେ ହିଁ ବାସ କରିଥାନ୍ତି । ତୁମେମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବ ସେମାନଙ୍କର ଏହି ନାମକରଣ ପଛରେ ଗୋଟିଏ କାରଣ ରହିଛି । ତୋଦା ଶବ୍ଦଟି ତୁଦ୍‌ ଶବ୍ଦରୁ ଆସିଛି, ଯାହାର ଅର୍ଥ ଗଛ । ଏହି ଗଛକୁ ତୋଦାମାନେ ପୂଜା କରିଥାନ୍ତି । କାଳକ୍ରମେ ତୁଦ୍‌ ଶବ୍ଦ ଅପଭ୍ରଂଶ ହୋଇ କୋଦା ଶବ୍ଦ ସୃଷ୍ଟି ହେଲା । ଏହି ‘କୋଦା’ ଅର୍ଥ ତୋଦାମାନଙ୍କ ଭାଷାରେ ‘ପାହାଡ଼’ । ଅପରପକ୍ଷେ ତାମିଲ ଭାଷାରେ ତୋଦାମାନଙ୍କୁ ମଧ୍ୟ ତୁକାରାମ ବୋଲି କୁହାଯାଇଥାଏ-

 

ବାପା ! ତୋଦାମାନଙ୍କର ଗାଁଗୁଡ଼ିକ କିପରି ହୋଇଥାଏ ? ଲିପୁର ଜାଣିବାକୁ ଆଗ୍ରହ ସୃଷ୍ଟି ହେଲା ।

 

ହଁ ସେମାନଙ୍କର ଗାଁଗୁଡ଼ିକ ନୀଳଗିରି ପାହାଡ଼ର ପାଦ ଦେଶରେ ରହିଥାଏ । ଗୋଟିଏ ଗୋଟିଏ ଗାଁରେ ମାତ୍ର ପାଞ୍ଚ ଛଅଟି ଘର ଥାଏ । ସେଗୁଡ଼ିକ ମାଟି ଓ ଚାଳ ଛପର ଦ୍ୱାରା ତିଆରି । ଘରଗୁଡ଼ିକ ଦେଖିବାକୁ ବେଶ୍‌ ନୁଆଁଣିଆ । ପ୍ରତ୍ୟେକ ଘର ନିକଟରେ ଆଉ ଗୋଟିଏ କଚ୍ଚା ଘର ରହିଥିବାର ଦେଖାଯାଏ । ସେଗୁଡ଼ିକ ହେଉଛି ତୋଦାମାନଙ୍କର ଗୁହାଳ ଘର । ତା’ରି ମଧ୍ୟରେ ସେମାନେ ଗାଈ ଗୋରୁ ତଥା ମଇଁଷି ଆଦି ରଖିଥାନ୍ତି । ସାଧାରଣତଃ ମଇଁଷିମାନଙ୍କର ସଂଖ୍ୟା ଅନ୍ୟମାନଙ୍କଠାରୁ ବେଶ୍‌ ଅଧିକ ହୋଇଥାଏ ।

 

ପିଉସା ! ତୋଦାମାନେ ଏବେ ପରିମାଣରେ ମଇଁଷି ରଖୁଥିବାରୁ ସେମାନଙ୍କର ଚରିବା ତଥା ଯତ୍ନ ନେବା ଆଦି କାର୍ଯ୍ୟରେ ଅନେକ ସମୟ ଚାଲି ଯାଉଥିବ ତେବେ ତୋଦାମାନେ କ’ଣ ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ ? ଶରତ ବାବୁଙ୍କୁ ପଚାରିଲା ମାମୁନି ।

 

ହଁ ମାମୁନି, ତୋର ଅନୁମାନ ଠିକ୍‌ । ଶରତ ବାବୁ କହିଲେ, ଅଳ୍ପ କିଛି ଗାଈଗୋରୁ ତଥା ବହୁସଂଖ୍ୟକ ମଇଁଷିମାନଙ୍କୁ ନେଇ ସେମାନେ ଜୀବିକା ନିର୍ବାହ କରିଥାନ୍ତି । ନିଳଗିରି ପାହାଡ଼ର ପାଦଦେଶରେ ବିସ୍ତୀର୍ଣ୍ଣ ତୃଣଭୂମି ରହିଛି । ଏଣୁ ଏଠା ଅଧିବାସୀମାନେ ପର୍ଯ୍ୟାପ୍ତ ପରିମାଣରେ ଗାଈ, ଗୋରୁ, ମଇଁଷି ତଥା ଛେଳି ମେଣ୍ଢା ରଖି ସେଗୁଡ଼ିକର ପାଳନ କରିଥାନ୍ତି । ଫଳତଃ ସେମାନଙ୍କ ଠାରୁ ପ୍ରଚୁର ଦୁଗ୍‌ଧ ମିଳିଥାଏ । ଏପରିକି ତୋଦା ଶିଶୁମାନଙ୍କର ଆବଶ୍ୟକ ଚାହିଦା ମେଣ୍ଟାଇ ସାରିବା ପରେ ମଧ୍ୟ ପ୍ରଚୁର ପରିମାଣରେ ବଳି ପଡ଼େ । ତେଣୁ ତୋଦାମାନେ ସେଥିରୁ ଦହି ଲହୁଣୀ ଆଦି ବାହାର କରି ନିକଟସ୍ଥ ବଜାରମାନଙ୍କରେ ବିକ୍ରି କରିଥାନ୍ତି ।

 

ବାପା ! ତେବେ ସେମାନେ ଖାଆନ୍ତି କ’ଣ ? ପଚାରିଲା ଲିପୁ । ତୁ ଭଲ ପ୍ରଶ୍ନଟିଏ ପଚାରିଛୁ ଲିପୁ । ଶରତ ବାବୁ ବୁଝାଇ ଦେଲେ, ତୁମେମାନେ ବୋଧହୁଏ ଜାଣିନଥିବ । କୌଣସି ତୋଦା ବସ୍ତିରେ ଯେଉଁ ତୋଦା ଯେତିକି ଅଧିକ ସଂଖ୍ୟକ ମଇଁଷି ପାଳନ କରିଥାଏ ସେ ସେତିକି ଧନଶାଳୀ । ତୁମେମାନେ ଆଜି ପର୍ଯ୍ୟନ୍ତ ମୋ’ଠାରୁ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟଙ୍କ କଥା ଶୁଣି ଆସିଛ, ସେମାନଙ୍କ ମଧ୍ୟରୁ ଅନେକ ମାଛ ମାଂସ ଏପରିକି କଞ୍ଚା ମାଂସ ଖାଆନ୍ତି ବୋଲି ଜାଣିଛ ହେଲେ ତୋଦାମାନଙ୍କ ନିକଟରେ ଆମିଷ ଉଚ୍ଚାରିତ ହୁଏ ନାହିଁ । ସେମାନେ କେବଳ ବିଭିନ୍ନ ପ୍ରକାର ପନିପରିବା ତଥା କ୍ଷୀରରୁ ପ୍ରସ୍ତୁତ ଛେନା, ଲହୁଣି ଆଦି ଖାଇ ତୃପ୍ତିଲାଭ କରିଥାନ୍ତି ।

 

ପିଉଁସା ! ମୁଁ ଏଥର ବୁଝିଲି, ଆମେମାନେ ସହରରେ ରହି ଭଲ କ୍ଷୀର ପାଉନଥିବା ବେଳେ ତୋଦାମାନେ ପାହାଡ଼ିଆ ଅଞ୍ଚଳରେ ରହି କିପରି ପ୍ରଚୁର ପରିମାଣରେ ସେଗୁଡ଼ିକୁ ପାଇ ପାରୁଛନ୍ତି । ହେଲେ ଯେଉଁ ବ୍ୟକ୍ତି ତୋଦାମାନଙ୍କ ବିଷୟରେ ଆଦୌ ଜାଣିନଥିବେ, ସେ ତୁମର ଏପରି କଥାକୁ ନିଶ୍ଚିତ ଭାବେ ଅବିଶ୍ୱାସ କରିବ । ମାମୁନି ଆଶ୍ଚର୍ଯ୍ୟ ହୋଇ କହିଲା ଶରତ ବାବୁଙ୍କୁ-

 

ମାମୁନିଠାରୁ ଏପରି କଥା ଶୁଣି ଶରତ ବାବୁ କହିଲେ ଅବଶ୍ୟ ତୋ କଥା ସତ । ସମସ୍ତ ଆଦିବାସୀ ସେମାନଙ୍କର ସାମାଜିକ ଚଳଣି ତଥା ପ୍ରଥାକୁ ନେଇ ଏକ ହୋଇନଥାନ୍ତି । ସେମାନଙ୍କର ଭିନ୍ନ‌ତା ପଛରେ ରହିଥାଏ ପାରିପାର୍ଶ୍ୱକ ଏବଂ ସାମାଜିକ ପ୍ରଭାବ । ତେଣୁ କେତେକ ଆଦିବାସୀ ଆମିଷ ଦ୍ରବ୍ୟ ଏପରିକି କଞ୍ଚା ମାଂସ ବିନା ବଞ୍ଚି ପାରୁ ନଥିବା ବେଳେ ତୋଦାମାନେ ସେଗୁଡ଼ିକୁ ପାଖରେ ପୂରାନ୍ତି ନାହିଁ ।

 

ଲିପୁ ପୁନର୍ବାର କହିଲା, ବାପା ! ତୁମେ ଆମକୁ ଗଡ଼ିମାନଙ୍କ କଥା କହୁଥିଲ ନା ? ସେମାନଙ୍କୁ ଛେଳି ମେଣ୍ଢାଗୁଡ଼ିକ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିବାକୁ ପଡ଼ିଥାଏ । ତୋଦାମାନେ କ’ଣ ସେପରି କରନ୍ତି ?

 

ତୋର ଅନୁମାନ ଅବଶ୍ୟ ଆଂଶିକ ଭାବରେ ସତ । ବାପା ବୁଝାଇ ଦେଲେ । ଗଡ଼ିମାନେ ହିମାଲୟର ବରଫ ଅଞ୍ଚଳରେ ବାସ କରୁଥିବାରୁ ପ୍ରବଳ ଶୀତ ସମୟରେ ସେମାନଙ୍କୁ ସେମାନଙ୍କ ବାସସ୍ଥାନ ବଦଳାଇବାକୁ ପଡ଼ିଥାଏ । ଫଳରେ ସେମାନେ ଛେଳି ମେଣ୍ଢା ଆଦିଙ୍କୁ ଧରି ଅନ୍ୟତ୍ର ଚାଲି ଯାଆନ୍ତି । କିନ୍ତୁ ତୋଦାମାନଙ୍କ କ୍ଷେତ୍ରରେ ତାହା ହୁଏ ନାହିଁ । ନୀଳଗିରିର ପାଦ ଦେଶରେ ହିମାଳୟ ପରି ଏତେ ଥଣ୍ଡା ଅନୁଭୂତ ହୁଏ ନାହିଁ । ତେବେ କିଛି ଦିନ ଧରି ଗୋଟିଏ ସ୍ଥାନରେ ରହି ସେମାନଙ୍କ ମଇଁଷିମାନଙ୍କୁ ଚରାଇ ସାରିବା ପରେ ତୃଣଭୂମିର ଅଭାବ ପଡ଼ିବାରୁ ତୋଦାମାନଙ୍କୁ ନିକଟସ୍ଥ ଅନ୍ୟ ଗୋଟିଏ ଚାରଣ ଭୂମିକୁ ଯିବାକୁ ହୋଇଥାଏ । ଏହା ହିଁ ହେଉଛି ଗଡ଼ ଏବଂ ତୋଦାମାନଙ୍କ ମଧ୍ୟରେ ପାର୍ଥକ୍ୟ । ତେବେ ଆଜିକାଲି ଶିକ୍ଷିତ ସମାଜର ସଂସ୍ପର୍ଶରେ ଆସି ସେମାନଙ୍କ ମଧ୍ୟରୁ କେତେକ ଚାଷ କାର୍ଯ୍ୟ ପ୍ରତି ମନ ବଳାଇଲେଣି । ଫଳରେ ସେମାନଙ୍କୁ ଆଉ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବାକୁ ପଡ଼େ ନାହିଁ ।

 

Image

 

ଶରତ ବାବୁ ବୁଝାଇ ଦେଲେ, ତୋଦାମାନେ ସାଧାରଣତଃ ଗୌର ବର୍ଣ୍ଣର । ସେମାନଙ୍କ ଚେହେରା ମଧ୍ୟ ବଳିଷ୍ଟ ଉଚ୍ଚତା ମଧ୍ୟମ ଧରଣର, ହେଲେ ସମସ୍ତ ତୋଦା ସେମାନଙ୍କ ମୁଣ୍ଡରେ ଦୀର୍ଘ କେଶ ରଖିବା ହେଉଛି ଗୋଟିଏ ବିଶେଷତ୍ୱ । ସେମାନଙ୍କର ଉଭୟ ପୁରୁଷ ଏବଂ ସ୍ତ୍ରୀଲୋକ ଏକପ୍ରକାର ବେଶପୋଷାକ ପିନ୍ଧିଥାନ୍ତି । ତଦନୁସାରେ ସେମାନଙ୍କ ଅଣ୍ଟା ପାଖରୁ ଅବଶିଷ୍ଟ ଶରୀରକୁ ଆବୃତ କଲା ଭଳି ଦୀର୍ଘ ବସ୍ତ୍ରଟିଏ ତୋଦାମାନଙ୍କୁ ପିନ୍ଧିବାକୁ ହୋଇଥାଏ । ତେବେ ତୋଦାମାନେ ସେମାନଙ୍କ ବେଶପୋଷାକର ପରିଷ୍କାର ପରିଚ୍ଛନ୍ନ‌ତା ପ୍ରତି ବେଶ୍‌ ଯତ୍ନଶୀଳ ।

ଏହି ସମୟରେ ଲିପୁ ଆଣ୍ଠେଇ ପଡ଼ି କହିଲା, ବାପା ! ଏଥର ତୋଦା ଶିଶୁମାନଙ୍କ ସମ୍ପର୍କରେ କିଛି କୁହ‌ନା ।

ହଁ କହୁଛି ଶୁଣ । ବାପା ବୁଝାଇଲେ, ସାଧାରଣତଃ ତୋଦା ଶିଶୁମାନେ ପାଠ ପଢ଼ିବା ପାଇଁ ସ୍କୁଲକୁ ଯାଆନ୍ତି ନାହିଁ । ସେମାନେ ଅନେକ ସମୟରେ ସେମାନଙ୍କର ଗୋରୁ, ମଇଁଷି ଆଦିଙ୍କୁ ଚରାଇବା, ସମୟ ସମୟରେ ବଣ ଜଙ୍ଗଲରୁ ଅନେକ ଫଳମୂଳ ସଂଗ୍ରହ କରିବା ଆଦି କାର୍ଯ୍ୟରେ ନିଜ ନିଜର ପିତାମାତାଙ୍କୁ ସାହାଯ୍ୟ କରିଥାନ୍ତି । ଅବଶ୍ୟ ଆଜିକାଲି ସେମାନେ ପାଠପଢ଼ାର ମୂଲ୍ୟ ବୁଝିଲେଣି । ଫଳରେ ଅଳ୍ପ କେତେକ ତୋଦା ଶିଶୁଙ୍କୁ ସେମାନଙ୍କର ପିତାମାତା ସ୍କୁଲକୁ ଛାଡ଼ିଲେଣି-

ଏଥର ତୋଦାମାନଙ୍କର ଆଉ ଗୋଟିଏ ବିଶେଷତ୍ୱ କହୁଛି ଶୁଣ । ତୁମେମାନେ ଯଦି କୌଣସି ତୋଦା ଶିଶୁକୁ ତା’ ବାପାଙ୍କ ନାମ ପଚାରିବ ତେବେ ସେ କ’ଣ କହିବ ଜାଣିଛ ? ଲିପୁ ଓ ମାମୁନି ଶରତ ବାବୁଙ୍କର ଏପରି କଥାରେ ଅତ୍ୟନ୍ତ କୌତୂହଳୀ ହୋଇ ପଡ଼ିଲେ । ହଠାତ୍‌ ସେମାନଙ୍କର ସ୍କୁଲରେ ଶିକ୍ଷକ ଦେଇଥିବା ସାଧାରଣଜ୍ଞାନ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରଶ୍ନ ମନେପଡ଼ିଗଲା । ସେଇଟିକୁ ସେମାନେ ପ୍ରଥମେ ଉତ୍ତର ଦେଇପାରୁ ନଥିଲେ, ଯାହା ଫଳରେ ସେମାନଙ୍କୁ ଶରତ ବାବୁଙ୍କ ପାଖକୁ ଆସି ବୁଝିବାକୁ ପଡ଼ିଥିଲା ।

ଏହି ସମୟରେ ଲିପୁ କହିଉଠିଲା, ବାପା ! ତେବେ ଶିଶୁ ତା’ ବାପାଙ୍କର ଏକାଧିକ ନାମ କହିଥାଏ ।

ହଁ ଠିକ୍‌ କହିଛୁ । ଶରତ ବାବୁ ବୁଝାଇଲେ ତୋଦା ଶିଶୁମାନଙ୍କୁ ସେମାନଙ୍କର ବାପାଙ୍କ ନାମ ପଚାରିଲେ ସେମାନେ ନିର୍ଦ୍ଦିଷ୍ଟ ନାମ ସହ ସେମାନଙ୍କ କକେଇମାନଙ୍କ ନାମ ମଧ୍ୟ କହିଥାନ୍ତି ।

ଏହା ଶୁଣି ଲିପୁ ପଚାରିଲା, ବାପା ସେମାନେ ଏପରି କାହିଁ କହିଥାନ୍ତି ?

ବାପା ବୁଝାଇଲେ, ତୋଦାମାନଙ୍କର ସମାଜରେ ସ୍ତ୍ରୀମାନଙ୍କର ‘ବହୁପତି ବରଣ’ ପ୍ରଥାଟିଏ ରହିଛି । ତୁ ଜାଣିଥିବୁ ରାମାୟଣ ଯୁଗରେ ରାଜା ଦଶରଥଙ୍କର କୌଶଲ୍ୟା, କୈକେଇ ଏବଂ ସୁମିତ୍ରା ନାମରେ ତିନୋଟି ରାଣୀ ଥିଲେ । ଏହା ହେଉଛି ‘ବହୁ ସ୍ତ୍ରୀ ବରଣ’ର ଉଦାହରଣ । ଏ କ୍ଷେତ୍ରରେ ଜଣେ ପୁରୁଷ ଏକାଧିକ ପୁରୁଷଙ୍କୁ ବିବାହ କରିଥାନ୍ତି । ଯେଉଁଠି କି ତୋଦା ଜାତିର ଗୋଟିଏ ପ୍ରଥା ।

ପିଉସା ! ସେମାନଙ୍କର ଏପରି ପ୍ରଥା ପଛରେ କୌଣସି କାରଣ ରହିଛି କି ? ଜାଣିବାକୁ ଇଚ୍ଛାକଲା ମାମୁନି ।

ଶରତ ବାବୁ ବୁଝାଇଲେ, ଅବଶ୍ୟ ଏ ବିଷୟରେ ଏକ କିମ୍ବଦନ୍ତୀଟିଏ ରହଛି । ବହୁବର୍ଷ ପୂର୍ବେ ତୋଦା ପରିବାରରେ ଏକାଧିକ କନ୍ୟାର ଜନ୍ମକୁ ଗୋଟିଏ ଅଶୁଭ ଲକ୍ଷଣ ବୋଲି କୁହାଯାଉଥିଲା । ଫଳରେ ଯଦି କୌଣସି କାରଣବଶତଃ ପରିବାରରେ ଗୋଟିକରୁ ଅଧିକ କନ୍ୟା ଶିଶୁ ଜନ୍ମ ହେଉଥିଲା ତେବେ ପ୍ରଥମଟିକୁ ବାଦ୍‌ ଦେଲେ ଅନ୍ୟାନ୍ୟ ଶିଶୁ କନ୍ୟାଗୁଡ଼ିକୁ ମାରି ଦିଆଯାଉ ଥିଲା । ଫଳରେ ସମାଜରେ ସ୍ତ୍ରୀଲୋକଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାକୁ ଲାଗିଲା । ତେଣୁ ଗୋଟିଏ ପରିବାରର ସମସ୍ତ ଭାଇ ଗୋଟିଏ ନାରୀକୁ ବିବାହ କରିବାକୁ ବାଧ୍ୟ ହେଲେ । ସେହି ଦିନଠାରୁ ତୋଦା ସମାଜରେ ଏହ ପ୍ରଥାଟି ଆଜି ପର୍ଯ୍ୟନ୍ତ ଚଳି ଆସୁଛି ।

ତେବେ ଏହା ତ ବେଶ୍‌ ବିଚିତ୍ର ପ୍ରଥା । କହିଲା ମାମୁନି ।

ହଁ ଏହା ଆମମାନଙ୍କ ପାଇଁ ବିଚିତ୍ର ହେଲେ ମଧ୍ୟ ସେମାନଙ୍କ ପାଇଁ ତ ସାଧାରଣ ଶରତ ବାବୁ ବୁଝାଇ ଦେଲେ ।

ଏହି ସମୟରେ ଲିପୁ ପଚାରିଲା, ବାପା ! ସେମାନେ କ’ଣ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ ?

ଶରତ ବାବୁ କହିଲେ, ବିଶ୍ଵାସ ନିଶ୍ଚିତ ଭାବରେ କରନ୍ତି । ସେମାନେ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ସେମାନଙ୍କର ପ୍ରଧାନ ଦେବତା ରୂପେ ମାନିଥାନ୍ତି । ଏହାଛଡ଼ା କାତୁରାଲ ହେଲେ ସେମାନଙ୍କର ଆଉ ଗୋଟିଏ ଦେବତା । ତୋଦାମାନେ ସେମାନଙ୍କ ପୁରୋହିତକୁ ‘ପାଲାଲ’ ବୋଲି କହିଥାନ୍ତି ଏହି ପାଲାଲମାନେ ସେମାନଙ୍କ ସମାଜରେ ସରଳ ତଥା ନିରାଡ଼ମ୍ବର ଜୀବନଯାପନ କରନ୍ତି । ବିବାହ କରିବା ପ୍ରଥା ଏମାନଙ୍କର ନଥାଏ । ଗାଁରେ କୌଣସି ସାମୂହିକ ପର୍ବପର୍ବାଣି ହେଲେ ଏହି ପାଲାଲମାନେ ସେଥ‌ିରେ ମୁଖ୍ୟ ଅଂଶଗ୍ରହଣ କରିଥାନ୍ତି ।

ପିଉସା ! ତୋଦାମାନେ କ’ଣ ସେମାନଙ୍କର ବ୍ୟବହାର କୌଣସି ରୁକ୍ଷତା ପ୍ରଦର୍ଶନ କରିଥାନ୍ତି ? ଉତ୍କଣ୍ଠାର ସହ ଜାଣିବାକୁ ଇଚ୍ଛା କଲା ମାମୁନି ।

ଶରତ ବାବୁ କହିଲେ, ଶୁଣ ପିଲାଏ ! ବିନା ଦୋଷରେ ଜଣେ ଅନ୍ୟ ଜଣକୁ ଆକ୍ରମଣ କଲେ ସାଧାରଣତଃ ଅପର ବ୍ୟକ୍ତିଟି ରୁକ୍ଷ ଆଚରଣ କରିଥାଏ । ତୋଦାମାନେ ମଧ୍ୟ ସେଥିରୁ ବାଦ୍‌ ଯିବେ କିପରି । ପ୍ରକୃତରେ ସେମାନେ ପାହାଡ଼ ପର୍ବତ ଘେରା ପ୍ରାକୃତିକ ପରିବେଶରେ ରହି ବେଶ୍‌ ସରଳ ଏବଂ ନିରାଡ଼ମ୍ବର ଜୀବନଯାପନ କରିଥାନ୍ତି । ଏତଦ୍‌ବ୍ୟତୀତ ସେମାନେ ବେଶ୍ ନମ୍ର ଏବଂ ମେଳାପି । ତେବେ ବିନା ଦୋଷରେ କୌଣସି ଶତ୍ରୁର ଆକ୍ରମଣକୁ ସେମାନେ ସହିପାରନ୍ତି ନାହିଁ । ସେତିକିବେଳେ ସେମାନଙ୍କର ରୁକ୍ଷ ବ୍ୟବହାର ପରିଦର୍ଶିତ ହୋଇଥାଏ ।

ଶରତ ବାବୁଙ୍କ ଠାରୁ ତୋଦା ଶିଶୁମାନଙ୍କ ବିଷୟରେ ଶୁଣି ଲିପୁ ଓ ମାମୁନି ବେଶ୍‌ ଆନନ୍ଦ ଅନୁଭବ କଲେ । ଏହି ସମୟରେ ଶରତ ବାବୁ ସେମାନଙ୍କୁ କହିଲେ, ପିଲାଏ ଆଜିତ ତୋଦା ଶିଶୁମାନଙ୍କ ବିଷୟରେ ଶୁଣିଲ । ଅନ୍ୟ ଦିନ ମୁଁ ତୁମମାନଙ୍କୁ ଆଉ ଗୋଟିଏ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ କଥା କହିବି । ବର୍ତ୍ତମାନ ତୁମେମାନେ ଯାଅ । ଯେଉଁ ପ୍ରଶ୍ନଟିର ଉତ୍ତର ତୁମମାନଙ୍କୁ ଜଣାନଥିଲା ଏଥର ସେଇଟିକୁ ନିଜ ନିଜ ଖାତାରେ ଲେଖି ନିଅ ।

ପିଲାମାନେ ତାହା ହିଁ କଲେ ଏବଂ ଆସନ୍ତା ଦିନଟିକୁ ଅପେକ୍ଷା କରି ରହିଲେ, ଯେଉଁଦିନ ସେମାନେ ଆଉ ଗୋଟିଏ ଆଦିବାସୀ ଶିଶୁ ସମ୍ପର୍କରେ ଶୁଣିବେ ।

☆☆☆

 

ପରଜା ଶିଶୁ

 

ଶରତ ବାବୁଙ୍କର ନବରଙ୍ଗପୁର ବଦଳି ହୋଇଥାଏ । ସହର ଉପକଣ୍ଠର ଅଧିବାସୀ ହିସାବରେ ପାହାଡ଼ ପର୍ବତ ଘେରା ଏପରି ଏକ ମାଳ ଅଞ୍ଚଳର ଜଳବାୟୁ ତାଙ୍କ ଦେହରେ ଗଲା ନାହିଁ । ଅନେକ ସମୟରେ ଥଣ୍ଡା କାଶ ତଥା ଜ୍ୱରରେ ଶିକାର ହେଲେ ସେ । ତେଣୁ ପିଲାମାନଙ୍କୁ ତାଙ୍କ ପାଖକୁ ନେଇ ଆସିବା ପାଇଁ ସେ ଉଚିତ ମନେକଲେ ।

 

ଦଶହରା ଛୁଟି ପାଖେଇ ଆସିଲା । ଶରତ ବାବୁ ସେହି ଛୁଟିରେ ଘରକୁ ଫେରି ପିଲାମାନଙ୍କୁ ସାଥିରେ ନବରଙ୍ଗପୁରକୁ ନେଇଗଲେ । ଏଥର ତାଙ୍କର ଆଉ କୌଣସି ଅସୁବିଧା ହେଲା ନାହିଁ । ଆବଶ୍ୟକ ପଡ଼ିଲେ ସ୍ନେହଲତା ଦେବୀ ତାଙ୍କ ସେବା ଶୁଶ୍ରୂଷା କଲେ ।

 

ଲିପୁ ଓ ମାମୁନି ସହରର ସାଙ୍ଗସାଥୀମାନଙ୍କୁ ଛାଡ଼ି ଏପରି ଏକ ଅପରିଚିତ ସ୍ଥାନ ସେମାନଙ୍କୁ ଭଲ ଲାଗିଲା ନାହିଁ । ଆସନ୍ତା ସପ୍ତାହକୁ ସେମାନଙ୍କର ସ୍ଥାନୀୟ ସ୍କୁଲରେ ନାମ ଲେଖା ହେବ । ସେତେବେଳେ ହୁଏତ ସେମାନେ ଧୀରେ ଅନ୍ୟାନ୍ୟ ପିଲାମାନଙ୍କ ସହ ସାଥୀ ହୋଇ ପାରିବେ । ତେଣୁ ସେମାନେ ସେଇ ଦିନଟିକୁ ମନେମନେ ଅପେକ୍ଷା କରି ରହିଲେ ।

 

ସେଦିନ ଲିପୁ ତାଙ୍କ ଘରର ବାରଣ୍ଡାରେ ବସି କ’ଣ ଲକ୍ଷ୍ୟ କରୁଥିଲା । ବାରଣ୍ଡା ତଳେ ଏକାକୀ ଖେଳୁଥିଲା ମାମୁନି । ହଠାତ୍‌ ଲିପୁର ଆଖି ପଡ଼ିଗଲା ତାଙ୍କ ଘରଠାରୁ ପ୍ରାୟ ଶହେ ମିଟର ଦୂରରେ ଯାଉଥ‌ିବା ଗୋଟିଏ ସ୍ତ୍ରୀଲୋକ ଉପରେ । ସେଇଟି ଦେଖିବାକୁ ଥିଲା ବେଶ୍‌ କଳା । ତା’ ବେକରେ ରହିଥିଲା ଗୋଛାଏ ମାଳି ଏବଂ ସେଗୁଡ଼ିକ ତା’ର ଅଣ୍ଟା ପର୍ଯ୍ୟନ୍ତ ଓହଳି ଥିଲା । ତା’ ହାତରେ ଥିଲା ତୁମ୍ବାଟିଏ ଯାହା ମଧ୍ୟରେ କିଛି ପଦାର୍ଥ ଥିବା ଭଳି ମନେ ହେଉଥିଲା । ଲିପୁ ଉକ୍ତ ସ୍ତ୍ରୀଟିକୁ ଦେଖି ଟିକିଏ ଚମକି ପଡ଼ିଲା । ସେଇଟି କିଏ ଚିରଗୁଣୀ ନା କ’ଣ । ତେବେ ଦିନ ବେଳାଟାରେ ଏଇଟି ଆସିଲା କେଉଁଠୁ ? ଏହିଭଳି ଅନେକ ପ୍ରଶ୍ନ ଲିପୁ ମନରେ ଜାତ ହେଲା । ସେ ମନେମନେ ଟିକିଏ ଭୟଭୀତ ହୋଇ ମାମୁନିକୁ ତା’ ମନର କଥା ଜଣାଇଲା । ମାମୁନି ମଧ୍ୟ ସେ ଦୃଶ୍ୟ ସମ୍ପର୍କରେ କିଛି ବୁଝିପାରିଲା ନାହିଁ । ସେମାନେ ସଙ୍ଗେ ସଙ୍ଗେ ଘର ଭିତରକୁ ଯାଇ ଶରତ ବାବୁଙ୍କ ନିକଟରେ ପହଞ୍ଚି ଗଲେ ।

 

Image

 

ବାପା ! ଶୀଘ୍ର ବାହାରକୁ ଆସ ଦେଖିବ । ଲିପୁ ବେଶ୍‌ ବ୍ୟଗ୍ରତାର ସହ ଶରତ ବାବୁଙ୍କୁ ଡାକିଲା ।

 

ପିଉସା ! ଶୀଘ୍ର ଆସ ଦେଖିବ । ଚିରଗୁଣୀଟାଏ ନା କ’ଣ । ମନ ମଧ୍ୟରେ ଆଶ୍ଚର୍ଯ୍ୟ ଭାବ ରଖି ମାମୁନି ମଧ୍ୟ ଡାକିଲା ।

 

ନିଶ୍ଚିତ ଭାବରେ କିଛି ଗୋଟିଏ ଘଟଣା ଘଟିଛି । ନଚେତ୍‌ ପିଲାମାନେ ଏମିତି କାହିଁକି ହୁଅନ୍ତେ ? ଏହା ଭାବି ଶରତ ବାବୁ ପିଲାମାନଙ୍କ ସହ ଘରୁ ବାହାରକୁ ବାହାରି ଆସିଲେ ।

 

ସେତେବେଳକୁ ଉକ୍ତ ସ୍ତ୍ରୀଲୋକଟି ସେମାନଙ୍କ ଠାରୁ ଅନେକ ଦୂରକୁ ଚାଲି ଯାଇଥିଲା । ଲିପୁ ତା’ ଆଡ଼କୁ ହାତ ବଢ଼ାଇ ଶରତ ବାବୁଙ୍କୁ କହିଲା, ବାପା ଦୂରରେ ଯେଉଁ ସ୍ତ୍ରୀଲୋକଟିଏ ଯାଉଛି ସେଇଟି କ’ଣ ସତରେ ଚିରଗୁଣୀ ? ସେ ଏଇ ବାଟରେ ଯାଉଥିଲା । ତାକୁ ଦେଖି ଆମ ମନରେ ବେଶ୍‌ ସନ୍ଦେହ ଜାତ ହେଲା ।

 

ଶରତ ବାବୁ ଦେଖିଲେ ଯେଉଁ ସ୍ତ୍ରୀଟି ଦୂରରେ ଯାଉଛି ସେଇଟି ଗୋଟିଏ ପରଜା ସମ୍ପ୍ରଦାୟର ସ୍ତ୍ରୀଲୋକ । ସେ ସେମାନଙ୍କ ସମ୍ପର୍କରେ ପୂର୍ବରୁ ଅବଗତ ଥିଲେ । ତେଣୁ ପିଲାମାନଙ୍କ ସନ୍ଦେହ ଦୂରେଇ ଦେବା ପାଇଁ ସେ ଲିପୁ ଏବଂ ମାମୁନିକୁ କହିଲେ, ପିଲାଏ ଘର ଭିତରକୁ ଆସ । ତୁମେମାନେ ଯେଉଁ ସ୍ତ୍ରୀଲୋକକୁ ଦେଖି ଆଶ୍ଚର୍ଯ୍ୟ ତଥା ଭୟଭୀତ ହୋଇ ପଡ଼ିଥିଲ ତା’ରି ସମ୍ପର୍କରେ ମୁଁ ତୁମମାନଙ୍କୁ ବୁଝାଇବି ।

 

ପିଲାମାନେ ଘର ଭିତରକୁ ଯାଇ ଦୁଇଟି ସୋଫା ଉପରେ ବସି ପଡ଼ିଲେ । ତତ୍ପରେ ଶରତ ବାବୁ ତୃତୀୟଟିରେ ବସିପଡ଼ି ସେମାନଙ୍କୁ କହିଲେ, ପିଲାଏ ! ତୁମେମାନେ ଯାହାକୁ ଚିରଗୁଣୀ ବୋଲି ସନ୍ଦେହ କରୁଥିଲ ସେ ହେଉଛି ପରଜା ସ୍ତ୍ରୀଲୋକଟିଏ ।

 

ବାପା ! ପରଜା କ’ଣ । ସେ ସମ୍ପର୍କରେ ଆମମାନଙ୍କୁ କିଛି ବୁଝାଇ ଦିଅନା । ଖୁବ୍‌ କୌତୂହଳୀ ହୋଇ ପଚାରିଲା ଲିପୁ ।

 

ହଁ ତେବେ ଶୁଣ, ଶରତ ବାବୁ ବୁଝାଇଲେ, ଆମ ଓଡ଼ିଶାରେ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟ ଦେଖାଯାଆନ୍ତି ସେମାନଙ୍କ ମଧ୍ୟରୁ ଏହି ପରଜା ଅନ୍ୟତମ । ମୁଁ ଆଜି ତୁମମାନଙ୍କୁ ସେହି ପରଜା ଶିଶୁମାନଙ୍କ କଥା କହିବି । ମନ ଦେଇ ଶୁଣ । ଭବିଷ୍ୟତରେ ଏହା ତୁମମାନଙ୍କର ଅନେକ ଦରକାରରେ ଆସିବ ।

 

ଏମାନେ ସାଧାରଣତଃ ଆମ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ଏହି ଜିଲ୍ଲାଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟତ୍ର ଏମାନେ ଦେଖିବାକୁ ମିଳନ୍ତି ନାହିଁ । ଏମାନଙ୍କର ଜୀବନଯାତ୍ରା ପ୍ରଣାଳୀ ବେଶ୍‌ ଅନୁନ୍ନତ ।

 

ଏଥର ଲିପୁର ଅନ୍ୟ ଗୋଟିଏ ବିଷୟ ମନେପଡ଼ିଗଲା । ସେ ପଚାରିଲା, ବାପା ! ଏହି ପରଜାମାନେ ଅନେକ ବିଭାଗରେ ବିଭକ୍ତ ବୋଲି ଗୋଟିଏ ପତ୍ରିକାରୁ ମୁଁ ପଢ଼ିଥିଲି । ତାହା କ’ଣ ସତ ? ତେବେ ଏମାନଙ୍କର ନାମକରଣ ଏପରି କାହିଁକି ହୋଇଛି ? ସେମାନଙ୍କର ବାସସ୍ଥଳୀଗୁଡ଼ିକ କିପରି ?

 

ଶରତ ବାବୁ ଲିପୁଠାରୁ ଏତେଗୁଡ଼ିଏ ପ୍ରଶ୍ନ ଶୁଣି କହିଲେ, ଲିପୁ ମୁଁ ଦେଖ‌ୁଛି ତୋର ପରଜାମାନଙ୍କ ସମ୍ପର୍କରେ ଜାଣିବାକୁ ବେଶ୍‌ ଆଗ୍ରହ ରହିଛି ।

 

ଏହି ସମୟରେ ମାମୁନି କହିଉଠିଲା, ପିଉସା ! ମୋର ମଧ୍ୟ ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ପ୍ରବଳ ଆଗ୍ରହ ରହିଛି ।

 

ତେବେ ଶୁଣ । ଶରତ ବାବୁ କହିଲେ, ପରଜା ଶବ୍ଦଟି ସଂସ୍କୃତ ‘ପ୍ରଜା’ ଶବ୍ଦରୁ ଆସିଅଛି । ପରଜାମାନେ ବିଭିନ୍ନ ବିଭାଗରେ ବିଭକ୍ତ ହୋଇଛନ୍ତି । ସେଗୁଡ଼ିକ ହେଲେ, ବରଙ୍ଗ ଯୋଡ଼ିଆ, ପେଙ୍ଗୁ ପରଜା, ସାଳିଆ ପରଜା, ପରଙ୍ଗ ପରଜା, ଜଡ଼ିଆ ପରଜା, କନ୍ଧ ପରଜା, ଡିଡ଼େଇ ପରଜା, ବଣ୍ଡା ପରଜା, ଜୁରା ପରଜା, ସୁନାଝଡ଼ି ପରଜା, ଗଣ୍ଡିଆ ପରଜା, ହୁରୁ ପରଜା, ପାଉଡ଼ି ପରଜା, ସୁକୁଡ଼ିଆ ପରଜା ଇତ୍ୟାଦି । ସେମାନେ ସମସ୍ତେ ହେଲେ ପାହାଡ଼ିଆ ଜାତି ଅର୍ଥାତ୍‍ ପାହାଡ଼ ପର୍ବତ ପୂର୍ଣ୍ଣ ଅଞ୍ଚଳରେ ଗାଁମାନଙ୍କ ଠାରେ ବସବାସ କରନ୍ତି ।

 

ପିଉସା ! ପରଜାମାନେ ଦେଖିବାକୁ କିପରି ? ମାମୁନି ଜାଣିବାକୁ ଇଚ୍ଛା କଲା ।

 

ଶରତ ବାବୁ କହିଲେ, କିଛି ସମୟ ପୂର୍ବରୁ ତୁମେମାନେ ତ ପରଜା ସ୍ତ୍ରୀଟିକୁ ଦେଖିଥିଲ-। ସେଥିରୁ ତୁମେମାନେ କ’ଣ ଜାଣିଲ ?

 

ଲିପୁ ଖୁବ୍‌ ଅଳ୍ପ ସମୟ ପାଇଁ ପୂର୍ବୋକ୍ତ ପରଜା ସ୍ତ୍ରୀଟିକୁ ଦେଖିଥିଲେ ମଧ୍ୟ ତା’ର ବେଶପୋଷାକ ତଥା ଚେହେରା ସମ୍ପର୍କରେ ବେଶ୍‌ କିଛି ଅବଗତ ହୋଇ ସାରିଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ଶରତ ବାବୁଙ୍କୁ କହିଲା, ବାପା ! ମୁଁ ପରଜା ସ୍ତ୍ରୀଟିକୁ ଦେଖି ଯାହା ଜାଣିଲି ତାହା କହୁଛି ଶୁଣ । ସେମାନଙ୍କ ଶରୀରରେ ପୋଷାକ ଖୁବ୍‌ କମ୍‍ ଥାଏ । ପରଜା ସ୍ତ୍ରୀମାନେ ସେମାନଙ୍କ ବେକରେ ଗୋଛାଏ ଲେଖାଏଁ ମାଳି ଧାରଣ କରିଥାନ୍ତି । ସେଗୁଡ଼ିକ ସେମାନଙ୍କର ଅଣ୍ଟା ପର୍ଯ୍ୟନ୍ତ ଓହଳି ଥାଏ । ସେମାନଙ୍କ ଚେହେରା ବର୍ଣ୍ଣ ମଧ୍ୟ କଳା ଏବଂ ବେଶ୍‌ ସୁସ୍ଥ ସବଳ । ମୁହଁଟି ସେମାନଙ୍କର ଗୋଲାକାର ଓଠଟି ଅପେକ୍ଷାକୃତ ମୋଟା । ସେମାନେ ବୋଧହୁଏ ଫୁଲ ପ୍ରିୟ ହୋଇଥ‌ିବାରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ଜଙ୍ଗଲି ଫୁଲ ସେମାନଙ୍କ ମୁଣ୍ଡରେ ଖୋସନ୍ତି । ସୁନାର ବ୍ୟବହାର ଏମାନେ ଜାଣିଥିଲେ ମଧ୍ୟ ଦାରିଦ୍ର୍ୟ ଯୋଗୁ ପରଜା ସ୍ତ୍ରୀମାନେ ସେଥିରେ ନିର୍ମିତ ଅଳଙ୍କାରମାନ ବ୍ୟବହାର କରିପାରନ୍ତି ନାହିଁ । ଅପରନ୍ତୁ ସେମାନେ ପିତଳ ଏବଂ ଆଲୁମିନିୟମରେ ତିଆରି କେତେକ ଅଳଙ୍କାର ସେମାନଙ୍କ ହାତ ତଥା ବାହାମାନଙ୍କରେ ଲଗାଇ ଥାନ୍ତି ।

 

ବାପା ଏତିକି ନା ଆଉ ଅଧିକ କିଛି ରହିଛି । ଲିପୁ ଆଗ୍ରହର ସହ ପଚାରିଲା ।

 

ବାଃ ! ପରଜା ସ୍ତ୍ରୀଟିକୁ ଅଳ୍ପ ସମୟ ପାଇଁ ଦେଖି ମଧ୍ୟ ତୁ ତା’ର ଶରୀର ଗଠନ ତଥା ବେଶପୋଷାକ ସମ୍ୱନ୍ଧରେ ବେଶ୍‌ ମନେରଖି ପାରିଛୁତ ! ତୁ ଯାହା ଯାହା କହିଗଲୁ ସେଗୁଡ଼ିକ ସତ ଏବଂ ତୁମମାନଙ୍କର ବୁଝିବା ପାଇଁ ଯଥେଷ୍ଟ ।

 

ଏଥର ଶରତ ବାବୁ ମାମୁନି ଆଡ଼କୁ ଚାହିଁ କହିଲେ, କ’ଣ ମାମୁନି ! ଲିପୁ ଯାହା କହିଗଲା ସେସବୁ ବୁଝିପାରିଲୁ ତ ?

 

ହଁ ପିଉସା ବୁଝିପାରିଲି ମାମୁନି କହିଲା, କିନ୍ତୁ ପରଜା ଶିଶୁ ଏବଂ ପୁରୁଷମାନଙ୍କର ବେଶପୋଷାକ ବିଷୟରେ ଲିପୁ କିଛି କହିଲା ନାହିଁ ତ ।

 

ନା, ସେତ ସେମାନଙ୍କୁ ଦେଖି ନାହିଁ, କିପରି କହିବ ? ଶରତ ବାବୁ କହିଲେ, ମୁଁ କହୁଛି ଶୁଣ । ପରଜା ସମ୍ପ୍ରଦାୟର ଶିଶୁମାନେ ପ୍ରାୟ ଛଅ ସାତ ବର୍ଷ ବୟସ ହେବା ପର୍ଯ୍ୟନ୍ତ କୌଣସି ବସ୍ତ୍ର ବ୍ୟବହାର କରନ୍ତି ନାହିଁ । ତାହାପରେ ସେମାନେ ଖଣ୍ଡିଏ ଖଣ୍ଡିଏ ଲେଙ୍ଗୁଟି ସେମାନଙ୍କ ଅଣ୍ଟାରେ ଗୁଡ଼ାନ୍ତି । ପୁରୁଷମାନେ ପ୍ରାୟ ସେହିପରି । ପରଜା ସମ୍ପ୍ରଦାୟର ଶିଶୁଠାରୁ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ଦେଖିବାକୁ କଳା । ପରଜା ସ୍ତ୍ରୀମାନେ ବେଶ୍‌ ଫୁଲ ପ୍ରିୟ । କୌଣସି ଲୋକଠାରୁ ଫୁଲଟିଏ ପାଇଲେ ସେମାନେ ବେଶ୍‌ ଖୁସି ହୁଅନ୍ତି ।

 

ପିଉସା ! ଏଥର ଆମମାନଙ୍କୁ ପରଜାମାନଙ୍କ ଜୀବିକା ସମ୍ପର୍କରେ କିଛି କୁହ ଆଗ୍ରହୀ ହୋଇ ପଚାରିଲା ମାମୁନି ।

 

ତେବେ ଶୁଣ । ଶରତ ବାବୁ କହିଲେ, କୃଷି ଏବଂ ଶିକାର ହେଲା ପରଜାମାନଙ୍କର ପ୍ରଧାନ ଜୀବିକା । ସେମାନେ ବେଶ୍‌ ଶିକାର ପ୍ରିୟ ହୋଇଥିବାରୁ ଜୀବଜନ୍ତୁ ଶିକାର କରିବା ପାଇଁ ଦଳ ଦଳ ହୋଇ ଜଙ୍ଗଲକୁ ଯାଆନ୍ତି । ଅପର ପକ୍ଷରେ ଚାଷ କାର୍ଯ୍ୟ ପାଇଁ ଏମାନଙ୍କର ନିଜସ୍ୱ ଜମି ନଥାଏ । ସେମାନଙ୍କ ଗାଁର ମୁଖ୍ୟ ‘ନାଏକ’ଠାରୁ ଏମାନେ ଜମି ଆଣି ସେଥିରେ ଚାଷବାସ କରନ୍ତି । ଏଥିପାଇଁ ନାଏକ ସେମାନଙ୍କ ଠାରୁ ଖଜଣା ଅସୁଲ କରେ । ଗୋଟିଏ ନିର୍ଦ୍ଦିଷ୍ଟ ପରଜା ଲୋକକୁ ବାରମ୍ୱାର ଜମିଦେବା ନାଏକର ଇଚ୍ଛା ଉପରେ ନିର୍ଭର କରିଥାଏ । ସେ ଚାହିଁଲେ ଜଣକଠାରୁ ଜମି ଛଡ଼ାଇ ଆଣି ଅନ୍ୟ ଜଣକୁ ଦେଇଥାଏ । ଏଥିପାଇଁ ପରଜାମାନେ ‘ନାଏକ’କୁ ବେଶ୍‌ ଭୟ କରନ୍ତି । ଉକ୍ତ ନାଏକଙ୍କ ଠାରୁ ଜମି ଆଣିବା ପରେ ପରଜାମାନେ ‘ପୋଡ଼ୁଚାଷ’ ମାଧ୍ୟମରେ ମକା ମାଣ୍ଡିଆ, ବିରି, ସୁଆଁ ଆଦି ଫସଲମାନ ଉତ୍ପାଦନ କରନ୍ତି ।

 

ମାମୁନି ଶରତ ବାବୁଙ୍କୁ କହିଲା, ପିଉସା ! ପରଜାମାନେ ପୋଡ଼ୁଚାଷଦ୍ୱାରା ଯେଉଁସବୁ ଫସଲ ଉତ୍ପାଦନ କରନ୍ତି କେବଳ ସେଗୁଡ଼ିକ କ’ଣ ସେମାନେ ଖାଦ୍ୟରୂପେ ବ୍ୟବହାର କରନ୍ତି ?

 

ନାରେ ମାମୁନି ! ପରଜାମାନେ ତ ଜମିରେ ଖଟି ସୁଆଁ, ମାଣ୍ଡିଆ, ମକା, ବିରି ପ୍ରଭୃତି ଅନେକ ପ୍ରକାରର ଫସଲ ଉତ୍ପାଦନ କରିଥାନ୍ତି । ହେଲେ ସେଗୁଡ଼ିକ କ’ଣ ସେମାନେ ରଖିପାରନ୍ତି-? ଗାଁର ନାଏକ ପରା ସେଗୁଡ଼ିକରୁ ଅନେକଟା ଖଞ୍ଜଣା ଆକାରରେ ସେମାନଙ୍କ ଠାରୁ ନେଇଯାଏ-। ତେବେ ପରଜାମାନଙ୍କର ପ୍ରଧାନ ଖାଦ୍ୟ ହେଲା ଭାତ, ମାଣ୍ଡିଆ ଜାଉ ଇତ୍ୟାଦି । ଅଭାବୀ ପରଜାମାନେ ବଣର ଫଳମୂଳ, ଆମ୍ବ ଟାକୁଆର ଶସ ଇତ୍ୟାଦି ଖାଆନ୍ତି । ଅଧିକନ୍ତୁ ଏମାନେ ଶିକାର କରି ସେଥିରୁ ରକ୍ତ ମାଂସ ମଧ୍ୟ ଖାଇଥାନ୍ତି । ସେମାନଙ୍କର ଶିକାରଗୁଡ଼ିକ ମଧ୍ୟରେ ମୂଷା, ଗୁଣ୍ଡୁଚି ମୂଷା, ସମ୍ବର, ମଇଁଷି, ଗାଈ, ବେଙ୍ଗ, ଝିଟିପିଟି, ମୟୂର ଆଦି ପ୍ରଧାନ । ସେମାନେ ଅନେକ ଜନ୍ତୁଙ୍କୁ ପୋଡ଼ି ଖାଆନ୍ତି । ଏତଦ୍‍ବ୍ୟତୀତ ମାଛରେ ମଧ୍ୟ ସେମାନଙ୍କର ଲୋଭ କମ୍‌ ନ ଥାଏ-

 

ପରଜା ମାନଙ୍କର ଖାଦ୍ୟ କଥା ଶୁଣି ଲିପୁର ମନ ଘୃଣାରେ ଭରି ଉଠିଲା । ସେ ଶରତ ବାବୁଙ୍କୁ ପଚାରିଲା, ବାପା ! ଆମେମାନେ ଗାଈକୁ ଗୋମାତା, ମୟୂରକୁ କାଳିଙ୍କ ବାହନ ଏହିପରି ଅନେକ କିଛି ମାନୁଛୁ । ତେବେ ପରଜାମାନେ ଯେତେବେଳେ ସେଗୁଡ଼ିକୁ ମାରି ଖାଆନ୍ତି । ସେମାନଙ୍କର ଦେବାଦେବୀଙ୍କ ଉପରେ କ’ଣ ବିଶ୍ଵାସ ନାହିଁ ?

 

ଶରତ ବାବୁ ବୁଝାଇ ଦେଲେ; ଆମେମାନେ ଯାହାକୁ ଦେବତା ଜ୍ଞାନ କରୁଥାଉଁ ହୁଏତ ପରଜାମାନେ ସେଗୁଡ଼ିକୁ ବିଶ୍ୱାସ କରୁନଥ‌ିବେ । ତେବେ ହିନ୍ଦୁମାନଙ୍କ ପରି ପରଜାମାନଙ୍କର ମଧ୍ୟ ଅନେକ ପ୍ରକାର ଦେବାଦେବୀ ରହିଛନ୍ତି । ସେମାନଙ୍କର ‘ବଳି’ରେ ଦୃଢ଼ବିଶ୍ଵାସ ରହିଛି । ଏଥିପାଇଁ ସେମାନେ କୁକୁଡ଼ା, ପାରା ଆଦି ବଳି ଦେଇଥାନ୍ତି । ଏଥିସହ କୁକୁଡ଼ା ଅଣ୍ଡାକୁ ମଧ୍ୟ ‍ଭାଜି ପୂଜା କରିଥାନ୍ତି ।

 

ପରଜାମାନଙ୍କର ଦେବାଦେବୀଙ୍କୁ ନେଇ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଚୈତି ପର୍ବ ପ୍ରଧାନ । ଏହା ଚୈତ୍ର ମାସରେ ପଡ଼ିଥାଏ । ଏହି ପର୍ବକୁ ପରଜାମାନେ ଆଠ ଦିନ ଧରି ମହା ଧୁମ୍‌ଧାମରେ ପାଳନ କରନ୍ତି । ପର୍ବଦିନର ସକାଳୁ ପାଚିଲା ଆମ୍ବ ଖାଇ ବଣକୁ ଶିକାର କରିବା ଉଦ୍ଦେଶ୍ୟରେ ପରଜା ଯୁବକମାନେ ବାହାରି ଯାଆନ୍ତି ।

 

ଚୈତ୍ର ମାସ ସମୟକୁ ପରଜାମାନଙ୍କର ସମସ୍ତ ଚାଷ କାର୍ଯ୍ୟ ସରିଯାଇଥାଏ । ଫସଲ ମଧ୍ୟ ଅମଳ ହୋଇସାରିଥାଏ । ତେଣୁ ମାସଟି ଯାକ କାମ ନ ଥିବାରୁ ପରଜାମାନେ ମହାଆନନ୍ଦରେ ଏ ଗାଁରୁ ସେ ଗାଁ ଦଳବଦ୍ଧ ଭାବରେ ବୁଲୁ ଥାଆନ୍ତି । ପରଜାମାନଙ୍କର ଚୈତ୍ର ପର୍ବ ଯେଉଁଦିନ ଆରମ୍ଭ ହୁଏ ତା’ର ପୂର୍ବଦିନଠାରୁ ଗ୍ରାମଦେବତୀଙ୍କ ପାଖରେ ସମସ୍ତ ଗ୍ରାମବାସୀ ରୁଣ୍ଡ ହେବାର ଦେଖାଯାଏ । ସେଦିନ ଦେବୀଙ୍କ ଉଦ୍ଦେଶ୍ୟରେ କୁକୁଡ଼ା, ଛେଳି ଆଦି ବଳି ପଡ଼େ । ସେଦିନ ସେମାନେ ଗ୍ରାମଦେବତୀଙ୍କୁ ପିଠାପଣା ଆଦି ମଧ୍ୟ ପୂଜା କରିଥାନ୍ତି ।

 

ଏତଦ୍‌ବ୍ୟତୀତ ପରଜାମାନଙ୍କର ଅନ୍ୟାନ୍ୟ ପର୍ବଗୁଡ଼ିକ ହେଲା, ଭାଦ୍ରବ ମାସର ନୂଆଖିଆ, ପୌଷ ମାସର ପୁଷ ପର୍ବ ଇତ୍ୟାଦି । ସମସ୍ତ ପର୍ବମାନଙ୍କରେ ପରଜା ଯୁବକ ଯୁବତୀ ମହା ଆନନ୍ଦରେ ନୃତ୍ୟ କରନ୍ତି । ସେମାନେ ଏହି ନୃତ୍ୟ ରାତି ସାରା ଚାଲେ । ନୃତ୍ୟ ପୂର୍ବରୁ ପରଜା ଝିଅମାନେ ରଙ୍ଗିନ ହାତ ବୁଣା ଶାଢ଼ି ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧନ୍ତି । ଉକ୍ତ ଶାଢ଼ିର ପଣତଟି ସେମାନେ ଅଣ୍ଟାରେ ଗୁଡ଼ାଇ ଥାନ୍ତି । ମୁଣ୍ଡ ଜୁଡ଼ାରେ ଥାଏ ସେମାନଙ୍କର ବିଭିନ୍ନ କିସମର ଫୁଲ । ଏହି ପରଜା ନୃତ୍ୟର ଅନ୍ୟ ଏକ ବିଶେଷତ୍ୱ ହେଲା କେବଳ ଅବିବାହିତ ପୁଅ ଓ ଝିଅ ରୂପା ଓ ପିତଳର ଗହଣା ପିନ୍ଧି ନାଚିବା । ନାଚ ସମୟରେ ପୁରୁଷ ବ୍ୟକ୍ତିମାନେ ଡୁଡ଼ୁଙ୍ଗା ନାମକ ଯନ୍ତ୍ର ବ୍ୟବହାର କରନ୍ତି ।

 

ପରଜାମାନେ କ’ଣ ପାଠ ପଢ଼ନ୍ତି ନାହିଁ ? ପଚାରିଲା ମାମୁନି । ପରଜା ଜାତିର ପିଲାମାନେ ପ୍ରାୟ ପାଠଶାଠ ପଢ଼ନ୍ତି ନାହିଁ ।

 

ଶରତ ବାବୁ ବୁଝାଇଲେ ସେମାନେ ଅଶିକ୍ଷିତ ଶ୍ରେଣୀଭୁକ୍ତ ହୋଇଛନ୍ତି । ଏହାଦ୍ୱାରା ସେମାନେ ଶୁଣ୍ଢୀ ଜାତିର କେତେକ ମହାଜନଙ୍କ ଦ୍ୱାରା ସର୍ବସ୍ୱାନ୍ତ ହେଉଛନ୍ତି । ଦ୍ୱିତୀୟରେ ସେମାନେ ଖୁବ୍‌ ସରଳ ହୋଇଥ‌ିବାରୁ ମହାଜନମାନଙ୍କ କଥାରେ ଭୁଲି ନିଜର ପରିଶ୍ରମଦ୍ୱାରା ଉପାର୍ଜିତ ଖାଦ୍ୟଗୁଡ଼ିକୁ ଅନେକ ସମୟରେ ହରାଇଥାନ୍ତି ।

 

ସେଦିନ ଲିପୁ ଓ ମାମୁନି ଶରତ ବାବୁଙ୍କ ଠାରୁ ପରଜାମାନଙ୍କ ସମ୍ପର୍କରେ ଅନେକ କଥା ଶୁଣିଲେ, ଆଜି ଏତିକି ଥାଉ । ଆଉ ଦିନେ ମୁଁ ଆଦିବାସୀ ସମ୍ପ୍ରଦାୟର ଅନ୍ୟ ଗୋଟିଏ ଶିଶୁଙ୍କ କଥା କହିବି, ବର୍ତ୍ତମାନ ଯାଅ ଖାଇବା ସମୟ ହେଲାଣି । ପିଲାମାନେ ଆନନ୍ଦିତ ମନରେ ରୋଷେଇ ଘର ଆଡ଼କୁ ଚାଲିଲେ ।

☆☆☆

 

ଡିଡ଼ାୟୀ ଶିଶୁ

 

ଲିପୁ ଏବଂ ମାମୁନିଙ୍କ ମନ ଆଜି ବେଶ୍‌ ଉଚ୍ଛନ । କାଲି ସକାଳୁ ସେମାନେ ବାପାଙ୍କ ସହ ମାଲକାନଗିରି ଯିବେ । ସାଥିରେ ମା’ ମଧ୍ୟ ଯିବାପାଇଁ ବାହାରିଛନ୍ତି । ସେଠାକାର ଆଦିବାସୀ ଇଲାକାମାନଙ୍କରେ ଶରତ ବାବୁଙ୍କର ଅଫିସ କାମ ପଡ଼ିଛି । ସେ ଗୋଟିଏ ନିର୍ଦ୍ଦିଷ୍ଟ ଗାଁକୁ ଯାଇ ସେଠାରେ ବସବାସ କରୁଥିବା ଲୋକମାନଙ୍କ ଠାରୁ କିଛି ତଥ୍ୟ ଆଣିବେ ଏହି ଅବସରରେ ପିଲାମାନେ ମଧ୍ୟ ଉକ୍ତ ଆଦିବାସୀଙ୍କ ସଂସ୍ପର୍ଶରେ ଆସି ସେମାନଙ୍କର ଚଳଣି ସମ୍ପର୍କରେ ଅନେକ ଶିକ୍ଷାଲାଭ କରିପାରିବେ ବୋଲି ବାପାଙ୍କର ଧାରଣା । ତେଣୁ ପିଲାମାନଙ୍କୁ ଯିବାପାଇଁ ଆଜିଠାରୁ ପ୍ରସ୍ତୁତ ହେବାକୁ କହି ଦେଇଛନ୍ତି । ତଦନୁସାରେ ମା’ ସ୍ନେହଲତା ଦେବୀ ପିଲାମାନଙ୍କର ମଇଳା ହୋଇଯାଇଥିବା ପୋଷାକପତ୍ରଗୁଡ଼ିକ ପରିଷ୍କାର କରିଦେଲେ ।

 

ପିଲାମାନଙ୍କୁ ଆଉ ରାତିରେ ନିଦ ନାହିଁ । କେତେବେଳେ ରାତିପାହିବ ଏବଂ ସେମାନେ କିପରି ଯଥାଶୀଘ୍ର ମାଲକାନଗିରି ଯିବାପାଇଁ ବାହାରିବେ ସେ ବିଷୟ ନେଇ ସେମାନେ ବେଶ୍‌ ବ୍ୟଗ୍ର ।

 

ରାତି ପାହିଲା ସକାଳୁ ପିଲାମାନେ ନିଜ ନିଜର ନିତ୍ୟକର୍ମ ସବୁ ଶେଷ କରିଦେଲେ । ସ୍ନେହଲତା ଦେବୀ ସେମାନଙ୍କୁ କିଛି ଜଳଖିଆ ଦେଇ ଅବଶିଷ୍ଟାଂଶକୁ ବାଟରେ ଖାଇବା ପାଇଁ ଗୋଟିଏ ଟିଫିନ ଡବା ସଜାଡ଼ି ଦେଲେ । ଅଳ୍ପ ସମୟ ମଧ୍ୟରେ ସେମାନେ ସମସ୍ତେ ବସ୍‌ ରହଣି ସ୍ଥଳକୁ ବାହାରି ପଡ଼ିଲେ ।

 

ବାପା ! ମାଲକାନଗିରି ଗୋଟିଏ ପାହାଡ଼ ପର୍ବତପୂର୍ଣ୍ଣ ଅଞ୍ଚଳ ନା ? ସେଠାରେ ପହଞ୍ଚିବା ପାଇଁ ଆମକୁ କେତେ ସମୟ ଲାଗିବ ? ଅତି ବ୍ୟଗ୍ରତାର ସହ ଲିପୁ ପଚାରିଲା ଶରତ ବାବୁଙ୍କୁ ।

 

ହଁ, ତୋର ଅନୁମାନ ଠିକ୍‌ । ତେବେ ଆମେ ସେଠାରେ ପହଞ୍ଚିବା ବେଳକୁ ହୁଏତ ଗୋଟାଏ ବାଜି ଯାଇ ପାରେ ।

 

ଏହି ସମୟରେ ବସ୍‌ର ହର୍ଣ୍ଣ ଶୁଣାଗଲା । ଲିପୁ ଦେଖିଲା ତା’ର ସାମନାପ‌ଟେ ମାଲକାନଗିରି ବୋଲି ଲେଖା ଯାଇଛି ।

 

ବସ୍‌ ଆସି ଅଟକିବାକ୍ଷଣି ସେମାନେ ସମସ୍ତେ ବସ୍‌ ମଧ୍ୟକୁ ଉଠିଯାଇ ନିଜ ନିଜର ସ୍ଥାନ ଅଧିକାର କରିଦେଲେ । ଲିପୁ ଏବଂ ମାମୁନି ବାହାରର ଦୃଶ୍ୟ ଦେଖିବା ପାଇଁ ବସ୍‌ର ଝରକା ପାଖକୁ ବସିଗଲେ । ତା’ ପାଖକୁ ବସିଲେ ଶରତ ବାବୁ ଏବଂ ସ୍ନେହଲତା ଦେବୀ ।

 

ବସ୍‌ ଚାଲିଲା, ଲିପୁର ମନ ଆନନ୍ଦରେ ପୂରି ଉଠିଲା । ସେ ଶରତ ବାବୁଙ୍କୁ ପଚାରିଲା, ବାପା ! ଆମେମାନେ ଯେଉଁ ଆଦିବାସୀମାନଙ୍କ ପାଖକୁ ଯିବା ସେମାନେ କେଉଁ ସମ୍ପ୍ରଦାୟର ଲୋକ ?

 

ଶରତ ବାବୁ କହିଲେ, ସେମାନେ ହେଲେ ଡିଡ଼ାୟୀ ଜନଜାତି । ସେମାନେ ଆମ ଓଡ଼ିଶାର କେବଳ ମାଲକାନଗିରି ଜିଲ୍ଲାରେ ଦେଖାଯାନ୍ତି ।

 

ପିଉସାଙ୍କ କଥା ଶୁଣୁଥିଲା ମାମୁନି । ହଠାତ୍‌ ସେ ପଚାରିଲା, ପିଉସା ମାଲକାନଗିରି ଜିଲ୍ଲାଟି ଘନ ପାହାଡ଼ ପର୍ବତରେ ପୂର୍ଣ୍ଣ ବୋଲି ତୁମେ କହୁଥିଲ । ତେବେ ଏହି ଡିଡ଼ାୟୀମାନେ କ’ଣ ସେଠାରେ ପାହାଡ଼ ପର୍ବତ ଉପରେ ବସବାସ କରନ୍ତି ?

 

ହଁ ମାମୁନି ! ତୋର ଅନୁମାନ ଠିକ୍‌ । ଶରତ ବାବୁ କହିଲେ, ତୁ ଆମ ଦେଶର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱରେ ଗୋଟିଏ ପର୍ବତମାଳା ଲମ୍ବି ରହିଥ‌ିବା ତୁ ଜାଣିଥିବୁ ।

 

ହଁ ପିଉସା ! ସେଗୁଡ଼ିକ ତ ପୂର୍ବଘାଟ ପର୍ବତମାଳା । ପୂର୍ବଘାଟ ପର୍ବତମାଳାଟି ଭାରତର ପୂର୍ବ ଦିଗରେ ରହିଥ‌ିବାବେଳେ ପଶ୍ଚିମପଟ ପର୍ବତମାଳାଟି ରହିଛି ଭାରତର ପଶ୍ଚିମଦିଗରେ ।

 

ସେହି ପୂର୍ବଘାଟ ପର୍ବତମାଳାଟି ଆମ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଇତ୍ୟାଦି ଜିଲ୍ଲାମାନଙ୍କ ମଧ୍ୟଦେଇ ବିସ୍ତୃତିଲାଭ କରିଛି । ଏହି ପର୍ବତ ଶ୍ରେଣୀର ପ୍ରାୟ ଚାରି ହଜାର ଫୁଟ ଉଚ୍ଚରେ ଡିଡ଼ାୟୀମାନେ ବାସ କରନ୍ତି । ଶରତ ବାବୁ ବୁଝାଇଦେଲେ ।

 

ବାପା ! ସେମାନେ ବେଶ୍‌ ଦୁର୍ଗମ ଅଞ୍ଚଳରେ ବସବାସ କରନ୍ତି । ଆମେମାନେ କ’ଣ ଏତେ ପରିଶ୍ରମ କରି ସେମାନଙ୍କ ପାଖକୁ ଯାଇ ପାରିବା ? ଲିପୁ ଜାଣିବାକୁ ଇଚ୍ଛା କଲା ।

 

ନାଁରେ ଲିପୁ, ଆମମାନଙ୍କୁ ସେ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ । ଆଜିକାଲି ଅନେକ ଡିଡ଼ାୟୀ ପାହାଡ଼ ତଳେ ଥିବା ସମତଳ ଅଞ୍ଚଳରେ ମଧ୍ୟ ଗାଁଗଣ୍ଡା କରି ବସବାସ କଲେଣି । ଆମେ କେବଳ ସେହି ଅଞ୍ଚଳକୁ ଯିବା । ଶରତ ବାବୁ ବୁଝାଇ ଦେଲେ ।

 

ବସ୍ ଚାଲିଥାଏ, କୋରାପୁଟ ଜିଲ୍ଲାର ପାହାଡ଼ ଜଙ୍ଗଲ ପୂର୍ଣ୍ଣ ଦୁର୍ଗମ ରାସ୍ତା ତଥା ପ୍ରାକୃତିକ ଦୃଶ୍ୟ ଦେଖି ପିଲାମାନେ ଆତ୍ମବିଭୋର ହୋଇପଡ଼ୁଥାନ୍ତି । ସ୍ନେହଲତା ଦେବୀ ସେଥିରୁ ବାଦ୍‌ ଯାଉ ନଥାନ୍ତି । ଏହି ସମୟରେ ଗୋଟିଏ କଥା ଲିପୁର ମନେପଡ଼ିଗଲା । ସେ ପଚାରିଲା, ବାପା ! ମୋର ଡିଡ଼ାୟୀ ଶିଶୁମାନଙ୍କ ବିଷୟରେ ଜାଣିବା ପାଇଁ ଭାରି ଇଚ୍ଛା ସେମାନେ ତ ଆମମାନଙ୍କ ଭାଷା ବୁଝିପାରିବେ ନାହିଁ । ତେବେ ଆମେମାନେ ସେମାନଙ୍କ ସହ କିପରି କଥାବାର୍ତ୍ତା ହେବା ।

 

ଶରତ ବାବୁ କହିଲେ, ତାହାତ ସତ କଥା । ହେଲେ ଆମେମାନେ ପ୍ରଥମେ ସେମାନଙ୍କ ଗାଁ ମୁଖିଆ ‘ନାୟକ’ଙ୍କ ପାଖକୁ ଯିବା । ସେ ଯଦି ଆମମାନଙ୍କର ଭାଷା କହିପାରିବେତ ଭଲ, ନଚେତ୍‌ ଏଥିପାଇଁ ସେ ନିଶ୍ଚୟଭାବେ କିଛି ଗୋଟିଏ ବ୍ୟବସ୍ଥା କରିଦେବେ ଯାହାଦ୍ୱାରା ଆମେମାନେ ପରସ୍ପର ଭାବ ବିନିମୟ କରିପାରିବା ।

 

ସେମାନଙ୍କର ଏପରି କଥାବାର୍ତ୍ତା ଭିତରେ ବସ୍‌ଟି ଯେ କେତେବେଳେ ବୈପାରିଗୁଡ଼ା ଛାଡ଼ି ମାଲକାନଗିରିର ନିକଟବର୍ତ୍ତୀ ହୋଇଯାଇଥିଲା ପିଲାମାନେ ହଠାତ୍‌ ଜାଣିପାରିଲେ ନାହିଁ । ବସ୍ ଝରକା ନିକଟରେ ବସିଥିବା ଲିପୁ ବାହାରକୁ ଚାହିଁ ଦେଖିଲା କୌଣସି ଗୋଟିଏ ସାଇନବୋର୍ଡ଼ରେ ‘ମାଲକାନଗିରି’ ବୋଲି ଲେଖାଯାଇଛି । ସେ ଏ କଥା ମାମୁନିକୁ ଜଣାଇ ଦେଲା-

 

ବାପା ଆମେମାନେ ତେବେ ଏଠାରେ ଓହ୍ଲାଇବା ପଚାରିଲା ଲିପୁ ।

 

ହଁ ଏଇତ ବସ୍‌ ରହିଲାଣି ।

 

ସେମାନେ ସମସ୍ତେ ବସ୍‌ରୁ ଓହ୍ଲାଇ ଗୋଟିଏ ଅଟୋରିକ୍‌ସାଟିଏ ଭଡ଼ା କଲେ I ଅଳ୍ପ ସମୟ ମଧ୍ୟରେ ଉକ୍ତ ଅଟୋରିକ୍‌ସାଟି ନେଇ ସେମାନଙ୍କର ରହିବା ପାଇଁ ପୂର୍ବରୁ ସ୍ଥିରିକୃତ ଘର ସାମନାରେ ପହଞ୍ଚାଇ ଦେଲା ।

 

ସେତେବେଳକୁ ଘଣ୍ଟାରେ ସାଢ଼େଗୋଟାଏ ବାଜିସାରିଥିଲା । ଶରତ ବାବୁ ତାଙ୍କ ସାଥିରେ ଆଣିଥିବା ଜିନିଷପତ୍ରଗୁଡ଼ିକୁ ଘର ମଧ୍ୟରେ ରଖିଦେଇ ପିଲାମାନଙ୍କ ସହ ପ୍ରଥମେ ଗାଧୋଇ ପଡ଼ିଲେ । ତା’ପରେ ନିକଟସ୍ଥ ହୋଟେଲରୁ କିଛି ଖାଇନେଇ ସେଦିନ ପାଇଁ ବିଶ୍ରାମ ଗ୍ରହଣ କଲେ ।

 

ପରଦିନ ସକାଳୁ ସେମାନେ ବାହାରି ପଡ଼ିଲେ ଡିଡ଼ାୟୀମାନଙ୍କ ଗାଁ ଅଭିମୁଖେ । ଗାଁ ମଧ୍ୟରେ ପହଞ୍ଚି ପ୍ରଥମେ ଲିପୁ ଦେଖିଲା ସେମାନଙ୍କର ଘରଗୁଡ଼ିକ ଲମ୍ବା ଧାଡ଼ିରେ ରହିଛି । ସେଗୁଡ଼ିକ ବେଶ୍ ନୁଆଁଣିଆ ଏବଂ ସବାଇ ଘାସ ବା ନଡ଼ାଦ୍ୱାରା ଛପର କରାଯାଇଛି । ଘରର କାନ୍ଥଗୁଡ଼ିକ ଝାଟିମାଟି । ଗୋଟିଏ ମାତ୍ର ଦ୍ଵାର ଦେଶକୁ ଛାଡ଼ି ଦେଲେ ପ୍ରତ୍ୟେକ ଘର ଚାରିଆଡ଼ୁ ନିବୁଜ । ଏପରିକି ସେଥ‌ିରେ ଝରକାଟିଏ ମଧ୍ୟ ନାହିଁ ।

 

ଶରତ ବାବୁ ପିଲାମାନଙ୍କୁ ନେଇ ପ୍ରଥମେ ଗାଁର ନାୟକକୁ ସାକ୍ଷାତ କଲେ l ନାୟକ ଶରତ ବାବୁଙ୍କର ପରିଚୟ ପାଇବା ମାତ୍ରେ ତାଙ୍କୁ ଯଥୋଚିତ ସମ୍ମାନ କଲା । ଅବଶ୍ୟ ସେ ଶରତ ବାବୁ ତଥା ପିଲାମାନଙ୍କର ଭାଷାକୁ କିଛି କିଛି ବୁଝିପାରୁଥିଲା । ନାୟକ ଜଣକ ଶରତ ବାବୁଙ୍କୁ ତାଙ୍କ ଘର ମଧ୍ୟକୁ ଡାକିନେଇ ବସାଇଲା । ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସେ ତା’ ଭାଷାରେ ଅନ୍ୟମାନଙ୍କୁ କି ଇସାରା ଦେଲା କେଜାଣି ଗାଁର ସମସ୍ତ ଡିଡ଼ାୟୀ ପୁରୁଷ ଶରତ ବାବୁଙ୍କ ନିକଟରେ ପହଞ୍ଚି ଗଲେ-। ସେମାନେ ସମସ୍ତେ ବେଶ୍‌ ଆନନ୍ଦର ସହ ଶରତ ବାବୁଙ୍କୁ ବେଶ୍‌ ସମ୍ମାନ କଲେ-। ଲିପୁ ଏବଂ ମାମୁନିକୁ ମଧ୍ୟ ବେଶ୍‌ ଆଦର ଅଭ୍ୟର୍ଥନା ଜଣାଇଲେ ।

 

ଶରତ ବାବୁ ପ୍ରଥମେ ନାୟକଙ୍କୁ ତାଙ୍କର ଆସିବାର ଉଦ୍ଦେଶ୍ୟ ଜଣାଇ ଦେଲେ । ନାୟକ ଏଥିପାଇଁ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲା । ସେଥ‌ିପାଇଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ସ୍ଥିର ହେଲା । ଏହା ପୂର୍ବରୁ ଲିପୁ ଓ ମାମୁନି ଡିଡ଼ାୟୀମାନଙ୍କର ଚାଲିଚଳଣ, ଜୀବିକା ଆଦି ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହୀ ବୋଲି ଶରତ ବାବୁ ନାୟକଙ୍କୁ ଜଣାଇ ଦେଲେ । ନାୟକ ତାଙ୍କ ଅନୁରୋଧ ରକ୍ଷା କରି ପିଲାମାନଙ୍କୁ ନିଜ ପିଲାମାନଙ୍କ ସହ ପରିଚିତ କରାଇ ଦେଲା-

Image

ଏଥର ଆମମାନଙ୍କୁ ବେଶ୍‌ ସୁବିଧାଟାଏ ମିଳିଲା । ଆମେମାନେ ଡିଡ଼ାୟୀ ଶିଶୁମାନଙ୍କ ସହ ମିଶି ସେମାନଙ୍କ ଠାରୁ ଅନେକ କଥା ଶୁଣିବା । ବେଶ୍‌ ଆନନ୍ଦର ସହ କହିଲା ଲିପୁ ।

 

ଏହି ସମୟରେ ଶରତ ବାବୁ ପିଲାମାନଙ୍କୁ କହିଲେ, ତୁମମାନଙ୍କ ମନରେ ଏହି ସମ୍ପ୍ରଦାୟର ଆଦିବାସୀଙ୍କ ସମ୍ବନ୍ଧରେ ଯାହା କିଛି ସନ୍ଦେହ ଜାତ ହେଉଛି ସେଗୁଡ଼ିକ ଏହି କୁନିକୁନି ପିଲାଙ୍କ ଠାରୁ ପଚାରି ବୁଝ । ଆବଶ୍ୟକସ୍ଥଳେ ମୁଁ ମଧ୍ୟ ତୁମମାନଙ୍କୁ ସାହାଯ୍ୟ କରିବି ।

 

ଠିକ୍‌ ଏତିକିବେଳେ ଲିପୁ ପ୍ରଥମେ ଗୋଟିଏ ଶିଶୁକୁ ପାଖକୁ ଡାକିଲା ଏବଂ ପଚାରିଲା, ଭାଇ ! ତୁମମାନଙ୍କ ଘର କ’ଣ ଗୋଟିଏ ବଖରା ବିଶିଷ୍ଟ ?

 

ହଁ ଶିଶୁଟି କହିଲା, ଆମେମାନେ ଗୋଟିଏ ସାଧାରଣ ଘରକୁ ରୋଷେଇ ଘର, ଶୋଇବା ଘର ତଥା ଭଣ୍ଡାର ଘର ରୂପେ ବ୍ୟବହାର କରିଥାଉଁ । ଆମର ମା’ମାନେ ସପ୍ତାହକୁ ଥରେ ଲେଖାଏଁ ଘର ପରିଷ୍କାର କରି ତାହାକୁ ଗୋବରରେ ଲିପି ଥାଆନ୍ତି ।

 

ଏଥର ଶରତ ବାବୁ ପିଲାମାନଙ୍କୁ ପଚାରିଲେ, ପିଲାଏ ! ଡିଡ଼ାୟୀମାନଙ୍କର ଚେହେରା ତଥା ବେଶପୋଷାକ କିପରି ସେମାନଙ୍କୁ ଦେଖି ବୁଝିପାରୁଛ ତ ?

 

ଲିପୁ ହଁ ବୋଲି କହିବାରୁ ଶରତ ବାବୁ ପୁନର୍ବାର ତାକୁ ପଚାରିଲେ, ତେବେ ସେଗୁଡ଼ିକ ବିଷୟରେ କ’ଣ ଶିକ୍ଷାକଲୁ କହିଲୁ ।

 

ବାପା, ଡିଡ଼ାୟୀମାନେ ଦେଖିବାକୁ ସାଧାରଣତଃ କଳା । ଏ ସମ୍ପ୍ରଦାୟର ଶିଶୁମାନେ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ । ଅପରପକ୍ଷେ ପୁରୁଷ ଏବଂ ସ୍ତ୍ରୀମାନଙ୍କର ବେଶଭୂଷା ବେଶ୍‌ ସାଧାରଣ । ସେମାନେ ଯଥାକ୍ରମେ ସୂତାରେ ତିଆରି ଧୋତି ଏବଂ ଶାଢ଼ି ପିନ୍ଧନ୍ତି । ସ୍ତ୍ରୀଲୋକମାନେ ସେମାନଙ୍କର ମୁଣ୍ଡର କେଶକୁ ଜୁଡ଼ା କରି ବାମ ପାଖକୁ ଓହଳାଇ ଦେଇଥାନ୍ତି । ଏହାଛଡ଼ା ଅଳଙ୍କାର ହିସାବରେ ସେମାନଙ୍କର କାନରେ କାନ ଫାଶିଆ, ନାକରେ ନୋଳି ହାତରେ ପିତଳ ବା ଆଲୁମିନିୟମର ଖଡ଼ୁ, ବେକରେ ପିତଳ ବା ରୂପାର ହାର ଏବଂ କାଚମାଳି ଆଦି ସ୍ଥାନ ପାଇଥାଏ । କେତେକ ସ୍ତ୍ରୀ ସେମାନଙ୍କର ମୁଣ୍ଡର ଜୁଡ଼ାକୁ ଫୁଲରେ ସଜାଇଥିବାର ଲକ୍ଷ୍ୟ କରାଯାଏ ।

ଶରତ ବାବୁ କହିଲେ, ତୁ ଠିକ୍‌ ବୁଝିଛୁ ଲିପୁ । ଡିଡ଼ାୟୀମାନେ ଆଜିକାଲି ଶିକ୍ଷିତ ଲୋକମାନଙ୍କ ସହ ମିଶି ସଭ୍ୟ ହେବାକୁ ମନ ବଳାଇଲେଣି । ସେଥିପାଇଁ ଡିଡ଼ାୟୀ ପୁରୁଷମାନେ ସେମାନଙ୍କ ଗାଁ ବାହାରକୁ ଗଲେ ସାର୍ଟ ପ୍ରଭୃତି ପିନ୍ଧିଥାନ୍ତି । ସ୍ତ୍ରୀମାନେ ମଧ୍ୟ କୌଣସି ମେଳା ବା ଯାନିଯାତ୍ରାକୁ ଗଲେ ରଙ୍ଗିନ ଶାଢ଼ି ପିନ୍ଧି ବାହାରିବାକୁ ପସନ୍ଦ କରିଥାନ୍ତି ।

ହଠାତ୍‌ ସେଠାରେ ଆସି ପହଞ୍ଚିଲା ଗୋଟିଏ ବୁଢ଼ା । ସେ ଶରତ ବାବୁଙ୍କ ଭାଷା ବୁଝିପାରୁଥିଲା ଏବଂ କହିପାରୁଥିଲା ମଧ୍ୟ ।

ମଉସା ! ଏଠାକୁ ଟିକେ ଆସ । ଆମ ପିଲାମାନଙ୍କର ତୁମଠାରୁ କେତେଗୁଡ଼ିଏ ବିଷୟ ବୁଝିବାର ଅଛି । ତୁମେ ସେଗୁଡ଼ିକୁ ବୁଝାଇଦେଲେ ସେମାନେ ଖୁସି ହୁଅନ୍ତେ । ଶରତ ବାବୁ ବୁଢ଼ାଟିକୁ ଡାକି କହିଲେ ।

ବୁଢ଼ା ଆସିଲା ଲିପୁ ଓ ମାମୁନି ସେମାନଙ୍କୁ ‘ଅଜା’ ବୋଲି ସମ୍ବୋଧନ କଲେ । ବୁଢ଼ାଟି ପ୍ରଥମେ ପିଲାମାନଙ୍କ ପିଠିକୁ ଥାପୁଡ଼େଇ କହିଲା, କ’ଣ ପଚାରିବାର ଅଛି ପଚାର ପିଲାଏ ।

ଅଜା ତୁମମାନଙ୍କର ପ୍ରଧାନ ଜୀବିକା ଏବଂ ଖାଦ୍ୟ କ’ଣ ଆମମାନଙ୍କୁ ଟିକଏ ଶୁଣାଇବ ନା ? ପିଲାମାନେ ବୁଢ଼ାକୁ ଶିଶୁ ସୁଲଭ ଭଙ୍ଗୀରେ କହିଲେ ।

ବୁଢ଼ା କହିଲା, ହଁରେ ପିଲାଏ, ଆମମାନଙ୍କର ପ୍ରଧାନ ଜୀବିକା ହେଲା ଚାଷ ଆଉ ଶିକାର । ଆମେମାନେ ସାଧାରଣତଃ ପୋଡ଼ୁଚାଷ ମାଧ୍ୟମରେ ଚାଷ କାର୍ଯ୍ୟ କରି ସେଥିରୁ ଧାନ, ସୁଆଁ, ମାଣ୍ଡିଆ, କାନ୍ଦୁଲ, ମୁଗ, ବିରି ଆଦି ଉତ୍ପାଦନ କରିଥାଉ । ଶିକାର ସମୟରେ ଆମେମାନେ ଦଳଦଳ ହୋଇ ବାହାରିଥାଉ । ଆମମାନଙ୍କର ଶିକାର ପାଇଁ ଉଦ୍ଦିଷ୍ଟ ପ୍ରଧାନ ଅସ୍ତ୍ର ହେଲା ଧନୁ ଏବଂ ଶର । ସମୟ ସମୟରେ ବର୍ଚ୍ଛାକୁ ମଧ୍ୟ ସାଥିରେ ନେବାକୁ ଭୁଲି ନଥାଉ । ଆମେ ଖାଦ୍ୟ ଆକାରରେ ମାଣ୍ଡିଆ ଜାଉ, ସୁଆଁ, ଭାତ ଇତ୍ୟାଦି ଖାଇଥାଉ । ଏଥିସହ କାବୁଲ ଏବଂ ମୁଗକୁ ଡାଲି ରୂପେ ବ୍ୟବହାର କରୁ ।

ଆମମାନଙ୍କର କୌଣସି ଜୀବଜନ୍ତୁଙ୍କର ମାଂସ ଖାଇବାରେ ବାରଣ ସେପରି କିଛି ନଥାଏ । ଏଥିସହ ଜଙ୍ଗଲର ଫଳମୂଳ ଏବଂ ସମୟ ସମୟରେ ମାଛ ମଧ୍ୟ ଆମର ପ୍ରଧାନ ଖାଦ୍ୟ । ତୁମେମାନେ ମୋ ଘରକୁ ଗଲେ ମୁଁ ତୁମକୁ କାଞ୍ଜି ପିଇବାକୁ ଦେବି । ଦେଖିବ ତାହା କି ମଜାଦାର । ଆମେମାନେ ତାହାକୁ ଚାଉଳ ଖୁଦ, ଲଙ୍କା ଏବଂ ଲୁଣଦେଇ ତିଆରି କରିଥାଏ । ଏଥିସହ ଆମର ପ୍ରଧାନ ପାନୀୟ ହେଲା ସଳପ ରସ ।

ଆମେମାନେ ପିଠାପଣାକୁ ମଧ୍ୟ ବେଶ୍‌ ଆଦର କରିଥାଉ ହେଲେ ସେସବୁ ସାଧାରଣ ଦିନମାନଙ୍କରେ ହୁଏ ନାହିଁ । କୌଣସି ପର୍ବଦିନ ପଡ଼ିଲେ ଆମ ଘରର ସ୍ତ୍ରୀମାନେ ଗୁଡ଼ ଓ ଚାଉଳ ଚୂନାରେ ପିଠା ତିଆରି କରି ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତା’ପରେ ସେଗୁଡ଼ିକୁ ଆମେମାନେ ପ୍ରସାଦ ହିସାବରେ ଗ୍ରହଣ କରିଥାଉ ।

ଏହି ସମୟରେ ନିକଟସ୍ଥ ପଡ଼ିଶା ଘରୁ ‘ଗୁରୁବାରୀ’ ବୋଲି କିଏ ଉଚ୍ଚାରଣ କରି କିଛି ମନ୍ତ୍ର ପଢ଼ିଲା ତାହା ଶୁଣି ଲିପୁ ଓ ମାମୁନି କୌତୂହଳୀ ହୋଇ ପଡ଼ିଲେ । ସେମାନେ ବୁଢ଼ାକୁ ପଚାରିଲେ, ଅଜା ! ସେଠାରେ କ’ଣ ଚାଲିଛି ? ବୁଢ଼ା କହିଲା, ତାଙ୍କ ଘରେ ଶିଶୁଟିଏ ଜନ୍ମ ହୋଇଛି-। ତା’ର ନାମକରଣ ଉତ୍ସବ ଆଜି । ସେଥ‌ିପାଇଁ ଦିସାରି ଆସି ମନ୍ତ୍ର ପଢ଼ୁଛି ।

ପିଲାମାନେ କହିଲେ, ଅଜା ! ତୁମମାନଙ୍କର ଏ ସମ୍ପର୍କରେ କିଛି ପ୍ରଥା ରହିଛି କି ?

ସେଇଟି କ’ଣ ଆମମାନଙ୍କୁ ବୁଝାଇ ଦିଅନା ! ତା’ ଛଡ଼ା ଦିସାରି ବୋଲି ତୁମେ ଯାହାକୁ କହୁଛ ସେ କିଏ ?

ବୁଢ଼ା ବସାଇଲା, ପିଲାଏ ! ଆମ ସମାଜରେ ଅନେକଗୁଡ଼ିଏ ପ୍ରଥା ଚଳି ଆସୁଛି । ସେଥି ମଧ୍ୟରୁ ଶିଶୁ ଜନ୍ମ ଗୋଟିଏ । ଆମମାନଙ୍କର ଶିଶୁ ଜନ୍ମ ହେବାର ଦଶଦିନ ପରେ ସମୁଦାୟ ଘର ମାଟି ଗୋବରରେ ଲିପାଯାଏ । ପରିବାରର ସମସ୍ତଲୋକ ସେଦିନ ଶୁଦ୍ଧପୁତ ଭାବରେ ଗାଧାନ୍ତି । ଏହାର ଆଉ ଦଶଦିନ ଅର୍ଥାତ ଶିଶୁ ଜନ୍ମହେବାର କୋଡ଼ିଏ ଦିନ ପରେ ଆମେମାନେ ଧୂପ, ଦୀପ ତଥା ଅନ୍ନ ଆଦି ଦେଇ ନିମାନି ଦେବତାଙ୍କୁ ପୂଜା କରିଥାଉ । ଏହିଦିନ ଉକ୍ତ ଶିଶୁଟିଏ ନାମକରଣ କରାଯାଏ । ସପ୍ତାହର ଯେଉଁ ଦିନରେ ଶିଶୁଟି ଜନ୍ମହୁଏ ତା’ର ନାମ ସେହିପରି ହୋଇଥାଏ । ଯେମିତି ପଡ଼ିଶା ଘରେ ଗୁରୁବାର ଦିନ ଶିଶୁଟି ଜନ୍ମଲାଭ କରିଥିବାରୁ ଉକ୍ତ ଶିଶୁଟିର ନାମ ଗୁରୁବାରୀ ରଖାଯାଇଛି । ତେବେ ନାମକରଣ ଦିନ ଆମ ଗାଁର ପୂଜକ ଯାହାକୁ ଆମେ ଦିସାରି ବୋଲି କହିଥାଉ ସେ ଆସି ନବଜାତ ଶିଶୁଟିକୁ ଆଶୀର୍ବାଦ କରିଯାଏ । ଏହା ହେଉଛି ଆମର ଗୋଟିଏ ପ୍ରଥା । ଏଥର ଲିପୁକୁ ଶୋଷ ଲାଗିଲା । ସେ ଗିଲାସେ ପାଣି ପାଇଁ ବୁଢ଼ାକୁ ଅନୁରୋଧ କଲା । ବୁଢ଼ା ପିଲାମାନଙ୍କ ଘର ନିକଟରେ ଥ‌ିବା କୂଅ ପାଖରୁ ନେଇଗଲା । ସେଠାରେ ଜଣେ ସ୍ତ୍ରୀଲୋକ ପାଣି କାଢ଼ୁଥିଲା । ବୁଢ଼ାଟି ପିଲାମାନଙ୍କୁ ପାଣି ପିଆଇବା ପାଇଁ ଉକ୍ତ ସ୍ତ୍ରୀଟିକୁ କହିଲା ।

ପାଣି ପିଇସାରି ପିଲାମାନେ କୂଅର ଚାନ୍ଦିନୀ ତଳକୁ ଓହଳାଇଛନ୍ତି କି ନାହିଁ ସେମାନଙ୍କର ଦୃଷ୍ଟି ପଡ଼ିଗଲା ଅଳ୍ପ ଦୂରରେ ରଖାଯାଇଥ‌ିବା ନୂଆ ଟୋକେଇଟିଏ ଉପରେ ।

ଅଜା ସେ ଟୋକେଇଟିକୁ ଭୁଲରେ କିଏ ସେଠାରେ ପକାଇ ଦେଇଛି କି ? ନୂଆ ଟୋକେଇଟିଏ ପରି ଜଣାପଡ଼ୁଛି ତ । ମୁଁ ଯାଉଛି ସେଇଟିକୁ ନେଇ ଆସିବି । ଲିପୁ କୌତୂହଳ ହୋଇ କହିଲା ବୁଢ଼ାକୁ । ମାମୁନି ମଧ୍ୟ ତା’ କଥାରେ ଯୋଗ ଦେଲା ।

ନାଇଁରେ ପିଲାଏ । ଟୋକେଇଟିକୁ ସେଠାରେ କେହି ଯେମିତି ପକାଇ ଦେଇ ନାହାନ୍ତି । ସେ ସ୍ଥାନରେ ଶନିଆ ଡିଡ଼ାୟୀ ଘର କରିବ ବୋଲି ସେମିତି କରିଛି ।

ପିଲାମାନେ ବୁଢ଼ା କଥା ଶୁଣି ଆଉ ଟିକିଏ କୌତୂହଳୀ ହୋଇ ପଡ଼ିଲେ । ସେମାନେ ପଚାରିଲେ, ଅଜା ତୁମମାନଙ୍କ ଏ କି ପ୍ରଥା ? ନୂଆ ଘର ତିଆରି କରିବାରେ ଟୋକେଇଟିର ଆବଶ୍ୟକତା କ’ଣ ?

ବୁଢ଼ା କହିଲା, ମୁଁ ଦେଖିଛି ତୁମମାନଙ୍କ ଭଳି ଆଉ କେତେକ ଲୋକ ଅଛନ୍ତି, ଯେଉଁମାନେ କୌଣସି ଘର କାମ ଆରମ୍ଭ କରିବା ପୂର୍ବରୁ ଶୁଭ ଲଗ୍ନ ଦେଖି ଭୂମି ପୂଜା କରିଥାନ୍ତି କ’ଣ ନୁହେଁ ?

ହଁ ତାହା ସତ ।

ତାହାତ ତୁମମାନଙ୍କ ସମାଜର ପ୍ରଥା । ସେହିପରି ଆମମାନଙ୍କର ପ୍ରଥା ଅନୁସାରେ ଆମେମାନେ କୌଣସି ସ୍ଥାନରେ ଘର ତିଆରିକରିବା ପୂର୍ବରୁ ଶୁଭଲଗ୍ନ ଦେଖିଥାଉ । ନିର୍ଦ୍ଦିଷ୍ଟ ଲଗ୍ନରେ ଆମେମାନେ ଘର ତିଆରି କରିବା ସ୍ଥାନରେ ତିନୋଟି ଚାଉଳ ରଖି ସେଗୁଡ଼ିକୁ ଗୋଟିଏ ନୂଆ ଟୋକେଇଦ୍ୱାରା ଘୋଡ଼େଇ ଦେଇଥାଉ । ପରଦିନ ସକାଳ ହେଲେ ଆମେମାନେ ଉକ୍ତ ଟୋକେଇଟିକୁ ସେଠାରୁ କାଢ଼ି ଚାଉଳଗୁଡ଼ିକର ଅବସ୍ଥାନ ଲକ୍ଷ୍ୟ କରୁ । ଯଦି ତିନୋଟି ଯାକ ଚାଉଳ ପୂର୍ବପରି ରହିଥାଏ ତେବେ ସେ ସ୍ଥାନଟି ଘର ତିଆରି ପାଇଁ ଅନୁକୂଳ ସ୍ଥାନ ବୋଲି ଆମେମାନେ ବିବେଚନା କରିଥାଉ । ଯଦି ଚାଉଳଗୁଡ଼ିକ ସ୍ଥାନ ପରିବର୍ତ୍ତନ କରିଥାନ୍ତି, ତେବେ ଆମେ ତାହାକୁ ଅଶୁଭ ଲକ୍ଷଣ ବୋଲି ଭାବି ସେ ସ୍ଥାନରେ ଘର ତିଆରି କରିବାରୁ ନିବୃତ୍ତ ରହୁ । ଘର କରିବାର ଶୁଭ ଯୋଗ ଜୁଟିଲେ ଆମେମାନେ ସେ ସ୍ଥାନରେ ଜାମୁ ଗଛର ଖୁଣ୍ଟଟିଏ ପୋତି ପୂଜା କରୁ । ଘର ତିଆରି ସରିଲେ ନିଜର ଜ୍ଞାତିକୁଟୁମ୍ବମାନଙ୍କୁ ଭୋଜିଭାତ ଦେଇ ଆନନ୍ଦିତ କରିବା ପ୍ରଥା ଆମମାନଙ୍କ ସମାଜରେ ରହିଛି ।

 

ଅଜା ! ମୁଁ ଦେଖୁଛୁ, ତୁମମାନଙ୍କର ସମାଜରେ ଅଦ୍ଭୁତ ପ୍ରଥାମାନ ରହିଛି । ତେବେ ତୁମମାନଙ୍କ ଧର୍ମବିଶ୍ଵାସ ସମ୍ପର୍କରେ ତ କିଛି କହିଲ ନାହିଁ । ଆଗ୍ରହାନ୍ୱିତ ହୋଇ ପଚାରିଲା ମାମୁନି ।

 

ବୁଢ଼ା କହିଲା, ହଁ କହୁଛି ଶୁଣ । ଆମମାନଙ୍କର ପ୍ରଧାନ ଦେବତା ହେଲେ ନନ୍ଦୀ । ଆମେମାନେ ଭଗବାନ ଶଙ୍କରଙ୍କୁ ପୂଜା କରିଥାଉ । ଆମର ଅନ୍ୟାନ୍ୟ ଦେବାଦେବୀ ହେଲେ ନିଶାନୀ, ଠାକୁରାଣୀ ମାତା, ହୁଣ୍ଡି ଦେବତା, ଜଳ ଦେବତା, ଚୁଆଁ ଦେବୀ ଇତ୍ୟାଦି । ହୁଣ୍ଡି ଦେବତା ହେଲେ ଆମ ଗ୍ରାମର ରକ୍ଷକ । ନଳୀ ଦେବତା ଏବଂ ନଳୀ ଦେବୀଙ୍କୁ ଆମେମାନେ ମାଟିର ଦୁଇଟି ଖୁଣ୍ଟରୂପେ ପୂଜା କରିଥାଉ । ଆମ ସମାଜରେ ଏମାନଙ୍କୁ ପୂଜା କରିବାର ଏକପ୍ରକାର ବିଧି ରହିଛି । ତଦନୁସାରେ ଆମ ସମାଜର ପୁରୁଷ ଦଳ ଦୁଇ ଭାଗରେ ବିଭକ୍ତ ହୁଅନ୍ତି । ଦଳେ ପୂଜା କରନ୍ତି ନଳୀ ଦେବତାଙ୍କୁ ଏବଂ ଅପର ଦଳ ନନ୍ଦୀ ଦେବୀଙ୍କୁ । ଏହି ପୂଜାଟି ବେଶ୍‌ ନୃତ୍ୟଗୀତ ତଥା ଭୋଜିଭାତ ମାଧ୍ୟମରେ ମାଘ ମାସରେ ସମ୍ପନ୍ନ କରାଯାଇଥାଏ ।

 

ଏତଦ୍‌ବ୍ୟତୀତ ଆମମାନଙ୍କର ଚୁଆଁ ଦେବୀଙ୍କୁ ଭାରି ଭୟ । ସେ ଅସନ୍ତୁଷ୍ଟ ହେଲେ ଆମ ଗାଁକୁ ବିପଦ ମାଡ଼ି ଆସେ, ସେଥ‌ିପାଇଁ ଆମେମାନେ ପ୍ରତି ମାସରେ ତାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଅର୍ପଣ କରିଥାଉଁ । ଆମେମାନେ ମଧ୍ୟ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ପରି ପୌଷ ପର୍ବ, ମାଘ ପର୍ବ, ଚୈତ୍ର ପର୍ବ ଇତ୍ୟାଦି ପାଳନ କରୁ । ଏ ପର୍ବଗୁଡ଼ିକ ନୃତ୍ୟଗୀତ ମାଧ୍ୟମରେ ବେଶ୍‌ ଆଡ଼ମ୍ବର ସହକାରେ ପାଳନ କରାଯାଏ ।

 

ଏଥର ଶୁଣିଲତ ପିଲାଏ ଆମର ପର୍ବପର୍ବାଣି ତଥା ଦେବାଦେବୀଙ୍କ କଥା । ତେବେ ଆସ ଆମ ଘରକୁ ଯିବା । ତୁମେମାନେ ଟିକିଏ ବୁଲି ଆସିବ । ବୁଢ଼ାଟି ଲିପୁ ଏବଂ ମାମୁନିକୁ ଉଠାଇ ଠିଆ କରାଇ ଦେଲା ।

 

ପିଲାମାନେ ଅଳ୍ପ ଦୂରରେ ଥାଇ ଡିଡ଼ାୟୀମାନଙ୍କ ସହ କଥାବାର୍ତ୍ତା ହେଉଥିବା ଶରତ ବାବୁଙ୍କ ଆଡ଼କୁ ଚାହିଁବାରୁ ସେ କହିଲେ, ଯାଅ ପିଲାଏ ମଉସାଙ୍କ ଘର ଆଡ଼େ ଟିକିଏ ବୁଲି ଆସିବ-। ସେଠାରୁ ଶୀଘ୍ର ଫେରିଲେ ଆମେ ଯିବାକୁ ବାହାରିବା ।

 

ବୁଢ଼ାଟି ପିଲାମାନଙ୍କୁ ନେଇଗଲା । ସେମାନଙ୍କୁ ତା’ ଘରେ ବସାଇ ସେମାନଙ୍କର ଖାଇବା ପାଇଁ କିଛି ଖାଦ୍ୟ ଦେଲା । ପିଲାମାନେ ସେଗୁଡ଼ିକୁ ଖାଇ ବେଶ୍‌ ତୃପ୍ତି ଲାଭ କଲେ । ସେମାନେ ମଧ୍ୟ ଉକ୍ତ ଖାଦ୍ୟ ଗୁଡ଼ିକର ବିଷୟରେ ବୁଢ଼ାଠାରୁ ପଚାରି ବୁଝିଲେ ।

 

ଅଜା ! ଆଜି ଆମେମାନେ ତୁମ ଗାଁକୁ ଆସି ଅନେକ ଶିକ୍ଷାଲାଭ କଲୁ । ତେଣୁ ତୁମକୁ ଆମେ ଧନ୍ୟବାନ ନଜଣାଇ ରହିପାରୁ ନାହୁଁ କହିଲା ଲିପୁ ।

 

ଏହାପରେ ବୁଢ଼ାଟି ପିଲାମାନଙ୍କୁ ତା’ର ଘରଦ୍ୱାର ବୁଲାଇ ଶରତ ବାବୁଙ୍କ ପାଖକୁ ନେଇଗଲା । ସେତେବେଳକୁ ଶରତ ବାବୁ ତାଙ୍କର କାମସାରି ସ୍ନେହଲତା ଦେବୀଙ୍କ ସହ ପିଲାମାନଙ୍କୁ ଅପେକ୍ଷା କରିଥିଲେ । ଅଳ୍ପ ସମୟ ମଧ୍ୟରେ ପିଲାମାନଙ୍କୁ ଦେଖି ସେ କହିଲେ, ପିଲାଏ ! ଆଜି ତୁମେ ପ୍ରତ୍ୟକ୍ଷଭାବେ ଆଦିବାସୀ ଗାଁକୁ ଆସି ସେମାନଙ୍କର ଚାଲିଚଳନ ତଥା ସାମାଜିକ ସଂସ୍କୃତି ସମ୍ବନ୍ଧରେ ଅନେକ ଜ୍ଞାନ ଅର୍ଜନ କରିଛ । ଏଥର ତ ଆମର ଗାଡ଼ି ସମୟ ହୋଇ ଗଲାଣି ଚାଲ ଘରକୁ ଫେରିଯିବା ।

 

ପିଲାମାନେ ବୁଢ଼ା ଏବଂ ତା’ ସାଥିରେ ଥିବା ଅନ୍ୟ କେତେକ ଲୋକଙ୍କୁ ନମସ୍କାର ଜଣାଇ ସେଠାରୁ ବିଦାୟ ନେଇ ଆସିଲେ ।

 

ଅଳ୍ପ ଦୂରରେ ନବରଙ୍ଗପୁର ବାହାରି ଥିବା ବସ୍‌ଟିର ହର୍ଣ୍ଣ ଶୁଣାଯାଉଥିଲା ।

☆☆☆

 

Unknown

ଭୋତିଆ ଶିଶୁ

 

ବଡ଼ି ଭୋରରୁ ଉଠି ଲିପୁ ଦେଖିଲା ତାଙ୍କ ପଡ଼ୋଶୀ ଘରେ ଚାରି ପାଞ୍ଚ ଜଣ ପୋଲିସ ଆସି ପହଞ୍ଚି ଯାଇଛନ୍ତି । ସେମାନଙ୍କ ସହ ରହିଛି ଗୋଟିଏ ଭୟଙ୍କର ଜୀବଟିଏ । ତା’ର ଉଚ୍ଚତା ପ୍ରାୟ ଅଢ଼େଇ ହାତ ହେବ । ଶରୀରଟି ଗାଢ଼ କଳା ଏବଂ ସୁଦୀର୍ଘ । କାନ ଦୁଇଟି ତଳକୁ ଓହଳି ପଡ଼ିଛି । ଲାଞ୍ଜଟି ଶରୀର ତୁଳନାରେ ବେଶ୍‌ ଛୋଟ । ତା’ର ଲମ୍ବା ଜିଭଟି ଲହ ଲହ ହେବାରେ ଲାଗିଛି । ଲିପୁ ଘରର ବାରଣ୍ଡାରେ ଥାଇ ସେହିଟିକୁ ଭଲରୂପେ ଲକ୍ଷ୍ୟ କଲା । ଓଃ କୁକୁରଟିଏ ପରା-। ଏହି କୁକୁରଟି ଯେ ପୋଲିସ କୁକୁର ଏହା ଜାଣିବାକୁ ତାକୁ ବାକି ରହିଲା ନାହିଁ ।

 

ହେଲେ ଏତେ ସକାଳୁ କୁକୁର ସହ ପୋଲିସମାନେ ଏଠାରେ କାହିଁକି ? ବୋଧହୁଏ କାହାର କିଛି ଚୋରିହୋଇ ଯାଇଛି । କଥା କ’ଣ ଜାଣିବାକୁ ସିଧା ଦୌଡ଼ିଲା ଘର ଭିତରକୁ ।

 

ବାପା ଦେଖିଲଣି ଆମ ପଡ଼ିଶା ଘରେ କେତେ ପୋଲିସ ଆସି ପହଞ୍ଚିଛନ୍ତି । ସେମାନେ ସାଥିରେ ପୋଲିସ କୁକୁରଟିଏ ବି ଆଣିଛନ୍ତି । ଲିପୁ ଆଗ୍ରହର ସହ ଜଣାଇଦେଲା ଶରତ ବାବୁଙ୍କୁ ।

 

ହଁ ଗତ ରାତିରେ ତାଙ୍କ ଘରେ ଚୋର ପଶି ଅନେକ ମୂଲ୍ୟବାନ ଜିନିଷ ନେଇଯାଇଛନ୍ତି ବୋଲି ନରହରି ବାବୁ କହୁଥିଲେ । ସେ ଥାନାକୁ ଖବର ଦେବାରୁ ପୋଲିସମାନେ ସେମାନଙ୍କ କୁକୁରକୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି । ଶରତ ବାବୁ କହିଲେ ।

 

ପିଉସା ! ନରହରି ବାବୁ କ’ଣ ଶୋଇଥ‌ିବା ଅବସ୍ଥାରେ ଚୋରମାନେ ଚୋରି କରି ନେଲେ ? ଜାଣିବାକୁ ଇଚ୍ଛାକଲା ମାମୁନି ।

 

ନାଁରେ ମାମୁନି, ଶରତ ବାବୁ କହିଲେ । ନରହରି ବାବୁ ତାଙ୍କ ପରିବାର ସହ କୌଣସି ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ଅବଶ୍ୟ ତାଙ୍କ ଘରେ ଦୁଇ ଦୁଇଟା ଦାମି ତାଲା ପଡ଼ିଥିଲା, ହେଲେ ଚୋରମାନେ କେଉଁଟି ଦାମି କେଉଁଟି ଶସ୍ତା ତାଲା ତାହା କ’ଣ ଦେଖନ୍ତି ? ସେମାନ ପରା ଶାବଳ ସାହାଯ୍ୟରେ କବାଟକୁ ଭାଙ୍ଗି ତାଙ୍କ ଘର ଭିତରେ ପଶିଥିଲେ ।

 

ଚୋରମାନଙ୍କର ଏପରି କାର୍ଯ୍ୟ ଲିପୁ ଏବଂ ମାମୁନି ମୁଣ୍ଡରେ ଗଭୀର ରେଖାପାତ କଲା-। ଲିପୁ ଟିକିଏ ଉତ୍ତେଜିତ ହେଲା ପରି କହିଲା, ବାପା ! ଅଜିକାଲି ଆମେ କାହାକୁ ନିରାପଦ ବୋଲି କହିବା ? ସାଧାରଣତଃ ଘରୁ ବାହାରକୁ ଗୋଡ଼ କାଢ଼ିବାବେଳେ ଆମେମାନେ ଦୁଆରେ ତାଲାଟିଏ ପକାଇଦେଇ ନିଶ୍ଚିନ୍ତ ହୋଇଯାଇଥାଉଁ । ହେଲେ ତାଲାଗୁଡ଼ିକ ? ସେହିପରି ଅକ୍ଷତ ଅବସ୍ଥାରେ ଥାଇ ମଧ୍ୟ ଚୋରି ! ତେବେ ଆମେ ଚଳିବା କିପରି ? ତା’ କଥାରେ ମାମୁନି ମଧ୍ୟ ଯୋଗ ଦେଲା-

 

ଶରତ ବାବୁ ପିଲାମାନଙ୍କ କଥା ଶୁଣି କହିଲେ, ପିଲାଏ ଏ ପରା କଳିଯୁଗ । ଚାରିଆଡ଼େ ଅନ୍ୟାୟର ରାଜତ୍ୱ ଚାଲିଛି । ସତ୍ୟଯୁଗରେ କ’ଣ ଚୋରି ହେଉଥିଲା । ସମସ୍ତେ ବେଶ୍‌ ନିଶ୍ଚିନ୍ତରେ ଜୀବନଯାପନ କରୁଥିଲେ । ତେବେ ଆଜିକାଲି ମଧ୍ୟ ଗୋଟିଏ ଗୋଟିଏ ଏପରି ସ୍ଥାନ ରହିଛି ଯାହାର ଅଧିବାସୀମାନେ ତାଲା ଚାବି କ’ଣ ଶୁଣି ନାହାନ୍ତି । ଏହାର କାରଣ ହେଲା ସେ ଅଞ୍ଚଳରେ ଆଦୌ ଚୋରି ହୁଏ ନାହିଁ । ତେଣୁ ଅଞ୍ଚଳର ଆଦିବାସୀମାନଙ୍କର ତାଲା ଚାବି କ’ଣ ଦରକାର ?

 

ଶରତ ବାବୁଙ୍କ ଠାରୁ ଏପରିକଥା ଶୁଣି ପିଲାମାନେ ତାହାକୁ ବିଶ୍ୱାସ କରିପାରିଲେ ନାହିଁ-। ଲିପୁ କହିଲା, ବାପା, ତୁମେ ପରୀ ରାଇଜର କିମ୍ବା ଆଈମା କାହାଣୀ କଥା କହୁନାହ‍ତଁ ? ଅବଶ୍ୟ ସେ ସମୟରେ ସତ୍ୟଯୁଗର ରାଜୁତି ଚାଲି ଥିବାରୁ ଆଦୌ ଚୋରି ହେଉ ନଥିଲା । ହେଲେ ଆଜିକାଲି ତାହା କିପରି ସମ୍ଭବ ହୋଇଛି ?

 

ଶରତ ବାବୁ କହିଲେ, ମୁଁ ଯାହା କହୁଛି ତାହା ନିରାଟ ସତ୍ୟ । ତୁମେମାନେ ଜାଣ, ଆମ ଦେଶର ଉତ୍ତର ଦିଗରେ ଉତ୍ତରପ୍ରଦେଶ ବୋଲି ରାଜ୍ୟଟିଏ ରହିଛି । ସେହି ରାଜ୍ୟର ଅଳ୍ପ କେତୋଟି ଅଞ୍ଚଳ ରହିଛି । ଯାହାର ଅଧିବାସୀମାନେ ଚୋରି କ’ଣ ଜାଣି ନାହାନ୍ତି । ତେଣୁ ସେମାନେ ନିଜ ନିଜ ଘରେ ତାଲା ପକାନ୍ତି ନାହିଁ ।

 

ଏହି ସମୟରେ ମାମୁନି ଶରତ ବାବୁଙ୍କର ଆଉ ଟିକିଏ ନିକଟକୁ ଚାଲିଆସି ପଚାରିଲା-। ପିଉସା ତୁମେ ସେ ଅଞ୍ଚଳ ଏବଂ ସେଠାର ଅଧିବାସୀଙ୍କ ବିଷୟରେ ଆମମାନଙ୍କୁ କିଛି କୁହନା-? ମୁଁ ଭା‍ବୁଛି ସେମାନେ ନିଶ୍ଚିତ ଭାବରେ ଭଲଲୋକ ହୋଇଥିବେ, କାରଣ ‘ଚୋରି’ତ ସେମାନଙ୍କ ସମାଜରେ ନାହିଁ ।

 

ଶରତ ବାବୁ କହିଲେ, ମାମୁନି ! ତୋର ଅନୁମାନ ଅବଶ୍ୟ ଆଂଶିକ ଭାବରେ ଠିକ୍‌ । ତୁ ଭୋତିଆମାନଙ୍କ କଥା ଶୁଣିଥିବୁ ?

 

ପିଉସା ନା, ‘ଭୋତିଆ’ ବୋଲି ଶବ୍ଦଟିଏ ଶୁଣି ମାମୁନି କୌତୂହଳର ସହ ଉତ୍ତର ଦେଲା-

 

ଶରତ ବାବୁ ବୁଝାଇଦେଲେ, ଏହି ‘ଭୋତିଆ’ ହେଉଛି ଗୋଟିଏ ଆଦିବାସୀ ସମ୍ପ୍ରଦାୟର ନାମ । ସେମାନଙ୍କ ସମାଜରେ ଚୋରି ଆଦୌ ହୁଏନାହିଁ । ସେଥ‌ିପାଇଁ ସେମାନେ ତାଲା ଚାବି କ’ଣ ଜାଣନ୍ତି ନାହିଁ ।

 

ଏହି ସମୟରେ ଲିପୁ କହିଲା, ବାପା ! ତୁମେ ଭଲ କଥାଟିଏ କହିଲ । ବର୍ତ୍ତମାନ ଆମମାନଙ୍କୁ ସେହି ସମ୍ପ୍ରଦାୟର ଶିଶୁମାନଙ୍କ କଥା ଶୁଣାଅନା ? ସେମାନେ କ’ଣ ପାହାଡ଼ ପର୍ବତ ଅଞ୍ଚଳରେ ରହନ୍ତି ?

 

ଶରତ ବାବୁ କହିଲେ, ତେବେ ମୋ’ଠାରୁ ଭୋତିଆ ଶିଶୁଙ୍କ ସମ୍ପର୍କରେ କିଛି ଶୁଣ । ଉତ୍ତରପ୍ରଦେଶରେ ଘରଓ୍ୱାଲା ଏବଂ କୁମାୟୁଁ ବୋଲି ସ୍ଥାନମାନ ରହିଛି । ଏଗୁଡ଼ିକ ହିମାଳୟ ଅଞ୍ଚଳରେ ଅନ୍ତର୍ଭୁକ୍ତ । ଅସଂଖ୍ୟ ଛୋଟଛୋଟ ବୁଦା ଏବଂ ବଡ଼ ବଡ଼ ପଥରରେ ସେ ସ୍ଥାନଟି ପରିପୂର୍ଣ୍ଣ । ସେହି ଅଞ୍ଚଳଗୁଡ଼ିକ ହେଉଛି ଭୋତିଆମାନଙ୍କର ନିବାସସ୍ଥଳୀ ।

 

ଭୋତିଆମାନେ ହିମାଳୟ ଅଞ୍ଚଳରେ ବାସ କରୁଥିବା କଥା ଶୁଣି ଲିପୁର ଗଡ଼ିମାନଙ୍କ କଥା ମନେପଡ଼ିଗଲା । କାରଣ ଗଡ଼ିମାନେ ମଧ୍ୟ ହିମାଳୟ ଅଞ୍ଚଳରେ ବାସ କରୁଥିବା କଥା ସେ ଶରତ ବାବୁଙ୍କ ଠାରୁ ଶୁଣିଥିଲା । ସଙ୍ଗେ ସଙ୍ଗେ, ସେ ପଚାରିଲା, ବାପା ! ଗଡ଼ିମାନଙ୍କ ପରି ଭୋତିଆମାନେ ସେମାନଙ୍କ ଅଣ୍ଟାରେ ଶିବରାଇସେଲି ନାମକ ପଟି ବାନ୍ଧନ୍ତି ।

 

ଶରତ ବାବୁ, ପିଲାମାନଙ୍କୁ ସେମାନଙ୍କର ସ୍ମରଣ ଶକ୍ତି ନିମନ୍ତେ ଧନ୍ୟବାଦ, ନଦେଇ ରହିପାରିଲେ ନାହିଁ । ସେ କହିଲେ ଲିପୁ ! ତୋର ଗଡ଼ିମାନଙ୍କ କଥା ତେବେ, ମନେ ରହିଛି । ହଉ ଏଥର ଶୁଣ, ପ୍ରତ୍ୟେକ ସମ୍ପ୍ରଦାୟର କୌଣସି ନା କୌଣସି ନିର୍ଦ୍ଦିଷ୍ଟ ପ୍ରଥା କିମ୍ବା ବେଶପୋଷାକ ରହିଛି । ତେଣୁ, ଭୋତିଆମାନେ ଏଗୁଡ଼ିକୁ ଭିତ୍ତିକରି ଗଡ଼ିମାନଙ୍କୁ ଅଦୁକରଣ କରିବେ କିପରି ? ତଥାପି ସେମାନଙ୍କର ତିବ୍ଦତୀୟମାନଙ୍କର ବେଶପୋଷାକ ସହିତ କିଛି କିଛି ସାମଞ୍ଜସ୍ୟ ରହିଥିବାର ଲକ୍ଷ୍ୟ କରାଯାଏ । ତେବେ ତୁ ଗଡ଼ିମାନଙ୍କର ଯେଉଁ ଶିବଗ୍ରହ ସେହି ପଟି କଥା କହୁଛୁ, ଭୋତିଆମାନେ ତାହା ପରିଧାନ କରନ୍ତି ନାହିଁ ।

 

ତେବେ ଭୋତିଆମାନଙ୍କର ଜୀବିକା କ’ଣ ? ପଚାରିଲା ମାମୁନି ।

 

ହଁ, ଗଡ଼ିମାନଙ୍କ ପରି ଛେଳି, ମେଷ ଆଦି ପଶୁପାଳନ କରିବା ସେମାନଙ୍କର ପ୍ରଧାନ ଜୀବିକା । ସେମାନେ ଉକ୍ତ ବ୍ୟବସାୟର ଉଦ୍‌ବୃତ୍ତ ଜିନିଷଗୁଡ଼ିକୁ ବିକ୍ରୟ କରି ବେଶ୍‌ ଦୁଇ ପଇସା ଅର୍ଜନ କରିଥାନ୍ତି ।

 

ବାପା ! ତେବେ ଭୋତିଆମାନେ ପ୍ରବଳ ଶୀତ ସମୟରେ ହିମାଳୟର ପାଦ ଦେଶକୁ ଚାଲି ଆସୁଥିବେ ? ପ୍ରଶ୍ନ କଲା ଲିପୁ ।

 

ହଁ ତୋର ଅନୁମାନ ଅବଶ୍ୟ ଠିକ୍‌ । ଶରତ ବାବୁ କହିଲେ, ପ୍ରବଳ ଥଣ୍ଡା ସମୟରେ ସେମାନେ ଗଡ଼ିମାନଙ୍କ ପରି ସେମାନଙ୍କର ପାଳିତ ପଶୁମାନଙ୍କ ସହ ହିମାଳୟର ତଳିଆ ଅଞ୍ଚଳକୁ ଚାଲି ଆସନ୍ତି । ଭଲ ଚାରଣଭୂମି ତଥା ଗୋମେଷାଦିମାନଙ୍କର ଯଥେଷ୍ଟ ଖାଦ୍ୟର ସନ୍ଧାନ ପାଆନ୍ତି । ତେବେ ସେଠାରେ କିଛି ଦିନ ପର୍ଯ୍ୟନ୍ତ ରହିଯାନ୍ତି । ଖାଦ୍ୟ ସରିଗଲେ ସେମାନଙ୍କୁ ଅନ୍ୟତ୍ର ଯିବାକୁ ହୁଏ ।

 

ଶରତ ବାବୁ ପୁନର୍ବାର ତାଙ୍କ କଥା ଆରମ୍ଭକରି କହିଲେ ପିଲାଏ ! ଏଥର ଭୋତିଆମାନଙ୍କର ବେଶପୋଷାକ ସମ୍ପର୍କରେ କିଛି ଶୁଣ । ସେମାନେ ସଦାସର୍ବଦା ଥଣ୍ଡା ସଂସ୍ପର୍ଶରେ ଆସୁଥ‌ିବାରୁ ଅଧିକାଂଶ ସମୟ ପଶମରେ ତିଆରି ପୋଷାକପତ୍ରମାନ ପିନ୍ଧିବାକୁ ଭଲ ପାଆନ୍ତି । ପୁରୁଷମାନେ ଗୋଡ଼ର ଗୋଇଠି ପର୍ଯ୍ୟନ୍ତ ଲମ୍ବିଥିବା ଘାଗରା ପିନ୍ଧନ୍ତି । ମୁଣ୍ଡରେ ସେମାନଙ୍କର ତିବ୍ଦତୀୟ ଟୋପିଟିଏ ଥାଏ । ଏହାଛଡ଼ା ଭୋତିଆ ସ୍ତ୍ରୀଲୋକମାନେ ମଧ୍ୟ ପୁରୁଷମାନଙ୍କ ପରି ଘାଗରା ପିନ୍ଧନ୍ତି । ସେମାନେ ସେମାନଙ୍କର ମୁକୁ ଗୋଟିଏ ଲମ୍ବା ଓଢ଼ଣାଦ୍ୱାରା ଆବୃତ କରିଥାନ୍ତି । ସ୍ତ୍ରୀଲୋକମାନେ ଅଳ୍ପ ପରିମାଣରେ ଗହଣାପତ୍ର ବ୍ୟବହାର କରନ୍ତି । ସେଥି ମଧ୍ୟରୁ କାନ ରିଙ୍ଗ, ଚୁଡ଼ି, ହାର ସହିତ ଝୁଲିବା ପଦକ ଇତ୍ୟାଦି ପ୍ରଧାନ ।

 

ଏହି ସମୟରେ ମାମୁନି କହିଉଠିଲା, ପିଉସା ! ଗଡ଼ିମାନଙ୍କ ପରି ଭୋତିଆମାନେ ତ ଅନେକ ସମୟରେ ଅନେକ ସ୍ଥାନ ବୁଲି ସେମାନଙ୍କର ବାସସ୍ଥାନ ଠିକ୍‌ କରିଥାନ୍ତି । ତେବେ ମୁଁ ଭାବୁଛି ସେମାନଙ୍କ ଶିଶୁମାନେ ଏହାଦ୍ୱାରା ଆଦୌ ପାଠ ପଢ଼ିବାକୁ ସମୟ ପାଉନଥିଲେ ।

 

ଶରତ ବାବୁ କହିଲେ, ତୁ ଠିକ୍‌ ବୁଝିଛୁ ମାମୁନି । ଭୋତିଆ ଶିଶୁମାନଙ୍କୁ ସେମାନଙ୍କ ପିତାମାତାଙ୍କ ସହ ଅନେକ ସ୍ଥାନ ବୁଲିବାକୁ ପଡ଼ିଥାଏ । ତେଣୁ ସେମାନେ ବିଦ୍ୟାଳୟକୁ ଯାଇ ପାଠ ପଢ଼ିବା ନିମନ୍ତେ ସମୟ ପାଆନ୍ତି ନାହିଁ । ଅପରନ୍ତୁ ବେଶ୍‌ ଶୈଶବ ସମୟରୁ ସେମାନଙ୍କୁ ଗୋମେଷାଦି ପାଳନ ଦିଗରେ ଯତ୍ନବାନ ହେବାକୁ ପଡ଼ିଥାଏ ।

 

ସେମାନଙ୍କର ସମାଜ ତଥା ପରିବାରର କୌଣସି ଚିନ୍ତା ନଥାଏ । ସେମାନେ ବେଶ୍ ଆରାମରେ ନିଜ ନିଜର ଜୀବିକା ନିର୍ବାହ କରି ଚାଲିଛନ୍ତି । ତାହାହିଁତ ସେମାନଙ୍କ ପାଇଁ ଭଗବାନଙ୍କର ଉପଯୁକ୍ତ ପୁରସ୍କାର । ସେମାନଙ୍କର ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏଁ ଧାଙ୍ଗଡ଼ା ଘର ବା ‘ଚୋପାଲ’ ରହିଥାଏ । ଭୋତିଆ ବାଳକ ବାଳିକାମାନେ କୌଣସି ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ସେଠାରେ ରହି ସେମାନଙ୍କର ଭବିଷ୍ୟତ ଜୀବନ ନିମନ୍ତେ ଅନେକ କଥା ଶିକ୍ଷା କରିଥାନ୍ତି । ଦ୍ୱିତୀୟତଃ କେତେବେଳେ ସେମାନଙ୍କର କୌଣସି ବନ୍ଧୁବାନ୍ଧବ ପହଞ୍ଚିଲେ, ସେମାନେ ସେହି ‘ଚୋପାଲ’ରେ ଆଶ୍ରୟ ନେଇଥାନ୍ତି । ଶରତ ବାବୁ ବୁଝାଇ ଦେଲେ ।

 

ଶରତ ବାବୁଙ୍କର ଭୋତିଆ ଶିଶୁ ସମ୍ପର୍କରେ କଥାଗୁଡ଼ିକ ପିଲାମାନଙ୍କୁ ବେଶ୍‌ ଭଲ ଲାଗିଲା । ଏହି ସମୟରେ ଲିପୁ ପଚାରିଲା, ବାପା ! ଭୋତିଆମାନଙ୍କର ଉନ୍ନତି ସକାଶେ କ’ଣ କୌଣସି ବ୍ୟବସ୍ଥା କରାଯାଉ ନାହିଁ କାହିଁକି ?

 

ହଁ କରାଯାଉଛି, ସେମାନଙ୍କର ଉନ୍ନତି ବିଧାନ ନିମନ୍ତେ ଡେରାଡୁନରେ ଅଶୋକ ଆଗ୍ରମ ନାମକ ସଂସ୍ଥାଟିଏ ଖୋଲାଯାଇଛି । ସେମାନଙ୍କୁ ଉନ୍ନତି ମାର୍ଗରେ ପରିଚାଳିତ କରିବା ଏବଂ ପରସ୍ପର ସହଯୋଗ ତଥା ସଦ୍‌ଭାବ ସୃଷ୍ଟି କରିବା ହେଲା ଏହି ଅନୁଷ୍ଠାନର ଲକ୍ଷ୍ୟ ।

 

ବାପା ! ଉକ୍ତ ଅନୁଷ୍ଠାନଟି କ’ଣ ସରକାର ପରିଚାଳନା କରନ୍ତି । ପଚାରିଲା ଲିପୁ ।

 

ନା ତାହା ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇନାହିଁ ? ସ୍ୱର୍ଗତ ଧର୍ମଦେବ ଶାସ୍ତ୍ରୀ ଏହାର ପ୍ରତିଷ୍ଠାତା । ସେଠାରେ ଅନେକ ସ୍ଵେଚ୍ଛାସେବକ ରହି ଭୋତିଆମାନଙ୍କ ସମେତ ଅନ୍ୟାନ୍ୟ ଅଗ୍ରସର ଶ୍ରେଣୀର ଆଦିବାସୀମାନଙ୍କୁ ସେମାନଙ୍କ ସାମାଜିକ ସ୍ତରରେ ଉନ୍ନତି ବିଧାନ ନିମନ୍ତେ ଶିକ୍ଷାଦେଇଛନ୍ତି ।

 

ଆଜି ପିଲାଏ ଏତିକି ଥାଉ । ଶରତ ବାବୁ କିଛି ସମୟ ଅଟକିଯାଇ କହିଲେ, ମୁଁ ତୁମମାନଙ୍କୁ ଆଉ ଦିନେ ଅନ୍ୟାନ୍ୟ ଆଦିବାସୀ ଶିଶୁମାନଙ୍କ କଥା କହିବି ।

 

ପିଲାମାନେ ଖୁସିହୋଇ ସେଠାରୁ ଫେରି ଆସିଲେ ।

☆☆☆

 

ମୁଣ୍ଡା ଶିଶୁ

 

ଆଜି ରବିବାର । ଟିଉସନ ବନ୍ଦ ! ତଥାପି ସାର୍‌ ଆଜି ଆସିବା ପାଇଁ କାଲିଠାରୁ କହିଯାଇଛନ୍ତି । ଲିପୁ ଏବଂ ମାମୁନି ମନ ବେଶ୍‌ ଖୁସି । ସାର୍‌ ଆଜି ଆଦିବାସୀ ଶିଶୁମାନଙ୍କ ସମ୍ପର୍କରେ ସେମାନଙ୍କୁ କହିବେ ।

 

ଲିପୁ ପଢ଼ା ଘର ଭିତରକୁ ଦୌଡ଼ି ଆସିଲା । ସେ ଦେଖିଲା, ମାମୁନି ତୁଳୀଟିଏ ଧରି ସୁନ୍ଦର ଚିତ୍ରଟି ଅଙ୍କନ କରିବାରେ ଲାଗିଛି । ସେ ମାମୁନିକୁ ପଚାରିଲା, ତୁ କ’ଣ ଗାଧୋଇ ନାହୁଁ କି-? ଆଉ ଅଳ୍ପ ସମୟ ପରେ ସାର୍‌ ଚାଲି ଆସିବେ ।

 

ହଁ ମୋର ତ ବର୍ତ୍ତମାନ ଏ ଚିତ୍ରଟି ଅଧା ସରିଲା । ଯାଉଛି ଗାଧୋଇ ଆସିବି । ହେଲେ ତୁ କ’ଣ ଗାଧୋଇ ସାରିଲୁଣି ? ତୁଳୀ ଏବଂ ରଙ୍ଗକୁ ଯଥା ସ୍ଥାନରେ ରଖିଦେଇ ମାମୁନି ପଚାରିଲା ଲିପୁକୁ ।

 

ଲିପୁ କହିଲା, ହଁ ମୁଁ ତ ବର୍ତ୍ତମାନ ନଦୀରୁ ଗାଧୋଇ ଆସୁଛି । ହେଲେ ମୁଁ ଆଜି ବିଚିତ୍ର ଘଟଣାଟିଏ ନଦୀ ବାଲି ଉପରେ ଦେଖିଲି । ଆଜି ତ ସେପରି କୌଣସି ମୁଖ୍ୟ ତିଥି ନାହିଁ । କିନ୍ତୁ ଦଳେ ଲୋକ ସେଠାରେ କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରୁଥିଲେ । ସେମାନଙ୍କ ମଧ୍ୟରେ ସ୍ତ୍ରୀଲୋକ ଆଉ ପୁଅଝିଅ ମଧ୍ୟ ଥିଲେ । ମୁଁ କୌତୂହଳୀ ହୋଇ ଏ ବିଷୟ ଗୋଟିଏ ପିଲାକୁ ପଚାରିବାରୁ ସେ ‘ଗରହାଇଭା’ଙ୍କ ଉଦ୍ଦେଶ୍ୟରେ ପୂଜା ଚାଲିଥିବା କଥା କହିଲା । ହେଲେ ହେଲେ ‘ଗରହାଇରା’ କ’ଣ ? ଆମେମାନେ ଯେଉଁମାନଙ୍କୁ ପୂଜା କରିଥାଉ ସେମାନଙ୍କ ମଧ୍ୟରେ ଏପରି ଜଣେ ଦେବତା ତ ନାହାନ୍ତି । ଆଉ ତାଙ୍କୁ ପୂଜା କରୁଥିବା ବ୍ୟକ୍ତି ଛଡ଼ା ମଧ୍ୟ ଆମମାନଙ୍କ ଠାରୁ ଅଲଗା ପରି ଜଣା ଯାଉଥିଲା ।

 

ଲିପୁର ଏପରି କଥା ଶୁଣି ମାମୁନି ମଧ୍ୟ କୌତୂହଳୀ ହୋଇ ଉଠିଲା । ସେ କହିଲା, ତୁ ଯେଉଁମାନଙ୍କୁ ନଦୀ କୂଳରେ ଦେଖିଲୁ ସେମାନେ ନିଶ୍ଚିତ ଭାବେ କୌଣସି ଆଦିବାସୀ ସମ୍ପ୍ରଦାୟର ଲୋକ ହୋଇଥିବେ । ସେମାନଙ୍କ ବିଷୟରେ ତୋର ବର୍ଣ୍ଣନାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ତେବେ ଅଳ୍ପ ସମୟ ମଧ୍ୟରେ ଆମ ସାର୍‌ ଚାଲି ଆସିବେ ।

 

ଆମେମାନେ ତାଙ୍କୁ ଏକଥା ପଚାରି ଆମର ସନ୍ଦେହ ଦୂର କରିଦେବା । ହୁଏତ ସେ ଏ ବିଷୟରେ ଆମମାନଙ୍କୁ ବୁଝାଇ ଦେଇ ପାରନ୍ତି । ତେବେ ତୁ ଏଠାରେ ଅପେକ୍ଷା କରିଥା । ମୁଁ ଯାଉଛି ଅଳ୍ପ ସମୟ ମଧ୍ୟରେ ଗାଧୋଇ ଖାଇ ଆସିବି ।

 

ନିର୍ଦ୍ଦିଷ୍ଟ ସମୟରେ ଟିଉସନ ସାର୍‌ ଆସି ପହଞ୍ଚି ଗଲେ । ପିଲାମାନେ କହିଲେ, ସାର୍‌ ! ଆପଣ ଆଜି ଆମମାନଙ୍କୁ ଆଦିବାସୀ ଶିଶୁମାନଙ୍କ କଥା କହିବେ ବୋଲି କହିଥିଲେ ପରା ହେଲେ ତା’ ପୂର୍ବରୁ ଆମମାନଙ୍କୁ ଆଉ ଗୋଟିଏ କଥା ବୁଝାଇ ଦେଲେ ଭଲ ହୁଅନ୍ତା ।

 

ଲିପୁ ନଦୀରେ ଗାଧୋଇ ଫେରିବା ସମୟରେ ନଦୀ କୂଳରେ ଯେଉଁସବୁ ଦୃଶ୍ୟ ଦେଖିଥିଲା ତାହା ସାର୍‍ଙ୍କ ଆଗରେ ପ୍ରକାଶ କଲା । ସାର୍‌ ସେ ସବୁକୁ ମନଦେଇ ଶୁଣିଲେ । ଏହି ସମୟରେ ଲିପୁ କହିଲା, ସାର୍‌ । ସେମାନଙ୍କର ସାମାଜିକ ରୀଜନୀତି ତଥା ପ୍ରଥା ଆମମାନଙ୍କ ଠାରୁ ଭିନ୍ନ ନୁହେଁ କି ? ତେବେ ସେମାନେ କିଏ ଦୟାକରି ଆମମାନଙ୍କୁ ବୁଝାଇ ଦିଅନ୍ତୁ ।

 

ହଁରେ ପିଲାଏ ! ତୁମେମାନେ ଯେଉଁ କଥା ମୋତେ ପଚାରୁଛ ମୁଁ ସେ ବିଷୟରେ ତୁମମାନଙ୍କୁ ଆଜି କହିବିବୋଲି ଆସିଛି । ବ୍ୟସ୍ତ ହୁଅ ନାହିଁ ମୁଁ ତୁମମାନଙ୍କୁ ଗୋଟି ଗୋଟିକରି ସବୁ ବୁଝାଇବି । ସାର୍‌ ଖୁସି ହୋଇ କହିଲେ ।

 

ଲିପୁ ଓ ମାମୁନି ଆହୁରି ଖୁସି ହୋଇଗଲେ । ସେମାନେ ପଚାରିଲେ, ସାର୍‍ ! ତେବେ ସେମାନେ କ’ଣ କୌଣସି ଆଦିବାସୀ ସମ୍ପ୍ରଦାୟର ଲୋକ ?

 

ହଁ ସାର୍‌ କହିଲେ, ସେମାନେ ତ ନିଶ୍ଚିତ ଭାବରେ ଆଦିବାସୀ ସମ୍ପ୍ରଦାୟର ଲୋକ ହେଲେ ଶ୍ରେଣୀ ବିଭାଗ ଦୃଷ୍ଟିରୁ ସେମାନେ ହେଲେ ମୁଣ୍ଡା ଜାତିର । ତୁମେମାନେ ନଦୀ କୂଳରେ ସେମାନଙ୍କର ଯେଉଁ ପୂଜା ଦେଖିଥିବ ତାହାକୁ ସେମାନେ ନଦୀ ଦେବତାଙ୍କ ଉଦ୍ଦେଶ୍ୟରେ କରୁଥିଲେ । ସେମାନେ ନଦୀକୁ ଦେବତା ଜ୍ଞାନ କରିଥାନ୍ତି ଏବଂ ଏହି ଦେବତା ସେମାନଙ୍କର ‘ଗରହା ଲରା’ ନାମରେ ପରିଚିତ । ତେବେ ଏସବୁ ବିଷୟରେ ମୁଁ ଟିକିଏ ପରେ ତୁମମାନଙ୍କୁ କହିବି-। ପ୍ରଥମେ ସେମାନଙ୍କର ବାସସ୍ଥଳୀ ଖାଦ୍ୟପେୟ ତଥା ସାମାଜିକ ଜୀବନ ସମ୍ପର୍କରେ କହୁଛି ଶୁଣ-

 

ଲିପୁ ଓ ମାମୁନି ଧୀରସ୍ଥିର ଭାବରେ ବସି ସାର୍‌ଙ୍କ କଥାକୁ ଅତ୍ୟନ୍ତ ଉତ୍କଣ୍ଠାର ସହ ଶୁଣିବାକୁ ଲାଗିଲେ ।

 

ସାର୍‌ ଆରମ୍ଭ କଲେ, ଆମ ଦେଶରେ ଯେତେଗୁଡ଼ିଏ ଆଦିବାସୀ ସମ୍ପ୍ରଦାୟର ଲୋକ ଦେଖାଯାନ୍ତି ସେମାନଙ୍କ ମଧ୍ୟରେ ଏମାନେ ହେଲେ ଗୋଟିଏ ବଳିଷ୍ଠ ତଥା ପ୍ରାଚୀନ ଜାତି । ସେତେବେଳେ ଏମାନେ ବିନ୍ଧ୍ୟ ଓ ଆରାବଳୀ ପର୍ବତର ମଧବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିଲେ ।

 

ଏହି ସମୟରେ ଲିପୁ ତା’ର ଉତ୍କଣ୍ଠାକୁ ଚାପି ନପାରି ପଚାରିଲା, ସାର୍ ! କିଛି ଦିନ ପୂର୍ବେ ମୁଁ ଗୋଟିଏ ବହିରୁ ଦ୍ରାବିଡ଼ମାନଙ୍କ ସମ୍ପର୍କରେ ପଢ଼ୁଥିଲି । ତେବେ ଏହି ମୁଣ୍ଡାମାନେ କ’ଣ ସେହି ଶ୍ରେଣୀର ଲୋକ ?

 

ନାଁରେ ଲିପୁ ତୋର ଅନୁମାନ ଏକବାର ଭୁଲ । ସାର୍‌ ବୁଝାଇ ଦେଲେ । ତୁ ଯେଉଁ ଦ୍ରାବିଡ଼ମାନଙ୍କ କଥା କହୁଛୁ ସେମାନଙ୍କୁ ବିଚାରକୁ ନେଲେ ଆମ ରାଜ୍ୟର ସମସ୍ତ ଆଦିବାସୀଙ୍କୁ ଦୁଇଟି ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଇଅଛି । ଗୋଟିଏ ହେଲା ପୂର୍ବ ଦ୍ରାବିଡ଼ ବଂଶ ଏବଂ ଅନ୍ୟଟି ମୁଣ୍ଡା ଦଳ । ପୂର୍ବ ଦ୍ରାବିଡ଼ ବଂଶଟି କନ୍ଧ, ଗାଦବା, ବଣ୍ଡା, କୋୟା, ଗଞ୍ଜ ଆଦିଙ୍କୁ ନେଇ ଅନ୍ତର୍ଭୁକ୍ତ କରାଯାଇଛି । ଅପରପକ୍ଷେ ଦ୍ୱିତୀୟ ଶ୍ରେଣୀଟି ଜୁଆଙ୍ଗ, ସାନ୍ତାଳ, ଖାରିଆ, ଓରାନ, ମୁଣ୍ଡା ଆଦିଙ୍କୁ ନେଇ ଗଠିତ । ଆଜିକାଲି ଏମାନେ ଆମ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ରାଜଗାଙ୍ଗପୁର, ସମ୍ବଲପୁର, ବଣାଇ ବାମଣ୍ଡା ଆଦି ଅଞ୍ଚଳରେ ବସବାସ କରୁଥିବାର ଦେଖାଯାଏ । ଆମ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ହେବ ।

 

ଲିପୁ ଏବଂ ମାମୁନି ଯେଉଁଠାରେ ରହୁଥିଲେ ତାହା ଥିଲା ପାହାଡ଼ ପର୍ବତ ଘେରା ଛୋଟିଆ ସହରଟିଏ । ସେହି ସହରଟିର ଉପକଣ୍ଠରେ ରହିଥିଲା ଅଳ୍ପ କେତୋଟି ମୁଣ୍ଡା ଗ୍ରାମ । ଟିଉସନ ସାର୍‌ ଜଣେ ସୁନ୍ଦର ଶିକ୍ଷକ ଥିଲେ । ସେଠାରେ ମୁଣ୍ଡା ଶିଶୁମାନେ ପାଠ ପଢ଼ୁଥିଲେ । ଯୋଗବଶତଃ କେତୋଟି ମୁଣ୍ଡା ଶିଶୁ ସେଦିନ ସାର୍‌ଙ୍କୁ ସେମାନଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ଏକଥା ସେହି ସମୟରେ ହଠାତ୍‌ ସାର୍‌ଙ୍କର ମନେପଡ଼ିଗଲା । ଲିପୁ ଓ ମାମୁନି ମୁଣ୍ଡା ଶିଶୁମାନଙ୍କ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥିବା ଦେଖି ସାର୍‌ ସେମାନଙ୍କୁ ସାଥିରେ ଘେନି ଯିବାପାଇଁ ସ୍ଥିର କଲେ । ପିଲାମାନେ ପ୍ରତ୍ୟକ୍ଷଭାବରେ ମୁଣ୍ଡା ଶିଶୁମାନଙ୍କ ସଂସ୍ପର୍ଶରେ ଆସିଲେ ସେମାନଙ୍କ ସଂସ୍ପର୍ଶରେ ଯେତିକି ଶିକ୍ଷା କରିବେ, କେବଳ ପରୋକ୍ଷ ଭାବରେ ବର୍ଣ୍ଣନା କରିଗଲେ ତାହା ସେମାନଙ୍କ ପାଇଁ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି ତାଙ୍କର ଧାରଣା ହେଲା । ଏଥ‌ିପାଇଁ ପ୍ରଥମେ ସେ ଶରତ ବାବୁଙ୍କୁ ସମସ୍ତ କଥା କହିଲେ । ଶରତବାବୁ ଅନୁମତି ଦିଅନ୍ତେ ସାର୍‌ ପିଲାମାନଙ୍କୁ ତାହା ଜଣାଇ ଦେଲେ ।

 

ଏହା ଶୁଣି ଲିପୁ ଓ ମାମୁନି ଉଭୟଙ୍କର ଆନନ୍ଦ କହିଲେ ନସରେ । ସେମାନେ କହିଲେ, ସାର୍‌ ! ଆଜି ତ ଛୁଟିଦିନ, ଆପଣ ଆମମାନଙ୍କ ପାଇଁ ଭଲ ଯୋଜନାଟିଏ କରିଛନ୍ତି । ଏକଥା ପୂର୍ବରୁ ଆମମାନଙ୍କୁ ନକହି ରହିଥିଲେ କିପରି ? ଆପଣ ମୁଣ୍ଡା ଶିଶୁମାନଙ୍କ ସମ୍ପର୍କରେ ନାନା କଥା ବୁଝାଇବା ଅପେକ୍ଷା ଆମମାନଙ୍କୁ ସେମାନଙ୍କ ନିକଟରୁ ନେଇଗଲେ ଆମେମାନେ ଅନେକ ଜ୍ଞାନ ଆହରଣ କରି ପକାନ୍ତୁ । ଅଥଚ ଆପଣଙ୍କୁ ସେମାନଙ୍କ ସମ୍ପର୍କରେ କିଛି ଅଯଥା ପରିଶ୍ରମ କରିବାକୁ ପଡ଼ନ୍ତା ନାହିଁ ।

 

ସାର୍‌ କହିଲେ, ତେବେ ପିଲାମାନେ ! ବର୍ତ୍ତମାନ ତ ସେମାନଙ୍କ ଗାଁକୁ ଯିବା ସମୟ ହୋଇଗଲାଣି । ତୁମେମାନେ ଶୀଘ୍ର ବାହାରି ପଡ଼ । ମୁଁ ତୁମମାନଙ୍କୁ ମୋ ଗାଡ଼ିରେ ବସାଇ ନେଇଯିବି ।

 

ଲିପୁ ଓ ମାମୁନି ଅଳ୍ପ ସମୟ ମଧ୍ୟରେ ସଜବାଜ ହୋଇ ବାହାରି ପଡ଼ିଲେ । ଅଳ୍ପ ସମୟ ମଧ୍ୟରେ ସେମାନେ ସମସ୍ତେ ଯାଇ ପହଞ୍ଚିଲେ ସେହି ଶିଶୁମାନଙ୍କ ଗାଁରେ ଯେଉଁମାନେ ସାର୍‌ଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଥିଲେ । ସାର୍‌ଙ୍କୁ ଦେଖିବାକ୍ଷଣି ତାଙ୍କ ସ୍କୁଲରେ ପାଠ ପଢ଼ୁଥିବା ମୁଣ୍ଡା ଶିଶୁମାନେ ଭାରି ଖୁସି ହୋଇଗଲେ । ସାର୍‌ ଲିପୁ ଓ ମାମୁନିଙ୍କୁ ସେମାନଙ୍କ ସହ ପରିଚୟ କରାଇ ଦେଲେ ।

 

ଏହାପରେ ମୁଣ୍ଡା ଶିଶୁମାନେ ଆଦରରେ ସାର୍‌ଙ୍କୁ ସେମାନଙ୍କ ଘରକୁ ପାଛୋଟି ନେଲେ-। ଲିପୁ ଓ ମାମୁନି ମଧ୍ୟ ସାର୍‌ଙ୍କୁ ଅନୁକରଣ କଲେ । ଏହି ସମୟରେ ସାର୍‌ ମୁଣ୍ଡା ଶିଶୁମାନଙ୍କୁ ଲିପୁ ଓ ମାମୁନିଙ୍କୁ ସେଠାକୁ ଆସିବାର ଅଭିପ୍ରାୟ ଜଣାଇ ଦେଲେ ।

 

ଲିପୁ ଦେଖିଲା ମୁଣ୍ଡାମାନଙ୍କର ଘରଗୁଡ଼ିକ ଗାଁ ମଧ୍ୟରେ ଏଠି ସେଠି ହୋଇ ରହିଛି । ସେଗୁଡ଼ିକ ମଧ୍ୟରେ ଅନେକ ପାହାଡ଼ ମୁଣ୍ଡ ଟେକି ରହିଛନ୍ତି । ଗ୍ରାମର ପାଖାପାଖି ଅନେକଗୁଡ଼ିଏ ଗ୍ରାମ ରହିଛି । ହେଲେ ସେଠାକୁ ଯିବାପାଇଁ ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡ଼େ । ଆଉ ମଧ୍ୟ ଦୁଇଟି ଘର ମଧ୍ୟରେ ଶସ୍ୟକ୍ଷେତ୍ର ବା ବୁବାଳିଆ ଜଙ୍ଗଲ ମଧ୍ୟ ରହିଥ‌ିବାର ସେ ଦେଖିଲା ।

 

ଏସବୁ ଦୃଶ୍ୟକୁ ଲିପୁ ଉପଭୋଗ କରୁଥିବା ସମୟରେ ମାମୁନି ଦୁଇ ତିନୋଟି ମୁଣ୍ଡା ଶିଶୁମାନଙ୍କର ଘର ବୁଲି ଆସିଲା । ସେ ଦେଖିଲା ପ୍ରତି ପରିବାରରେ ଦୁଇଟି ଲେଖାଏଁ କୋଠରୀ ରହିଛି । ଘରଗୁଡ଼ିକ ଝାଟିମାଟି ଦ୍ଵାରା ତିଆରି ଏବଂ ସେଗୁଡ଼ିକ ଭୂମିଠାରୁ ଟିକିଏ ଅଧିକ ଉଚ୍ଚତାରେ ରହିଛି । କୌଣସି ଗୋଟିଏ ଘରେ ଝରକାଟିଏ ବି ନାହିଁ । ଘରର ଦୁଆର ମୁହଁରେ ଯେଉଁ ଗୋଟିକିଆ କବାଟ ରହିଛି ତାହା ଶାଳ କାଠରେ ତିଆରି । ଆଉ କେତେକ ଘରର ଦ୍ୱାରରେ ତାଟି ଲାଗିଛି । ଯେଉଁମାନଙ୍କୁ ସେ ମଧ୍ୟବିତ୍ତ ପରିବାର ବୋଲି ଜାଣିଲା, ସେମାନଙ୍କ ଘର ଚାରି ପାଞ୍ଚଟି କୋଠରୀ ବିଶିଷ୍ଟ ହୋଇଥ‌ିବାର ମାମୁନି ଦେଖିପାରିଲା । ସେ ଘରଗୁଡ଼ିକରେ ରହିବା, ଶୋଇବା, ରୋଷେଇ ପାଇଁ ଅଲଗା ଅଲଗା ବ୍ୟବସ୍ଥାମାନ ରହିଛି । ଜଣେ ଆଦିବାସୀ ଶିଶୁ ମାମୁନିକୁ, ତାଙ୍କର ରୋଷେଇ ଗୃହକୁ ଡାକି କହିଲା, ଆମେମାନେ ଏହି ଘରେ ଖିଆପିଆ କରିଥାଉଁ । ଏହାକୁ ଆମେ ‘ମାଣ୍ଡିଓରା’ ବୋଲି କହିଥାଉଁ । ଯେଉଁମାନଙ୍କର ରୋଷେଇ ଘରର ଅଭାବ ଥାଏ ସେମାନେ ନିଜ ନିଜର ମାଣ୍ଡିଓରାରେ ରୋଷେଇ କାମ କରିଥାନ୍ତି ।

 

ଏହି ସମୟରେ ମାମୁନି ଦେଖିଲା, ମାଣ୍ଡିଓରାର ଗୋଟିଏ କୋଣକୁ ଗୋଟିଏ ଚଉତରାଟିଏ ରହିଛି । ତାହା ଦେଖି ତା’ ମନରେ କୌତୂହଳ ହେଲା । ସେ ଚଉତରା ଦିଗକୁ ହାତ ବଢ଼ାଇ ଶିଶୁକୁ ପଚାରିଲା, ସେଇଟି କ’ଣ ?

 

ଶିଶୁଟି କହିଲା, ସେଇଟି ଆମର ପୂର୍ବପୁରୁଷମାନଙ୍କ ପୀଠ । ସଦାସର୍ବଦା ଆମ ଘରମାନଙ୍କରେ ସେମାନଙ୍କର ଉପସ୍ଥିତିର ନିଦର୍ଶନ ସ୍ୱରୂପ ଆମେ ସେଇଟିକୁ ତିଆରି କରିଥାଉଁ । ସେମାନଙ୍କର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ଆମେମାନେ ସେଠାରେ ବେଶୀ ଚଳପ୍ରଚଳ କରୁ ନାହିଁ । ଏହାଛଡ଼ା ଆମେମାନେ ରୋଷେଇ ଘରେ ଅନ୍ୟ ଜାତିର ଲୋକମାନଙ୍କର ପ୍ରବେଶ ନିଷିଦ୍ଧ କରୁ ।

 

ଏତିକିବେଳେ ଲିପୁ ମାମୁନି ପାଖକୁ ଆସି ସେ ଘରର ପଛ ପାଖରେ ଥ‌ିବା ବଗିଚାକୁ ଡାକି ନେଲା । ସେଠାରେ ଅନେକ ପ୍ରକାର ପନିପରିବା, ଶାକସବଜି ଓ ଶସ୍ୟ ଲଗାଯାଇ ଥିବାର ସେମାନେ ଦେଖିଲେ । ସେଠାରେ କିଛି ସମୟ ପୂର୍ବରୁ ସେମାନଙ୍କର ସାର୍ ମଧ୍ୟ ଠିଆହୋଇ ଏସବୁ ଦୃଶ୍ୟ ଉପଭୋଗ କରୁଥିଲେ । ପିଲାମାନଙ୍କୁ ଦେଖି ସେ ପଚାରିଲେ, ପିଲାଏ ! ମୁଣ୍ଡାମାନଙ୍କର ପରିପାଟୀ ସବୁକୁ ଉତ୍ତମରୂପେ ଲକ୍ଷ୍ୟ କରୁଛ ତ ?

 

ଲିପୁ କହିଲା, ସାର୍‌ ! ବାସ୍ତବରେ ଏମାନଙ୍କର ବଗିଚାଟି ବେଶ୍‌ ସୁନ୍ଦର ହୋଇଛି । ହେଲେ ମୁଁ ଦେଖୁଛି ପ୍ରତ୍ୟେକ ଘର ପାର୍ଶ୍ଵରେ ଖତ ଗଦାଟିଏ ରହିଛି । କ’ଣ ସେମାନଙ୍କର ପରିବେଶ ନଷ୍ଟ ହେଉ ନାହିଁ କି ?

 

ଲିପୁର ଏପରି ପ୍ରଶ୍ନରେ ସାର୍‌ କହିଲେ, ତୁ ଠିକ୍‌ ବୁଝିଛୁ ଲିପୁ ! ପ୍ରଥମରେ ଏମାନଙ୍କର ଶିକ୍ଷାଦୀକ୍ଷାରେ ସେପରି ଉନ୍ନତି ଘଟି ନାହିଁ । ଦ୍ୱିତୀୟରେ ପ୍ରତ୍ୟେକ ଘର ନିକଟରେ ରହିଥ‌ିବା ଖତ ଗଦାଟି ଉକ୍ତ ପରିବାରର ଅନେକ ଉପକାର ଆସିଥାଏ । ଏଥ‌ିରେ ସେମାନେ ଘରର ଅଳିଆ, ଗୋବର ଆଦି ଯାବତୀୟ ଜିନିଷମାନ ପକାଇଥାନ୍ତି । ସେଗୁଡ଼ିକ କିଛି ଦିନ ପରେ ରହିଗଲେ ସେଗୁଡ଼ିକୁ ଆଣି ମୁଣ୍ଡାମାନେ ବଗିଚା ଏବଂ ବିଲରେ ପକାଇଥାନ୍ତି । ଫଳରେ ସେସବୁ ସ୍ଥାନମାନଙ୍କରେ ବେଶ୍ ଭଲ ଫସଲ ହୁଏ ।

 

ଅଳ୍ପ ସମୟ ମଧ୍ୟରେ ଗୋଟିଏ ମୁଣ୍ଡା ଶିଶୁର ପିତାମାତା ସେମାନଙ୍କୁ ଆସି ଘରକୁ ଡାକି ନେଲେ । ଲିପୁ ଏବଂ ମାମୁନିଙ୍କ ସମେତ ସାର୍‌ ସେଠାକୁ ଯାଇ ସବାଇ ଘାସର ଦଉଡ଼ିଦ୍ୱାରା ବୁଣା ହୋଇଥିବା ଖଟିଆଟିଏ ଉପରେ ବସି ପଡ଼ିଲେ । ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଉକ୍ତ ଶିଶୁଟିର ପିତାମାତା ସେମାନଙ୍କୁ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଦେଲେ ।

 

ଏହାପରେ ପରସ୍ପର ମଧ୍ୟରେ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଆଳାପ ଆଲୋଚନା ଚାଲିଲା । ପ୍ରସଙ୍ଗକ୍ରମେ ଲିପୁ ଧୀର ସ୍ୱରରେ ପଚାରିଲା, ସାର୍‌ ! ଏ ଗାଁର ଯେତେ ଲୋକ ବାସ କରୁଛନ୍ତି ସେମାନଙ୍କର ପ୍ରଧାନ ଜୀବିକା କ’ଣ ?

 

ସାର୍‌ କହିଲେ, ହଁ ଏମାନଙ୍କର ପ୍ରଧାନ ଜୀବିକା ହେଲା ଚାଷ । ଏଥିପାଇଁ ସେମାନଙ୍କ ସମାଜର ସ୍ତ୍ରୀଲୋକମାନେ କୃଷିକ୍ଷେତ୍ରକୁ ଯାଇ ପୁରୁଷମାନଙ୍କୁ ଅନେକ ସାହାଯ୍ୟ କରିଥାନ୍ତି । ଏତଦ୍‌ବ୍ୟତୀତ ସେମାନେ କିଛି ପରିମାଣରେ ଗୋମେଷାଦି ପାଳନ କରିଥାନ୍ତି । ଏଥିପାଇଁ ସେମାନେ ଘରକୁ ଲାଗି ଗୁହାଳଟିଏ ରଖିଥାନ୍ତି । ଏହି ଗୁହାଳକୁ ସେମାନେ କହନ୍ତି ‘ମେରମଓରା’ । ଆଉ କେତେକ ସ୍ତ୍ରୀଲୋକ ଅରଟରେ ସୂତା କାଟନ୍ତି । ଏସବୁ ଦୃଷ୍ଟିରୁ ବିଚାରକଲେ ମୁଣ୍ଡାମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନହେଲେ ମଧ୍ୟ ଖରାପ ନୁହେଁ ।

 

ଲିପୁ ଓ ମାମୁନି ଏସବୁ କଥା ଶୁଣୁଥ‌ିବାବେଳେ ସେମାନେ ଦେଖିଲେ ଗୋଟିଏ ବୁଢ଼ା ସେମାନଙ୍କ ଦିଗକୁ ଆସୁଛି । ଅନୁସନ୍ଧାନରୁ ଜଣାପଡ଼ିଲା, ସେଇଟି ହେଉଛି ସ୍କୁଲରେ ପଢ଼ୁଥିବା ମୁଣ୍ଡା ଶିଶୁଟିର ବୁଢ଼ାବାପା । ବୁଢ଼ାଟି ସେମାନଙ୍କ ନିକଟକୁ ଆସିବାକ୍ଷଣି ଲିପୁ ପଚାରିଲା, ମ‍ଉସା ! ଆମେମାନେ ଅନେକ ସମୟ ହେଲା ଏଠାକୁ ଆସିଲୁଣି । ତୁମମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ଆମମାନଙ୍କର ଲକ୍ଷ୍ୟ । ଆମ ସହିତ ଆମର ସାର୍‌ ମଧ୍ୟ ଆସିଛନ୍ତି । ଆମେମାନେ ଏପର୍ଯ୍ୟନ୍ତ ତୁମ ଗାଁର ଶିଶୁମାନଙ୍କୁ ଅନେକ କଥା ପଚାରି ବେଶ୍‌ ଜ୍ଞାନ ଆହରଣ କରି ସାରିଲୁଣି । ଆଉ ଆମମାନଙ୍କର ଯାହା କିଛି ସନ୍ଦେହ ରହିଛି ସେଗୁଡ଼ିକ ତୁମେ ଦୟାକରି ବୁଝାଇ ଦେବନା ?

 

ଲିପୁର ଏପରି ଚତୁରତା ଦେଖି ବୁଢ଼ାଟି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲା ନାହିଁ । ସେ ପିଲାମାନଙ୍କର ପିଠିକୁ ଥାପୁଡ଼ାଇ କହିଲା, ପିଲାଏ ! ତୁମେମାନେ ମୋତେ ଯାହା ପଚାରିବା କଥା ପଚାର, ତୁମମାନଙ୍କ ପାଇଁ ମୁଁ ଆଜି ବେଶ୍‌ ଖୁସି ।

 

ଏଥର ବୁଢ଼ାଟିକୁ ପ୍ରଶ୍ନ ପଚାରିବାରେ ଲିପୁ ଏବଂ ମାମୁନିଙ୍କର ଆଉ ଦ୍ୱିଧା ରହିଲା ନାହିଁ-। ସେମାନେ ଗଛ ଛାଇ ତଳେ ଥିବା ବଡ଼ ଚଉରାଟିଏ ଉପରେ ବୁଢ଼ାକୁ ବସାଇ ଦେଲେ-। ଉଭୟ ମଧ୍ୟ ସେଠାରେ ବସିଲେ । ଏହି ସମୟରେ ଲିପୁ ପଚାରିଲା, ମଉସା ! ତୁମମାନଙ୍କର ଖାଦ୍ୟପେୟ ବିଷୟରେ ଆମମାନଙ୍କୁ ଟିକିଏ ଜଣାଇବ କି ?

 

ବୁଢ଼ାଟି ହସିଲା ଏବଂ କହିଲା, ଆମମାନଙ୍କର ସେଥିରେ କିଛି ବିଶେଷତ୍ୱ ନାହିଁ । ସାଧାରଣତଃ ତୁମ ଶ୍ରେଣୀର ଲୋକମାନେ ଯେଉଁମାନେ ଗାଁ ଗହଳିରେ ବାସ କରନ୍ତି ସେମାନେ ଯାହା ଖାଆନ୍ତି ଆମେମାନେ ତାହା ଖାଇଥାଉ । ଆମ ଶ୍ରେଣୀର ଲୋକମାନଙ୍କର ପ୍ରଧାନ କାର୍ଯ୍ୟ ଚାଷ ହୋଇଥିବାରୁ ବିଲବାଡ଼ିକୁ ଯିବା ପୂର୍ବରୁ ଆମେମାନେ ଭାତକୁ ପଖାଳ କରି ଖାଇଥାଉଁ । ସମୟ ସମୟରେ ମାଛ ମାଂସ ମଧ୍ୟ ଆମମାନଙ୍କ ଚଳିଥାଏ । ତୁମେମାନେ ବୋଧହୁଏ ଜାଣିନଥିବ ଆମ ଶ୍ରେଣୀର ପ୍ରତ୍ୟେକ ବ୍ୟକ୍ତି ଖୁବ୍‌ ପରିଶ୍ରମୀ ଏବଂ ନିଜ ନିଜ କାର୍ଯ୍ୟରେ ବେଶ୍‌ ପଟୁ ।

 

ସେତେବେଳକୁ ଲିପୁ ଏବଂ ମାମୁନିଙ୍କର ସାର୍‌ କିଛି ଦୂରରେ ଦୁଇଜଣ ଲୋକଙ୍କ ସହ କଥାବାର୍ତ୍ତାରେ ମଜ୍ଜିଯାଇଥିଲେ । ହେଲେ ପିଲାମାନେ ସେଥିପ୍ରତି ଦୃଷ୍ଟି ନଦେଇ ବୁଢ଼ାଟିକୁ ପଚାରିଲେ, ମଉସା ! ତୁମମାନଙ୍କର ସମାଜରେ କି ଧରଣର ବେଶପୋଷାକ ପ୍ରଚଳନ ହୁଏ ?

 

ବୁଢ଼ାଟି ପ୍ରଥମେ ଟିକିଏ ମୁରୁକି ହସିଲା । ତା’ପରେ କହିଲା, ପିଲାଏ ! ତୁମେମାନେ ତ ଆମ ଗାଁକୁ ଅନେକ ସମୟ ହେଲା ଆସିଲଣି । ଆଉ ମଧ୍ୟ ଅନେକ ଘର ବୁଲି ସାରିଛି । ତେବେ ତୁମ ପ୍ରଶ୍ନର ଉତ୍ତର ତୁମେମାନେ ହିଁ ଦେବା କଥା ନୁହେଁ କି ?

 

ଲିପୁ ଓ ମାମୁନି ପ୍ରକୃତ କଥା ବୁଝିପାରିଲେ । କିଛି ସମୟ ପୂର୍ବରୁ ସେମାନେ କେତୋଟି ପରିବାର ସଂସ୍ପର୍ଶରେ ଆସି ସେମାନଙ୍କର ବେଶପୋଷାକ ସମ୍ପର୍କରେ ଯାହା ଲକ୍ଷ୍ୟ କରିଥିଲେ ତାହାକୁ ମନେପକାଇବାକୁ ଲାଗିଲେ । ସେମାନେ ମୁଣ୍ଡାମାନଙ୍କର ପୋଷାକପତ୍ର ବେଶ୍‌ ସାଧାରଣ ଧରଣର ବୋଲି ଲକ୍ଷ୍ୟ କରିଥିଲେ । ଏହି ସମ୍ପ୍ରଦାୟର ପୁରୁଷମାନେ ମୁଣ୍ଡରେ ଲମ୍ବାକେଶ ରଖିଥାନ୍ତି-। ସେଥିରେ ଗୋଟିଏ ଲେଖାଏଁ କାଠର ପାନି‍ଆ ଦେଇ ଖୋସା ପାରନ୍ତି । କେତେକ ମୁଣ୍ଡା ପୁରୁଷ ସେମାନଙ୍କ ହାତରେ ଲୁହା ଓ ପିତଳର ଖଡ଼ୁ ପିନ୍ଧିଥାନ୍ତି ।

 

Image

 

ଏହି ସମୟରେ ମାମୁନିର ହଠାତ୍‌ ଗୋଟିଏ କଥା ମନେପଡ଼ିଗଲା । ସେ କିଛି ସମୟ ପୂର୍ବରୁ ମୁଣ୍ଡା ସ୍ତ୍ରୀମାନେ ସେମାନଙ୍କ ହାତରେ ଚିତା କୁଟାଇଥିବାର ଦେଖିଥିଲା । ଏ କଥା ମନେପଡ଼ିଯିବା ମାତ୍ରକେ ସେ ବୁଢ଼ାକୁ ପଚାରିଲା, ମଉସା ! ଅବଶ୍ୟ ତୁମ ଅଞ୍ଚଳର ଲୋକମାନଙ୍କର ପୋଷାକପତ୍ର ସମ୍ପର୍କରେ ଆମେ କିଛି ଜ୍ଞାନ ଅର୍ଜନ କରିଛୁ, ହେଲେ ସ୍ତ୍ରୀଲୋକର ହାତରେ ଚିତା କୁଟାଟି ତୁମ ସମ୍ପ୍ରଦାୟର ଏକ ବୈଚିତ୍ର କି ?

 

ବୁଢ଼ା କହିଲା, ଆମ ଜାତିର ସ୍ତ୍ରୀଲୋକମାନେ କେବଳ ହାତରେ କାହିଁକି ଗୋଡ଼, ପିଠି ଏପରିକି ମୁହଁରେ ମଧ୍ୟ ଚିତା କୁଟାଇବାକୁ ଭଲ ପାଇଥାନ୍ତି । ଆମେମାନେ ଏହାକୁ ‘ସାଙ୍ଗା’ ବୋଲି କହିଥାଉ । ସ୍ତ୍ରୀମାନେ ସେମାନଙ୍କ କପାଳରୁ ନାକ ପର୍ଯ୍ୟନ୍ତ ତିନୋଟି ଚିତାଗାର କାଟିଥାନ୍ତି । ଏହା ସେମାନଙ୍କର ପ୍ରଧାନ ସଙ୍କେତ ରୂପେ ପରିଗଣିତ ହୋଇଥାଉ । ତୁ ଯେଉଁ ବୈଚିତ୍ର କଥା କହୁଛୁ ତାହା ପ୍ରକୃତରେ ଠିକ୍‌ ନୁହେଁ । ଆମରି ପରି ଆଉ କେତେକ ଆଦିବାସୀ ଅଛନ୍ତି ଯେଉଁମାନେ ମଧ୍ୟ ସେମାନଙ୍କ ଶରୀରସାରା ଚିତା କୁଟାଇବାକୁ ଭଲପାଇଥାନ୍ତି ।

 

ଲିପୁ ପଚାରିଲା, ମଉସା ! ପର୍ବପର୍ବାଣିମାନଙ୍କରେ ତୁମେମାନେ ସାଧାରଣ ଦିନଠାରୁ ଭିନ୍ନ ଧରଣର ପୋଷାକପତ୍ର ବ୍ୟବହାର କରିଥାଅ କି ?

 

ହଁ ! ବୁଢ଼ା କହିଲା । ସାଧାରଣ ଦିନମାନଙ୍କରେ ଆମ ସମ୍ପ୍ରଦାୟର ପୁରୁଷମାନେ ରଙ୍ଗିନ ଧଡ଼ିର ତୂଳା ଲୁଗା ପିନ୍ଧିଥାନ୍ତି । ସ୍ତ୍ରୀଲୋକମାନେ ଲାଲ ଧଡ଼ି ଥିବା ବଡ଼ ବଡ଼ ଶାଢ଼ି ବ୍ୟବହାର କରନ୍ତି-। ଯେଉଁମାନେ ଅଭାବୀ ସେମାନଙ୍କର ସାଧାରଣ ପୋଷାକ ହେଉଛି କୌପୀନ୍‌ । ତେବେ ପର୍ବପର୍ବାଣି ଦିବସମାନଙ୍କରେ ପୁରୁଷମାନେ ରେଶମ ବସ୍ତ୍ର ପରିଧାନ କରନ୍ତି । ସ୍ତ୍ରୀଲୋକମାନେ ମଧ୍ୟ ଅପେକ୍ଷାକୃତ ଉନ୍ନତ ଧରଣର ଶାଢ଼ି ବ୍ୟବହାର କରନ୍ତି । ଏହି ଶାଢ଼ିକୁ ସେମାନେ ନିଜ ହାତରେ ଅରଟ ସାହାଯ୍ୟରେ ବୁଣି ଥାଆନ୍ତି ।

 

ଲିପୁ ଓ ମାମୁନି ପୁଣି ପଚାରିଲେ, ମଉସା ! ତୁମ ସମାଜରେ ଆଉ କିକି ନିୟମମାନ ରହିଛି ଆମମାନଙ୍କୁ କୁହ ?

 

ବୁଢ଼ା କହିଲା, ଆମ ଗାଁ ମଝିରେ ଗୋଟିଏ ବଡ଼ ପଡ଼ିଆ ରହିଛି । ତାହାକୁ ଆମେ ଆଖଡ଼ା ବୋଲି କହିଥାଉ । ସମୟ ସମୟରେ ଆମ ଗାଁରେ ଲୋକମାନଙ୍କର ବୁଝାମଣାର ଅଭାବ ଯୋଗୁ ବିଶୃଙ୍ଖଳା ସୃଷ୍ଟି ହୁଏ । ସେତେବେଳେ ବିବାଦର ସମାଧାନ ନିମନ୍ତେ ସେହିଠାରେ ପଞ୍ଚାୟତ ବସେ । ସେମାନେ ଘଟଣାଟିର ନ୍ୟାୟ ଅନ୍ୟାୟ ବିଚାର କରି ଦୋଷିକୁ ଦଣ୍ଡ ଦିଅନ୍ତି । ଏହାଛଡ଼ା ସମୟ ସମୟରେ ଆଖପାଖ ଗାଁମାନଙ୍କର ଅତିଥିମାନେ ଆସି ପହଞ୍ଚିଲେ ଉକ୍ତ ଆଖଡ଼ାରେ ବସି ଆଳାପ ଆଲୋଚନା କରନ୍ତି ।

 

ଆମେମାନେ ପ୍ରକୃତିକୁ ପୂଜା କରିଥାଉଁ । ପ୍ରଧାନ ଦେବତା ସିଙ୍ଗଦୋଙ୍ଗାକୁ ଛାଡ଼ି ଦେଲେ ନଦୀ, ଝରଣା, ପାହାଡ଼, ପର୍ବତ ଆଦିଙ୍କୁ ହେହେ ଆମମାନଙ୍କର ଅନ୍ୟାନ୍ୟ ଦେବତା । ଆମମାନଙ୍କର ନଦୀ, ଝରଣା ଛୋଟ ଝର ଆଦି ଦେବତାଙ୍କ ନାମ ଗରହାଇରା । ପର୍ବତ ଦେବତାଙ୍କ ନାମ ବୁରୁବୋଙ୍କା ବା ମାରାଙ୍ଗବୁରୁ । ଏହି ଦେବତା ସବୁଠାରୁ ଉଚ୍ଚ ପାହାଡ଼ରେ ଅଧିଷ୍ଠାନ କରିଥାନ୍ତି । ଆମେମାନେ ସାଧାରଣତଃ ବର୍ଷା ପାଇଁ ଏହି ଦେବତାଙ୍କୁ ପୂଜା କରିଥାଉ । ଆମମାନଙ୍କର ପୁରୋହିତ ଯାହାକୁ ଆମେ ‘ପାହାତା’ ବୋଲି କହିଥାଉ, ସେ ପୂଜା ସମୟରେ ଗୋଟିଏ ଅର୍ଦ୍ଧବୃତ୍ତାକାର ପଥର ଉପରେ ବସି ମଇଁଷି, ଛେଳି, କୁକୁଡ଼ା ଆଦି ବଳି ଦେଇଥାଏ । ବଳି ଶେଷରେ କଟା ମୁଣ୍ଡଟି ସେ ନେଇଥାଏ ।

 

ଆମେମାନେ କୂଅ, ପୋଖରୀ, ଖାଲ ଆଦିଙ୍କୁ ଦେବତା ଜ୍ଞାନକରି ପୂଜା କରିଥାଉଁ । ଏଗୁଡ଼ିକର ପ୍ରତିପାଦ୍ୟ ଦେବତା ହେଉଛନ୍ତି ଇକିରିବୋଙ୍ଗା । ତାଙ୍କର ପୂଜା ନିମନ୍ତେ କୁକୁଡ଼ା ଏବଂ ଧଳା ଛେଳି ବଳି ଦିଅଯାଇଥାଏ । ଏହି ଇକିରିବୋଙ୍ଗାଙ୍କ ସମେତ ନଦୀ, ଝରଣା ଆଦିଙ୍କର ଦେବତା ଗରହାଇରାକୁ ଆମେମାନେ ସେହି ସବୁ ସ୍ଥାନରେ ପୂଜା କରିଥାଉଁ । ଏହାଦ୍ୱାରା ସେମାନେ ସନ୍ତୁଷ୍ଟହୋଇ କୌଣସି ବାଧାବିଘ୍ନ ଘଟାନ୍ତି ନାହିଁ ।

 

ଏତଦ୍‌ବ୍ୟତୀତ ନାଗଇରା, କାରାସରନା, ସଇଦୁଲ୍‌ସରନା, ଗୁମ୍ମି, ଚନ୍ଦୋର, ଚନ୍‌ଲା, ହେଗ୍ରୋମ୍‌ ଆଦି ହେଲେ ଆନାର ଅନ୍ୟାନ୍ୟ ଦେବତା । ସେମାନଙ୍କ ମଧ୍ୟରୁ ହେଗ୍ରୋମ୍‌ ହେଲେ ପିଲାମାନଙ୍କର ମଙ୍ଗଳ ଅମଙ୍ଗଳରେ ଦେବତା । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେମାନେ ବଳି ମାଧ୍ୟମରେ ପୂଜା କରିଥାଉ ।

 

ବୁଢ଼ାଠାରୁ ସେମାନଙ୍କର ଚାଲିଚଳନ, ସାମାଜିକ ବ୍ୟବସ୍ଥା ଆଦି ସମସ୍ତ ବିଷୟ ଅବଗତ ହୋଇ ଲିପୁ ଓ ମାମୁନି ବେଶ୍‌ ଖୁସି ହେଲେ । ସେଦିନ ସନ୍ଧ୍ୟାହୋଇ ଆସିବାରୁ ସାର୍‌ଙ୍କ ସହ ସେମାନେ ବୁଢ଼ାଠାରୁ ବିଦାୟ ଆଣି ଫେରି ଆସିଲେ ।

 

ଘରକୁ ଫେରି ଲିପୁ ଓ ମାମୁନି ମୁଣ୍ଡାମାନଙ୍କ ସମ୍ପର୍କରେ ସମସ୍ତ କଥା ଗୋଟି ଗୋଟି କରି ବର୍ଣ୍ଣନା କଲେ ।

☆☆☆

 

କନ୍ଧ ଶିଶୁ

 

କାଲିଠାରୁ ଷାଣ୍ମାସିକ ପରୀକ୍ଷା ସରିଯାଇଛି । ଲିପୁ ଓ ମାମୁନିଙ୍କ ମନ ଭାରି ଆନନ୍ଦ ଆଉ ଦୁଇ ଦିନ ପରେ ଧାନକଟା ଛୁଟି ହୋଇଯିବ । ସେମାନଙ୍କୁ ବିଭିନ୍ନ ପ୍ରକାର ବହି ପିଲାଙ୍କ ପତ୍ରିକା ପଢ଼ିବା ପାଇଁ ସମୟ ମିଳିବ । ଦେଖାଯାଉ ସେତେବେଳେ ତ ଅଛି । ତେବେ ଆଜି ସେମାନେ କରିବେ କ’ଣ ? କେବଳ ଉପସ୍ଥାନ ନିଆଯାଇ ସ୍କୁଲ ଛୁଟି ହୋଇଯାଇଛି । ପାଖରେ କୌଣସି ସାଙ୍ଗସାଥୀ ନାହାନ୍ତି । ସେମାନେ କାହା ସହ ଖେଳିବେ ?

 

ଲିପୁ ଓ ମାମୁନି ବୈଠକଖାନାର ସୋଫା ଉପରେ ବସି ପଡ଼ିଲେ । ମାମୁନି ରଙ୍ଗ ବାକ୍‌ସ ଏବଂ ତୁଳୀ ଧରି ଚିତ୍ର ଅଙ୍କନ କରିବାରେ ଲାଗି ପଡ଼ିଲା । ଲିପୁ ପାଖରେ ଥୁଆ ହୋଇଥିବା ପତ୍ରିକାଟିକୁ ଟାଣି ଆଣିଲା ଏବଂ ଗୋଟିକ ପରେ ଗୋଟିଏ ତା’ର ପୃଷ୍ଠା ଲେଉଟା‍ଇ ଚାଲିଲା ।

 

ହଠାତ୍‌ ପତ୍ରିକାଟିର ଗୋଟିଏ ପୃଷ୍ଠା ଉପରେ ତା’ର ଦୃଷ୍ଟି ଅଟକିଲା । ସେଥିରେ ଲେଖା ହୋଇଥିବା କେତୋଟି ଧାଡ଼ି ତା’ ମନରେ ବେଶ୍‌ କୌତୂହଳ ସୃଷ୍ଟି କଲା । ସେଗୁଡ଼ିକୁ ଅସ୍ପଷ୍ଟ ସ୍ୱରରେ ପଢ଼ିବାକୁ ଲାଗିଲା l ସେଥ‌ିରେ ଲେଖାଥିଲା ।

 

କାରାବୁଢ଼ା ହେଉଛନ୍ତି କନ୍ଧମାନଙ୍କର ଆଦିମାତା । କଷରୋଡ଼ି ତାଙ୍କର ପୁଅ, କିମ୍ବଦନ୍ତୀ କହେ ଅନେକ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠ କାଦୁଅରେ ପରିପୂର୍ଣ୍ଣ ଥିଲା । ଆରିମାତଙ୍କୁ ବଳି ଦେବା ପରେ ସେସବୁ ଶୁଖିଯାଇ ତାହା ଫସଲ ଉତ୍ପାଦନ କରିବା ଦିଗରେ ସହାୟକ ହେଲା । .....କନ୍ଧମାନେ କଷରୋଡ଼ି ଏବଂ ସିଙ୍ଗାରୋଡ଼ି ଏହି ଦୁଇ ଭାଇଙ୍କୁ ମନେପକାଇବା ପାଇଁ ବର୍ଷରେ ଥରେ ନିଜର ବା ବାହାରର ପୁଅ, ଝିଅ, ଭାଇ ବା ଭଉଣୀଙ୍କୁ ବଳି ଦିଅନ୍ତି ।

 

କନ୍ଧମାନଙ୍କର ମଣିଷ ବଳି କଥା ପଢ଼ି ଲିପୁ ଆଶ୍ଚର୍ଯ୍ୟ ହେଲା । ଏଥ‌ି ସହ ସେ ଭୟରେ ଶିହରି ଉଠି ପତ୍ରିକାଟିର ପୃଷ୍ଠାଟିକୁ ମାମୁନିକୁ ପଢ଼ାଇଲା । ମାମୁନି କହିଲା, ମୁଁ କାଲି ସନ୍ଧ୍ୟା ସମୟରେ ଲିଜା ଘରକୁ ଯାଇଥିଲି । ସେଠାରେ ତା’ର ବଡ଼ଭାଇ କହୁଥିଲେ, କନ୍ଧମାନେ ହେଉଛନ୍ତି ଗୋଟିଏ ପ୍ରକାରର ଆଦିବାସୀ ସମ୍ପ୍ରଦାୟ, ହେଲେ ସେମାନଙ୍କ ସମାଜରେ ମଣିଷବଳି ପ୍ରଥା ରହିଛି, ଏକଥା ମୁଁ ଜାଣିନଥିଲି । ଜଣାପଡ଼ୁଛି କନ୍ଧମାନେ ବେଶ୍‌ ବିପଜ୍ଜନକ ଜାତି । ତେବେ ସନ୍ଧ୍ୟାବେଳକୁ ପିଉସା ଅଫିସରୁ ଫେରିଲେ ତାଙ୍କ ଠାରୁ ସମସ୍ତ ବିଷୟ ଭଲଭାବରେ ବୁଝିବା ।

 

ପିଲାମାନେ ମଧ୍ୟାହ୍ନ ଭୋଜନ ସାରି ସନ୍ଧ୍ୟା ସମୟକୁ,ଅପେକ୍ଷା କଲେ । ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ଘରର ଫାଟକ ପାଖରେ ଗାଡ଼ିର ହର୍ଣ୍ଣ ଶୁଣାଗଲା । ତେବେ ବାପା ଆସିଗଲେ ଲିପୁ ବାହାରକୁ ଦୌଡ଼ିଯାଇ ପ୍ରଥମେ ଫାଟକକୁ ଖୋଲି ଦେଲା । ଶରତ ବାବୁ ଗାଡ଼ିଟିକୁ ବାରଣ୍ଡା ନିକଟରେ ରଖିନେଇ ବୈଠକଖାନାକୁ ପ୍ରବେଶ କଲେ ।

 

ପିଲାଏ ! ଆଜି ତୁମମାନଙ୍କ ମୁଖମଣ୍ଡଳରେ ବିରସଭାବ କାହିଁକି ? କ’ଣ କିଛି ଅଘଟଣ ଘଟିଛି କି ? ଶରତ ବାବୁ ସୋଫା ଉପରେ ବସୁ ବସୁ ପଚାରିଲେ ।

 

ବାପା ! ଏଥିରେ କ’ଣ ଲେଖା ହୋଇଛି ପଢ଼ିଲଣି ? ଲିପୁ ପତ୍ରିକାଟିର ପୃଷ୍ଠା ଓଲଟାଇ ଦେଖାଇଲା ।

 

ଓ, ମୁଁ ଏଥର ବୁଝିଗଲି । କନ୍ଧମାନଙ୍କର ନରବଳି ପ୍ରଥା ବିଷୟ ପ୍ରତି ତୁମେମାନେ ଏପରି ଉଦାସ ଦେଖାଯାଉଛ । ଏହାତ ସେମାନଙ୍କର ସାମାଜିକ ପ୍ରଥା । ତୁମେମାନେ କ’ଣ ଏଥିପାଇଁ ସେମାନଙ୍କୁ ବାରଣ କରିପାରିବ ? ଅବଶ୍ୟ ଅଧିକାଂଶ କନ୍ଧ ଆଜିକାଲି ସରକାର କଠୋର ଶାସନର ବଶବର୍ତ୍ତୀ ହୋଇ ସେଥିରୁ ନିବୃତ୍ତ ରହିଲେଣି । ଶରତ ବାବୁ ଲିପୁ ଓଲଟାଇ ଥ‌ିବା ପୃଷ୍ଠାଟିକୁ ପଢ଼ି କହିଲେ ।

 

ଶରତ ବାବୁଙ୍କ ଠାରୁ ଏପରି କଥା ଶୁଣି ମାମୁନି କହିଲା, ପିଉସା ! ଯେଉଁ ଲୋକମାନଙ୍କ ନରବଳି ପରି ଏକ ଜଘନ୍ୟ ଅପରାଧ ସହ ଜଡ଼ିତ, ସେମାନଙ୍କର ଜୀବନଯାପନ ପ୍ରଣାଳୀ ନିଶ୍ଚିତ ଭାବେ କୌତୂହଳ ପୂର୍ଣ୍ଣ ହୋଇଥିବ । ତୁମେ ଆମମାନଙ୍କୁ ସେମାନଙ୍କ ବିଷୟରେ କିଛି ଶୁଣାଅନା ।

 

ଶରତ ବାବୁ ପିଲାମାନଙ୍କର ଆଗ୍ରହକୁ ଭାଙ୍ଗି ଦେବା ପାଇଁ ଇଚ୍ଛା କଲେ ନାହିଁ । ସେ କହିଲେ, ପିଲାଏ ! ଠିକ୍‌ ଅଛି । ମୁଁ ତୁମମାନଙ୍କୁ ଆଜି କନ୍ଧମାନଙ୍କର ଜୀବନଯାପନ ତଥା ସାମାଜିକ ପ୍ରଥା ବିଷୟରେ ଶୁଣାଇବି । ତୁମେମାନେ ମନଦେଇ ଶୁଣ ।

 

ପିଲାମାନେ ଧୀରସ୍ଥିର ଭାବରେ ବସି ପଡ଼ିବା ଦେଖି ଶରତ ବାବୁ ଆରମ୍ଭ କଲେ, ଆମ ଦେଶରେ ଦେଖାଯାଉଥ‌ିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି କନ୍ଧ ସମ୍ପ୍ରଦାୟ ହେଉଛନ୍ତି ସ୍ୱତନ୍ତ୍ର । ଏମାନେ ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ମଧ୍ୟ ପ୍ରଦେଶରେ ବହୁଳ ଭାବରେ ବସବାସ କରନ୍ତି । ଆମ ରାଜ୍ୟରେ ବିଶେଷକରି କୋରାପୁଟ, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ଫୁଲବାଣୀ, ଗଜପତି ଆଦି ଜିଲ୍ଲାମାନଙ୍କରେ ଏମାନେ ବାସ କରନ୍ତି ।

 

ଏହା ଶୁଣି ଲିପୁ ହଠାତ୍‌ ପଚାରି ଉଠିଲା, ବାପା ତୁମେ ଯେଉଁ ଜିଲ୍ଲାଗୁଡ଼ିକ କଥା କହିଲ ସେଗୁଡ଼ିକ ପାହାଡ଼ ପର୍ବତରେ ପରିପୂର୍ଣ୍ଣ ଅଞ୍ଚଳ । ତେବେ କନ୍ଧମାନେ କ’ଣ ପାହାଡ଼ ପର୍ବତର ପାଦଦେଶରେ ବାସ କରନ୍ତି ।

 

ଶରତ ବାବୁ ବୁଝାଇ ଦେଲେ, ପ୍ରକୃତିର କୋଳରେ ବସବାସ କରିବା ହେଉଛି କନ୍ଧମାନଙ୍କର ରୁଚି । ସେମାନେ ଉକ୍ତ ପାହାଡ଼ ପର୍ବତଗୁଡ଼ିକର ଗଡ଼ାଣିଆ ସ୍ଥାନ ଦେଖି ସେସବୁ ସ୍ଥାନରେ କୁଟୀର ନିର୍ମାଣ କରି ରହନ୍ତି । ସମସ୍ତ କନ୍ଧଙ୍କର ଜୀବନଯାପନ ପ୍ରଣାଳୀ ଏକାଭଳି ହୋଇନଥାଏ, ଶ୍ରେଣୀ ଦୃଷ୍ଟିରୁ ସେମାନଙ୍କୁ ଚାରୋଟି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲେ–ଡାଙ୍ଗରିଆ କନ୍ଧ, ଜାତପୁଷ କନ୍ଧ, କୁଟିଆ କନ୍ଧ ଏବଂ ଦେଶୀୟା କନ୍ଧ ।

 

ଆଦିବାସୀ ଭାଷାରେ ‘ଡାଙ୍ଗରିଆର’ର ଅର୍ଥ ବଣୁଆ ବା ପାହାଡ଼ିଆ । ଏହି ବଣ ଜଙ୍ଗଲ ତଥା ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତିବୋଲି ଏମାନଙ୍କୁ ଡାଙ୍ଗରିଆ କନ୍ଧ କୁହାଯାଏ । ଅପର ପକ୍ଷରେ ଦେଶୀୟା କନ୍ଧ ଏବଂ କୁଟିଆ କନ୍ଧମାନେ ଯଥାକ୍ରମେ ସମତଳ ଅଞ୍ଚଳ ଏବଂ ଫୁଲବାଣୀ, ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି ।

 

ଶରତ ବାବୁ ଦେଖିଲେ ମାମୁନି କିଛି ପଚାରିବାକୁ ଉଦ୍ୟତ ହେଉଛି । ତେଣୁ ସେ ତାଙ୍କର କଥାକୁ କେଇ ମୁହୂର୍ତ୍ତ ପାଇଁ ବନ୍ଦ କରିଦେଲେ । ମାମୁନି ସଙ୍ଗେ ସଙ୍ଗେ ପଚାରିଲା ପିଉସା ! କନ୍ଧମାନଙ୍କର କ’ଣ ସ୍ୱତନ୍ତ୍ର ଭାଷା ଅଛି ? ନା ସେମାନେ ଅନ୍ୟାନ୍ୟ ଆଦିବାସୀଙ୍କ ଭାଷାକୁ ଅନୁସରଣ କରିଥାନ୍ତି ?

 

ହଁ ମାମୁନି ! ତୁ ଭଲ ପ୍ରଶ୍ନଟିଏ ପଚାରିଛୁ ଶରତ ବାବୁ କହିଲେ, କନ୍ଧମାନଙ୍କର ସ୍ୱତନ୍ତ୍ର ଭାଷା ରହିଛି ତାହାକୁ କୁଇ ଭାଷା କୁହାଯାଏ । ତେବେ ସମୟ ସମୟରେ ସ୍ଥାନ ବିଶେଷରେ ସେମାନଙ୍କ ଭାଷା ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ କୋରପୁଟର କନ୍ଧମାନେ କୁଭି ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଉକ୍ତ ଜିଲ୍ଲାର ଗୁଢ଼ାରି ଅଞ୍ଚଳର କନ୍ଧମାନଙ୍କର ଭାଷା ଶବର ଏବଂ କୁଇ ଉଭୟ ଭାଷାର ସମ୍ମିଶ୍ରଣ । ତଥାପି ଆଜିକାଲି ଅନେକ କନ୍ଧ ଓଡ଼ିଆ ଭାଷା ବୁଝିଲେଣି ଏବଂ କହିଲେଣି ।

 

ଏଥର ସେମାନଙ୍କର ଗାଁଗଣ୍ଡା ତଥା ଘରଦ୍ଵାର ସମ୍ପର୍କରେ ଶୁଣ । ଆମମାନଙ୍କ ଗାଁରେ ଯେପରି ଏକାଠି ଲଗାଲଗି ହୋଇ ଘରଗୁଡ଼ିକ ଥାଏ, ଠିକ୍‌ ସେହିପରି କନ୍ଧମାନଙ୍କ କ୍ଷେତ୍ରରେ ଦେଖାଯାଏ । ତେବେ ଖାଦ୍ୟ ଓ ଜଳର ନିହାତି ଅଭାବ ସମୟରେ ସେମାନେ ଅନ୍ୟତ୍ର ଯାଇ ବସବାସ କରିବାକୁ ବାଧ୍ୟ ହୋଇଥାନ୍ତି ।

 

ସାଧାରଣତଃ କନ୍ଧମାନଙ୍କର ଘରଗୁଡ଼ିକ ଆମମାନଙ୍କ ଘରପରି ଇଟା ବା ପଥରରେ ତିଆରି ହୋଇନଥାଏ । ସେମାନେ ଘରର କାନ୍ଥଗୁଡ଼ିକୁ କାଠଦ୍ୱାରା ତିଆରି କରିଥାନ୍ତି, ସେମାନେ ଫସଲ ଅମଳ ସମୟରେ ବିଲରୁ ନଡ଼ା ଆଣନ୍ତି ନାହିଁ । କେବଳ ଧାନ ଗଛର ଅଗରୁ ଧାନଗୁଡ଼ିକ ଛିଣ୍ଡାଇ ଆଣନ୍ତି । ଫଳରେ ସେମାନଙ୍କର ନଡ଼ାର ଅଭାବ ପଡ଼ୁଥିବାରୁ ସେମାନେ ଘରର ଛାତକୁ କେବଳ ଘାସଦ୍ଵାରା ଛାଉଣୀ କରନ୍ତି ।

 

ବାପା ! କନ୍ଧମାନଙ୍କର ମୁଖ୍ୟ ଜୀବିକା କ’ଣ ଚାଷ ? ଜାଣିବାକୁ ଇଚ୍ଛା ପ୍ରକାଶ କଲା ଲିପୁ ।

 

ହଁ ଚାଷ ତ ସେମାନଙ୍କର ଜୀବିକା । ଶରତ ବାବୁ ବୁଝାଇ ଦେଲେ, କନ୍ଧମାନେ ଅରଣ୍ୟମାନଙ୍କରୁ ଅନେକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଗୁଡ଼ିକୁ ଆଖପାଖ ଗାଁମାନଙ୍କର ବଜାରରେ ବିକ୍ରି କରିଥାନ୍ତି । ଏତଦ୍‌ବ୍ୟତୀତ ଶିକାର ମଧ୍ୟ ସେମାନଙ୍କର ଅନ୍ୟତମ ଜୀବିକା । ଏମାନଙ୍କ ଚାଷ ମଧ୍ୟରେ ଅଦା ଏବଂ ହଳଦି ଚାଷ ପ୍ରଧାନ । ସେମାନେ ଅନ୍ୟାନ୍ୟ ଯେତେଗୁଡ଼ିଏ ଫସଲ ଉତ୍ପାଦନ କରିଥାନ୍ତି ସେସବୁ ପୋଡ଼ୁଚାଷ ମାଧ୍ୟମରେ । ଆଜିକାଲି କେତେକ କନ୍ଧ ସେମାନଙ୍କ ବିଲରେ ହଳଦି, ଧାନ, କାନ୍ଦୁଲ, ମୁଗ, ବିରି ଆଦି ଫସଲ ବ୍ୟତୀତ ବୈଜ୍ଞାନିକଙ୍କ ପଦ୍ଧତିରେ କେତେଗୁଡ଼ିଏ ପନିପରିବା ଚାଷ ମଧ୍ୟ କଲେଣି । ତେଣ୍ଟା ଆଜିକାଲିର ଶିକ୍ଷିତ ସମାଜର ସଂସ୍ପର୍ଶରେ ଆସି ସେମାନଙ୍କ ସମାଜରୁ କ୍ରମେ ପୋଡ଼ୁଚାଷ ପ୍ରଣାଳୀ ଲୋପ ପାଇବାରେ ଲାଗିଗଲାଣି । ତୁମେମାନେ ଶୁଣି ଆଶ୍ଚର୍ଯ୍ୟ ହେବ ସେମାନଙ୍କ ମଧ୍ୟରୁ କେତେକ ଆଜିକାଲି ଉଚ୍ଚ ଶିକ୍ଷାଲାଭ କରି ଚାକିରି କଲେଣି ।

 

ଶରତ ବାବୁଙ୍କ ଠାରୁ ଏହା ଶୁଣି ମାମୁନି ପଚାରିଲା, ପିଉସା କନ୍ଧମାନେ ଯଦି ଶିକ୍ଷିତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଲେଣି । ସେମାନଙ୍କର ଖାଦ୍ୟପେୟ ନିଶ୍ଚିତ ଭାବରେ ଆଧୁନିକ ଧରଣର ହୋଇଥିବ ।

 

ନାଁରେ ମାମୁନି ଶରତ ବାବୁ ବୁଝାଇ ଦେଲେ, ସମସ୍ତ କନ୍ଧ ତ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରୁ ଯେଉଁ କେତେକ କନ୍ଧ ଚାକିରିବାକିରି କଲେଣି ସେମାନଙ୍କର ଖାଦ୍ୟପେୟ ଅବଶ୍ୟ ଆମମାନଙ୍କ ପରି ହେଲେ ଅଧିକାଂଶ କନ୍ଧ ସେଥିରୁ ବଞ୍ଚିତ । ପାହାଡ଼ ପର୍ବତ ଅଞ୍ଚଳରେ ରହୁଥ‌ିବା କନ୍ଧମାନେ ସେମାନଙ୍କ ଜମିରେ ଧାନ, କାନ୍ଦୁଲ, ମୁଗ, ବିରି ଆଦି ଉତ୍ପନ୍ନ କରୁଥିଲେ ମଧ୍ୟ ସେମାନେ ଗାଁ ସରକାରଙ୍କ କବଳରେ ପଡ଼ି ସେ ସବୁକୁ ହରାଇଥାନ୍ତି । ତେବେ ସେମାନେ ସାଧାରଣତଃ ମାଣ୍ଡିଆକୁ ଜାଉକରି ଖାଇବାକୁ ଭଲ ପାଆନ୍ତି । ଯେତେବେଳେ ଧାନ ପାଆନ୍ତି, ତାକୁ ସେମାନେ ଚାଉଳ କରି ଭାତ ରାନ୍ଧନ୍ତି । ସେମାନେ ଯେଉଁଥିରେ ଭାତ ରାନ୍ଧନ୍ତି ତାକୁ ସେମାନେ ଠେକି ବୋଲି କହିଥାନ୍ତି । ତୁମେମାନେ ଆଉ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବ; ସେମାନେ ଯଦିଓ ଗୋପାଳନ କରନ୍ତି, ତାହା କ୍ଷୀର ପାଇବା ପାଇଁ ନୁହେଁ । କେବଳ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେମାନେ ଏହା କରିଥାନ୍ତି । ଅପର ପକ୍ଷରେ କହିବାକୁ ଗଲେ କନ୍ଧମାନେ ଗାଈକୁ ଚାଷ କାମରେ ଲଗାଇଥାନ୍ତି ।

Image

ଶରତ ବାବୁଙ୍କର ଏପରି କଥାରେ ପିଲାମାନେ ନ ହସି ରହିପାରିଲେ ନାହିଁ । ସେମାନଙ୍କୁ ଏକଥା ବେଶ୍‌ କୌତୂହଳପ୍ରଦ ମନେହେଲା । ଏହା ଜାଣି ଶରତ ବାବୁ କହିଲେ ତୁମେତ ଜାଣ ପ୍ରଥମରେ ସେମାନେ ଏକ ଅନଗ୍ରହର ଶ୍ରେଣୀ, ଅଧିକାଂଶ କନ୍ଧ ଉତ୍ତମ ଶିକ୍ଷାଦୀକ୍ଷାଠାରୁ ଅନେକ ଦୂରରେ ରହିଛନ୍ତି । ତେଣୁ ସେମାନଙ୍କର ଆମମାନଙ୍କ ପରି ବୁଦ୍ଧି ଆସିବ କେଉଁଠାରୁ ।

 

ସେତେବେଳେ ପର୍ଯ୍ୟନ୍ତ କନ୍ଧମାନଙ୍କ କଥା ମନେପକାଇ ମାମୁନି ଟିକିଏ ହସୁଥିଲା । ସେ କହିଲା ପିଉସା ଗୋଟିଏ ଅନଗ୍ରସର ଶ୍ରେଣୀ ହିସାବରେ କନ୍ଧମାନଙ୍କର ବେଶପୋଷାକ ତ ସେତେ ଉନ୍ନତ ଧରଣର ନଥ‌ିବ । ସର୍ବୋପରି ସେମାନେ ଦେଖିବାକୁ କିପରି ?

Image

ତୋର ସେମାନଙ୍କର ବେଶପୋଷାକ ବିଷୟରେ ଯାହା ଧାରଣା ତାହା ଅବଶ୍ୟ ଠିକ୍‌ । କନ୍ଧ ପୁରୁଷମାନେ ସେମାନଙ୍କ ଶରୀରରେ ଖୁବ୍‌ ଅଳ୍ପ ଲୁଗା ବ୍ୟବହାର କରନ୍ତି, କନ୍ଧ ସ୍ତ୍ରୀମାନେ ମାତ୍ର ଦୁଇ ଖଣ୍ଡି ଛୋଟ ଲୁଗା ବ୍ୟବହାର କରନ୍ତି । ସେ ଲୁଗା ଦୁଇଟି ସାଧାରଣତଃ ଚିତ୍ରିତ ହୋଇଥାଏ । କନ୍ଧ ଶିଶୁମାନଙ୍କୁ ପ୍ରାୟ ଛଅ ସାତ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ଉଲଗ୍ନ ହୋଇ ରହନ୍ତି । ତା’ପରେ ସେମାନେ ପୁରୁଷମାନଙ୍କର ବେଶପୋଷାକକୁ ଅନୁକରଣ କରନ୍ତି ।

 

କନ୍ଧ ସ୍ତ୍ରୀମାନେ ଦେହ ଏବଂ ମୁହଁରେ ବହୁଳ ଭାବରେ ଚିତା କୁଟାଇବାକୁ ଭଲ ପାଆନ୍ତି-। ଏହା ସେମାନଙ୍କର ଏକ ବିଶେଷତ । ବିବାହିତ କନ୍ଧ ସ୍ତ୍ରୀ କାନରେ ଅଳଙ୍କାର ପିନ୍ଧିଥାଏ । ଏପରିକି ସମୟ ସମୟରେ ସେମାନେ ଦଶ ପନ୍ଦରଟି ଆଲୁମିନିୟମରେ ତିଆରି ମୁଦି ଗୋଟିଏ କାନରେ ପିନ୍ଧିଥିବାର ଲକ୍ଷ୍ୟ କରାଯାଏ । ହେଲେ ଉକ୍ତ ସମ୍ପ୍ରଦାୟର ଅବିବାହିତ ଝିଅ କାନରେ ଅଳଙ୍କାର ଲଗାଏ ନାହିଁ । ସେମାନଙ୍କର ଅଳଙ୍କାରଗୁଡ଼ିକ ମଧ୍ୟରେ ହାତର ବାଳଙ୍ଗ, କାନର ମୁଦୁରଙ୍ଗ, ବେକର ଖଗଳ, ଏବଂ ଶିର ଦେଶର ଗୁନଣତପୋନି ଆଦି ପ୍ରଧାନ । ସାଧାରଣତଃ ଏଗୁଡ଼ିକ ଆଲୁମିନିୟମ, ପଦଳ, ନିକେଲ ବା ରୂପାରେ ତିଆରି ହୋଇଥାଏ । ସମୟ ସମୟରେ ସେମାନେ ଗଳାରେ ଗୋଛାଏ ଲେଖାଏଁ କାଠର ମାଳି ଲମ୍ୱିଥିବାର ଦେଖାଯାଏ-। କନ୍ଧ ପୁରୁଷମାନେ ମଧ୍ୟ ଏହି କାଠ ମାଳି ପିନ୍ଧାରୁ ବାଦ୍‌ ଯାଆନ୍ତି ନାହିଁ । ହେଲେ ସେ ସବୁର ପରିମାଣ କନ୍ଧ ସ୍ତ୍ରୀମାନଙ୍କ ଅପେକ୍ଷା କମ୍‌ । ସେମାନେ ମଧ୍ୟ ମୁଣ୍ଡରେ ବାଳ ରଖି ସେଥିରେ ଖୋସା ପକାନ୍ତି-। ତେବେ ସେମାନେ ଅନେକ ସମୟରେ ନ ଗାଧୋଇବା ଯୋଗୁ ସେମାନଙ୍କ ଶରୀର ଅପରିଷ୍କାର ରହେ, ହେଲେ କନ୍ଧୁଣୀ ସ୍ତ୍ରୀମାନେ ବେଶ୍‌ ପରିଷ୍କାର ପରିଚ୍ଛନ୍ନ କେବଳ ସେମାନଙ୍କ ପାଇଁ କନ୍ଧ ଗାଁଟି ବେଶ୍‌ ସୁନ୍ଦର ପରିଲକ୍ଷିତ ହୁଏ ।

 

ବାପା ! ଏଥର କନ୍ଧ ଶିଶୁମାନଙ୍କ ସମ୍ପର୍କରେ କିଛି କୁହ । ଆଉ ମଧ୍ୟ ସେମାନଙ୍କ ସମାଜରେ ପ୍ରଚଳିତ ପ୍ରଥାମାନ ସମ୍ପର୍କରେ କିଛି ଲୁହ । ଏହା ଥିଲା ଲିପୁର ଶରତ ବାବୁଙ୍କ ପ୍ରତି ଅନୁରୋଧ ।

 

ହଁ ମୁଁ କ’ଣ ଏକାଥରକେ ଦୁଇଟି ପ୍ରଶ୍ନର ଉତ୍ତର ଦେଇ ପାରିବି । ତୁ ଏତେ ବ୍ୟସ୍ତ ହୋଇ ପଡ଼ିଲେ ଚଳିବ ? ତେବେ ଶୁଣ ମୁଁ ଗୋଟିକ ପରେ ଗୋଟିଏ କହୁଛି । ଶରତ ବାବୁ ଲିପୁର ପିଠି ଥାପୁଡ଼ାଇ କହିଲେ ।

 

ସାଧାରଣତଃ କନ୍ଧ ସମାଜର ଶିଶୁଠାରୁ ଆରମ୍ଭକରି ବଡ଼ଲୋକ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ କଳା । କନ୍ଧ ଶିଶୁମାନେ ସେମାନଙ୍କ ପିତାଙ୍କର ଗୋତ୍ର ଅନୁସାରେ ପରିଗଣିତ ହୋଇଥାନ୍ତି । ସେମାନେ ଯେଉଁ ଘରରେ ଜନ୍ମରୁ ହୁଅନ୍ତି ସେହି ଅନୁସାରେ ପିତାମାତା ସେମାନଙ୍କର ନାମକରଣ କରିଥାନ୍ତି । ତୁମେତ ଜାଣିଛ ସେମାନେ କିଛି ବର୍ଷ ପୂର୍ବେ ପାଠ ପଢ଼ିବା ପାଇଁ ପ୍ରାୟ ସ୍କୁଲକୁ ଯାଉ ନ ଥିଲେ । ତେବେ ଆଜିକାଲି ସେମାନଙ୍କ ମଧ୍ୟରୁ କେତେକ ପାଠ ପଢ଼ିଲେଣି ।

 

କନ୍ଧମାନେ ସେମାନଙ୍କ ଶିଶୁ ଜନ୍ମର ତିନି ଦିନ ପରେ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କୁକୁଡ଼ାଟିଏ ବଳି ପକାଇଥାନ୍ତି । ଏହାପରେ ସେମାନଙ୍କ ପୁରୋହିତ ତାଙ୍କ ପରିବାରକୁ ଆସି ଯେଉଁ ପିତୃପୁରୁଷ ଜନ୍ମ ନେଇଛନ୍ତି ତା’ର ନାମ କହିଦେଇ ଯାଏ । ଏଥ‌ିପାଇଁ ସେ ତା’ର ଦୁଇ ହାତରେ ଗୋଟିଏ ଧନୁ ଧରି ଅନେକ ପିତୃପୁରୁଷଙ୍କ ନାମ ଉଚ୍ଚାରଣ କରିଥାଏ ସେହି ପିତୃପୁରୁଷ ଜନ୍ମ ହେବାର ସେ କହିଥାଏ ।

 

କନ୍ଧମାନେ ପୃଥିବୀ ଦେବତାଙ୍କୁ ପ୍ରଧାନ ଦେବତାରୂପେ ସ୍ୱୀକାର କରିଥାନ୍ତି । ସେମାନେ ତାକୁ ଧରଣୀପେନୁ ବୋଲି କହିଥାନ୍ତି ଏବଂ ଏହାଦ୍ଵାରା ସେ ସନ୍ତୁଷ୍ଟ ହୋଇ ଜମିରେ ଅଧିକ ଫସଲ ଉପୁଜାନ୍ତି ବୋଲି କନ୍ଧମାନଙ୍କର ଦୃଢ଼ବିଶ୍ଵାସ । ଏଥିପାଇଁ ସେମାନଙ୍କ ସମାଜରେ ନରବଳି ପ୍ରଥା ରହି ଆସିଛି । ଅବଶ୍ୟ ଆଜିକାଲି ସେମାନେ ସରକାରଙ୍କର କଠୋର ନୀତିଦ୍ଵାରା ବଶୀଭୂତ ହୋଇ କିଛି ପରିମାଣରେ ଏଥିରୁ ନିବୃତ ରହିଲେଣି । ସେପରି ସ୍ଥଳରେ ସେମାନେ ନର ପରିବର୍ତ୍ତେ ମଇଁଷି ବଳି ପକାଉଛନ୍ତି ।

 

ଏହି ସମୟରେ ଲିପୁ ଅତ୍ୟନ୍ତ ବ୍ୟଗ୍ରତାର ସହ ପଚାରିଲା ବାପା ! କନ୍ଧମାନଙ୍କର ଏହି ନରବଳି ପ୍ରଥାଟି କିପରି ପାଳିତ ହୁଏ ତାହା ବୁଝାଇ ଦିଅନା ।

 

ଶରତ ବାବୁ କହିଲେ, କନ୍ଧମାନଙ୍କର ଏ ପ୍ରଥାଟି ଅବଶ୍ୟ ଆଜିକାଲି ସମାଜରେ ଗ୍ରହଣଯୋଗ୍ୟ ନୁହେଁ । ସେମାନେ ବଳି ପକାଇବାର ଅନେକ ଦିନ ପୂର୍ବରୁ ବାହାରୁ କୌଣସି ପିଲାକୁ ଲୁକ୍‌କାୟିତ ଭାବେ ଧରିଆଣି ତାକୁ ନିଜର ଶିଶୁପରି ପାଳନ କରନ୍ତି । ହେଲେ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ପିଲାଟି ଜାଣିପାରେ ନାହିଁ । ଯେତେବେଳେ ପିଲାଟିକୁ ବାର ତେର ବର୍ଷ ହୋଇଥାଏ କନ୍ଧମାନେ ବଳିର ଦିନ ଧାର୍ଯ୍ୟ କରନ୍ତି । ଏଥିପାଇଁ ସେମାନେ କୌଣସି ଗୋଟିଏ ବଡ଼ ବଗିଚାରୂପେ ସ୍ଥାନ ନିରୂପଣ କରିଥାନ୍ତି ଯେଉଁଠାକୁ ସାଧାରଣ ଦିବସମାନଙ୍କରେ ଜନସାଧାରଣ ପ୍ରବେଶ ନିଷେଧ ହୋଇଥାଏ । ସେଠାରେ ତିନି ଦିନ ଧରି ଉତ୍ସବ ପାଳନ ହେବାର ବ୍ୟବସ୍ଥା କରାଯାଏ । ଉତ୍ସବର ପ୍ରଥମ ଦିବସରେ କନ୍ଦମାନେ ବଳି ନିମନ୍ତେ ଉଦ୍ଦିଷ୍ଟ ବାଳକକୁ ବାନ୍ଧି ପକାନ୍ତି । ତା’ପରେ ସେମାନଙ୍କର ନୃତ୍ୟଗୀତ ଆରମ୍ଭ ହେଇଯାଏ । ଦ୍ଵିତୀୟ ଦିବସରେ ସେମାନେ ଉପବାସ କରି ପିଲାଟିକୁ ହଳଦି ଲେପନ ପୂର୍ବକ ଗାଧୋଇ ଦିଅନ୍ତି । ତା’ପରେ ସେହି ବାଳକଟି ବଳି ସ୍ଥାନକୁ ଯାଏ ସେଠାରେ କନ୍ଧମାନେ ତାକୁ ଗୋଟିଏ ଗଛରେ ବାନ୍ଧି ପକାନ୍ତି । ଏହାପରେ ଆସେ ତୃତୀୟ ଦିବସ । ସେଦିନ କନ୍ଧମାନେ ଝରଣାର ସୁଶୀତଳ ଜଳଦ୍ୱାରା ବାଳକଟିକୁ ଗାଧୋଇ ଦେଇ ନୂଆ ଲୁଗା ପିନ୍ଧାଇ ଦିଅନ୍ତି । ତା’ପରେ ଆରମ୍ଭ ହୁଏ କନ୍ଧ ପୁରୋହିତ ବା ‘ଯାବୀ’ ପୂଜା କାର୍ଯ୍ୟ ।

 

ପୂଜା କାର୍ଯ୍ୟ ଚାଲିଥିବା ଅବସରରେ ଗୋଟିଏ କନ୍ଧ ବ୍ୟକ୍ତି ବାଳକଟିର ହାତ ଗୋଡ଼ ଭାଙ୍ଗି ତାକୁ ଅଚଳ କରିଦିଏ । ଏହାପରେ ଯଦି ତା’ର ତରବାରି ସାହାଯ୍ୟରେ ଯନ୍ତ୍ରଣାରେ ଚିତ୍କାର କରୁଥିବା ବାଳକଟିକୁ ମୃଦୁ ଆଘାତ କରେ ସେତେବେଳକୁ ପାଖରେ ଅନେକ କନ୍ଧ ହାତରେ ଗୋଟିଏ ଲେଖାଏ ତରବାରି ଧରି ଅପେକ୍ଷାରେ ଥାଆନ୍ତି । ଯଦି ଅନୁକୂଳ କରିବା ମାତ୍ରକେ ସେମାନେ ନିଜ ନିଜର ତରବାରି ସାହାଯ୍ୟରେ ବାଳକଟିର ଶରୀରରୁ ପୁଳାଏ ଲେଖା ମାଂସ କାଟି ନିଜ ନିଜର ଜମି ନିକଟକୁ ଦୌଡ଼ନ୍ତି । ସେଠାରେ ସେମାନେ ଉକ୍ତ ମାଂସକୁ ପୋତି ନିଜ ନିଜ ଘରକୁ ଫେରି ଆସନ୍ତି । ତିନିଦିନ ପରେ ସେମାନେ ପୁନର୍ବାର ବଳି ସ୍ଥାନକୁ ଯାଇ ସେଠାରେ ମଇଁଷି, ମେଣ୍ଢା ଆଦି ବଳି ପକାନ୍ତି । ଏହା ହେଉଛି ସେମାନଙ୍କର ନୃଶଂସ ପ୍ରଥା ।

 

ଶରତ ବାବୁଙ୍କ ଠାରୁ ଏକଥା ଶୁଣିବା ମାତ୍ରେ ପିଲାମାନଙ୍କର ମନ କନ୍ଧମାନଙ୍କ ପ୍ରତି ଘୃଣାରେ ଭରିଗଲା । ସେହି ସମୟରେ ଲିପୁ କହିଲା, ବାପା ! ଏହି ପାଜି ସମ୍ପ୍ରଦାୟର ଲୋକମାନେ କ’ଣ ଅନ୍ୟ କୌଣସି ଦେବାଦେବୀଙ୍କୁ ପୂଜା କରନ୍ତି ନାହିଁ ?

 

ହଁ କରନ୍ତି, ଶରତବାବୁ ବୁଝାଇ ଦେଲେ, କନ୍ଧମାନେ ବିଭିନ୍ନ ସମୟରେ ଚଉ‍ରାଅଶି ଦେବାଦେବୀଙ୍କୁ ପୂଜା କରିଥାନ୍ତି । ସେମାନଙ୍କ ଅନ୍ୟାନ୍ୟ ଦେବତାଙ୍କ ମଧ୍ୟରେ ରହିଛନ୍ତି ଧର୍ମପେନୁ ବା ସୂର୍ଯ୍ୟ ଦେବତା, ପରିବାରର କୌଣସି ଲୋକ ରୋଗାକ୍ରାନ୍ତ ହେଲେ ବା ପ୍ରଥମ ସନ୍ତାନ ଜନ୍ମହେବା ବେଳେ କନ୍ଧମାନେ ତାକୁ ପୂଜା କରିଥାନ୍ତି ।

 

ତାରୁପେନୁ ହେଲେ କନ୍ଧମାନଙ୍କର ଭୂମି ଦେବତା ସେ ଭୂମିଦେବୀ ତାରିପେନୁଙ୍କ ପାଖରେ ଥାଆନ୍ତି । ଏହି ତାରିପେନୁଙ୍କର ଛଅଟି ଭଉଣୀ ରହିଛନ୍ତି । ସେମାନେ ହେଲେ ସମ୍ୱୁଲିପେନୁ, ବାଡ଼ିପେନୁ, ଜେମ୍ବଲିପେନୁ, ବୁରାପେନୁ, କୋଇଲିପେନୁ ଓ ବୋକାଲିପେନୁ । ଏମାନେ ସମସ୍ତେ ବଡ଼ ଭଉଣୀ ତାରିପେନୁଙ୍କ ପାଖରେ ରହି ପୂଜା ପାଆନ୍ତି । ତାରୁପେନୁଙ୍କୁ ସନ୍ତୁଷ୍ଟ ନକଲେ ସେ ଅନେକ ରୋଗବୈରାଗ୍ୟ ପଠାଇବା, ଫସଲ ନଷ୍ଟ କରିବା ଆଦି କାମ ମାନ କରି ସେମାନଙ୍କୁ ଅନେକ ଅସୁବିଧାରେ ପକାନ୍ତି କନ୍ଧମାନଙ୍କର ବିଶ୍ଵାସ । ଏଥିପାଇଁ ସେମାନେ କେଡ଼ୁପର୍ବ ମାଧ୍ୟମରେ ଭୂମି ଦେବତାଙ୍କୁ ପୂଜା କରିଥାନ୍ତି । ଏହି କନ୍ଧମାନେ ତାରୁପେନୁଙ୍କ ଉଦ୍ଦେଶ୍ୟରେ ମଇଁଷି, ଛେଳି ଆଦି ବଳି ପକାନ୍ତି । ସାଧାରଣତଃ ସେମାନଙ୍କର ଏହି ପର୍ବ ମାର୍ଚ୍ଚ ଏପ୍ରିଲ ମାସରେ ଦୀର୍ଘ ସାତ ଦିନ ଧରି ଚାଲିଥାଏ । ପୂର୍ବେ ଏହି ପର୍ବରେ କନ୍ଧମାନେ ନରବଳି ଦେଉଥିଲେ । ଆଜିକାଲି ସେମାନେ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ମଣିଷ ବଦଳରେ ମଇଁଷି ବଳି ଦେଉଛନ୍ତି ।

 

ଜାକାରୁପେନୁ ହେଉଛନ୍ତି କନ୍ଧମାନଙ୍କର ଆଉ ଏକ ଦେବୀ । ସେମାନେ ତାଙ୍କୁ ଗ୍ରାମଦେବତୀ ରୂପେ ପୂଜା କରନ୍ତି ।

କନ୍ଧମାନଙ୍କର ଅନ୍ୟାନ୍ୟ ପର୍ବପର୍ବାଣିଗୁଡ଼ିକ ହେଲା ରଥଯାତ୍ରା, ଚୈତ୍ରଉତ୍ସବ, ହୋଲି, ଦଶହରା ଇତ୍ୟାଦି । ଏସବୁ ପର୍ବରେ ସେମାନେ ଅନେକ ନୃତ୍ୟଗୀତ ଦ୍ୱାରା ସମୟ ଅତିବାହିତ କରନ୍ତି । ସର୍ବୋପରି ସେମାନେ ହେଲେ ସଙ୍ଗିତ ପ୍ରିୟ । ସେମାନେ ଏକପ୍ରକାର କର୍କଶ ବାଦ୍ୟଦ୍ୱାରା ବାଦ୍ୟ ବଜାନ୍ତି । ଶରତ ବାବୁଙ୍କ ଠାରୁ କନ୍ଧମାନଙ୍କ ବିଷୟରେ ସମସ୍ତ କଥା ଶୁଣିସାରି ବେଶ୍‌ ଆନନ୍ଦ ଅନୁଭବ କଲେ । ହେଲେ କନ୍ଧମାନଙ୍କର ନରବଳି ପ୍ରଥାକୁ ସେମାନେ ଆଦୌ ପସନ୍ଦ କଲେ ନାହିଁ । ଏହି ସମୟରେ ଶରତ ବାବୁ କହିଲେ, ପିଲାଏ ଆଜିତ ଅନେକ ବେଳ ହୋଇଗଲାଣି । ଏଥର ଯାଅ ତୁମେମାନେ ଖିଆପିଆ କରିବ, ଆଉ କେତେବେଳେ ମୋତେ ସମୟ ମିଳିଲେ ମୁଁ ତୁମମାନଙ୍କୁ ଅନ୍ୟ ଏକ ଅଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ କଥା କହିବି ।

☆☆☆

 

ବଣ୍ଡା ଶିଶୁ

 

ବଣ୍ଡା ଅଧିବାସୀ ଓଡ଼ିଶାର ପ୍ରାଚୀନତମ ଅଧିବାସୀ ସମ୍ପ୍ରଦାୟ । ମାଛକୁଣ୍ଡ ନଦୀର ଉପର ପଶ୍ଚିମ ଦିଗକୁ, ଲମ୍ବି ରହିଥ‌ିବା ଥାକ ଥାକ ସାନବଡ଼ ପର୍ବତଶ୍ରେଣୀ–ବଣ୍ଡା ପର୍ବତ ଶ୍ରେଣୀ ହେଉଛି ଏମାନଙ୍କର ବାସସ୍ଥାନ । ସେମାନଙ୍କର ଚଳଣି, ଆଚାର ବ୍ୟବହାର ଆଦିକୁ ଲକ୍ଷ୍ୟକରି ଆଧୁନିକ ସମାଜ ସେମାନଙ୍କୁ ମନୁଷ୍ୟ ନାମଧାରୀ ପଶୁରୂପେ ଆଖ୍ୟାୟତ କରିଛି । ସେମାନେ ଏବେ ମଧ୍ୟ ପଶୁ ଭଳି ହିଂସ୍ର, ଉଗ୍ର ତଥା ରକ୍ତପିପାସୁ ମନେ ହୁଅନ୍ତି । ବିଶେଷତଃ ଉଦରର କ୍ଷୁଧାକୁ ଶାନ୍ତ କରିବା ବ୍ୟତୀତ ଏମାନଙ୍କର ଅଧିକ କାମନା ଏବଂ ବାସନା ନଥାଏ । ସେମାନେ ନିଜକୁ ‘ରେମୋ’ ବୋଲି କହିଥାନ୍ତି । ଏହି ରେମୋର ଅର୍ଥ ମଣିଷ ।

 

ବାରଣ୍ଡା ଘରେ ସୋଫାଟିଏ ପକାଇ ଦେଇ ତା’ ଉପରେ ବସି ବାପାଙ୍କର ଡାଇରିଟିକୁ ପଢ଼ୁଥିଲା ଗୌତମ । ତା’ ପାଖରେ ବସି ଲିପୁ ଏବଂ ମାମୁନି ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରି ଚାଲିଥିଲା । ଡାଇରିଟିରେ ଉକ୍ତ କେତୋଟି ଧାଡ଼ି ଉପରେ ନଜର ପଡ଼ିବା ମାତ୍ରେ ଗୌତମ ବଣ୍ଡାମାନଙ୍କ ବିଷୟରେ ଅଧ‌ିକ କିଛି ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠି ସେ ତା’ର ସାଙ୍ଗ ଲିପୁ ଏବଂ ମାମୁନିଙ୍କୁ ଡାଇରିଟିକୁ ଦେଖାଇ ସମସ୍ତ କଥା କହିଲା । ଲିପୁ ଓ ମାମୁନି ଆଦିବାସୀମାନଙ୍କ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଥିଲେ ବେଶ୍‌ ଧୁରନ୍ଧର । ସେମାନଙ୍କୁ ‘ବଣ୍ଡା’ ଶବ୍ଦଟି ବେଶ୍‌ କୌତୂହଳ ମନେହେଲା । ସେମାନେ ଏହି ନାମଧାରୀ ଆଦିବାସୀ ସମ୍ପ୍ରଦାୟଙ୍କ ଶିଶୁଙ୍କ ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ବ୍ୟଗ୍ର ହୋଇ ଉଠିଲେ, ହେଲେ କ’ଣ କରାଯିବ ? ଗୌତମ ବାପା ଶିବଶଙ୍କର ବାବୁ ତ ଚାରି ପାଞ୍ଚଦିନ ପାଇଁ ସରକାରୀ କାମରେ ବାହାରକୁ ଯାଇଛନ୍ତି । ତଥାପି ସେମାନଙ୍କୁ ଗୋଟିଏ ଭଲ ଉପାୟ ଜୁଟିଗଲା ।

 

ଆମେମାନେ ସନ୍ଧ୍ୟା ସମୟକୁ ମୋ ବାପାଙ୍କୁ ଅପେକ୍ଷା କରିବା । ସେ ଅଫିସରୁ ଫେରିଲେ ଆମେମାନେ ତାଙ୍କୁ ବଣ୍ଡା ଶିଶୁମାନଙ୍କ ସମ୍ପର୍କରେ ବୁଝାଇଦେବା ପାଇଁ କହିବା । ଏହା କ’ଣ ଠିକ୍‌ ହେଇ ନାହିଁ କି ? ଗୌତମ ଏବଂ ମାମୁନିକୁ କହିଲା ଲିପୁ ।

 

ତୁ ଭଲ କଥାଟିଏ କହିଛୁ । ବର୍ତ୍ତମାନ ତ ଚାରିଟା ବାଜି ଗଲାଣି ଆମେମାନେ ବର୍ତ୍ତମାନ ଖେଳାଖେଳି କରିବା ଆଉ ପ୍ରାୟ ଘଣ୍ଟା ଦୁଇଘଣ୍ଟା ଭିତରେ ଅଙ୍କଲ ଆସିଯିବେ । ଗୌତମ ଏହା କହି ତା’ର ସାଥୀମାନଙ୍କୁ ଖେଳ ପଡ଼ିଆକୁ ଟାଣିନେଲା ।

 

ଶରତ ବାବୁ ସନ୍ଧ୍ୟାରେ ଫେରିବା ପରେ ବୈଠକଖାନାକୁ ଗଲେ । ସେତେବେଳକୁ ବୈଠକଖାନାରେ ଥିବା ତିନୋଟି ଚୌକିକୁ ଲିପୁ, ମାମୁନି ଏବଂ ଗୌତମ ଅଧିକାର କରିନେଇଥିଲେ । ଶରତ ବାବୁ ତାଙ୍କ ସୋଫା ଉପରେ ବସୁ ବସୁ ପଚାରିଲେ ପିଲାଏ, ଆଜି କ’ଣ ତୁମେମାନେ ଗୋଟିଏ ଧାଡ଼ିରେ ନୀରବ ହୋଇ ବସି ଯାଇଛ । ମୋ’ଠାରୁ କ’ଣ କିଛି ବୁଝିବାର ଅଛି କି ?

 

ଅଙ୍କଲ ! ମୁଁ ଆଜି ବାପାଙ୍କ ଡାଇରିରୁ ବଣ୍ଡାମାନଙ୍କ ସମ୍ପର୍କରେ କେଇଧାଡ଼ି ଲେଖା ପଢ଼ିବାକୁ ପାଇଲି । ସେ ଘରେ ନଥିବାରୁ ମୁଁ ତାଙ୍କୁ ଏ ବିଷୟରେ କିଛି ପଚାରି ପାରିଲି ନାହିଁ । ଲିପୁ ଆମମାନଙ୍କୁ ସୁନ୍ଦର ପ୍ରସ୍ତାବଟିଏ ଦେବାରୁ ଆମେମାନେ ସମସ୍ତେ ଏଠାକୁ ଚାଲି ଆସିଛୁ । ଦୟାକରି ବଣ୍ଡା ଶିଶୁମାନଙ୍କ ସମ୍ପର୍କରେ ଆମକୁ ଶୁଣାଇବ କି ? ବେଶ୍‌ ଧୀରସ୍ଥିର ‍ଭାବରେ ପଚାରିଲା ଗୌତମ ।

 

ହଁ, ଗୌତମ ! ବର୍ତ୍ତମାନ ତୁମମାନଙ୍କର ଅନେକ କଥା ଶିଖିବାର ସମୟ, ତୁମେମାନେ ଯେତେବେଳେ ବଣ୍ଡାମାନଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରିଛ ସେ ବିଷୟରେ ମୁଁ ତୁମମାନଙ୍କୁ ବୁଝାଇ ନଦେବି କାହିଁକି ? ଶରତ ବାବୁ ଟିକିଏ ହସି କହିଲେ ।

 

ଲିପୁ କହିଲା, ବାପା ! ବଣ୍ଡାମାନେ କ’ଣ କେବଳ ଆମ ଓଡ଼ିଶାରେ ଦେଖାଯାନ୍ତି ?

 

ଶରତ ବାବୁ କହିଲେ, ବଣ୍ଡାମାନଙ୍କର ଆଦିମ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲାର ‘ଖଇରପୁଟ’ ଓ କୁଡ଼ୁଗୁଲୁଗୁମା ବ୍ଲକ ଅଞ୍ଚଳରେ ଥିବା ମାଛ କୁଣ୍ଡ ନଦୀର ଉତ୍ତର ପଶ୍ଚିମରେ ଅବସ୍ଥିତ ବଣ୍ଡା ପାହାଡ଼ । କାଳକ୍ରମେ ସୋମନେ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳକୁ ମଧ୍ୟ ପରିବ୍ୟାପ୍ତ ହୋଇଛନ୍ତି । ଏମାନଙ୍କର ଭାଷା ହେଉଛି ମୁଣ୍ଡାରୀ ଭାଷା । ଆମ ଭାରତରେ ଦେଖାଯାଉଥିବା ମୋଟ ବାଷଠି ପ୍ରକାର ଉପଜାତିର ଆଦିବାସୀଙ୍କ ମଧ୍ୟରୁ ଏହି ବଣ୍ଡା ସମ୍ପ୍ରଦାୟଟି ଅନ୍ୟତମ । ଭେରିଅର ଏଲଓ୍ୱନ ନାମକ ଜଣେ ବିଖ୍ୟାତ ଇଂରେଜ ଗବେଷକ ଏହି ସମ୍ପ୍ରଦାୟକୁ ସାଧାରଣତଃ ତିନୋଟି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲେ ୧–ସମତଳ ଅଞ୍ଚଳରେ ବସବାସ କରୁଥିବା ଗୋଷ୍ଠୀ, ୨–ବାର କଙ୍ଗର ଗୋଷ୍ଠୀ, ଏବଂ ୩–ଗଦବା ପ୍ରଭାବିତ ଗୋଷ୍ଠୀ । ଏମାନଙ୍କ ମଧ୍ୟରୁ ପ୍ରଥମ ଗୋଷ୍ଠୀଟି କୌଣସି କାରଣରୁ କାଳକ୍ରମେ ପର୍ବତ ଶିଖରରୁ ସମତଳି ଅଞ୍ଚଳକୁ ଓହ୍ଲାଇ ଆସିଛନ୍ତି । ତେବେ ସେମାନେ ବଣ୍ଡା ପାହାଡ଼ ଉପରୁ ସେମାନଙ୍କର ସମ୍ପତ୍ତିବାଡ଼ି ଛାଡ଼ି ନାହାନ୍ତି । ଆଜିକାଲି ସେମାନେ ଆଧୁନିକ ପୋଷାକପତ୍ର ବ୍ୟବହାର କଲେଣି ।

 

ବଣ୍ଡାମାନଙ୍କର ଦ୍ଵିତୀୟ ଗୋଷ୍ଠୀ ଯେଉଁମାନଙ୍କୁ ବାରଜଙ୍ଗଲ ଗୋଷ୍ଠୀ ବୋଲି କୁହାଯାଏ-। ସେମାନେ ବଣ୍ଡା ପାହାଡ଼ର ଶିଖର ଦେଶରେ ବାରଖଣ୍ଡି ଗାଁରେ ବାସକରନ୍ତି । ଏମାନଙ୍କର ପ୍ରଥମ ବାସସ୍ଥଳୀ ହେଉଛି ଉକ୍ତ ଅଞ୍ଚଳର ମହୁଲି ପଡ଼ା ଗ୍ରାମ । ଅପର ପକ୍ଷରେ ବଣ୍ଡାମାନଙ୍କର ତୃତୀୟ ଗୋଷ୍ଠୀର ଅଧିବାସୀ ଦୁର୍ଗମ ପାହାଡ଼ ଅଞ୍ଚଳରେ ପ୍ରାୟ ୨୦ଟି ଗାଁରେ ବସବାସ କରନ୍ତି-

 

ଏଥର ଗୌତମ ସକାଳ ଡାଇରିଟିକୁ ଯାହା ପଢ଼ିଥିଲା । ସେକଥା ମନେପକାଇ ଶରତ ବାବୁଙ୍କୁ ପଚାରିଲା । ଅଙ୍କଲ ! ବଣ୍ଡାମାନେ ତ ପଶୁଭଳି ହିଂସ୍ର ତଥା ଉଗ୍ର । ତେବେ ସେମାନେ ଦେଖିବାକୁ କିଭଳି ? ସେମାନଙ୍କର କ’ଣ କୌଣସି ବେଶପୋଷାକ ନାହିଁ ?

 

ହଁ କହୁଛି ଶୁଣ, ଶରତ ବାବୁ କହିଲେ, ସେମାନେ ଦେଖିବାକୁ ସାଧାରଣ ମଣିଷ ପରି । ବଣ୍ଡା ପୁରୁଷମାନେ ସେମାନଙ୍କ ଶରୀରକୁ ବେଶ୍‌ ଆକର୍ଷଣୀୟ କରି ସଜାଇଥାନ୍ତି । ସାଧାରଣତଃ ସେମାନଙ୍କ ଚେହେରା ଦେଖିବାକୁ ଗୌରବର୍ଣ୍ଣ ବା ଶ୍ୟାମଳ । ଉଚ୍ଚତା ମଧ୍ୟମ ଧରଣର, ସାଧାରଣ ସ୍ଵାସ୍ଥ୍ୟ । ସେମାନଙ୍କ ମୁଖମଣ୍ଡଳରେ ବେଶ୍‌ ସରଳଭାବ ପରିଲକ୍ଷିତ ହୁଏ । ମୁଣ୍ଡର କେଶଗୁଡ଼ିକ ଝାମ୍ପୁରୁ ଝାମ୍ପୁରୁ । ଶରୀର ସମ୍ପୂର୍ଣ୍ଣ ମୁକୁଳା । ଅଣ୍ଟା ତଳକୁ ସେମାନେ ଚାଖଣ୍ଡେ ଓସାର ଲେଙ୍ଗୁଟି ବା ଘୁସି ଗୁଡ଼େଇ ହୋଇଥାନ୍ତି । ସେମାନଙ୍କର ଏହି ଘୁସି କେରଙ୍ଗ ନାମକ ଗଛର ବକଳରୁ ସୂତା କାଢ଼ି ବୁଣା ଯାଇଥାଏ ।

 

Image

 

ବଣ୍ଡା ନାରୀମାନଙ୍କ ପାଇଁ ମୁଣ୍ଡରେ କେଶ ଧାରଣ କରିବା ମନା । ତେଣୁ ବଣ୍ଡା ନାରୀ ଜନ୍ମ ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଣ୍ଡ ଲାଣ୍ଡି କରିଥାଏ । ସେହି ଲାଣ୍ଡି ମୁଣ୍ଡରେ ସେ ବାନ୍ଧିଥାଏ ରଙ୍ଗବେରଙ୍ଗର ମାଳୀ । ଏଗୁଡ଼ିକ ସେମାନେ ଲୁଦାୟା ବୋଲି କହିଥାନ୍ତି । ସେମାନଙ୍କ ବେକରେ ଦଶ ବାରଟି ଖଗଲା ଝୁଲୁଥାଏ । ସେମାନଙ୍କର ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ମୁକୁଳା । ଛାତିରେ ଲମ୍ବିଥାଏ ନୀଳ, ଲାଲ ତଥା ହଳଦି ରଙ୍ଗର ଲୁବାୟାମାନ । ଅଣ୍ଟାରେ ବେଢ଼େଇ ଥାନ୍ତି ତିନି ଫୁଟ ଲମ୍ବ ଏବଂ ଗୋଟିଏ ଫୁଟ ଚଉଡ଼ାର ଖଣ୍ଡିଏ ହାତ ବୁଣା ପଟି । ଏହାକୁ ସେମାନେ ରିଙ୍ଗାବୋଲି କହିଥାନ୍ତି ।

 

ବାପା ! ବଣ୍ଡାମାନେ କ’ଣ ଅଳଙ୍କାର ଲଗାଇବାକୁ ଭଲ ପାଆନ୍ତି ନାହିଁ ? ପ୍ରଶ୍ନ କଲା ଲିପୁ ।

 

ଶରତ ବାବୁ କହିଲେ, ହଁ ସେମାନେ ଭାରି ଅଳଙ୍କାର ପ୍ରିୟ । ଏପରିକି ବଣ୍ଡା ସମାଜର ପୁରୁଷଗଣ ମଧ୍ୟ ସେଥିରୁ ବାଦ୍‌ ଯାଆନ୍ତି ନାହିଁ । ସେମାନଙ୍କର ତଳ ଅଂଶରୁ ଉପର ଅଂଶ ପର୍ଯ୍ୟନ୍ତ ପିତଳର ଗହଣା, ଫାଶିଆ ଆଦି ଲଗାଇଥାନ୍ତି । ବେକରେ ପିତଳର ହାର । ଅଣ୍ଟାରେ ବାଉଁଶ ପାତିଆରେ ତିଆର ପାଉଁଜି । ଏଥିସହ ସେ ସଦାସର୍ବଦା ଧାରଣ କରିଥାଏ ଟାଙ୍ଗିଆ, ଛୁରି ଧନୁଶର ଏବଂ କାତି । ଏସବୁ ଜିନିଷ ଲଗାଇ ବଣ୍ଡା ପୁରୁଷ ଭୀମକାନ୍ତ ରୂପ ଧାରଣ କରେ ।

 

ଅପର ପକ୍ଷରେ ବଣ୍ଡା ସ୍ତ୍ରୀ ତା’ ହାତରେ ଦଶ ବାରଟି ଖଡ଼ୁ, କାନରେ ଆଲୁମିନିୟମରେ ତିଆରି କାନଫୁଲ ଯାହାକୁ ସେମାନେ ଲିମ୍ୱିଲୁ ବୋଲି କହିଥାନ୍ତି ଓ ପିତଳର ରିଙ୍ଗ, ଆଙ୍ଗୁଠିରେ ପିତଳର ମୁଦି ଇତ୍ୟାଦି ପିନ୍ଧିଥାନ୍ତି । ସମସ୍ତ ସମୟରେ ବଣ୍ଡା ସ୍ତ୍ରୀ ତା’ ଗୋଡ଼ରେ ମଧ୍ୟ ଖଡ଼ୁ ଲଗାଇଥ‌ିବାର ଦେଖାଯାଏ ।

 

ପିଉସା ବର୍ତ୍ତମାନ ବଣ୍ଡାମାନଙ୍କର ସାମାଜିକ ଜୀବନ ସମ୍ପର୍କରେ କିଛି କୁହ । ଏଥର ପ୍ରଶ୍ନକଲା ମାମୁନି ।

 

ସାଧାରଣତଃ ! ପ୍ରତି ବଣ୍ଡା ଗାଁମାନଙ୍କର ମଧ୍ୟସ୍ଥଳରେ ବରଗଛଟିଏ ଥାଏ । ତା’ ତଳେ ପଥରର ଚାନ୍ଦିନୀଟିଏ ତିଆରି କରାଯାଇଥାଏ, ଏହାକୁ କହନ୍ତି ସିନ୍ଦବୋର । ଏହାର ଖୁବ୍‌ ନିକଟରେ ଅବସ୍ଥାନ କରିଥାନ୍ତି ଗାଁର ଇଷ୍ଟଦେବତା ହୁଣ୍ଡି । ଏହି ସିନ୍ଦବୋର ଉପରେ ପରିବାରର ପ୍ରତିନିଧିମାନେ ବସି ଗାଁର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥାନ୍ତି । ଏହି ସ୍ଥାନଟିକୁ ବଣ୍ଡାମାନେ ଏକ ପବିତ୍ର ସ୍ଥାନ ବୋଲି ମନେକରନ୍ତି । ଏଠାରେ ଗାଁର ସଭା ସମିତି କାର୍ଯ୍ୟ ସମ୍ପାଦନ କରାଯାଏ ।

 

ଶରତ ବାବୁ କିଛି ସମୟ ନୀରବ ରହିବା ଦେଖି ପଚାରିଲା, ଅଙ୍କଲ ! ବଣ୍ଡାମାନେ ତ ସଦାସର୍ବଦା ସେମାନଙ୍କ ସାଥୀରେ ଟାଙ୍ଗିଆ, ଛୁରି, କାତି, ଧନୁଶର ଆଦି ଧାରଣ କରିବାକୁ ଭଲ ପାଆନ୍ତି । ତେବେ ସେମାନଙ୍କର ମୁଖ୍ୟ ଜୀବିକା କ’ଣ ଶିକାର ?

 

ଶରତ ବାବୁ ବୁଝାଇ ଦେଲେ, ଦରକାର ପଡ଼ିଲେ ବଣ୍ଡାମାନେ ବିନାବସ୍ତ୍ରରେ ପଦାକୁ ବାହାରି ପାରନ୍ତି । ହେଲେ ସେସବୁ ଅସ୍ତ୍ରବିନା ନୁହେଁ । ଦିନଥିଲା ସେତେବେଳେ ସେମାନେ ବଣର ହିଂସ୍ରଜନ୍ତୁଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ କିମ୍ବା ପଶୁ ଶିକାର କରିବା ନିମନ୍ତେ ଏହି ଅସ୍ତ୍ରଗୁଡ଼ିକ ଧରି ବୁଲୁଥିଲେ, ହେଲେ ଆଜିକାଲି ସେମାନେ ନିଜର ଜାତିଭାଇଠାରୁ ନିଜକୁ ରକ୍ଷା କରିବା ପାଇଁ ଏହି ଅସ୍ତ୍ର ଧାରଣ କରୁଛନ୍ତି । ଅବଶ୍ୟ ବଣ୍ଡାମାନଙ୍କର ମୁଖ୍ୟ ଜୀବିକା ଶିକାର ଏବଂ କୃଷି । ସେମାନେ ପୋଡ଼ୁ‍ଚାଷ ମାଧ୍ୟମରେ କୃଷି କାର୍ଯ୍ୟ ସମ୍ପାଦନ କରନ୍ତି । ତେବେ କ୍ରମାଗତ ପୋଡ଼ୁଚାଷ ଫଳରେ ଜଙ୍ଗଲ ହ୍ରାସ ପାଇବା ଫଳରେ ଆଜିକାଲି ସେମାନେ ପୂର୍ବଭଳି ଶିକାର କରୁନାହାନ୍ତି । କେବଳ ପର୍ବପର୍ବାଣି ସମୟରେ ସେମାନେ ଦଳବଦ୍ଧ ଭାବରେ ଶିକାରକୁ ଯାଇଥାନ୍ତି-। ଏତଦ୍‌ବ୍ୟତୀତ ସାଧାରଣ ଦିନମାନଙ୍କରେ ଏମାନେ ଚାଷ ଉପରେ ମନ ବଳାଇଥାନ୍ତି-। ସେମାନଙ୍କର ଧାନକ୍ଷେତ୍ର ସବୁ ପାହାଡ଼ିଆ ଝରଣାମାନଙ୍କ ନିକଟରେ ରହିଥାଏ । ସେମାନଙ୍କ ଚାଷଗୁଡ଼ିକ ମଧ୍ୟରେ ଧାନ ଚାଷ ପ୍ରଧାନ । ଏହାଛଡ଼ା ସେମାନେ ଜମିରେ ବିଭିନ୍ନ ପ୍ରକାର ତୈଳବୀଜ ମଧ୍ୟ ଚାଷ କରିଥାନ୍ତି ।

 

ବଣ୍ଡାମାନଙ୍କର ଖାଦ୍ୟ ମଧ୍ୟରେ ଭାତ ଡାଲି ଆଦି ପ୍ରଧାନ । ଏଗୁଡ଼ିକ ବ୍ୟତୀତ ସେମାନେ ବଣର ଫଳମୂଳ, ପନିପରିବା ତଥା କନ୍ଦକୁ ଖାଦ୍ୟରୂପେ ବ୍ୟବହାର କରିଥାନ୍ତି । ବିଭାହ ଉତ୍ସବ ସମୟରେ ସେମାନେ ମଇଁଷି ମାଂସ ଖାଆନ୍ତି ।

 

ମାମୁନି ପଚାରିଲା, ପିଉସା ! ବଣ୍ଡା ସମାଜରେ କ’ଣ କୌଣସି ଅନ୍ଧବିଶ୍ୱାସ ରହିଥିବାର ପ୍ରମାଣ ନାହିଁ ?

 

ହଁ ରହିଛି ! ଶରତବାବୁ ବୁଝାଇ କହିଲେ, ସେମାନଙ୍କ ସମାଜରେ ଡାହାଣୀ ଏବଂ ଭୂତପ୍ରେତ ବିଶ୍ଵାସ ରହିଛି । ଯଦି ପରିବାରରେ କୌଣସି ବ୍ୟକ୍ତି ଡାହାଣୀ ଦ୍ୱାରା ଆକ୍ରାନ୍ତ ହେଲା, ସେତେବେଳେ ସେମାନେ ଜ୍ୟୋତିଷ ଯାହାକୁ ସେମାନେ ଦିସାରିବୋଲି କହିଥାନ୍ତି ସେ ଆସି ଆରୋଗ୍ୟ ନିମନ୍ତେ ପୂଜାନୁଷ୍ଠାନ କରିଥାନ୍ତି । ଏତଦ୍‌ବ୍ୟତୀତ କୁହୁକ ଓ ଇନ୍ଦ୍ରଜାଲରେ ମଧ୍ୟ ଏମାନଙ୍କର ଆହୁରି ମଧ୍ୟ ବିଶ୍ୱାସ ଯେ କେବେ କେବେ ଭୂତପ୍ରେତ ଏବଂ ଡାହାଣୀ ପଶୁପକ୍ଷୀମାନଙ୍କର ରୂପ ଗ୍ରହଣ କରିଥାନ୍ତି ।

 

ପିଲାଏ ! ଏଥର ବଣ୍ଡାମାନଙ୍କର ଦେବାଦେବୀ ତଥା ପର୍ବପର୍ବାଣି ସମ୍ପର୍କରେ ଶୁଣ । ଶରତ ବାବୁ ଟିକିଏ ରହିଯାଇ ପୁନର୍ବାର ଆରମ୍ଭ କଲେ–

 

ବଣ୍ଡାମାନେ ସେମାନଙ୍କର ପ୍ରଧାନ ଦେବତା ଭଗବାଁ ବୋଲି କହିଥାନ୍ତି । ସେମାନଙ୍କ ଭାଷାରେ ଭଗବାଁ ଅର୍ଥ ହେଉଛି ଭଗବାନ । ସେମାନେ ଭଗବାଁର ଗୋଟିଏ ନାମ ବୋଲି ବିଶ୍ୱାସ କରିଥାନ୍ତି । ତଥାପି ସେମାନଙ୍କର ଅନ୍ୟାନ୍ୟ ଦେବାଦେବୀ ରହିଛନ୍ତି । ସେମାନେ ହେଲେ ରୋଗ, ସୌଭାଗ୍ୟ, ଦୁର୍ଭାଗ୍ୟ ତଥା ଦୁଃଖର ଦେବାଦେବୀ । ସେମାନେ ସୂର୍ଯ୍ୟ ଦେବତାଙ୍କୁ ସେମାନଙ୍କର ସ୍ରଷ୍ଟା ବୋଲି ଭାବିଥାନ୍ତି । ତାଙ୍କୁ ସେମାନେ ସିଙ୍ଗିଆର୍କେବୋଲି କହନ୍ତି । ଏତଦ୍‌ବ୍ୟତୀତ ବଣ୍ଡାମାନେ ଗାଁ ମୁଣ୍ଡରେ ଥିବା ଦେବତାଙ୍କୁ ଡମ୍ବର, ବାଘ ଦେବତାଙ୍କୁ ଓରସେଲେ, ଝରଣା ଦେବତାଙ୍କୁ ଭୂଙ୍କତା, ପାହାଡ଼ ଦେବତାଙ୍କୁ ବୁଗାବର କହିଥାନ୍ତି । ବଣ୍ଡାମାନେ ବିଭିନ୍ନ ସମୟରେ ଏସବୁ ଦେବଦେବୀଙ୍କର ପୂଜା କରିଥାନ୍ତି ।

 

ଅନ୍ୟାନ୍ୟ ଆଦିବାସୀଙ୍କ ପରି ବଣ୍ଡାମାନେ ବିଭିନ୍ନ ନାଚଗୀତ, ଭୋଜି, ପଶୁବଳି ମାଧ୍ୟମରେ ସମସ୍ତ ପର୍ବ ପାଳନ କରନ୍ତି । ପର୍ବ ଦିବସର କିଛିଦିନ ପୂର୍ବରୁ ଏବଂ କିଛିଦିନପରେ ଏହିପରି ହିସାବରେ ପ୍ରାୟ ସାତରାତି ନୃତ୍ୟଗୀତ ଚାଲିଥାଏ । ବିଭିନ୍ନ ପ୍ରକାର ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ସେମାନଙ୍କର ମୁଖ୍ୟତଃ ପାଞ୍ଚଟି ପର୍ବ ପ୍ରଧାନ । ସେଗୁଡ଼ିକ ହେଲେ ଚୈତ୍ର ପରବ, ମାଘ ପରବ, ପୁଷ ପରବ, ଦିଲାଲି ପରବ, ଦଲାଲି ପରବ, ଦମରା ପରବ । ଏଗୁଡ଼ିକ ସେମାନେ ଯଥାକ୍ରମେ ଗିଏରାଗିଗେ, ସୁସୁଗିଗେ, ପୁରା ଆରକି, ଗେବୁର ସିଂଗଗେ କୁମ୍ବଡକାଗିଗେ ବୋଲି କହିଥାନ୍ତି ।

 

ଶରତ ବାବୁ ତାଙ୍କର କଥା ଶେଷ କରିବାକୁ ବସିଲେ । ଏହା ଜାଣି ଗୌତମ ପଚାରିଲା, ଅଙ୍କଲ ! ବଣ୍ଡାମାନଙ୍କର ଉନ୍ନତି ପାଇଁ ଆମ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି କି ?

 

ଶରତ ବାବୁ କହିଲେ, ହଁ, ସେମାନଙ୍କର ଉନ୍ନତି ପାଇଁ ୧୯୭୭ ମସିହାରେ ମୁଦୁଲିପଡ଼ାଠାରେ ବଣ୍ଡା ଉନ୍ନୟନ ଏଜେନ୍‌ସି ଗଠନ କରାଯାଇଛି । ଏହି ସଂସ୍ଥା ତରଫରୁ ସେମାନଙ୍କର ଗମନାଗମନ, କୃଷିକର୍ମ, ଶିକ୍ଷା, ଡାକ୍ତରୀ ଚିକିତ୍ସା ଆଦି ନିମନ୍ତେ ବ୍ୟାପକ ଯୋଜନା ହାତକୁ ନିଆଯାଇଛି । ଆଜିକାଲି ଅନେକ ଚିନ୍ତାଶୀଳ ବ୍ୟକ୍ତି ସେମାନଙ୍କର ଜୀବନଧାରା ତଥା ଭାଷା ସମ୍ପର୍କରେ ଅନୁଧ୍ୟାନ କରିବାରେ ଲାଗିଲେଣି ।

☆☆☆

 

ଗଦବା ଶିଶୁ

 

ଲିପୁ ଏବଂ ମାମୁନିଙ୍କ ମନ ଆଜି ଭାରି ଖୁସି । କାଲି ସନ୍ଧ୍ୟାବେଳେ ମାମୁନିର ବାପା ଆସି ପହଞ୍ଚିଛନ୍ତି । ସେ ଜଣେ ଡାକ୍ତର, ସେମିଳିଗୁଡ଼ାରେ ଗୋଟିଏ ଆଦିବାସୀ କ୍ୟାମ୍ପ ଅନୁଷ୍ଠିତ ହେଉଛି । ସେ ସେଠାକୁ ଯାଇ ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଲିପୁ ଓ ମାମୁନିକୁ ମଧ୍ୟ ସାଥିରେ ନେଇଯିବେ । ସେଠାରେ ଦୁଇ ତିନି ଦିନ ରହିବା ପରେ ସେ ବିଭିନ୍ନ ଆଦିବାସୀ ଗ୍ରାମ ବୁଲି ସେମାନଙ୍କର ଜୀବନଯାପନ ପ୍ରଣାଳୀ ଅନୁଧ୍ୟାନ କରିବେ ।

 

ମାମୁଁ ! ତୁମେତ ବିଭିନ୍ନ ଆଦିବାସୀ ଗ୍ରାମ ବୁଲି ଲୋକମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିବ । ହେଲେ ଆମମାନଙ୍କୁ ସେମାନଙ୍କର ଜୀବନଯାପନ ପ୍ରଣାଳୀ ତଥା ସାମାଜିକ ସଂସ୍କୃତ ସମ୍ବନ୍ଧରେ କ’ଣ ବୁଝାଇ ଦେବ ନାହିଁ ? ଲିପୁ ଶିବପ୍ରସାଦ ବାବୁଙ୍କ ହାତ ଧରି ପଚାରିଲା ।

 

ହଁରେ ଲିପୁ ! ମୁଁତ ତୁମମାନଙ୍କୁ କେବଳ ସେଇଥି ପାଇଁ ସେ ଅଞ୍ଚଳକୁ ନେଇଯାଉଛି । କାରଣ ମୁଁ ଦେଖୁଛି ତୁମମାନଙ୍କର ଆଦିବାସୀ ସମ୍ପ୍ରଦାୟଙ୍କ ସମ୍ପର୍କରେ ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ ପ୍ରବଳ ଆଗ୍ରହ ରହିଛି ବୁଝାଇ ଦେଲେ ମାମୁଁ ।

 

ନିର୍ଦ୍ଦିଷ୍ଟ ସମୟରେ ସେମିଳିଗୁଡ଼ା ଗାଡ଼ି ଆସି ପହଞ୍ଚିଲା । ଶିବପ୍ରସାଦ ବାବୁଙ୍କ ସହିତ ଲିପୁ ଏବଂ ମାମୁନି ସେ ଗାଡ଼ିରେ ଚଢ଼ିଲେ । ଅଳ୍ପ ସମୟ ମଧ୍ୟରେ ଗାଡ଼ି ଛାଡ଼ିଲା ।

 

ଏହି ସମୟରେ ମାମୁନି ଚିତ୍କାର କରି ଉଠିଲା, ବାପା ! ଡ୍ରାଇଭରକୁ ଗାଡ଼ି ରଖିବା ପାଇଁ କୁହ । ଆମେ ଭୁଲବଶତଃ ଖାଲି ବୋତଲଟିକୁ ନେଇ ଆସିଛେ । ଘରେ ଲିପୁ ଫୁଟାପାଣି ରଖିଦେଇ ଆସିଛି ଚାଲ ତାକୁ ନେଇ ଆସିବା ।

 

ମାମୁନିର ଏପରି କଥା ଶୁଣି ଶିବବାବୁ କହିଲେ, ନାଁରେ ମାମୁନି ଗାଡ଼ି ଅଟକାଇବାର କୌଣସି ଆବଶ୍ୟକତା ନାହିଁ । ଆମେମାନେ ସେମିଳିଗୁଡ଼ାରେ ପହଞ୍ଚିଲେ ଭଲ ପାଣି ପାଇବା ଆଉ ତିନି ଚାରି ଘଣ୍ଟା ପରେ ଗାଡ଼ି ସେଠାରେ ପହଞ୍ଚିଯିବ ।

 

ଗାଡ଼ି ଦ୍ରୁତ ବେଗରେ ଆଗକୁ ଆଗ ମାଡ଼ି ଚାଲିଥାଏ । ଲିପୁ ଓ ମାମୁନି ଗାଡ଼ିର ଝରକା ମଧ୍ୟଦେଇ ଅନେକ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାରେ ଲାଗିଥାନ୍ତି । ଲିପୁ ହଠାତ୍‌ ତା’ର ଦୃଷ୍ଟି ଫେରାଇ ଆଣି ଶିବ ବାବୁଙ୍କୁ ପଚାରିଲା, ମାମୁଁ ! ଆମେ ଯେଉଁ ଆଦିବାସୀମାନଙ୍କ ନିକଟକୁ ଯିବା ସେମାନେ ସମସ୍ତେ କେଉଁ ସମ୍ପ୍ରଦାୟର ଲୋକ ?

 

ମାମୁଁ ବୁଝାଇ ଦେଲେ, ଗଦବା ସମ୍ପ୍ରଦାୟର ଲୋକ । ଅବଶ୍ୟ ଏହି ନାଁଟି ତୁମମାଙ୍କୁ ବେଶ୍‌ ନୂଆ ମନେ ହେଉଥିବ । ତେବେ ମୁଁ ସେମାନଙ୍କ ସମ୍ପର୍କରେ କିଛି କହୁଛି ଶୁଣ । ତୁମେମାନେ ସେମାନଙ୍କ ସଂସ୍ପର୍ଶରେ ଆସିଲେ ଅଧିକ କିଛି ଜାଣିପାରିବ ।

 

ମାମୁଁଙ୍କର ଏପରି କଥା ଶୁଣି ମାମୁନି ମଧ୍ୟ ତା’ର ଦୃଷ୍ଟି ଫେରାଇ ଆଣିଲା । ଲିପୁ ଓ ମାମୁନି ଦୁହେଁଯାକ ଗଦବାମାନଙ୍କ ସମ୍ପର୍କରେ ଶୁଣିବା ପାଇଁ ବେଶ୍‌ ଆଗ୍ରହୀ ହୋଇ ଉଠିଲେ । ମାମୁନି ପଚାରିଲା ବାପା, ସେମାନେ କ’ଣ କେବଳ ସିମିଳିଗୁଡ଼ା ଅଞ୍ଚଳରେ ଦେଖାଯା’ନ୍ତି ? ଆଜିକାଲି ସେମାନଙ୍କର ସଂଖ୍ୟା କେତେ ହେବ ?

 

ଶିବ ବାବୁ କହିଲେ, ପିଲାଏ ! ଆମ ଗାଡ଼ି ତ ସେଠାରେ ପହଞ୍ଚିବା ପାଇଁ ଆହୁରି ଅନେକ ସମୟ ରହିଛି । ତା’ରି ମଧ୍ୟରେ ମୁଁ ଗଦବା ସମ୍ପର୍କରେ କିଛି କହୁଛି ଶୁଣ ।

 

ସାଧାରଣତଃ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଏବଂ ମାଲକାନଗିରି ଜିଲ୍ଲାର କେତେକ ମାଳ ଅଞ୍ଚଳରେ ହେଲେ ଗଦବା ମାନଙ୍କର ବାସସ୍ଥଳୀ ଏହାଛଡ଼ା ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ମଧ୍ୟ କେତେକ ଗଦବା ବସବାସ କରୁଥିବା ଜଣାଯାଇଛି । ବର୍ତ୍ତମାନ ଏହାର ଲୋକସଂଖ୍ୟା ପ୍ରାୟ ଏକ ଲକ୍ଷ ହେବ ।

 

ବାପା ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ଭଳି ଗଦବାମାନଙ୍କର କ’ଣ ସ୍ୱତନ୍ତ୍ର ଭାଷା, ରହିଛି, ଜାଣିବାକୁ ଇଚ୍ଛାକଲା ମାମୁନି ।

 

ଶିବପ୍ରସାଦ ତାକୁ ବୁଝାଇଲେ, ହଁ ସେମାନଙ୍କର ସ୍ୱତନ୍ତ୍ର ଭାଷା ରହିଛି । ତାହା ହେଲା ‘ଗୁଡ଼ାବ’ ଭାଷା । ଗଦବାମାନେ ସାଧାରଣତଃ ସମତଳ ଏବଂ ପାର୍ବତ୍ୟ ଅଞ୍ଚଳରେ ଘରଦ୍ୱାର କରି ରହିଛନ୍ତି । ଏମାନଙ୍କର ମଧ୍ୟ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ପରି ବିଭିନ୍ନ ଜାତି ରହିଛି । ସେଗୁଡ଼ିକ ହେଲା, କଲାୟି ଗଦବା, କପୁ ଗଦବା, କୁରୁଗୁ ଗଦବା, ପରେଙ୍ଗା ଗଦବା, ବଡ଼ ଗଦବା, ସାନ ଗଦବା, ଅଲାର ଗଦବା, କଟେଣି ଗଦବା, କୁରୁମୁ ଗଦବା ଇତ୍ୟାଦି । ଏଗୁଡ଼ିକ ମଧ୍ୟରୁ ବଡ଼ ଗଦବାମାନେ ସେମାନଙ୍କ ସମାଜରେ ସମ୍ମାନଜନକ ସ୍ଥାନ ଲାଭ କରିଥାନ୍ତି । ଅପର ପକ୍ଷରେ କଲାୟି ଗଦବାମାନଙ୍କୁ ସମାଜର ସବୁଠାରୁ ନୀଚ ଗୋଷ୍ଠୀର ଲୋକ ହିସାବରେ ଗଣାଯାଇଥାଏ ।

 

ଏହି ସମୟରେ ଲିପୁ ହଠାତ୍‌ ପଚାରିଲା, ମାମୁଁ ଗଦବାମାନଙ୍କର ଗାଁ ତଥା ବସାଘର କିପରି ହୋଇଥାଏ ସେ ବିଷୟରେ ଆମକୁ କୁହନା ?

 

ମାମୁଁ ବୁଝାଇଲେ; ହଁରେ ପିଲାଏ ! ଗଦବାମାନଙ୍କର ବସ୍ତିଗୁଡ଼ିକ ଯେକେହି ବ୍ୟକ୍ତି ଅତି ସହଜରେ ଚିହ୍ନିପାରିବ; ସେମାନଙ୍କର ଘରଗୁଡ଼ିକ ସାଧାରଣତଃ ଗୋଲାକାର ହୋଇଥାଏ । ତୁମେମାନେ ଏହି କୋରାପୁଟ ଜିଲ୍ଲାରେ ଯେକୌଣସି ସ୍ଥାନରେ ଏହିପରି ଘର ଦେଖିଲେ ତାହା ଯେ ଗଦବା ବସତି ଏକଥା ସହଜରେ ଅନୁମାନ କରିହେବ । ଏମାନଙ୍କର ଗାଁଗୁଡ଼ିକ ସାଧାରଣତଃ ଦୁଇଟି ମୁଖ୍ୟଶ୍ରେଣୀରେ ବିଭକ୍ତ କରାଯାଏ । ଏଗୁଡ଼ିକ ହେଲା ୧–ବୋନସ ଏବଂ ୨–କୁଡ଼ା । କୁଡ଼ାଗୁଡ଼ିକ ବୋନସ ଅଧୀନରେ ଥାଏ । ଗଦବାମାନେ ତାଙ୍କ ଗାଁମାନଙ୍କରେ ରହିଥିବା ନିୟମଗୁଡ଼ିକୁ ଉତ୍ତମରୂପେ ମାନି ଚଳନ୍ତି । ପ୍ରତ୍ୟେକ ଗାଁର ଜଣେ ମୁଖିଆକୁ ନେଇ ସେମାନଙ୍କର ପଞ୍ଚାୟତ ଗଠିତ ହୋଇଥାଏ । ଏହି ପଞ୍ଚାୟତ ଗାଁଗୁଡ଼ିକର ସମସ୍ତ ସମସ୍ୟା ସମାଧାନ କରିବା ଦିଗରେ ଯତ୍ନବାନ ହୁଏ ।

 

ମାମୁଁ ! ତୁମେ ଗଦବାମାନଙ୍କର ବେଶପୋଷାକ ତଥା ସେମାନେ ଦେଖିବାକୁ କିପରି ? ଏ ବିଷୟରେ କହିବାକୁ ଭୁଲିଗଲ କି ? ଲିପୁ ମନେପକାଇ ଦେଲା ।

 

ହଁ ଶୁଣ ! କହିଲେ ଶିବ ବାବୁ ଗଦବାମାନଙ୍କର ଚେହେରାରେ ସେପରି କିଛି ବିଶେଷତ୍ୱ ଲକ୍ଷ୍ୟ କରାଯାଏ ନାହିଁ । ସେମାନେ ଦେଖିବାକୁ ସାଧାରଣ ଆଦିବାସୀଙ୍କ ପରି । ଗଦବା ନାରୀମାନଙ୍କର ବେଶ୍‍ ଅଳଙ୍କାର ପ୍ରିୟ । ସେମାନେ ବେକରେ ନିକେଲ ଓ କାଚର ମାଳି କାନରେ କାନବଳା; ନାଙ୍ଗୁଲ ବାଉଳି ଓ କପାଳରେ କଉଡ଼ିମାଳ ଲଗାଇବାକୁ ଭଲ ପାଆନ୍ତି । ଏଗୁଡ଼ିକ ମଧ୍ୟରୁ ନାଙ୍ଗୁଲ ବାଉଳି ଓ ନାକର ଫାଶିଆ ଆଦି ଅଳଙ୍କାରମାନ ସୁନାରେ ତିଆରି ହୋଇଥାଏ । ସେମାନଙ୍କ ହାତରେ ସ୍ଥାନ ପାଇଥାଏ କାଚ ଖଡ଼ୁ ଓ ଗେଣ୍ଡ ଆଦି ଜିନିଷମାନ ।

 

Image

 

ଗଦବା ସମାଜର ପୁରୁଷମାନେ ମଧ୍ୟ ବିଭିନ୍ନ ପ୍ରକାର ଅଳଙ୍କାର ବ୍ୟବହାର କରିବାରୁ ବାଦ୍‌ ଯାଆନ୍ତି ନାହିଁ । କେତେକ ଗଦବା ପୁରୁଷ ସେମାନଙ୍କର ନାକ ଓ କାନରେ ସୁନା ନୋଳି, ଏବଂ ହାତ ଆଙ୍ଗୁଠିରେ ରୂପା ତିଆରି ମୁଦି ପିନ୍ଧିଥାନ୍ତି । ସମୟ ସମୟରେ ସେମାନଙ୍କ ଗଳାରେ କାଠି ବା କାଠିର ସୁନା ମାଳି ସ୍ଥାନ ପାଇଥାଏ ।

 

ଏଥର ସେମାନଙ୍କର ଜୀବିକା ତଥା ଖାଦ୍ୟ ସମ୍ପର୍କରେ କିଛି କହୁଛି ଶୁଣ–କୃଷି ଓ ଶିକାର ହେଉଛି ଗଦବାମାନଙ୍କର ପ୍ରଧାନ ଜୀବିକା, ହେଲେ ସେମାନଙ୍କର ବିଶେଷ ଚାଷ ଜମି ନଥାଏ । ତେଣୁ ସେମାନେ ପାହାଡ଼ ତଳେ ମକା, ହଳଦି, କାନ୍ଦୁଲ, ମାଣ୍ଡିଆ, ଧାନ ଇତ୍ୟାଦି ଚାଷ କରନ୍ତି । ଆଉ କେତେକ ଜଙ୍ଗଲର ଜୀବଜନ୍ତୁ ତଥା ପକ୍ଷୀମାନଙ୍କୁ ଶିକାର କରି ସେମାନଙ୍କର ଜୀବିକା ନିର୍ବାହ କରନ୍ତି । ଏଥ‌ିପାଇଁ ସେମାନେ ଧନୁଶରକୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରନ୍ତି । ଏତଦ୍‌ବ୍ୟତୀତ ସେମାନଙ୍କ ପରିବାରର ସ୍ତ୍ରୀମାନେ ସୂତାକଟା ତଥା ଲୁଗାବୁଣା କାର୍ଯ୍ୟରେ ବେଶ୍‌ ସିଦ୍ଧହସ୍ତୀ । ଜଙ୍ଗଲରେ ଥିବା କେରଙ୍ଗ ଗଛର ବକ୍‌କଳରୁ ସେମାନେ ତନ୍ତୁ ବାହାର କରି ସୂତା କାଟନ୍ତି ଏବଂ ସେଥ‌ିରେ ଲୁଗା ବୁଣି ପିନ୍ଧନ୍ତି । ସେମାନଙ୍କ ସମାଜର ପ୍ରଥା ଅନୁସାରେ ପରିବାରର ବାଳିକାମାନେ ଲୁଗାବୁଣା ଶିଖିବାକୁ ବାଧ୍ୟ ହୋଇଥାନ୍ତି । ନଚେତ୍‌ ସେମାନେ ବିବାହ ହୋଇପାରନ୍ତି ନାହିଁ ।

 

ଗଦବାମାନଙ୍କର ଖାଦ୍ୟ ମଧ୍ୟରେ, ମାଣ୍ଡିଆ, ସୁଆଁ, ଭାତ ତଥା ଜଙ୍ଗଲର ଫଳମୂଳ ପ୍ରଧାନ I ସେମାନେ ମାଣ୍ଡିଆକୁ ଜାଉ କରି ଖାଇବାକୁ ଭଲ ପାଆନ୍ତି । କିଛି ବର୍ଷ ପୂର୍ବେ ଗଦବାମାନେ ଗୋରୁ, ମଇଁଷି, ମୂଷା, ଘୁଷୁରି, ଠେକୁଆ, ସମ୍ବର କୁକୁଡ଼ା ମାଛ ଆଦି ଖାଉଥିଲେ । କିନ୍ତୁ ଆଜିକାଲି ତାହା ନାହିଁ । ସେମାନେ କ୍ରମେ ଶିକ୍ଷିତ ସମାଜର ସଂସ୍ପର୍ଶରେ ଆସି ଏସବୁ ଖାଦ୍ୟରୁ ନିବୃତ୍ତ ରହିଲେଣି ।

 

ସେତେବେଳକୁ ଦିନପ୍ରାୟ ଏଗାରଟା ବାଜି ସାରିଥିଲା । ବସ୍‌ କୋରାପୁଟରେ ଅଟକିଲା-। ପିଲମାନେ ମଧ୍ୟାହ୍ନ ଭୋଜନ କରିବା ପାଇଁ ନିକଟସ୍ଥ ହୋଟେଲକୁ ଗଲେ । ହେଲେ ସେମାନଙ୍କ ମନ ଖାଇବାରେ ନଥିଲା । କେବଳ ଗଦବାମାନଙ୍କ ସମ୍ପର୍କରେ ଆଉ କିଛି ଶୁଣିବା ପାଇଁ-। ଏହି ସମୟରେ ଲିପୁ ଶିବ ବାବୁଙ୍କୁ ପଚାରିଲା; ଗଦବାମାନଙ୍କର ଦେବାଦେବୀ ତ ଥିବେ । ଏହାଛଡ଼ା ସେମାନେ ତ ବିଭିନ୍ନ ପର୍ବପର୍ବାଣି ପାଳନ କରୁଥିବେ । ସେସବୁ ବିଷୟରେ ଆମକୁ ବୁଝାଇ ଦିଅନା-

 

ହଁ ପିଲାଏ ! ସେସବୁ ବିଷୟରେ ନିଶ୍ଚୟ କହିବି l ତୁମେମାନେ ପ୍ରଥମେ ଖାଇଦିଅ । ତା’ପରେ ଗାଡ଼ି ଭିତରେ ବସି ଆମେମାନେ କଥାବାର୍ତ୍ତା ହେବା ।

 

ଅଳ୍ପ ସମୟ ମଧ୍ୟରେ ଲିପୁ ଓ ମାମୁନି ହାତ ଧୋଇସାରି ଗାଡ଼ି ପାଖକୁ ଗଲେ । ଶିବ ବାବୁ ଆସିବାକ୍ଷଣି ସେମାନେ ଗାଡ଼ି ଭିତରେ ନିଜ ନିଜର ସ୍ଥାନ ଅଧିକାର କରିନେଲେ । ଏହାପରେ ଶିବ ବାବୁ କହିଲେ; ଆମେ ତ ଆଉ ଅଳ୍ପ ସମୟ ମଧ୍ୟରେ ସେମିଳିଗୁଡ଼ାରେ ପହଞ୍ଚିଯିବା ।

 

ମାମୁଁ ! ଆମକୁ ଗଦବାମାନଙ୍କର ଦେବାଦେବୀ ତଥା ପର୍ବପର୍ବାଣିଗୁଡ଼ିକ ସମ୍ପର୍କରେ ବୁଝାଇ ଦିଅନା ଉତ୍କଣ୍ଠିତ ହୋଇ ପଚାରିଲା ଲିପୁ ।

Image

ଶରତ ବାବୁ କହିଲେ; ଗଦବାମାନେ ଧର୍ମକୁ କଦାପି ଛାଡ଼ନ୍ତି ନାହିଁ । ଆମମାନଙ୍କ ପରି ସେମାନେ ଭଗବାନ ଶଙ୍କର ଭୈରବ ବସୁମାତା ତଥା ବିଭିନ୍ନ ଠାକୁରାଣୀଙ୍କୁ ପୂଜା କରିଥାନ୍ତି । ସେମାନଙ୍କର ପ୍ରଧାନ ପର୍ବ ହେଉଛି ଚୈତ୍ରପର୍ବ । ଶିକାରଟିଏ ହସ୍ତଗତ ହେବା ମାତ୍ରକେ ତା’ ନିକଟକୁ ସ୍ତ୍ରୀଲୋକମାନେ ଆସି ନୃତ୍ୟ କରିବା ସେମାନଙ୍କର ଗୋଟିଏ ପ୍ରଥା । ଗଦବାମାନଙ୍କର ଅନ୍ୟାନ୍ୟ ପର୍ବପର୍ବାଣି ଭିତରେ ନୂଆଖାଇ ପୁଷ ପୁନିଆ ଆମ୍ବଖିଆ ପର୍ବ ଦଶହରା ପର୍ବ ଆଦି ପ୍ରଧାନ । ଏସବୁ ପର୍ବମାନଙ୍କରେ ମିଳିତ ନୃତ୍ୟଗୀତ ଆରମ୍ଭ ହୁଏ ।

 

ଏହି ସମୟରେ ବସ୍‌ଟି ସେମିଳିଗୁଡ଼ାରେ ଆସି ପହଞ୍ଚିଲା ପିଲାମାନେ ମନ ଖୁସିରେ ବସ୍‌ରୁ ଓହ୍ଲାଇ ଆସିଲେ ।

Image